ଏବେଠୁ ୨୦୨୪ ଲୋକସଭା ନିର୍ବାଚନ ପ୍ରସ୍ତୁତି, ଭୋଟିଂ ମେସିନ୍‌ର ଯାଞ୍ଚ ଆରମ୍ଭ

ଆଉ ମାତ୍ର କେଇଟା ମାସକୁ ଅପେକ୍ଷା । କାରଣ ଆସୁଛି ୨୦୨୪ ଲୋକସଭା ନିର୍ବାଚନ । ଏଥିପାଇଁ ଏବେଠୁ ଜୋରଦାର ପ୍ରସ୍ତତି ଆରମ୍ଭ ହେଲାଣି । ଦଳୀୟ ନେତା ଓ କର୍ମୀ ବିଭିନ୍ନ ପ୍ରସଙ୍ଗରେ ଭୋଟ୍ ହାତେଇବା ପାଇଁ ଉଦ୍ୟମ ଆରମ୍ଭ କଲେଣି । ସେପଟେ, ନିର୍ବାଚନ ସୁରୁଖୁରୁରେ ଏବଂ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଜାତୀୟ ନିର୍ବାଚନ କମିଶନ ।

୨୦୨୪ ଲୋକସଭା ନିର୍ବାଚନ ଏବଂ ଚଳିତବର୍ଷ ଶେଷ ସୁଦ୍ଧା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ ଭୋଟିଂ ‌ମେସିନ୍‌ଗୁଡ଼ିକର ପ୍ରଥମ ପର୍ଯ୍ୟାୟ ଯାଞ୍ଚ ଆରମ୍ଭ କରିଛନ୍ତି ଜାତୀୟ ନିର୍ବାଚନ କମିଶନ । ନିର୍ବାଚନ କମିଶନଙ୍କ ଜଣେ କାର୍ଯ୍ୟକର୍ତ୍ତାଙ୍କ କହିବା ଅନୁସାରେ କେରଳର ସମସ୍ତ ନିର୍ବାଚନ ମଣ୍ଡଳୀ ସମେତ ସମଗ୍ର ଭାରତରେ ଏହି ଯାଞ୍ଚ ପ୍ରକ୍ରିୟା ପର୍ଯ୍ୟାୟ କ୍ରମେ ଚାଲିବ ।

ଗତ ମାର୍ଚ୍ଚ ମାସରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧିଙ୍କୁ ଏକ ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଥିଲେ ସୁରତର ସେସନ୍ କୋର୍ଟ । ତେଣୁ ତାଙ୍କୁ ଲୋକସଭା ସଦସ୍ୟତା ପାଇଁ ଅଯୋଗ୍ୟ ଘୋ‌ଷଣା କରାଯାଇଥିଲା । ଫଳରେ ରାହୁଲ ପ୍ରତିନିଧିତ୍ୱ କରୁଥିବା କେରଳର ୱାୟାନାଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଏବେ ଖାଲି ପଡ଼ିଛି ।

ସେଠାରେ ମକ୍‌ ପୋଲ୍ ଚାଲିଥିବା କହିଛନ୍ତି ନିର୍ବାଚନ କାର୍ଯ୍ୟକର୍ତ୍ତା । ପ୍ରତ୍ୟେକ ଯାଞ୍ଚ ପ୍ରକ୍ରିୟା ପାଇଁ କ୍ୟାଲେଣ୍ଡର୍‌ ଜାରି କରିଛନ୍ତି ନିର୍ବାଚନ କମିଶନ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ମଧ୍ୟ ନିର୍ଦ୍ଦେଶନାମା ଜାରି ହୋଇଛି । ଆସନ୍ତା ଦିନରେ ହେବାକୁ ଥିବା ବିଧାନସଭା ଏବଂ ଲୋକସଭା ନିର୍ବାଚନ ଗୁଡ଼ିକ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ଏବେଠୁ ଉଦ୍ୟମ ଆରମ୍ଭ ହେଲାଣି ।

Leave a Reply

Your email address will not be published. Required fields are marked *