ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଗିରଫ କରିବାକୁ ଦାବି କରି ମଙ୍ଗଳବାର ରେସଲର ମାନେ ଏକ ମହମବତୀ ପଦଯାତ୍ରା କରିଥିଲେ । ଏହି ମହମବତୀ ପଦଯାତ୍ରା ଜନ୍ତର ମନ୍ତ୍ରରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ କରାଯାଇଥିଲା । ଏହି ପଦଯାତ୍ରାରେ ଖାପ ପ୍ରତିନିଧି ମାନେ ମଧ୍ୟ ଭାଗ ନେଇଥିଲେ । କୁସ୍ତିଯୋଦ୍ଧା ମାନଙ୍କୁ ସମର୍ଥନ କରିବା ପାଇଁ ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ମଧ୍ୟ ଇଣ୍ଡିଆ ଗେଟରେ ପହଞ୍ଚିଥିଲେ ।
ମହମବତୀ ପଦଯାତ୍ରାରେ କୃଷକ ନେତା ରାକେଶ ଟିକାୟତ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ରେସଲର ବଜରଙ୍ଗ ପୁନିଆ କହିଛନ୍ତି ଯେ, ଆମ ଭଉଣୀଙ୍କ ସମ୍ମାନ ଆମ ପାଇଁ ଜୀବନ ଠାରୁ ଅଧିକ । ଯେପର୍ଯ୍ୟନ୍ତ ଦେଶର ଝଅମାନେ ନ୍ୟାୟ ନପାଇଛନ୍ତି, ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ । ଅନେକ ଲୋକ ଏହି ଆନ୍ଦୋଳନକୁ ବଦନାମ କରିବାକୁ କାର୍ଯ୍ୟ କରୁଛନ୍ତି, ତେଣୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହିପରି ଆମକୁ ସମର୍ଥନ କରନ୍ତୁ ।
ସେ କହିଛନ୍ତି ଯେ, ଭାରତକୁ ଭଲ ପାଉଥିବା ସମସ୍ତ ଧର୍ମ ଏବଂ ଜାତିର ଲୋକମାନେ ସରକାରଙ୍କୁ ଏହି ପ୍ରଶ୍ନ ପଚାରିବା ଉଚିତ ଯେ, ଆମର ଚାମ୍ପିଅନ ମାନେ କାହିଁକି ଏକ ମାସ ହେଲାଣି ରାସ୍ତା ଉପରେ ବସିଛନ୍ତି । ସେମାନଙ୍କର ସ୍ଥାନ ରାସ୍ତା ନୁହେଁ ବରଂ ଅଭ୍ୟାସ ସ୍ଥାନ ହେବା ଦରକାର । ରେସଲର ସାକ୍ଷୀ ମଲିକ କହିଛନ୍ତି ଯେ, ଏହା ହେଉଛି ଦେଶର ଝିଅ ମାନଙ୍କର ଲଢେଇ ଯେଉଁଥିରେ ଆପଣ ସମସ୍ତଙ୍କୁ ଆମକୁ ସମର୍ଥନ କରିବାକୁ ପଡିବ । ଯାହା ଦ୍ବାରା ଆମେ ନ୍ୟାୟ ପାଇପାରିବା । ଜନ୍ତର ମନ୍ତରରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ହଜାର ହଜାର ଲୋକ ନ୍ୟାୟ ପାଇଁ ପଦଯାତ୍ରା ଆରମ୍ଭ କରିଥିଲେ । ଆଜି ଆମର ଏହି ଆନ୍ଦୋଳନକୁ ଏକ ମାସ ପୂରିଛି । କିନ୍ତୁ ଏପର୍ଯ୍ୟନ୍ତ ଆମକୁ କୌଣସି ନ୍ୟାୟ ମିଳିଲା ପରି ଲାଗୁନାହିଁ ।