ପୁଣି ଅଡୁଆରେ ଲେଡି ପୋଲିସ ଇନ୍ସପେକ୍ଟର ସନ୍ଧ୍ୟାରାଣୀ ଜେନା। ଥାନା ଭିତରେ ମାଆ-ପୁଅଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ପରେ ଏବେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ବଢ଼ିଛି ସମସ୍ୟା। ସନ୍ଧ୍ୟାରାଣୀଙ୍କ ବିରୋଧରେ ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭାରପ୍ରାପ୍ତ ଡିଜିପି ବିନୟତୋଷ ମିଶ୍ର। ୪୫ ଦିନ ମଧ୍ୟରେ ତଦନ୍ତ ଶେଷ କରି ରିପୋର୍ଟ ଦେବାକୁ କୁହାଯାଇଛି।
କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନାର ପୂର୍ବତନ ଆଇଆଇସି ତଥା ବର୍ତ୍ତମାନ ସିଆଇଡି କ୍ରାଇମବ୍ରାଞ୍ଚରେ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ସନ୍ଧ୍ୟାରାଣୀ ଜେନାଙ୍କ ବିରୋଧରେ ଆସିଥିଲା ଗୁରୁତର ଅଭିଯୋଗ।
ଗତ ମେ ୨୫ ତାରିଖରେ ତାଳଚୁଆ ଥାନାରେ ଗିରିଆପାହି ଗାଁର ଅନ୍ନପୂର୍ଣ୍ଣା ମଣ୍ଡଳ ଓ ତାଙ୍କ ପୁଅ ଅନନ୍ତ କୁମାର ମଣ୍ଡଳଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା। ପାରିବାରିକ ବିବାଦକୁ ନେଇ ମାଆ-ପୁଅଙ୍କୁ ଥାନାକୁ ଡକାଯାଇଥିଲା। ସେଠାରେ ଉଭୟଙ୍କୁ ମାଡ଼ ମାରିବା ସହ ପ୍ରାୟ ୪ ଘଣ୍ଟା ଶୌଚାଳୟରେ ଅଟକ ରଖାଯାଇଥିବା ଅଭିଯୋଗ ହୋଇଥିଲା।
ଏହି ଘଟଣାରେ ପଟ୍ଟାମୁଣ୍ଡାଇ ଏସ୍ଡିପିଓ ସୁକାନ୍ତ କୁମାର ପାତ୍ର ତଦନ୍ତ କରିଥିଲେ। ପ୍ରାଥମିକ ତଦନ୍ତରେ ସାମ୍ନାକୁ ଆସିଥିଲା ଚାଞ୍ଚଲ୍ୟକର ତଥ୍ୟ। ଥାନାର ସିସିଟିଭି ଫୁଟେଜ୍ ଜାଣିଶୁଣି ଡିଲିଟ୍ କରାଯାଇଥିବା ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି।
ସିସିଟିଭି ଟେକ୍ନିସିଆନଙ୍କ ବୟାନ ଅନୁସାରେ, କ୍ୟାମେରା ବ୍ୟବସ୍ଥା ଠିକ୍ ଭାବେ କାମ କରୁଥିଲା। ଫୁଟେଜ୍ ଡିଲିଟ୍ ହେବା ପୂର୍ବରୁ ସନ୍ଧ୍ୟାରାଣୀଙ୍କୁ ପାସୱାର୍ଡ ଦିଆଯାଇଥିଲା। ପରେ ସମସ୍ତ ହାର୍ଡଡିସ୍କ ଫର୍ମାଟ୍ ହୋଇଥିବା ଜଣାପଡ଼ିଥିଲା। ଏହା ସ୍ୱୟଂଚାଳିତ ଭାବେ ନୁହେଁ, ବରଂ ଜାଣିଶୁଣି କରାଯାଇଥିବା ପ୍ରାଥମିକ ତଦନ୍ତରେ ସନ୍ଦେହ ପ୍ରକାଶ କରାଯାଇଛି।
ଅନ୍ୟପଟେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନନ୍ତଙ୍କ ଡାକ୍ତରୀ ପରୀକ୍ଷା ବେଳେ ଶରୀରରେ ଆଘାତ ଚିହ୍ନ ମିଳିଥିଲା। ଏହାକୁ ମଧ୍ୟ ତଦନ୍ତ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି।
ସନ୍ଧ୍ୟାରାଣୀଙ୍କ ସ୍ପଷ୍ଟୀକରଣ ସନ୍ତୋଷଜନକ ନହେବାରୁ ଡିଜିପି ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରାପଡ଼ା ଅତିରିକ୍ତ ଏସ୍ପି ସୁଧାକର ସାହୁଙ୍କୁ ତଦନ୍ତ ଅଧିକାରୀ ଏବଂ ଡିଏସ୍ପି ଗୋପୀନାଥ ପ୍ରଧାନଙ୍କୁ ମାର୍ଶାଲିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି।
ତେବେ ଏବେ ବଡ଼ ପ୍ରଶ୍ନ, ଥାନାର ସିସିଟିଭି ଫୁଟେଜ୍ କିଏ ଓ କାହିଁକି ଡିଲିଟ୍ କଲା? ବିଭାଗୀୟ ତଦନ୍ତ ପରେ ସନ୍ଧ୍ୟାରାଣୀ ଜେନାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେବ? ଏହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।