ପୁରୀରେ ଖଜା ଭାଟି ଉପରେ ବଡ଼ ଧରଣର ରେଡ୍। ଅଚାନକ ଖଜା ପ୍ରସ୍ତୁତି କେନ୍ଦ୍ରରେ ପହଞ୍ଚିଲା ପୋଲିସ। ଖଜା ତିଆରି ହେଉଥିବା ସ୍ଥାନରେ ଚାଲିଲା ତନାଘନା। ଅସ୍ୱାସ୍ଥ୍ୟକର ପରିବେଶରେ ଖଜା ପ୍ରସ୍ତୁତି ହେଉଥିବା ଅଭିଯୋଗ ପରେ ଆକ୍ସନ ମୋଡ୍କୁ ଆସିଛି ପୁରୀ ପୋଲିସ ଓ ମହାନଗର ନିଗମ। ସହରର ବିଭିନ୍ନ ଖଜା ଭାଟିରେ ମିଳିତ ଚଢ଼ାଉ କରି ପ୍ରସ୍ତୁତି ପ୍ରକ୍ରିୟାର ଯାଞ୍ଚ କରାଯାଉଛି।
ଶ୍ରୀକ୍ଷେତ୍ର ପୁରୀର ପରିଚୟ ସହ ଜଡ଼ିତ ରହିଛି ଖଜା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକ ଖଜା କିଣି ଘରକୁ ନେଇଥାନ୍ତି। ହେଲେ ଏହି ଖଜା କେତେ ସୁରକ୍ଷିତ? କେମିତି ପରିବେଶରେ ପ୍ରସ୍ତୁତ ହେଉଛି? ଖାଦ୍ୟ ପ୍ରସ୍ତୁତି ସମୟରେ ଆବଶ୍ୟକ ସ୍ୱଚ୍ଛତା ରକ୍ଷା କରାଯାଉଛି ତ? ଏଭଳି ଅନେକ ପ୍ରଶ୍ନକୁ ନେଇ ଆରମ୍ଭ ହୋଇଛି ଯାଞ୍ଚ।
ପୁରୀ ପୋଲିସ ଓ ମହାନଗର ନିଗମ କର୍ମଚାରୀଙ୍କ ମିଳିତ ଟିମ୍ ବିଭିନ୍ନ ଖଜା ପ୍ରସ୍ତୁତି କେନ୍ଦ୍ରରେ ପହଞ୍ଚି ସ୍ୱଚ୍ଛତା ବ୍ୟବସ୍ଥା ଏବଂ ଖାଦ୍ୟ ପ୍ରସ୍ତୁତି ନିୟମ ପାଳନ ସମ୍ପର୍କରେ ଯାଞ୍ଚ କରୁଛି। ଖଜା ତିଆରି ହେଉଥିବା ସ୍ଥାନ ସଫାସୁତୁରା ଅଛି କି ନାହିଁ, ପ୍ରସ୍ତୁତି ପ୍ରକ୍ରିୟାରେ ନିର୍ଦ୍ଧାରିତ ମାନଦଣ୍ଡ ପାଳନ କରାଯାଉଛି କି ନାହିଁ, ସେସବୁ ଦିଗରେ ଗୁରୁତ୍ୱ ଦିଆଯାଉଛି।
ଏହି ଚଢ଼ାଉ ପରେ ଖଜା ବ୍ୟବସାୟୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ତେବେ ଯାଞ୍ଚ ସମୟରେ କେଉଁଠି କେତେ ଅନିୟମିତତା ମିଳିଛି, କୌଣସି ସାମଗ୍ରୀ ଜବତ ହୋଇଛି କି ନାହିଁ ଏବଂ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
ଏବେ ବଡ଼ ପ୍ରଶ୍ନ, ଶ୍ରଦ୍ଧାଳୁଙ୍କ ପାଖରେ ପହଞ୍ଚୁଥିବା ଖଜା କେତେ ସ୍ୱଚ୍ଛ ଓ ସୁରକ୍ଷିତ? ଯାଞ୍ଚ ପରେ କ’ଣ ପଦକ୍ଷେପ ନେବ ପ୍ରଶାସନ? ତାହା ଉପରେ ରହିଛି ସମସ୍ତଙ୍କ ନଜର।