ମର୍ମନ୍ତୁଦ ସଡକ ଦୁର୍ଘଟଣା,ସ୍କୁଲ ପହଁଚିପାରିଲେନି ୨ଛାତ୍ର

ସୋମବାର ସକାଳ ୭ ଘଟିକା ସମୟରେ ଟାଟା ଡିଏଭି ପବ୍ଲିକ ସ୍କୁଲ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଏଥିରେ ୨ଜଣ ଛାତ୍ରଙ୍କ ସହିତ ସେମାନଙ୍କୁ ମୋଟର ସାଇକେଲରେ ନେଇ ଯାଉଥିବା ଅଭିଭାବକଙ୍କ ମଧ୍ୟ ସୋଚନୀୟ ମୃତ୍ୟୁ ଘଟିଛି । ଏମାନେ ସର୍ଭିସ ରୋଡରୁ ମୁଖ୍ୟ ରାସ୍ତା ଉପରକୁ ଉଠୁଥିବା ସମୟରେ ଫ୍ଲାଏ ଓଭରରେ ଆସୁଥିବା ୨ଟି ଟ୍ରକ ପର୍ଯ୍ୟାୟକ୍ରମେ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ସେମାନଙ୍କର ଖଣ୍ଡବିଖଣ୍ଡିତ ଶରିର ଏଣେ ତେଣେ ଛିଟିକି ପଡିଥିବା ବେଳେ ଘଟଣାସ୍ଥଳରେ ସେମାନଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଦୁର୍ଘଟଣାଟି ଏତେ ତୀବ୍ର ଥିଲା ଯେ, ମୋଟରସାଇକେଲଟି ଶହେ ଫୁଟ ଦୂରକୁ ଟ୍ରକ ଘୋଷାଡି ନେଇଥିଲା । ଏହି ଘଟଣା ସମଗ୍ର ଯୋଡା ଅଞ୍ଚଳରେ ଏକ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି । ଅନ୍ୟପକ୍ଷେ ତଦନ୍ତ କରାଯାଇ ଦୁର୍ଘଟଣା ଘଟାଇଥିବା ଟ୍ରକ ଗୁଡିକୁ ଜବତ କରାଯିବା ସହ ଚାଳକଙ୍କୁ ଗିରଫ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲିପ କୁମାର ନାଏକ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଜଣାପଡିଛି ଯେ, ମୃତକ କ୍ରିଷ୍ଣା ଭୁଷାଲ ତ୍ରିବେଣୀ ଆର୍ଥ ମୁଭର୍ସ ଅଧିନରେ ଗୁଆଲିସ୍ଥିତ ଓଏମ୍ସି ଖଣିରେ କାର୍ଯ୍ୟ କରୁଥିଲେ । ଖବର ପାଇ ତ୍ରିବେଣୀର ବରିଷ୍ଠ ଉପସଭାପତି ଭି. କୁମାର, ମାନବ ସମ୍ବଳ ଉପସଭାପତି ବି.ସି. ସ୍ୱାଇଁ ଏବଂ ଅନ୍ୟ ଅଧିକାରୀମାନେ ମୃତ ପରିବାରଙ୍କ ଘରେ ପହଞ୍ଚି ପରିବାରଙ୍କୁ ଶାନ୍ତ୍ୱନା ଦେବା ସହ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାର ପ୍ରତିଶ୍ରୁତି ଦେବା ସହ ତ୍ରିବେଣୀର ଦୁର୍ଘଟଣା ପଲିସି ଅନୁଯାୟୀ ୨୦ ଲକ୍ଷ ଏବଂ ଗ୍ରାଚୁ୍ୟଇଟି ଓ ପ୍ରୋଭିଡେଣ୍ଟ ଫଣ୍ଡ ବାବଦକୁ ପ୍ରାୟ ୭ଲକ୍ଷ ଟଙ୍କା ଏହିପରି ୩୨ଲକ୍ଷ ଟଙ୍କା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *