ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି, ତାତି ଓ ଗୁଳୁଗୁଳିରୁ ରକ୍ଷା କଲା କାଳବୈଶାଖୀ ବର୍ଷା

ରାଜ୍ୟରେ ପ୍ରବଳ ତାତି, ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ ଏଥିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗରେ ପରିବର୍ତ୍ତନ ହୋଇଛି । କାଳବୈଶାଖୀ ପ୍ରଭାବରେ ଗତକାଲି ବର୍ଷା ହେବା ପରେ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

ହିଟୱେଭ ପରେ ବଦଳିଛି ଉପକୂଳ ଓଡ଼ିଶାର ପାଗ । ରାଜ୍ୟରେ ଦେଖିବାକୁ ମିଳିଛି କାଳବୈଶାଖୀ ବର୍ଷା । ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, ଗଜପତି, ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ,ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଝିପିଝିପି ବର୍ଷା ସହ ପବନ ହୋଇଛି । ଆଜି ସାରା ଦିନ ଆକାଶ ମେଘାଚ୍ଛନ୍ନ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଝିପିଝିପି ବର୍ଷାରୁ ଅସହ୍ୟ ଗରମ ଓ ଗୁଳିଗୁଳିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ସେପଟେ ପଶ୍ଚିମ ଓଡ଼ିଶାରେ ଜାରି ରହିଛି ତାତି । ଆଜି ବୌଦ୍ଧ, ବଲାଙ୍ଗିର,ଝାରସୁଗୁଡ଼ା,ସମ୍ବଲପୁର,ବରଗଡ଼,ସୋନପୁର ଜିଲ୍ଲାଗୁଡ଼ିକୁ ସିଭିୟର ହିଟ୍ ୱେଭ୍ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ସେପଟେ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆରବ ସାଗରରେ ସୃଷ୍ଟ ବାତ୍ୟା ବିପର୍ଯ୍ୟୟ ଭୀଷଣ ବାତ୍ୟାରେ ପରିଣତ ହୋଇ ଉପକୂଳ ମୁହାଁ ହୋଇଛି । ତେଣୁ ଓଡ଼ିଶାକୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ଆରମ୍ଭ ହୋଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇ ଧୀରେ ଧୀରେ ଅଗ୍ରସର ହେଉଥିବା ବେଳେ ଦିନେ ଦୁଇ ଦିନ ମଧ୍ୟରେ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷାର ସମ୍ଭାବନା ରହିଛି । ଗତକାଲି ଠାରୁ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ପାଗରେ ପରିବର୍ତ୍ତନ ଆସିଛି । ଆଜି ସକାଳେ ମଧ୍ୟ ରାଜଧାନୀ ସମତେ କିଛି ସ୍ଥାନରେ ଝିପିଝିପି ବର୍ଷା ହୋଇଛି ।

Leave a Reply

Your email address will not be published. Required fields are marked *