
ପ୍ରଚଣ୍ଡ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଛି । କିନ୍ତୁ ଏହାରି ଭିତରେ ଆଶ୍ୱସ୍ତିକର ଖବର ଆସିଛି । ଆସନ୍ତା କାଲି ଅର୍ଥାତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ତାପମାତ୍ରା କମିବ ।
ସମୁଦ୍ର ପତନ ଠାରୁ ୦.୯ କିଲୋମିଟର ଉଚ୍ଚତାରେ ଛତିଶଗଡ଼ ଉପର ଦେଇ ପଶ୍ଚିମ ବିହାରରୁ ଉତ୍ତର ତେଲେଙ୍ଗାନା ପର୍ଯ୍ୟନ୍ତ ଏକ ଲଘୁଚାପ ଲାଇନ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍ ୨୧ ତାରିଖ ରବିବାର ମଧ୍ୟାହ୍ନ ସୁଦ୍ଧା ଉତ୍ତର, ଦକ୍ଷିଣ, ଆଭ୍ୟନ୍ତର, ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୩୦-୪୦ରୁ ଆରମ୍ଭ ହୋଇ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଏଥିସହ ବଜ୍ରପାତ, ଘଡ଼ଘଡ଼ି ସହ ଘୂର୍ଣ୍ଣିଝଡ଼ ବା କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି ।