ବାହୁଡ଼ା’ରେ ତାଳଧ୍ୱଜ ରଥ ଦଉଡ଼ି ଛିଣ୍ଡି ଦଳାଚକଟା ପରିସ୍ଥିତି, ଏକାଧିକ ଗୁରୁତର

ବାହୁଡ଼ାଯାତ୍ରାରେ ରଥଟଣାବେଳେ ବିଶୃଙ୍ଖଳା ଦେଖିବାକୁ ମିଳିଛି । ତାଳଧ୍ବଜ ରଥ ଦଉଡ଼ି ଛିଣ୍ଡି ଜଣେ ଭୋଇ ସେବକଙ୍କ ସମେତ ୮ ଜଣ ଗୁରୁତର ହୋଇଛନ୍ତି । ଗତ କିଛି ବର୍ଷ ଧରି କୌଣସି ରଥର ଦଉଡ଼ି ଛିଣ୍ଡି ନଥିବା ବେଳେ ଏବର୍ଷ ଏହି ଦଉଡ଼ି ଛିଣ୍ଡିଯାଇଥିଲା । ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଳଧ୍ୱଜ ରଥ ଦଉଡ଼ିକୁ ଭୋଇ ସେବାୟତମାନେ ତାଣରେ ବାନ୍ଧିଥିଲେ ।

ମାତ୍ର ତାଳଧ୍ୱଜ ରଥ ମାର୍କେଟ ଛକରେ ପହଞ୍ଚିବା ପରେ ଏହି ରଥ ଦଉଡ଼ିଟି ତାଣରୁ ଖସିଯାଇଥିଲା । ରଥ ଦଉଡ଼ି ଧରିଥିବା ଭୋଇ ସେବାୟତ ନକୁଳ ଭୋଇଙ୍କ ସମେତ ଆଉ କିଛି ଭକ୍ତ ତଳେ ପଡ଼ି ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ନକୁଳ ଗୁରୁତର ଆହତ ହୋଇଥିଲେ । ଏହାପୂର୍ବରୁ ବଳଗଣ୍ଡି ଛକରେ ତାଳଧ୍ୱଜ ରଥ ଦଉଡ଼ି ଛିଣ୍ଡି ଯାଇଥିଲା । ଏଥିରେ ୬ ଜଣ ମଧ୍ୟ ଗୁରୁତର ଆହତ ହୋଇଥିଲେ । ସଦର ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କୁ ଭର୍ତ୍ତି କରାଯାଇଥିଲା ।

ରଥଟଣା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସମ୍ମୁଖରେ ଦଳାଚକଟା ପରିସ୍ଥିତି ଦେଖିବାକୁ ମିଳିଥିଲା । ଝାରସୁଗୁଡ଼ାର ସସ୍ମିତା ନାମକ ଜଣେ ଯୁବତୀ ଗୁରୁତର ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସସ୍ମିତାଙ୍କ ସମ୍ମୁଖରେ ଥିବା ଜଣେ ଭକ୍ତ ପଡ଼ିଯିବାରୁ ସେ ମଧ୍ୟ ତାଙ୍କ ଉପରେ ଝୁଣ୍ଟି ବଡ଼ଦାଣ୍ଡରେ ପଡ଼ି ଯାଇଥିଲେ । ଫଳରେ ରଥ ଟାଣୁଥିବା ଭକ୍ତମାନେ ତାଙ୍କୁ ଦଳିଚକଟି ଆଗକୁ ମାଡ଼ି ଯାଇଥିଲେ । ସସ୍ମିତାଙ୍କ ମୁହଁ, ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା ।

ବାହୁଡ଼ାଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହେବା ପରେ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ଥିବାରୁ ତାମଜାନ ଆସି କୁମ୍ଭକାର ନିଯୋଗ ସମ୍ମୁଖରେ ରଖାଯାଇଥିଲା । ଗଜପତିଙ୍କୁ ତାମଜାନରେ ବସାଇ ତିନି ରଥ ନିକଟକୁ ନିଆଯାଉଥିବା ବେଳେ ତାମଜାନର ରୂପା ଚକ୍ର ବାଜି ଶ୍ରୀନହର ସେବାୟତ ରଜନୀକାନ୍ତ ପରିଡ଼ା ଆହତ ହୋଇଥିଲେ । ତାଙ୍କ ମୁଣ୍ଡ ଫାଟି ଯାଇଥିବାରୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଚଳିତଥର ବାହୁଡ଼ାଯାତ୍ରାରେ ଏଭଳି ଅଘଟଣକୁ ନେଇ ଭକ୍ତଙ୍କ ମନରେ ସାମାନ୍ୟ ଅସନ୍ତୋଷ ଦେଖାଦେଇଥିଲା । ଆଜି ମହାପ୍ରଭୁଙ୍କ ସୁନବେଶ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଜମିଛି ।

Leave a Reply

Your email address will not be published. Required fields are marked *