ବିଦ୍ୟୁତ ତାର ସଂସ୍ପର୍ଶରେ ଉଡିଗଲା ପ୍ରାଣବାୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ବିଦ୍ୟୁତ ବିଭାଗର ପରିଚାଳନାଗତ ତ୍ରୁଟି ପାଇଁ ଚାଲିଗଲା ଜଣେ ନିରୀହଙ୍କ ଜୀବନ, ଚାଷ କାମ ପାଇଁ ବିଲକୁ ଯାଇଥିଲେ,ହେଲେ ଆଉ ଫେରିଲେ ନାହିଁ ଘରକୁ, ହଁ ଆଜ୍ଞା, ବିଦ୍ୟୁତ ବିଭାଗର ବେପରୁଆ କାର୍ଯ ପାଇଁ ଜଣେ ନିରୀହ ଚାଷୀଙ୍କୁ ଜୀବନ ହାରିବାକୁ ପଡିଛି । ସୂଚନା ଅନୁସାରେ, ଆଜି ସକାଳେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥର ବେଣୁଦା ଛକ ନିକଟରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା, ଭୋଗରାଇ ବ୍ଲକ କଚୁଆଡି ପଞ୍ଚାୟତ ମୁକଳସିପୁର ଗାଁର ସତ୍ୟନାରାୟଣ ପ୍ରଧାନ ନାମକ ଜଣେ ଚାଷୀ ନିଜ ଚାଷ ଜମିକୁ ଔଷଧ ମାରିବା ପାଇଁ ଯାଇଥିବାବେଳେ ଜମି ବନ୍ଧରେ ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସେ ଚେତାଶୁନ୍ୟ ହୋଇ ପଡ଼ିରହିଥିଲେ।

ଘର ଲୋକେ ତାଙ୍କୁ ବହୁ ଖୋଜଖୋଜି କରିବା ପରେ ଶେଷରେ ବିଲରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏ ନେଇ ପରିବାର ପକ୍ଷରୁ ବିଦ୍ୟୁତ ବିଭାଗକୁ ଦାୟୀ କରାଯିବା ସହ କ୍ଷତିପୂରଣ ଦାବିରେ ରାଜ ରାସ୍ତାରେ ଶବ ରଖି ରାସ୍ତା ରୋକ କରିଛନ୍ତି । କ୍ଷତି ପୂରଣ ନ ମିଳିଲେ ରାସ୍ତା ରୋକ ହଟିବ ନାହିଁ ବୋଲି ଜିଦରେ ଅଟଳ ଅଛନ୍ତି ପରିବାର ଲୋକଙ୍କ ସମେତ ସ୍ଥାନୀୟ ବାସିନ୍ଦା ।

କେବଳ ଏଇ ଗୋଟିଏ ଘଟଣା ନୁହଁ , ବିଦ୍ୟୁତ ବିଭାଗର ଏହିପରି ଅନେକ ଦୃଷ୍ଟାନ୍ତ ରହିଛି, ଅତୀତର ସେଇ ଘଟଣାକୁ ସୁଧାରିବା ବଦଳରେ ନିଜର ମନୋମୁଖୀ ତଥା ବେପରୁଆ କାର୍ଯ ପାଇଁ ପ୍ରତିଦିନ କେଉଁଠି ନା କେଉଁଠି ବିଦ୍ୟୁତ ଆଘାତରେ ପ୍ରାଣ ହରାଉଛନ୍ତି ସାଧାରଣ ଲୋକେ ।