କଟନି ଛଟନିକୁ ନେଇ ଦେଭୋଗ ସମବାୟ ସମିତି ଧାନ ମଣ୍ଡିରେ ଉତ୍ତେଜନା

ବାଲିଆପାଳ ବ୍ଲକ ଦେଭୋଗ ସେବା ସମବାୟ ସମିତିରେ ମିଲରଙ୍କ ଜୁଲୁମ ଏତେ ବଢିଛି ଯେ, ୯ କେଜିରୁ ଅଧିକ କଟନି ନକଲେ ଚାଷୀର ଧାନ ଘରକୁ ଫେରାଇ ନେଇଯାଅ ବୋଲି କହୁଛନ୍ତି।
ରାଜ୍ୟ ସରକାର ଚାଷୀଙ୍କଠାରୁ ଧାନ କିଣିବା ସମୟରେ କଟନି ଛଟନି କରାଯିବ ନାହଁ ବୋଲି ବିଭାଗୀୟ ମନ୍ତ୍ରୀ ଡିଣ୍ଡିମ ପିଟୁଥିଲା ବେଳେ, ଗ୍ରାମାଞ୍ଚଳରେ ଥିବା ଧାନ ମଣ୍ଡିରେ ତାହା ଏବେ ଏକ ପ୍ରହସନ ପାଲଟିଛି।
ଘଟଣାରୁ ପ୍ରକାଶ, ବାଲିଆପାଳ ବ୍ଲକ ଦେଭୋଗ ସେବା ସମବାୟ ସମିତିରେ ଧାନ କିଣିବା ସମୟରେ ମିଳରଙ୍କ ମନମାନିରେ ଚାଷୀଙ୍କଠାରୁ କ୍ୱଣ୍ଟାଲ ପ୍ରତି ଦଶ କେଜି ହାରରେ କଟନି ଛଟନି ଯୋଗୁଁ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଉତ୍ତେଜନା ସ୍ଥଳରେ ବାଲିଆପାଳ ସ୍ୱାଭିମାନ ମଞ୍ଚର ସଭାପତି ସତ୍ୟକାମ ମହାନ୍ତି, ଚାଷୀ କମିଟିର ସଭାପତି ରାମଚନ୍ଦ୍ର ରାଉତ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଧାନ କ୍ରୟ ସମୟରେ ଆର, ଏମ୍, ସି କର୍ମଚାରିଙ୍କ ଅନୁପସ୍ଥିତି ଯୋଗୁଁ ଚାଷୀ ମିଲରଙ୍କ ଦ୍ୱାରା ଶୋଷଣ ହେଉଛନ୍ତି ବୋଲି ଅଭିଯୋଗ ହୋଇଥିଲା।
ମିଲରଙ୍କ ଜୁଲୁମ ଏତେ ବଢିଛି ଯେ, ୯ କେଜିରୁ ଅଧିକ କଟନି ନକଲେ ଚାଷୀର ଧାନ ଘରକୁ ଫେରାଇ ନେଇ ଯାଅ ବୋଲି କହୁଛନ୍ତି। ଏବିଷୟରେ ବାଲେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ (CSO) ଏବଂ ବାଲେଶ୍ୱର ଭଦ୍ରକ ସମବାୟ ବ୍ୟାଙ୍କର ନିର୍ଦେଶକ ଦେବ କୁମାର ଦେଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସେ ମିଲରଙ୍କ ସହିତ ଆଲୋଚନା କରି ୬% କଟନି ସ୍ଥିର କରିବା ପରେ ଧାନ ମାପ କରାଯାଇଥିଲା।
ତେବେ ଆଗାମୀ ଦିନରେ, ସରକାର ଏଭଳି କଟନି ଛଟନି ପ୍ରତି ଦୃଷ୍ଟି ନ ଦେଲେ, ଚାଷୀ ଆନ୍ଦୋଳନକୁ ଓହ୍ଲେଇବେ ବୋଲି ଚାଷୀ ମାନସ କୁମାର ଜେନା, ପରମାନନ୍ଦ ଜେନା, ମନ୍ମଥ ରାଉତ, ଆଶୁତୋଷ ଭୂୟାଁ, ମଧୁ ଗିରି ପ୍ରମୁଖ ଚେତାବନୀ ଦେଇଛନ୍ତି।