ନୂଆ ଆଇକାର୍ଡରୁ ଆସୁଛି ରାଜନୈତିକ ଗନ୍ଧ

ଏଥର ଗେରୁଆ ରଙ୍ଗରେ ପିଲାଙ୍କ ପରିଚୟ ପତ୍ର


ସରକାର ବଦଳିବା ପରେ ବଦଳିଲା ସ୍କୁଲ ପିଲାଙ୍କର ଆଇ-କାର୍ଡ । ସୂଚନା ଅନୁଯାୟୀ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପକାଇବେ ଗେରୁଆ ରଙ୍ଗର ପରିଚୟ ପତ୍ର। ପୂର୍ବ ସରକାରଙ୍କ ସମୟରେ ଏହା ସବୁଜ ରଙ୍ଗର ହୋଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି। ଯେଉଁଥିରେ ପିଲାଙ୍କ ନାମ, ଶ୍ରେଣୀ, ଜନ୍ମ ତାରିଖ, ରୋଲ୍‌ ନମ୍ବର ଓ ଫୋନ୍‌ ନମ୍ବର ରହିବ। ପ୍ରଧାନ ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ଦସ୍ତଖତ ରହିବା ନିତାନ୍ତ ଆବଶ୍ୟକ। ବିଭିନ୍ନ ସମୟରେ ବାହାର ପିଲାମାନେ କ୍ୟାମ୍ପସ ଭିତରକୁ ପ୍ରବେଶ କରୁଥିବାରୁ ଆଇ-କାର୍ଡକୁ ବାଧ୍ୟତାମୂଳକ କରାଯାଇଛି । ପିଲାମାନେ ସ୍କୁଲକୁ ଆସିବା ସମୟରେ ବେକରେ ଆଇ-କାର୍ଡ ପକାଇ ଆସିବେ । କେବଳ ଆଇ-କାର୍ଡ ର ରଙ୍ଗ ବଦଳିଛି ତା ନୁହେଁ, ସ୍ଲୋଗାନ୍‌ ମଧ୍ୟ ବଦଳାଇ ଦିଆଯାଇଛି। ବିଜେଡି ସରକାର ସମୟରେ ପିଲାଙ୍କ ହାଇସ୍‌ ୟୁନିଫର୍ମ ଓ ଟୋପିରେ ‘ଆମେ ଗଢ଼ିବୁ-ନୂଆ ଓଡ଼ିଶା’ ସ୍ଲୋଗାନ ଲେଖାଯାଇଥିଲା । ଏହି ସ୍ଲୋଗାନ୍‌ ପରିବର୍ତ୍ତନ କରାଯାଇ ‘ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା’ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।