
ନିଟ୍ ୟୁଜି ପରୀକ୍ଷା ପେପର ଲିକ୍ ଘଟଣାରେ ସୁପ୍ରିମକୋର୍ଟଙ୍କ ତିନି ସଂସ୍ଥାକୁ ରିପୋର୍ଟ ତଲବ। ନିଟ ଅନିୟମିତତା ଘଟଣାର ତଦନ୍ତ ସିବିଆଇ ଆରମ୍ଭ କରିଥିବା ବେଳେ ସର୍ବୋଚ୍ଚ କୋର୍ଟ ସିବିଆଇ, ପରୀକ୍ଷା ଆୟୋଜକ ଏନଟିଏ ଓ କେନ୍ଦ୍ର ସରକାରଙ୍କୁ ଘଟଣାର ପୂର୍ଣ୍ଣ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ମାମଲାରେ ୧୦ ଜୁଲାଇ ସଂଧ୍ୟା ୫ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ରିପୋର୍ଟ ଦାଖଲର ଦିନକ ପରେ ଅର୍ଥାତ ଜୁଲାଇ ୧୧ରେ ମାମଲା ପରବର୍ତ୍ତୀ ଶୁଣାଣି ହେବ।
ଗତ ନିଟ-ୟୁଜି ପରୀକ୍ଷାରେ ପେପର ଲିକ ସାରା ଦେଶରେ କେନ୍ଦ୍ର ବିରୋଧରେ ଏକ ଜନ ଆନ୍ଦୋଳନର ରୂପ ନେଇଛି। ପରୀକ୍ଷା ପୁଣି କରିବାକୁ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଏର କରାଯାଇଛି। ତେବେ କେନ୍ଦ୍ର ସରକାର ପୁନଃ ପରୀକ୍ଷାକୁ ବିରୋଧ କରି ଏହି ଅନିୟମିତତା କିଛି ସ୍ଥାନ ଓ କିଛି ପିଲାଙ୍କ ଦ୍ବାରା ହୋଇଛି। ପୁଣି ପରୀକ୍ଷା ହେଲେ ୨୩ ଲକ୍ଷ ପିଲା ଅସୁବିଧା ଭୋଗିବେ ବୋଲି ସର୍ବୋଚ୍ଚ କୋର୍ଟଙ୍କୁ ଜଣାଇଛି କେନ୍ଦ୍ର। କୋର୍ଟ ମଧ୍ୟ ଆଜି ଶୁଣାଣି ପରେ କେତେକାଂଶରେ ଏହି ମତ ସହ ଏକମତ ହୋଇଛନ୍ତି।
ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ପୁନଃ ପରୀକ୍ଷା ପାଇଁ ଆବେଦନକାରୀ କରୁଥିବା ଯୁକ୍ତି ଶୁଣିବା ପରେ କହିଛନ୍ତି, ପେପର ଲିକ ହୋଇଛି ବୋଲି ଆମକୁ ମାନିବାକୁ ପଡ଼ିବ। ତେବେ ପୁନଃ ପରୀକ୍ଷା ଶେଷ ବିକଳ୍ପ। ୨୩ ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଜଡ଼ିତ। ଏହା ପୂର୍ବରୁ ଲିକ୍ର ସୀମା ନିର୍ଦ୍ଧାରଣ କରିବାକୁ ପଡ଼ିବ। ଯଦି ସଚ୍ଚୋଟ ଉପାୟରେ ପାସ୍ କରିଥିବା ଶିକ୍ଷାର୍ଥୀଙ୍କୁ ଦାଗୀ ପିଲାଙ୍କ ଠାରୁ ଅଲଗା କରାଯାଇ ପାରିବ, ତା’ହେଲେ ରି-ଟେଷ୍ଟର କୌଣସି ଆବଶ୍ୟକ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।