ଶୈବ ପୀଠ ଚିଲମ ଉପରେ ଲାଗିଲା ରୋକ। ଆଉ ଶିବ ମନ୍ଦିରରେ ଉଡିବ ନାହିଁ ଗଞ୍ଜେଇ ଧୂଆଁ । ଏହି ଚଳଣି ଉପରେ ରୋକ ଲଗାଇବାକୁ ରାଜ୍ୟ ସରାକର ପକ୍ଷରୁ ଅଧ୍ୟାଦେଶ ଜାରି ହୋଇଛି। ଅନନ୍ତ ବଳିଆ ଟ୍ରଷ୍ଚ ପକ୍ଷରୁ ଶିବ ମନ୍ଦିରରେ ହେଉଥିବା ଗଞ୍ଜେଇ ଅପବ୍ୟବହାର ବନ୍ଦ ପାଇଁ ହୋଇଥିବା ଅନୁରୋଧ ସ୍ୱରୂପ ଏପରି ପ୍ରତିବନ୍ଧକ ଲଗାଯାଇଛି। ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି କରିଛି ରାଜ୍ୟ ସଂସ୍କୃତି ବିଭାଗ।
ସନ୍ଧ୍ୟା ହେଲେ ଶିବ ମନ୍ଦିର ପରିସରରେ ଜମେ ଗଞ୍ଜଡଙ୍କ ଭିଡ। ଗଞ୍ଜେଇ ଧୂଆଁ ଓ ଗନ୍ଧରେ ଭରିଯାଏ ଆଖପାଖ ଅଞ୍ଚଳ । ଫାଟିପଡେ ନାକ। କିନ୍ତୁ ଗଞ୍ଜେଇ ସେବନକାରୀଙ୍କ ଯୁକ୍ତି, ଦେବଦେବ ମହାଦେବ କୈଳାଶ ପର୍ବତ ଛାଡି ଓହ୍ଲାଇ ଆସନ୍ତି ସେଠାକୁ । ଖାଲି ସେତିକି ନୁହେଁ, ଗଞ୍ଜେଇ ଶିବଙ୍କର ଅତି ପ୍ରିୟ। ତାଙ୍କ ଭକ୍ତ ଭାବେ ତାଙ୍କ ପଥ ଆପଣାଇ ମହାଦେବଙ୍କୁ ଖୁସି କରୁଛନ୍ତି ସେମାନେ। ଏହା ଭୋଳା ଶଙ୍କରଙ୍କ ପ୍ରତି ସେମାନଙ୍କ ଭକ୍ତି ଓ ସମର୍ପଣର ନିଦର୍ଶନ ବୋଲି କୁହାଯାଇଥାଏ।
ହେଲେ ଧର୍ମ, ସଂସ୍କୃତି ଓ ପରମ୍ପରା ନାମରେ ମନ୍ଦିର ପରି ପବିତ୍ର ସ୍ଥାନରେ ହେଉଥିବା ଗଞ୍ଜେଇ ପରି ନିଶା ସାମଗ୍ରୀର ଖୁଲମଖୁଲା ପ୍ରଚଳନକୁ ବିରୋଧ କରିଥିଲା ଅନନ୍ତ ବଳିଆ ଟ୍ରଷ୍ଟ। ସଂସ୍କୃତି ନାମରେ ଏହା ଏକ ଅପସଂସ୍କୃତି ଓ ନିଶାର ପ୍ରଚଳନ ବୋଲି ଯୁକ୍ତି ବାଢିଥିଲା ଟ୍ରଷ୍ଟ। ଯାହାକୁ ନେଇ ସଂସ୍କୃତି ବିଭାଗ ପକ୍ଷରୁ ମନ୍ଦିରରେ ଗଞ୍ଜେଇ ଅପବ୍ୟବହାର ଉପରେ ଲଗାଯାଇଛି ରୋକ। କିନ୍ତୁ ଶିବଙ୍କ ନିକଟରେ ହେଉଥିବା ଗଞ୍ଜେଇ ଭୋଗ ଉପରେ ନାହିଁ ପ୍ରତିବନ୍ଧକ। ପ୍ରତୀକତ୍ମକଭାବେ ହେବ ଗଞ୍ଜେଇ ଭୋଗ।
ଅନ୍ୟପଟରେ ବିଭାଗର ଏପରି ନିର୍ଦ୍ଦେଶକୁ ବିରୋଧ କରିଛନ୍ତି ଅନେକ। ବିଜେଡି ନେତା ତଥାଗତ ଶତପଥୀ ଏହାକୁ ଓଡିଆ ସଂସ୍କୃତି ବିରୋଧୀ କହିବା ସହ ଅଧିକାରୀମାନେ ଏହି ସଂସ୍କୃତି ସମ୍ପର୍କରେ ଜାଣି ନ ଥିବା କହିଛନ୍ତି।