ସବୁଠି ପହିଲି ରଜ ମାହୋଲ, ପିଠାପଣା ସହ ଦୋଳିଖେଳ ମଜା

ଆଜି ପହିଲି ରଜ । ମାଟି ଓ ଆକାଶର ମିଳନର ପର୍ବ । ରାଜ୍ୟର ବିଭିନ୍ନ ସ୍ଥାନରେ ରଜ ପର୍ବ ଧୁମଧାମରେ ପାଳନ କରାଯାଉଛି । ଉପକୂଳ ଓଡ଼ିଶାରେ ଆଜି ରଜ ପାଗ ହୋଇଛି । ଗତକାଲି ରାତି ଓ ଆଜି ସକାଳେ ଅଳ୍ପ ପରିମାଣର ବର୍ଷା ହୋଇଥିବା ହେତୁ ଗରମ କମ୍ ରହିଛି ।

ରାଜ୍ୟର ସବୁଠି ରଜ ମହୋତ୍ସବର ମାହୋଲ । ନୂଆ ପୋଷାକ ପିନ୍ଧି ରଜ ଦୋଳି ସାଙ୍ଗକୁ ପିଠାପଣାର ମଜା ନେଲେଣି ସବୁ ବର୍ଗର ଲୋକ । ପିଲାଠୁ ବୁଢ଼ା ସମସ୍ତେ ଦୋଳି ଖେଳରେ ମାତିଛନ୍ତି । କେତେକ ସ୍ଥାନରେ ରଜ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି ।

ଆଜି ପହିଲି ରଜ ଥିବାବେଳେ ଆସନ୍ତାକାଲି ରଜ ସଂକ୍ରାନ୍ତି । ଉତ୍କଳୀୟ ସଂସ୍କୃତି ଓ ପରମ୍ପରାରେ ରଜର ମହତ୍ତ୍ବ ଅନନ୍ୟ । ରଜ ପର୍ବରେ କୁଆଁରୀ ଝିଅ ଓ ବୋହୂମାକୁ ସମ୍ମାନ ଦିଆଯାଇଥାଏ । ତେଣୁ ଏହି ୩ ଦିନ ସେମାନେ କୋଣସି କାମ କରିବାକୁ ବାରଣ କରାଯାଇଛି । ରଜରେ ପାରମ୍ପରିକ ପିଠା ଖାଇ ଦୋଳିରେ ଝୁଲନ୍ତି କୁମାରୀ । ଗାଁ ଗାଁରେ ରଜଗୀତ ସାଙ୍ଗକୁ ରଜ ପାନରେ ମହକୁଛି ପରିବେଶ । ଫୁଲ ଦୋଳିରେ ଝୁଲି ଝୁଲି ଭାଇର ମଙ୍ଗଳ ମନାସୁଛନ୍ତି ଭଉଣୀ ।

ପହିଲି ରଜ ପାଇଁ ରାଜଧା‌ନୀ ବି ଚଳଚଞ୍ଚଳ । ରାଜଧାନୀର ବିଭିନ୍ନ ସ୍ଥାନରେ ରଜ ମନେଇଲେଣି ଲୋକେ । ଗତକାଲି ସଜବାଜ ଥିବା ହେତୁ ଅଧିକାଂଶ ମାର୍କେଟ୍‌ଗୁଡ଼ିକରେ ଗହଳି ଜମିଥିଲା । ସେପଟେ, ଆଜି ବୁଧବାର ହୋଇଥିବା ହେତୁ ପହିଲି ରଜରେ ଆମିଷ ଦୋକାନରେ ମଧ୍ୟ ବେଶ୍ ଭିଡ଼ ଜମିଛି । ଏହି କୃଷିଭିତ୍ତିକ ପର୍ବ ପାଇଁ ଗାଁଠୁ ସହର ସବୁଠି ଉତ୍ସବମୁଖର । ଆଷାଢ଼ର ପ୍ରଥମ ଜଳରେ ମା’ମାଟି ହୋଇଛି ରଜସ୍ବଳା । ସେଥିପାଇଁ ଏହି ଦିନ କୃଷିକର୍ମ ନିଷେଧ କରାଯାଇଛି । ୩ ଦିନ ଧରି ପାଳିତ ହେବ ରଜ ପର୍ବ ।

Leave a Reply

Your email address will not be published. Required fields are marked *