
ବାହାନଗା ରେଳ ଦୁର୍ଘଟଣାକୁ ନେଇ ରେଲୱେ ବୋର୍ଡ ପକ୍ଷରୁ ରବିବାର ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ସେଦିନ କେମିତି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଥିଲା, ତାହା କହିଥିଲେ ବୋର୍ଡ ସଦସ୍ୟ ଜୟା ବର୍ମା ସିହ୍ନା।
ବୋର୍ଡ ପକ୍ଷରୁ କୁହାଯାଇଛି, ବାହାନଗା ବଜାର ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଷ୍ଟେସନ ଦେଇ ୪ଟି ଲାଇନ ଯାଇଛି। ସେଥିରୁ ଦୁଇଟି ମୁଖ୍ୟ ଲାଇନ ଥିବା ବେଳେ ସେ ଦୁଇଟି ମଝିରେ ରହିଛି। ଦୁଇ ମୁଖ୍ୟ ଲାଇନର କଡ଼ରେ ରହିଛି ଦୁଇଟି ଲୁପ୍ ଲାଇନ। ଦୁର୍ଘଟଣା ଘଟିବା ଦିନ ଉଭୟ ଲୁପ୍ ଲାଇନରେ ଦୁଇଟି ଲୁହା ପଥର ବୋଝେଇ ମାଲଗାଡ଼ି ଛିଡ଼ା ହୋଇଥିଲେ।

ସେହି ସମୟରେ ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ ଚେନ୍ନାଇରୁ ହାୱଡା ଅଭିମୁଖେ ଯାଉଥିଲା ଓ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ହାୱଡା ପଟରୁ ଆସୁଥିଲା। ଉଭୟ ଟ୍ରେନ ପାଇଁ ଦୁଇଟି ଯାକ ମୁଖ୍ୟ ଲାଇନରେ ଗ୍ରୀନ୍ ସିଗ୍ନାଲ ଦିଆଯାଇଥିଲା। କରମଣ୍ଡଳ ଏକ୍ସପ୍ରେସ ଘଣ୍ଟାପ୍ରତି ୧୨୮ କିଲୋମିଟର ବେଗରେ ଯାଉଥିବା ବେଳେ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ଘଣ୍ଟାପ୍ରତି ୧୨୬ କିଲୋମିଟର ବେଗରେ ଯାଉଥିଲା। ଉଭୟ ଟ୍ରେନର ଘଣ୍ଟା ପ୍ରତି ବେଗ ୧୩୦ କିମି । ତେଣୁ କେହି ଅଧିକ ବେଗରେ ଯାଉ ନଥିଲେ ।

ବୋର୍ଡ ସଦସ୍ୟ ଜୟା ବର୍ମା ସିହ୍ନା ଆହୁରି କହିଛନ୍ତି, କୌଣସି କାରଣରୁ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ଏହା ଏକ ଲୁପ୍ଲାଇନରେ ଥିବା ଲୁହା ପଥର ବୋଝେଇ ଟ୍ରେନ୍କୁ ଧକ୍କା ଦେଇଥିଲା। ହେଲେ ସେଥିରେ ଲୁହା ପଥର ଲୋଡ ହୋଇଥିବାରୁ ତାହା ହଲଚଲ ହୋଇନଥିଲା। କିନ୍ତୁ କରମଣ୍ଡଳର ବଗିଗୁଡ଼ିକ ଧକ୍କା ପରେ ଏଣେତେଣେ ପଡ଼ିଥିଲା। କରମଣ୍ଡଳର କିଛି ବଗି ଯାଇ ତୃତୀୟ ଲାଇନରେ ପଡ଼ିଥିଲା ଯେଉଁଥିରେ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ଆସୁଥିଲା। କରମଣ୍ଡଳର କିଛି ବଗି ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସର କିଛି ବଗିରେ ମାଡ଼ ହୋଇଥିଲା। ତେବେ କାବଳ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ଅନ୍ୟ ଟ୍ରେନଗୁଡ଼ିକ ଦୁର୍ଘଟଣାର ଶିକାର ହୋଇନାହାନ୍ତି।

ସିହ୍ନା ଆହୁରି କହିଛନ୍ତି କି, ସିଗ୍ନାଲ ସମସ୍ୟା ଥିବା ଜଣାପଡ଼ିଛି। କିନ୍ତୁ ଏହାକୁ ସିଗନାଲ ଫେଲ୍ୟୁଅର ବୋଲି କହିବା ଠିକ୍ ନୁହେଁ।ସବିଶେଷ ତଥ୍ୟ ତଦନ୍ତ ପରେ ଜଣାପଡ଼ିବ। ତେବେ ଏସବୁ କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୂରା ତଦନ୍ତ ରିପୋର୍ଟ ନଆସିଲା ପର୍ଯ୍ୟନ୍ତ କିଛି କୁହାଯାଇପାରିବ ନାହିଁ।
ଏଠାର ସୂଚନାଯୋଗ୍ୟ, ରେଳୱେ ବୋର୍ଡର ପ୍ରେସମିଟ ପୂର୍ବରୁ ବାହାନଗାରେ କ୍ୟାମ୍ପ କରି ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରୁଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ଦୁର୍ଘଟଣାର ମୂଳ କାରଣ ଜଣାପଡ଼ିଛି। ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମରେ ପରିବର୍ତ୍ତନ ଯୋଗୁ ଏହି ଦୁର୍ଘଟଣା ଘଟିଛି। ଆଉ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି।