ଆଜି ପବିତ୍ର ଶାମ୍ବ ଦଶମୀ, କାହିଁକି ହୁଏ ଶାମ୍ବ ଦଶମୀ ?

ସକାଳୁ ସକାଳୁ ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି । ଶାମ୍ବ ଦଶମୀ ଅବସରରେ କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା ଓ ସୌର ମହାଯଜ୍ଞ ଅନୁଷ୍ଠିତ ହେଉଛି। ସୂର୍ଯ୍ୟ ରଥଯାତ୍ରା ୨୭ ଦିନ ଯାଏ ଚନ୍ଦ୍ରଭାଗାରେ ଅନୁଷ୍ଠିତ ହେବ। ଏହାକୁ ଦେଖିବାକୁ କୋଣାର୍କକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ ।

ପୌରାଣିକ କଥା ଅନୁସାରେ,
ଏହି ଦଶମୀକୁ ଶାମ୍ବ ଦଶମୀ, ଗାଁ ଗହଳରେ ସମ୍ବର ଦଶମୀ ବୋଲି କୁହାଯାଏ । ଶ୍ରୀକୃଷ୍ଣଙ୍କ ସବୁ ପୁତ୍ର ମଧ୍ୟରେ ଜାମ୍ବବତୀ ଗର୍ଭଜାତ ଶାମ୍ବ ଅତ୍ୟନ୍ତ ସୁନ୍ଦର ଥିଲେ । ଦୁର୍ଯ୍ୟୋଧନଙ୍କ କନ୍ୟା ଲକ୍ଷଣାଙ୍କୁ ଶାମ୍ବ ଅପହରଣ କରି ବିବାହ କରିଥିଲେ। ଅନ୍ତଃପୁର ମଧ୍ୟରେ ଶ୍ରୀକୃଷ୍ଣ ସତ୍ୟଭାମାଙ୍କ ସହ ପ୍ରେମାଳାପରେ ମଗ୍ନଥିବା ବେଳେ ଦ୍ୱାର ଦେଶରେ ଶାମ୍ବଙ୍କୁ ଜଗାଇ ଆଦେଶ ଦେଇଥିଲେ- କାହାକୁ ଅନ୍ତଃପୁରକୁ ନ ଛାଡ଼ିବା ପାଇଁ । ତେବେ ଏ ସମୟରେ ମହର୍ଷି ଦୁର୍ବାସା ଦ୍ୱାରଦେଶରେ ପହଞ୍ଚିଲେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାପାଇଁ ଚାହିଁଲେ । ଶାମ୍ବ ମହର୍ଷି ଦୁର୍ବାସା ଋଷିଙ୍କ କ୍ରୋଧରେ ଭୟଭୀତ ହୋଇ ଶ୍ରୀକୃଷ୍ଣଙ୍କୁ ଡାକି ଦେଇଥିଲେ । ଫଳରେ ଶ୍ରୀକୃଷ୍ଣ ଶାମ୍ବଙ୍କୁ କୁଷ୍ଠ ରୋଗର ଅଭିଶାପ ଦେଇଥିଲେ ।

ଶ୍ରୀକୃଷ୍ଣ ପୁତ୍ରକୁ ଅଭିଶାପ ଦେଇ ଅନୁତପ୍ତ ହୋଇ ଦୁର୍ବାସାଙ୍କୁ ପୁତ୍ର ଶାମ୍ବର କୁଷ୍ଠ ମୁକ୍ତି ଉପାୟ ପଚାରିବାରୁ ଦୁର୍ବାସା ଅର୍କକ୍ଷେତ୍ର କୋଣାର୍କ କଥା କହି ଶାମ୍ବଙ୍କୁ ସେ କ୍ଷେତ୍ରରେ ସୂର୍ଯ୍ୟପୂଜା କରିବା ପାଇଁ ନିର୍ଦ୍ଦେଶ ଦେଲେ । ତା ପରେ ଦେବର୍ଷି ନାରଦଙ୍କ ସହ ଶାମ୍ବ ପୁଣ୍ୟଧାମ ଚନ୍ଦ୍ରଭାଗା ତୀରରେ ପ୍ରବେଶ କଲେ । ସେହି ଦିନ ଥିଲା ପୌଷମାସ ଶୁକ୍ଳ ପକ୍ଷ ଦଶମୀ ତିଥି ।

କୃଷ୍ଣଙ୍କ ପୁତ୍ର ଶାମ୍ବ ବ୍ୟାଧି ମୁକ୍ତି ପାଇଁ କୋଣାର୍କ ତଥା ତତ୍କାଳୀନ ମୈତ୍ରେୟ ବନରେ ସୂର୍ଯ୍ୟ ଉପାସନା କରିଥିଲେ। ଆଜିର ଦିନରେ ଶାମ୍ବ ଚନ୍ଦ୍ରଭାଗାରେ ସ୍ନାନ କରି ସୂର୍ଯ୍ୟଙ୍କୁ ପୂଜା କରି ବ୍ୟାଧି ମୁକ୍ତ ହୋଇଥିଲେ। ତେବେ ଶାମ୍ବ ହିଁ ପ୍ରଥମେ ସୂର୍ଯ୍ୟନାରାୟଣଙ୍କ ବିଗ୍ରହ ପୂଜା ଆରମ୍ଭ କରି ସୂର୍ଯ୍ୟ ରଥ ଯାତ୍ରା ଆରମ୍ଭ କରିଥିଲେ।

Leave a Reply

Your email address will not be published. Required fields are marked *