ପୁରୀ: ୨୦ ତାରିଖରେ ରଥଯାତ୍ରା, ଦର୍ପଦଳନ ରଥ ଅଖରେ ଫାଟ

ଆସନ୍ତା ୨୦ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ରଥ କାମ ଶେଷ ପର୍ଯ୍ୟାୟରେ ଥିବାବେଳେ ରଥ ଅଖରେ ଫାଟ ଦେଖାଦେଲାଣି ।


ଦେବଦଳନ ରଥ ଅଖରେ ଫାଟ ଦେଖାଦେବା ପରେ ଟେନସନ ବଢ଼ିଛି । ରଥ ଅଖରେ ଫାଟ ଅଧିକ ଦିଶୁଛି । ଫାଟ ଥିବାରୁ ଅଖଟି ଦୁର୍ବଳ ଥିବା ଜଣାପଡ଼ିଛି । ସେପଟେ, ଅଖରେ ଥିବା ବଟମ୍ ପ୍ୟାକିଂ ଓ କ୍ଲାମ୍ପ୍ ଫିଟିଂ କରାଯାଇଛି । ଖୁବଶୀଘ୍ର ଦେବଦଳନ ରଥ ମରାମତି କାମ ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି ମହାରଣା ସେବକ ।

ଏହା ଏକ ସାଧାରଣ ଘଟଣା ବୋଲି ସେମାନେ କହିଛନ୍ତି । ଏହାଦ୍ବାରା କୌଣସି ଅସୁବିଧା ହେବ ନାହିଁ ବୋଲି ଦଇତାପତି ସେବାୟତମାନେ କହିଛନ୍ତି । ରଥ ଯାଞ୍ଚ କମିଟି ତଦାରଖ କରିବା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କୁହାଯାଉଛି । ୨୦ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏହାପୂର୍ବରୁ ସୁଭଦ୍ରାଙ୍କ ରଥକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଲାଣି। ଶ୍ରୀମନ୍ଦିର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ସୁଧାରିବାକୁ ପଦକ୍ଷେପ ନେବା ଲାଗି ସାଧାରଣରେ ଦାବି ହୋଇଛି ।

ସେପଟେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି । କଳା,ଧଳା,ନାଲି,ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଗତକାଲି ତ୍ରୟୋଦଶୀ ତିଥିରେ ଶ୍ରୀଜିଉଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହୋଇଥିଲା । ଏବେ ରଥ ଖଳାରେ ଚିତ୍ରକର ସେବକ ରଙ୍ଗ କାର୍ଯ୍ୟ ଜାରି ରଖିଥିବା ବେଳେ ଆଜି ପାର୍ଶ୍ବଦେବଦେବୀ ଲଗାଯିବା ସହ ଅନ୍ୟାନ୍ୟ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *