ମରଣ ଯନ୍ତା ପାଲଟିଛି ରୁଙ୍ଗଟା କମ୍ପାନୀ, ଶ୍ରମିକଙ୍କ ନିରାପତ୍ତା ଓ ସୁରକ୍ଷା ‘ଫୁ’

ଗତ କିଛିଦିନ ହେବ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ଅବସ୍ଥିତ ରୁଙ୍ଗଟା କମ୍ପାନୀରେ ବିଦ୍ୟୁତ ଆଘାତ ଯୋଗୁ ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଘଟଣା କମ୍ପାନୀର ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶବାଚି ସୃଷ୍ଟି କରିଛି ।

ଢେଙ୍କାନାଳ ଝାଡ଼ବନ୍ଧ ସ୍ଥିତ ରୁଙ୍ଗଟା ଷ୍ଟିଲ ଓ ମାଇନ୍ସ କାରଖାନାରେ ବିଦ୍ୟୁତ ଆଘାତ ହେତୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହେବାପରେ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି । ରବିବାର ଦିନ କାରଖାନା ପରିସରରେ କାର୍ଯ୍ୟରତ ସ୍ଥାନୀୟ ବାଲିମୀ ଥାନା ଅନ୍ତର୍ଗତ କଡ଼ଲା ଗ୍ରାମର ମୁନା ଗୋଚ୍ଛାୟତଙ୍କର ବିଦ୍ୟୁତ କରେଣ୍ଟ ଲାଗି ମୃତ୍ୟୁ ଘଟିବା ପରେ ରୁଙ୍ଗଟା କାରଖାନା ଆଗରେ ମୃତକଙ୍କ ପରିବାର ଲୋକ ଧାରଣା ଦେଇଥିଲେ ।

ପରିବାର ସହ ଗ୍ରାମବାସୀ ଅଭିଯୋଗ କରିଥିଲେ କି କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକଙ୍କ ମୃତଦେହ କାରଖାନାରୁ ଗାଏବ କରିଦେଇଥିଲେ । ତେଣୁ, ମୃତ ଶ୍ରମିକଙ୍କ ପରିବାର ଓ ଗ୍ରାମବାସୀ ମାନେ କାରଖାନାକୁ ଯାଇ ଜୋର ଜବରଦସ୍ତ ପଶିବାରୁ ସୁରକ୍ଷାକର୍ମୀଙ୍କ ସହିତ ମୁହାଁମୁହିଁ ହୋଇଥିଲେ । ଉତ୍ତ୍ୟକ୍ତ ଲୋକମାନେ ମୁଖ୍ୟ ଫାଟକ ବନ୍ଦ କରି ଧାରଣା ଦେଇ ପ୍ରତିବାଦ ଜଣାଇଥିଲେ । ଘଟଣାସ୍ଥଳରେ ପୋଲିସ୍ ପହଁଞ୍ଚି ଧାରଣା ପ୍ରଦର୍ଶନକାରୀଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସୁଧୁରିଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ, ଗତ କିଛିଦିନ ହେବ ରୁଙ୍ଗଟା କମ୍ପାନୀରେ ବିଦ୍ୟୁତ ଆଘାତ ଯୋଗୁ ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଘଟଣା କମ୍ପାନୀର ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶବାଚି ସୃଷ୍ଟି କରିଛି । କୁହାଯାଉଛି, କମ୍ପାନୀ ପରିସରରେ ପ୍ରତି ମାସରେ ଜଣେ ଦୁଇ ଜଣ ବ୍ୟକ୍ତି କୌଣସି ନା କୌଣସି କାରଣରୁ ମୃତ୍ୟୁ ବରଣ କରୁଛନ୍ତି ଏବଂ କମ୍ପାନୀ ତରଫରୁ ଏହି ଘଟଣାକୁ ଚାପି ଦିଆ ଯାଉଛି । ଅଧିକାଂଶ ଠିକା ଶ୍ରମିକ ବାହାର ରାଜ୍ୟର ବାସିନ୍ଦା ହୋଇଥିବାରୁ ଏହି ଅପମୃତ୍ୟୁ ବିରୁଦ୍ଧରେ ସ୍ୱର ଉଠାଇବାକୁ ସେମାନଙ୍କର ଆତ୍ମୀୟ ଓ ସମ୍ପର୍କୀୟ ଉଚିତ ମନେକରୁ ନାହାନ୍ତି ।

ରୁଙ୍ଗଟା କମ୍ପାନୀର ଖାଁ ଖିଆଲୀ ନୀତି ଯୋଗୁ ନିକଟରେ ଝାରସୁଗୁଡ଼ାରେ କମ୍ପାନୀର ସମ୍ପ୍ରସାରଣକୁ ସ୍ଥାନୀୟ ଜନତା ତୀବ୍ର ବିରୋଧ କରିଥିଲେ । ରୁଙ୍ଗଟା କମ୍ପାନୀ ଓ ଏମସିଏଲକୁ କଙ୍କିଳି ପଞ୍ଚାୟତର ୧୧ ଟି ଗ୍ରାମର ଅଧିବାସୀ ଇଞ୍ଚେ ହେଲେ ଜମି ଦେବେନି ବୋଲି ନିଷ୍ପତ୍ତି ନେଇଥିଲେ ।