
ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ମୟୂରଭଞ୍ଜ ଜିଲ୍ଲାକୁ ଚତୁର୍ଥ ଥର ପାଇଁ ଆସୁଥିବା ବେଳେ ପ୍ରଥମ ଥର ନିଜ ଜନ୍ମମାଟି କୁସୁମୀ ବ୍ଲକ ଅନ୍ତର୍ଗତ “ଉପରବେଡା” ଗ୍ରାମକୁ ଯାଇଛନ୍ତି । ରାଷ୍ଟ୍ରପତି କଲେଇକୁଣ୍ଡା ଏୟାରବେସରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ ବ୍ଲକ ସ୍ଥିତ ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଛନ୍ତି । ସେଠାରେ ମୟୁରଭଞ୍ଜ ସାଂସଦ ନବ ଚରଣ ମାଝୀ ଏବଂ ରାଜ୍ୟ ଜଙ୍ଗଲ,ପରିବେଶ ଓ ଶ୍ରମ ମନ୍ତ୍ରୀ ଇଂ ଗଣେଶ ରାମ ଖୁଣ୍ଟିଆ ରାଷ୍ଟ୍ରପତିଙ୍କୁ ପୁଷ୍ପଗୁଛ ଦେଇ ଶୁଭେଚ୍ଛା ଜଣାଇଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଅତି ସୁନ୍ଦର ଭାବରେ ଗାଁ ଏବଂ ଗାଁ ବିଦ୍ୟାଳୟକୁ ସଜାଯାଇଛି ।
ରାସ୍ତାକଡ଼ରେ ଆଦିବାସୀ ପାରମ୍ପରିକ ନୃତ୍ଯରେ ନୃତ୍ୟ ଦଳ ତାଙ୍କୁ ସ୍ବାଗତ କରିଥିଲେ । ରାସ୍ତାର ଉଭୟ ପାର୍ଶ୍ବରେ ଛିଡ଼ା ହୋଇଥିବା ଗାଁ ମାଟିର ସାଙ୍ଗ,ସାଥୀ ,ବନ୍ଧୁ ବାନ୍ଧବଙ୍କ ସହ ଅଂଚଳ ବାସୀଙ୍କୁ ହାତ ହଲାଇ ଶୁଭେଛା ଜଣାଇଥିଲେ । ପୋଲିସ ଓ ପ୍ରଶାସନ ତରଫରୁ ଆଇନଶୃଙ୍ଖଳା ଓ ସୁରକ୍ଷା ପ୍ରତି କଡ଼ା ନଜର ଦିଆଯାଇଥିଲା । ଛୋଟବେଳେ ପାଠ ପଢୁଥିବା ସ୍କୁଲ ‘ଉପରବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ’ ଓ ‘କମଳା ବିମଳା ହାଇସ୍କୁଲ’ ପରିଦର୍ଶନ କରିଛନ୍ତି । ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ପିଲାଦିନର ସ୍ମୃତି ବଖାଣିଛନ୍ତି। ସାରା ଗାଁ ତାଙ୍କୁ କିଭଳି ଭଲ ପାଉଥିଲା ସେ ବିଷୟରେ ମଧ୍ୟ କହିଛନ୍ତି। ମହାମହିମଙ୍କ ସୁରକ୍ଷା ପାଇଁ ସୁରକ୍ଷା ଦୃଷ୍ଟିରୁ ଉପରବେଡ଼ା ସମେତ ବିଭିନ୍ନ ସ୍ଥାନରେ ୪୦ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି ।