ଗିରଫ ହେଲେ ଆୟ ବହିର୍ଭୂତ ସମ୍ପତ୍ତିଠୁଳକାରୀ ସଞ୍ଜୟ ବାବୁ

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଥିବା ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରା ଗିରଫ। ଗତକାଲିର ତନତନ ଖାନତଲାସ ପରେ ଆଜି ସଞ୍ଜୟଙ୍କୁ ଗିରଫ କରିଛି ଭିଜିଲାନ୍ସ। ସଞ୍ଜୟ ତାଙ୍କ ଚାକିରି କାଳ ଭିତରେ ତାଙ୍କ ଆୟଠାରୁ ୩୩୩ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ସୂଚନା ଦେଇଛି ଭିଜିଲାନ୍ସ।
ରେଡରେ ତାଙ୍କ ୭ଟି ଠିକଣାର କୋଣ ଅନୁକୋଣକୁ ଯାଞ୍ଚ କରିଥିଲା ଭିଜିଲାନ୍ସ ଟିମ। ସୁନ୍ଦରଗଡ଼ କେନ୍ଦୁପଡ଼ା ସ୍ଥିତ ଭଡ଼ା ଘର, ଲେଫ୍ରିପଡ଼ା ସ୍ଥିତ କାର୍ଯ୍ୟାଳୟ, ସୁନ୍ଦରଗଡ଼ ଡିଭିଜନ ଅଫିସ, ଭଦ୍ରକ ସହର ମଧ୍ୟରେ ଥିବା ଦୁଇ ମହଲା ବାସଭବନ, ଭଦ୍ରକ ଜିଲ୍ଲା ବନ୍ତ ଥିବା ପୈତୃକ ବାସଭବନ, ଭଦ୍ରକ ଜିଲ୍ଲା ତିହିଡି ଥାନା ସିନ୍ଦୋଲ ସ୍ଥିତ ଶ୍ୱଶୁର ଘର ଓ ଲେଫ୍ରିପଡା ଅଫିସ ପରିସରରେ ଥିବା ସରକାରୀ ବାସଭବନ ଉପରେ ୭ଟି ଟିମ ଚଢାଉ କରିଥିଲା।
ଚଢାଉ ପରେ ତାଙ୍କ ନିକଟରୁ ମିଳିଛି ବିପୁଳ ସମ୍ପତ୍ତିର ତଥ୍ୟ ପ୍ରମାଣ।
ଭିଜିଲାନ୍ସ ପାଇଛି କି, ତାଙ୍କ ବ୍ୟାଙ୍କ, ଡାକଘର ଓ ବୀମା ବାବଦରେ ରହିଛି ପ୍ରାୟ ୧କୋଟି ୬୭ ଲକ୍ଷ ଟଙ୍କା। ଏହା ବ୍ୟତିତ ୨୦୦ ଗ୍ରାମର ସୁନା ଅଳଙ୍କାର, ୨ଟି ଦୁଇ ଚକିଆ ଗାଡ଼ି ଓ ୧୦ ଲକ୍ଷ ୫୦ ହଜାର ଟଙ୍କାର ଆସବାପତ୍ର ଠାବ କରିଛି ତଦନ୍ତକାରୀ ଦଳ। ଏହା ବ୍ୟତୀତ ତାଙ୍କର ଦୁଇ ପିଲାଙ୍କ ଡାକ୍ତରୀ ପଢ଼ା ପାଇଁ ୮୧ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଭିଜିଲାନ୍ସ ଜାଣିଛି।
ସୂଚନାଯୋଗ୍ୟ, ସଞ୍ଜୟ ବେହେରାଙ୍କ ନାମରେ ଏକାଧିକ ଅଭିଯୋଗ ରହିଥିଲା। ସେ କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ଉପାୟରେ ଦୁର୍ନୀତି କରି ଆଶାତୀତ ସମ୍ପତ୍ତି ଠୁଳ କରିଥିବା ନେଇ ବହୁ ଅଭିଯୋଗ ହୋଇଥିଲା। ଏହି ଚଢ଼ାଉରେ ୭ଟି ଟିମ୍ ସାମିଲ ହୋଇଥିଲେ। ସେହିସବୁ ଟିମରେ ୪ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ।

ଏହା ପୂର୍ବରୁ ଚଳିତ ମାସ ୨ ତାରିଖରେ ବାଲେଶ୍ୱର ଲିଗାଲ ମେଟ୍ରୋଲୋଜିର ସହକାରୀ ନିୟନ୍ତ୍ରକ ସାଗରିକା ସାବତଙ୍କୁ ଜଣେ ପେଟ୍ରୋଲ ପମ୍ପ ପରିଚାଳକଙ୍କଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ। ସେହିପରି ୧ ତାରିଖରେ କେନ୍ଦୁଝର ଘଟଗାଁ ତହସିଲ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ ଦେବାଶିଷ ପଣ୍ଡାଙ୍କୁ ମଧ୍ୟ ଗିରଫ କରିଥିଲା ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା। ବିଭାଜିତ ପୃଥକ ପଟ୍ଟା ପ୍ରଦାନ ପାଇଁ ସେ ଜନୈକ ବ୍ୟକ୍ତିଙ୍କ ନିକଟରୁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ସଂସ୍ଥା।

Leave a Reply

Your email address will not be published. Required fields are marked *