ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ହାତିଆଗଡ଼ି ଗାଁରେ ଅଭାବନୀୟ ଘଟଣା । କୁମ୍ଭୀର ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ମୃତ ମହିଳା ୪୫ ବର୍ଷୀୟ ସୀତାରାଣୀ ଦାସ । ପୋଖରୀରେ ବାସନ ମାଜୁଥିବା ବେଳେ ତାଙ୍କୁ ଟାଣି ନେଇଥିଲା କୁମ୍ଭୀର । କେନାଲରେ ଥିବା ଦଳ ଭିତରୁ ମିଳିଲା ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ।
ଆଜି ଅପରାହ୍ଣ ୨ଟା ବେଳେ ଘର ପଛପଟରେ ଥିବା ପୋଖରୀରେ ବାସନ ମାଜୁଥିଲେ ସୀତାରାଣୀ ଦାସ । ହାଠତ୍ ଏକ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା । ସେ ଚିତ୍କାର କରିଥିଲେ ସୁଦ୍ଧା ଆକ୍ରମଣରୁ ବର୍ତ୍ତିପାରି ନଥିଲେ । ଚଡ଼ଦିଆ କେନାଲରେ ଥିବା ଦଳ ଭିତରେ ମହିଳାଙ୍କୁ ରଖିଥିଲା । ରାଜନଗର ବନବିଭାଗ ଓ ଅଗ୍ନିଶମ ବାହିନୀ ଜେସିବି ସାହାଯ୍ୟରେ କେନାଲ ଦଳ ସଫା କରିଥିଲେ । ଆଉ ଶେଷରେ ଉଦ୍ଧାର ହୋଇଥିଲା ମହିଳାଙ୍କ ମୃତଦେହ ।
ଘଟଣାକୁ ନେଇ ରାଜନଗର ଭିତରକନିକା ରାସ୍ତା ହାତିଆଗଡ଼ି ନିକଟରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ଉତ୍ତ୍ୟକ୍ତ ଲୋକେ । କ୍ଷତିପୂରଣ ପ୍ରଦାନ ସହ ସମସ୍ୟାର ସମାଧାନ ପାଇଁ ସେମାନେ ଦାବି କରିଥିଲେ । ତହସିଲଦାର ପହଞ୍ଚି ବୁଝାସୁଝା କରିବା ପରେ ହଟିଥିଲା ରାସ୍ତାରୋକ । ଗତ ୧୪ ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକ୍ ନିମପୁର ଗାଁରୁ ଜଣେ ନାବାଳକକୁ କୁମ୍ଭୀର ଟାଣିନେଇ ମାରି ଦେଇଥିଲା । ରାଜନଗର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କୁମ୍ଭୀର ଆକ୍ରମଣ ଘଟଣା ବାରମ୍ବାର ଘଟୁଥିବା ବେଳେ ପ୍ରଶାସନର ନିରବତା ନେଇ ଉଠିଛି ପ୍ରଶ୍ନ ।