
ନାଇଜେରିଆରେ ସିରିଜ ଆତ୍ମଘାତୀ ବିସ୍ଫୋରଣ। ବିସ୍ଫୋରଣରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି, ୪୨ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୂର୍ବୋତ୍ତର ନାଇଜେରିଆର ଗେଜା ସହରରେ ଶନିବାର ଦିନ ତିନୋଟି ସିରିଜ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଏକ ବିବାହ ସମାରୋହ ଚାଲିଥିବା ବେଳେ ଜଣେ ମହିଳା ପିଠିରେ ଛୁଆକୁ ବାନ୍ଧି ଆସି ପହଞ୍ଚିଥିଲେ ଓ ନିଜକୁ ବିସ୍ଫୋରଣରେ ଉଡାଇଦେଇଥିଲେ। ଏଥିରେ ବିବାହ ମଣ୍ଡପ ପାଲଟି ଯାଇଥିଲା ଧ୍ବଂସ ସ୍ତୁପ। ଭୋଜିରେ ଭାଗ ନେବାକୁ ଆସିଥିବା ଅତିଥିଙ୍କ ମଧ୍ୟରୁ ଅନେକ ବିସ୍ଫୋରଣରେ ପ୍ରାଣ ହରାଇଥିଲେ।

ଆଧିକାରିକ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କେମରୁନ ନିକଟବର୍ତ୍ତୀ ସହରରେ ଥିବ ଏକ ହସ୍ପିଟାଲରେ ମଧ୍ୟ ବିସ୍ଫୋରଣ ହୋଇଛି। ଅନ୍ୟ ଏକ ଶ୍ମଶାନ ଭୂମିରେ ମଧ୍ୟ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଗୁରୁତର ଆହତଙ୍କୁ ରାଜଧାନୀ ମୈଦୁଗୁରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଆତ୍ମଘାତୀ ଆକ୍ରମଣ ପାଇଁ ଆତଙ୍କୀ ସଂଗଠନ ବୋକୋ ହରାମ ନିଜକୁ ଦାୟୀ କରିଛି। ଏହା ପୂର୍ବରୁ ୨୦୧୪ରେ ବୋକୋ ହରାମ ଗ୍ବେଜା ସହରକୁ ନିଜ କବଜାକୁ ନେଇଯାଇଥିଲା। ପ୍ରାୟ ଏକ ବର୍ଷ ପରେ ୨୦୧୫ରେ ସେନା ସହରକୁ ନିଜ କବଜାକୁ ନେଇଥିଲା।