ପ୍ରଶାନ୍ତଙ୍କୁ ରିମାଣ୍ଡରେ ନେଲା ଭିଜିଲାନ୍ସ, ଖୋଳତାଡ଼ କରୁଛି ଟିମ୍

ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବିଚାର ବିଭାଗୀୟ ହାଜତରେ ଥିବା ପ୍ରଶାନ୍ତଙ୍କ ଠାରୁ ଅଧିକ ତଥ୍ୟ ହାସଲ କରାଯିବ । ସେଥିପାଇଁ ତାଙ୍କୁ ଏବେ ରିମାଣ୍ଡରେ ନେଇଛି ଭିଜିଲାନ୍ସ ଟିମ୍ ।

ପ୍ରଶାନ୍ତ ରାଉତଙ୍କ ପାଇଁ ଅଡୁଆ ବଢୁଛି । ତାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ । ଘର, ଅଫିସ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ମୋଟ ୫ କୋଟି ୨୧ ଲକ୍ଷ ୯ ହଜାର ୬୫୯ ଟଙ୍କା ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରିଥିଲେ ଭିଜିଲାନ୍ସ ଅଧିକାରୀ । ନଗଦ ୩ କୋଟି ୨ ଲକ୍ଷ ଟଙ୍କା,ବ୍ୟାଙ୍କ ଓ ଇନ୍ସ୍ୟୁରାନ୍ସ ଡିପୋଜିଟ ବାବଦରେ ୯୨ ଲକ୍ଷ ୩୪ ହଜାର ଟଙ୍କାର ତଥ୍ୟ ମିଳିଥିଲା । ସେହିପରି ତାଙ୍କ ନାଁରେ ୫ଟି ପ୍ଲଟ୍ ରହିଛି । ୩୭ ଲକ୍ଷ ଟଙ୍କାର ଯାନବାହନ, ୨୧ ଲକ୍ଷ ୩୫ ହଜାର ଟଙ୍କାର ସୁନା ଗହଣା ଜବତ କରାଯାଇଥିଲା । ଦୁଇ ପିଲାଙ୍କ ପାଠପଢ଼ା ବାବଦରେ ସେ ଖର୍ଚ୍ଚ କରିଛନ୍ତି ୮୭ ଲକ୍ଷ ଟଙ୍କା ।

ସେପଟେ ବେନାମୀ ଆକାଉଣ୍ଟ କରି ଟଙ୍କା କାରବାର କରୁଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି । ନଗଦ ୩ କୋଟି ୨ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ବିଭାଗ । ପ୍ରଶାନ୍ତ ରାଉତ ନିଜ ଆୟ ଠାରୁ ୫୦୬ ପ୍ରତିଶତ ଅଧିକ ସମ୍ପତ୍ତି ରଖିଥିଲେ । ଦୀର୍ଘ ୨୦ ଘଣ୍ଟାର ମାରାଥନ୍ ରେଡ୍ କରିଥିଲା ଟିମ୍ । ଠାବ ସମ୍ପତ୍ତି ନେଇ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବା ପରେ ଶେଷରେ ତାଙ୍କୁ ଗିରଫ କରାଯାଇଥିଲା । ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ପରେ ଜାମିନ ଖାରଜ ହୋଇଥିଲା । ଶେଷରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା ।

ବେଆଇନ୍ ଭାବେ ସମ୍ପତ୍ତି ଠୁଳ କରିବା ଘଟଣାକୁ ନେଇ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ରାଜ୍ୟ ସରକାର । ଏବେ ଘଟଣାର ଖୋଳତାଡ଼ ଜାରି ରହିଛି । ଆଜିଠାରୁ ପ୍ରଶାନ୍ତ ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ ବିଭାଗ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଧିକ ତଥ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ।

Leave a Reply

Your email address will not be published. Required fields are marked *