ପଛୁଆ ବ୍ଲକଗୁଡିକରେ ପ୍ରତିଷ୍ଠା ହେବ ବିଜ୍ଞାନ ଡିଗ୍ରୀ କଲେଜ

ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ବହୁ ବିକାଶ ହୋଇଛି। ଏହାର ବିବରଣୀ ଦେବାକୁ ଏକ ସାମ୍ୱାଦିକ ସମ୍ମିଳନୀର ଆୟୋଜନ କରିଥିଲା ଉଚ୍ଚଶିକ୍ଷା ବିଭାଗ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ରୋହିତ ପୂଜାରୀ ରାଜ୍ୟର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆସିଥିବା ବୈପ୍ଲବିକ ପରିବର୍ତ୍ତନ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ ଓ ରାଜ୍ୟ ସରକାର ଆଗାମୀ ଦିନରେ ଏହି କ୍ଷେତ୍ରରେ ନେଇଥିବା ବିଭିନ୍ନ ନିଷ୍ପତ୍ତି ସମ୍ପର୍କରେ ସୂଚିତ କରିଥିଲେ। ମନ୍ତ୍ରୀ କହିଥିଲେ କି, ଆଗାମୀ ଦିନରେ ରାଜ୍ୟ ସରକାର ପ୍ରାୟ ସମସ୍ତ ପଛୁଆ ବ୍ଲକରେ ବିଜ୍ଞାନ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେହିପରି ରାଜ୍ୟରେ କେଲଜ ଓ ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ବିଗତ ୨୩ ବର୍ଷରେ ବ୍ୟାପକ ପରିବର୍ତ୍ତନ ଆସିଛି।

* ୨୦୦୦ ମସିହାରେ ମାତ୍ର ୫୪୮ ଯୁକ୍ତ ତିନି କଲେଜ ଥିଲା. ଯାହା ଏବେ ୧୦୧୪ ରେ ପହଁଚିଛି। ସେହିପରି ବିଶ୍ଵବିଦ୍ୟାଳୟ ୬ ରୁ ୨୫ରେ ପହଁଚିଛି। ଛାତ୍ରୀଙ୍କ ସଂଖ୍ୟା ୧.୬୯ ଲକ୍ଷରୁ ୩.୮୪ ଲକ୍ଷରେ ପହଁଚିଛି। ୨୦୦୦ ମସିହାରେ ୩.୨ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ତିନିରେ ନାଁ ଲେଖାଇଥିବା ବେଳେ ୨୦୨୩ ରେ ଏହା ୬.୫ ଲକ୍ଷ ହୋଇଛି।

* ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖେଳୁଆଡ ମନବୃତ୍ତି ଆଣିବାକୁ ତଥା କ୍ରିଡା କ୍ଷେତ୍ରରେ କ୍ୟାରିୟର କରିବାକୁ ପ୍ରୋତ୍ସାହିତ କରିବା ପାଇଁ ଖୁବ ଶୀଘ୍ର ଷ୍ଟୁଡେଣ୍ଟ ସ୍ପୋର୍ଟ୍ସ ପଲିସୀ ଓ ଷ୍ଟୁଡେଣ୍ଟ ଷ୍ଟାର୍ଟ ଅପ ପଲିସୀ ଆରମ୍ଭ ହେବ।

* ଏଥିସହ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି କି ଅନ୍ତର୍ଜାତୀୟ ୟୁଥ ଫେଷ୍ଟିଭାଲ ହେବ, ଯାହା ସବୁ କଲେଜରେ ଆୟୋଜନ ହେବ।

* ଉତ୍କଳ ବିଶ୍ଵବିଦ୍ୟାଳୟର NAAC ଗ୍ରେଡ଼ A ପ୍ଲସ ରୁ A କୁ ଖସିବା ପ୍ରସଙ୍ଗର, NAAC ପାଖରେ ଆପତ୍ତି ଦାଖଲ କରାଯାଇଛି। ସେମାନେ ଏହାକୁ ବିଚାର କରୁଛନ୍ତି। କେଉଁ କେଉଁ କ୍ଷେତ୍ରରେ ମାର୍କିଂ କମିଲା, ସେ ଦିଗରେ ଆପତ୍ତି ଉଠାଇଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ।  ତେବେ ୩.୧୬ ରେଟିଂ ଏତେ ଖରାପ ନୁହେଁ। ହେଲେ ଏହା କମିବା ଯୋଗୁଁ ଆମେ ଖୁସି ନୁହନ୍ତି ବୋଲି କହିଛନ୍ତି   ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ,ଅଶୋକ ଦାସ।

* ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟ, ବିଶ୍ଵ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ  ମିଳିବ ମାଗଣା ୱାଇଫାଇ ଓ ୧ଜିବି ଡାଟା । ଏନେଇ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷା ବୈଠକ ପରେ ଘୋଷଣା କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ। ମାଗଣା ୧ଜିବି ଡାଟା ଯୋଗାଇଦେବା ପାଇଁ ଇଲୋକ୍ଟ୍ରୋନିକ୍ସ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ କାର୍ଯ୍ୟ କରିବ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *