କୁସ୍ତି ଯୋଦ୍ଧାଙ୍କ ବିଷୟରେ ମିଛ ଖବର ପ୍ରସାରଣ କରାଯାଉଛି, ମୁହଁ ଖୋଲିଲେ ବଜରଙ୍ଗ ପୁନିଆ ଆଉ ସାକ୍ଷୀ ମଲିକ

ଭାରତୀୟ ରେସଲିଂ ଫେଡେରେସନର ବିଦାୟୀ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ନେଇ ଗୁଜବ ସୃଷ୍ଟି ହୋଇଛି । ବାସ୍ତବରେ ଆନ୍ଦୋନ କରୁଥିବା କୁସ୍ତି ଯୋଦ୍ଧା ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆଙ୍କ ବିଷୟରେ ଖବର ପ୍ରଚାର ହୋଇଥିଲା ​​ଯେ, ଏମାନେ ଆନ୍ଦୋଳନ ଛାଡି ରେଲଓ୍ବେ ଚାକିରିରେ ଯୋଗ ଦେଇଛନ୍ତି । ଏହାପରେ କୁହାଯାଇଥିଲା ଯେ ଏହି ଆନ୍ଦୋଳନ ଶେଷ ହେବାକୁ ଯାଉଛି ।

ଏହାକୁ ନେଇ ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି । ଆନ୍ଦୋଳନର ସମାପ୍ତି ଖବର ସଂପୂର୍ଣ୍ଣ ଭୁଲ ବୋଲି ଉଭୟ କୁସ୍ତି ଯୋଦ୍ଧା ଟୁଇଟ୍ କରି ଲେଖିଛନ୍ତି । ଏହି ଆନ୍ଦୋଳନ ସମାପ୍ତ ହୋଇନାହିଁ । ରେସଲର ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆଙ୍କ ବିଷୟରେ ଏକ ନ୍ୟୁଜ୍ ଏଜେନ୍ସି ସୋମବାର କହିଥିଲା ଯେ, ସେମାନେ ଭାରତୀୟ ରେଳବାଇରେ ଚାକିରିରେ ଯୋଗ ଦେଇଛନ୍ତି ।

ଏହି ଖବର ସାମ୍ନାକୁ ଆସିବା ପରେ ସାକ୍ଷୀ ମଲିକ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନରୁ ନିଜକୁ ଦୂରେଇ ରଖିଥିଲେ ବୋଲି ଦାବି କରାଯାଇଥିଲା ।

ଏହି ଖବର ସମ୍ପର୍କରେ ରେସଲର ପୁନିଆ ଟ୍ୱିଟ୍ କରି କହିଛନ୍ତି, “ଆନ୍ଦୋଳନ ପ୍ରତ୍ୟାହାର ଖବର ଏକ ଗୁଜବ। ଏହି ଖବର ଆମକୁ କ୍ଷତି ପହଞ୍ଚାଇବା ପାଇଁ ପ୍ରସାରିତ ହେଉଛି । ଆମେ ପଛକୁ ଫେରି ନାହୁଁ କିମ୍ବା ଆନ୍ଦୋଳନ ପ୍ରତ୍ୟାହାର କରିନାହୁଁ । ମହିଳା କୁସ୍ତିଯୋଦ୍ଧାଙ୍କ ଏଫଆଇଆର ପ୍ରତ୍ୟାହାର ଖବର ମଧ୍ୟ ମିଥ୍ୟା ଅଟେ । ନ୍ୟାୟ ନହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ରେସଲର ସାକ୍ଷୀ ମଲିକ ଟ୍ୱିଟ କରି କହିଛନ୍ତି, “ଏହି ଖବର ସଂପୂର୍ଣ୍ଣ ଭୁଲ ଅଟେ। ନ୍ୟାୟ ସଂଗ୍ରାମରେ ଆମ ମଧ୍ୟରୁ କେହି ପଛଘୁଞ୍ଚା ଦେଇନାହାନ୍ତି କିମ୍ବା ଆମେ ମଧ୍ୟ କରିବୁ ନାହିଁ। ସତ୍ୟଗ୍ରାହ ସହିତ ମୁଁ ରେଳବାଇରେ ମୋର ଦାୟିତ୍ବ ସୂଚାରୁ ରୂପେ ପୂରଣ କରୁଛି । ଆମେ ନ୍ୟାୟ ପାଇବା ପର୍ଯ୍ୟନ୍ତ ଆମର ସଂଗ୍ରାମ ଜାରି ରହିବ । ଦୟାକରି କୌଣସି ଭୁଲ ଖବର ଚଲାନ୍ତୁ ନାହିଁ ବୋଲି ସାକ୍ଷୀ ଲେଖିଛନ୍ତି ।

ସୋମବାର ସାକ୍ଷୀ ମଲିକ କହିଛନ୍ତି ଯେ, ଆମେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛୁ, ଏହା ଏକ ସାଧାରଣ ବାର୍ତ୍ତାଳାପ, ଆମର କେବଳ ଗୋଟିଏ ଦାବି ଅଛି ତାହା ହେଉଛି ବ୍ରିଜ ଭୂଷଣ ସିଂଙ୍କୁ ଗିରଫ କରିବା ।

ଏହା ସହିତ ସାକ୍ଷୀ ସ୍ପଷ୍ଟ ଭାବେ କହିଛନ୍ତି, “ମୁଁ ବିରୋଧରୁ ପଛଘୁଞ୍ଚା ଦେଇନାହିଁ, ମୁଁ ରେଳବାଇରେ OSD ଭାବରେ କାର୍ଯ୍ୟ ପୁଣି ଆରମ୍ଭ କରିଛି । ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ନ୍ୟାୟ ପାଇବା ପର୍ଯ୍ୟନ୍ତ ଆମେ ବିରୋଧ ଜାରି ରଖିବୁ। ଆମେ ପଛକୁ ଫେରିବୁ ନାହିଁ । ନାବାଳିକା ଜଣକ କୌଣସି FIR ପ୍ରତ୍ୟାହାର କରି ନାହାନ୍ତି, ଏହା ସବୁ ନକଲି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *