ରାଇରଙ୍ଗପୁର: ଯଶୀପୁରରେ ହାତୀ ଦାନ୍ତ ବିକ୍ରି ବେଳେ ମାଡ଼ିବସିଲା ବନ ବିଭାଗ

ମଣିଷ ଓ ହାତୀ ଲଢ଼େଇରେ କେତେବେଳେ କାହାର ଜୀବନ ଯାଉଛି । ହାତୀ ଆକ୍ରମଣରେ ମଣିଷର ମୃତ୍ୟୁ ହେଉଥିବା ବେଳେ କେତେବେଳେ ନିଜ ସ୍ୱାର୍ଥ ପୂରଣ ପାଇଁ ହାତୀ ଶିକାର କରୁଛି ମଣିଷ । ହାତୀ,ମଣିଷ ଲଢ଼େଇ ପ୍ରାୟତଃ ଦୈନନ୍ଦିନ ଘଟଣା ପାଲଟିଲାଣି । ଏବେ ଯଶୀପୁରରୁ ୪ଟି ହାତୀ ଦାନ୍ତ ଜବତ ପରେ ବନ ବିଭାଗ ଘଟଣାକୁ ନେଇ ଖୋଳତାଡ଼ ଜାରି ରଖିଛି ।

ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ବଢ଼ିବାରେ ଲାଗିଛି । ଶିକାରୀ, ମାଫିଆ, ଦଲାଲମାନେ ବନ୍ୟଜନ୍ତୁ ଶିକାର କରି ନିଜର ସ୍ୱାର୍ଥ ପୂରଣ କରୁଛନ୍ତି । ଶିମିଳିପାଳ ଅଭୟାରଣ୍ୟରେ ଅବାଧରେ ପଶୁ ଶିକାର ହେଉଥିବା ବେଳେ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ୪ଟି ହାତୀ ଦାନ୍ତ ଜବତ କରିଛି ବନ ବିଭାଗ । ଏଭଳି ମୂଲ୍ୟବାନ ଜିନିଷର ବିକ୍ରି ପାଇଁ ଡିଲ୍ ହେଉଥିବା ବେଳେ ଅଭିଯୁକ୍ତମାନଙ୍କୁ ଧରିଛି ବନ ବିଭାଗ ।

ହାତୀ ଦାନ୍ତ ବିକ୍ରି ପାଇଁ ଯୋଜନା ଚାଲିଥିବା ଖବର ପାଇଥିଲା ବନ ବିଭାଗ । ତେଣୁ ବିଳମ୍ବ ନକରି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ଉପନିର୍ଦେଶକ ସମ୍ରାଟ ଗଉଡ଼ାଙ୍କ ନେତୃତ୍ୱରେ ଏକ ଟିମ୍ ରେଡ୍ କରିଥିଲା । ଉତ୍ତର ଶିମିଳିପାଳର ଉପନିର୍ଦେଶକ ସାଇ କିରଣ, ରାଇରଙ୍ଗପୁର ବନଖଣ୍ଡର କିଛି ଅଧିକାରୀ ଯଶୀପୁର ଅଞ୍ଚଳରେ ଅତର୍କିତ ଚଢ଼ାଉ କରିଥିଲେ । ଘଟଣାସ୍ଥଳରୁ ୪ଟି ହାତୀ ଦାନ୍ତ ଜବତ କରାଯାଇଥିଲା । ସେଠାରୁ ୫ ଜଣଙ୍କୁ ଗିରଫ କରିଥିଲା ଟିମ୍ । ଗିରଫ ଅଭିଯୁକ୍ତମାନେ ଦାଶାଇ ସିଂ, ମଣ୍ଡା ସିଂ, ମନମୋହନ ହେମ୍ବ୍ରମ, ମନ୍ତ୍ରୀ ସିଂ ଓ ନର୍ସିଂ ସିଂ । ସେମାନେ ସମସ୍ତେ ଯଶୀପୁର ଥାନା ଶିମିଳିପାଳ ବଫର ଅଞ୍ଚଳ ଚାକିଡ଼ି ଗାଁର ବାସିନ୍ଦା । ସେମାନଙ୍କ ଠାରୁ ୫ଟି ମୋବାଇଲ, ଦୁଇଟି ବାଇକ୍ ମଧ୍ୟ ମିଳିଥିଲା ।

ଜବତ ହାତୀଦାନ୍ତ ଗୁଡ଼ିକର ଓଜନ ୬ କେଜିରୁ ଅଧିକ ହେବ । ହାତୀଗୁଡ଼ିକ ମଧ୍ୟମ ବୟସ୍କର ହୋଇଥିବା ଅନୁମାନ କରାଯାଉଛି । ଦୁଇଟି ହାତୀକୁ ଶିମିଳିପାଳ କୋର ଏରିଆରେ ଶିକାର କରାଯାଇଛି । ତେବେ ଏମାନଙ୍କ ସଂପୃକ୍ତି ଅଛି ନା ନାହିଁ ସେ ନେଇ ତଦନ୍ତ ଜାରି ରହିଛି ।


Leave a Reply

Your email address will not be published. Required fields are marked *