
ନିକଟତର ହେଉଛି ସାମୁଦ୍ରିକ ବାତ୍ୟା ବିପର୍ଯ୍ୟୟ । ଆରବସାଗର ଉପରେ କେନ୍ଦ୍ରୀଭୂତ ହୋଇ ଉତ୍ତରଆଡ଼କୁ ଗତି କରୁଛି । ଆସନ୍ତାକାଲି ସନ୍ଧ୍ୟା ବେଳେ ଗୁଜରାଟ ଉପୂକଳ ଜଖୌ ବନ୍ଦରରେ ସ୍ଥଳଭାଗ ଛୁଇଁପାରେ । ଏଭଳି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ତେଣୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଆରମ୍ଭ ହୋଇଛି । ଗୁଜରାଟର ସମୁଦ୍ର ତଟବର୍ତ୍ତୀ ୮ଟି ଜିଲ୍ଲାରୁ ପ୍ରାୟ ୩୮ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଗିର,ସୋମନାଥ, ଦ୍ୱାରକା,କଚ୍, ପୋରବନ୍ଦର ଭଳି ଜିଲ୍ଲାରେ ଥିବା ସମସ୍ତ ସ୍କୁଲ୍ ୨ ଦିନ ଛୁଟି ଘୋଷଣା କରାଯାଇଛି । ବାତ୍ୟା ପ୍ରଭାବରେ ପୋରବନ୍ଦରରେ ପ୍ରବଳ ବର୍ଷା ଜାରି ରହିଛି । ମୁମ୍ବାଇ ଉପକୂଳରେ ବି ଉଚ୍ଚ ଜୁଆର ଆସିଥିବା ସୂଚନା ମିଳିଛି । ପବନର ବେଗ ବଢୁଥିବାରୁ ପୋରବନ୍ଦର ଅଞ୍ଚଳରେ ବଡ଼ବଡ଼ ଗଛ ଉପୁଡ଼ି ଯାଇଛି । ଯାନବାହନ ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହୋଇଛି ।

ଗୁଜରାଟର ଦ୍ୱାରକା,କଚ୍,ଦେବଭୂମି,ପୋରବନ୍ଦର,ଜାମନଗର,ମୋର୍ବି,ଜୁନାଗଡ଼ ଓ ରାଜକୋଟ ଜିଲ୍ଲାରେ କଚ୍ଚାଘର ଭାଙ୍ଗିରୁଜି ଯିବା ସହିତ ବିଜୁଳି ଓ ଟେଲିଫୋନ୍ ଖୁଣ୍ଟ ଉପୁଡ଼ିଯିବାର ସମ୍ଭାବନା ରହିଛି । ଏହାଛଡ଼ା, ବାଗବଗିଚା ଓ ଫସଲ ନଷ୍ଟ ହେବା ସମ୍ଭାବନା ଥିବା କଥା ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିପର୍ଯ୍ୟୟ ବାତ୍ୟା ଯୋଗୁଁ ମୌସୁମୀ ବାୟୁ ପ୍ରବାହ ଆଉ ପ୍ରଭାବିତ ହେବ ନାହିଁ । ଏଭଳି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । କାରଣ ଏହି ବାତ୍ୟା ଏବେ ସମ୍ପୂର୍ଣ୍ଣରୂପେ ମୌସୁମୀ ପ୍ରବାହ ମାର୍ଗରୁ ବିଚ୍ଛିନ୍ନ ହୋଇଯାଇଛି । ଏହା ମୌସୁମୀ ବାୟୁର ଅଗ୍ରଗତି ଓ ବୃଷ୍ଟିପାତକୁ ପ୍ରଭାବିତ କରିପାରିବ ନାହିଁ ବୋଲି IMD ପକ୍ଷରୁ କୁହାଯାଇଛି ।
