ରାଜସ୍ଥାନ: ଉପଭୋକ୍ତାଙ୍କୁ ମାସକୁ ଶହେ ୟୁନିଟ୍ ମାଗଣା ବିଜୁଳି !

ଦିଲ୍ଲୀ,କର୍ଣ୍ଣାଟକ ପରେ ଏବେ ରାଜସ୍ଥାନରେ ସେହି ଫର୍ମୁଲା । ମାନେ ଲୋକଙ୍କୁ ମାଗଣା ବିଜୁଳି ପ୍ରଦାନ କରିବା । ଆସନ୍ତାବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅଛି । ତେଣୁ ଏହାକୁ ଆଖି ଆଗରେ ରଖି ଏବେଠୁ ଅଣ୍ଟା ଭିଡିଲେଣି କଂଗ୍ରେସ ସରକାର । ଜୁନ୍ ୧ ତାରିଖରୁ ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ପ୍ରତି ମାସରେ ଘର ପିଛା ଶହେ ୟୁନିଟ୍ ଲେଖାଏଁ ମାଗଣା ବିଜୁଳି ଦିଆଯିବ ।

ପୂର୍ବରୁ ଆପ୍‌ ଏବଂ କଂଗ୍ରେସ୍‌, ଦିଲ୍ଲୀ ଏବଂ କର୍ଣ୍ଣାଟକରେ ଏଭଳି ଘୋଷଣା କରି ବହୁମତ ହାସଲ କରିଥିଲେ । ତେଣୁ ଗେହଲଟ ସରକାର ଏବେ ଭାଗ୍ୟ ଉପରେ ନିର୍ଭର କରିଛନ୍ତି । ଲୋକେ ମାଗଣା ବିଜୁଳି ନେଇ କଂଗ୍ରେସକୁ ଭୋଟ୍ ଦେବେ । ପୁଣି ଥରେ ଅଶୋକ ଗେହଲଟ ଏହି ଶାସନରେ ବସିବେ, ତେଣୁ ଏଭଳି ଫର୍ମୁଲାକୁ ଆପଣେଇଛନ୍ତି ରାଜସ୍ଥାନ ସରକାର । ଏହାଦ୍ୱାରା ପ୍ରାୟ କୋଟିଏ ଘରୋଇ ବିଦ୍ୟୁତ୍‌ ଉପଭୋକ୍ତା ଉପକୃତ ହେବେ ବୋଲି ରାଜ୍ୟ ସରକାର କହିଛନ୍ତି ।

ଏହି ବିଲ୍‌ ଏବେ ରାଜ୍ୟ ବଜେଟରେ ପାସ୍‌ ହେବା ପରେ ଆଇନରେ ପରିଣତ ହେବ । ତେଣୁ ସ୍କିମ୍ ଲାଗୁହେଲେ ଗେହଲଟ ସରକାରଙ୍କୁ ପ୍ରାୟ ୫,୨୦୦ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଉଠାଇବାକୁ ପଡ଼ିବ । ରାଜ୍ୟରେ ସମୁଦାୟ ଘରୋଇ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସଂଖ୍ୟା ରହିଛି ୧.୨୪ କୋଟି । ଜଣେ ବ୍ୟକ୍ତି ଏକାଧିକ ବିଦ୍ୟୁତ୍‌ ସଂଯୋଗ ନେବାକୁ ଅନୁମତି ପାଇଥିଲେ ସେମାନଙ୍କ ଆଧାର କାର୍ଡ ଯାଞ୍ଚ କରାଯିବ । ଯଦି ଏକ ପରିବାରର ଏକାଧିକ ବ୍ୟକ୍ତି ନିଜ ଆଧାର କାର୍ଡ ହିସାବରେ ଅଧିକ ସଂଯୋଗ ମାଗନ୍ତି, ତେବେ ତାହା ମିଳିପାରିବ ବୋଲି ସୂଚନା ମିଳିଛି । ନିଜ ନିଜ ନାଁ ପଞ୍ଜିକୃତ କରି ଉପଭୋକ୍ତା ଏଭଳି ଯୋଜନାର ଫାଇଦା ନେଇପାରିବେ ।

ଏହି ଯୋଜନାର ଲାଭ ଉଠାଇବା ପାଇଁ ଏଯାବତ ୭୬ ଲକ୍ଷ ଉପଭୋକ୍ତା ନିଜ ନାମ ପଞ୍ଜିକରଣ କରିସାରିଲେଣି । ଶହେ ୟୁନିଟରୁ ଅଧିକ ବିଦ୍ୟୁତ୍‌ ବ୍ୟବହାର କରିବାକୁ ଚାହୁଁଥିଲେ ଏକ ନିର୍ଦ୍ଦିଷ୍ଟ ପରିମାଣର ସବସିଡି ପାଇପାରିବେ । ସେପଟେ, ଯୋଜନାର ଅପବ୍ୟବହାର ଏବଂ ବିଦ୍ୟୁତ୍‌ ଚୋରି ଉପରେ ନଜର ରଖିବାକୁ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଛି ।

Leave a Reply

Your email address will not be published. Required fields are marked *