ଭିଜିଲାନ୍ସ ଜାଲରେ ଆରଡବ୍ଲୁଡି ସହକାରୀ ଯନ୍ତ୍ରୀ

ସୁନ୍ଦରଗଡ଼ ରୁରାଲ ୱାର୍କ ଡିପାର୍ଟମେଣ୍ଟ ବା ଆରଡବ୍ଲୁଡି ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରା ଭିଜିଲାନ୍ସ ଜାଲରେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସଞ୍ଜୟଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ସଞ୍ଜୟଙ୍କ ଘର ଓ ଅଫିସ ସମେତ ୭ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ।

ସୂଚନା ମୁତାବକ, ଆରଡବ୍ଲୁଡିରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ସଞ୍ଜୟ ବେହେରାଙ୍କ ନାମରେ ଏକାଧିକ ଅଭିଯୋଗ ରହିଥିଲେ। ସେ କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ଉପାୟରେ ଦୁର୍ନୀତି କରି ଆଶାତୀତ ସମ୍ପତ୍ତି ଠୁଳ କରିଥିବା ନେଇ ବହୁ ଅଭିଯୋଗ ହୋଇଥିଲା।

ଏହି ସବୁ ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ ତାଙ୍କ ସୁନ୍ଦରଗଡ଼ କେନ୍ଦୁପଡ଼ା ସ୍ଥିତ ଭଡ଼ା ଘର, ଲେଫ୍ରିପଡ଼ା ସ୍ଥିତ କାର୍ଯ୍ୟାଳୟ, ସୁନ୍ଦରଗଡ଼ ଡିଭିଜନ ଅଫିସ, ଭଦ୍ରକ ସହର ମଧ୍ୟରେ ଥିବା ଦୁଇ ମହଲା ବାସଭବନ, ଭଦ୍ରକ ଜିଲ୍ଲା ବନ୍ତ ଥିବା ପୈତୃକ ବାସଭବନ, ଭଦ୍ରକ ଜିଲ୍ଲା ତିହିଡି ଥାନା ସିନ୍ଦୋଲ ସ୍ଥିତ ଶ୍ୱଶୁର ଘର ଓ ଲେଫ୍ରିପଡା ଅଫିସ ପରିସରରେ ଥିବା ସରକାରୀ ବାସଭବନ ପରି ୭ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ।

ଏହି ଚଢ଼ାଉରେ ୭ଟି ଟିମ୍ ସାମିଲ ହୋଇଥିବା ବେଳେ ୪ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। ଚଢାଉ ବେଳେ ଭିଜିଲାନ୍ସ କୁ ବହୁ ସମ୍ପତ୍ତି କାଗଜପତ୍ର ସହ ଆପତ୍ତିଜନକ ଦସ୍ତିବିଜ ହସ୍ତଗତ ହୋଇଛି।

Leave a Reply

Your email address will not be published. Required fields are marked *