ଏୟାର ହଷ୍ଟେସଙ୍କୁ ଅସଦାଚରଣ ଅଭିଯୋଗରେ ବନ୍ଧା ହେଲେ ମଦ୍ୟପ ଯାତ୍ରୀ

ବିମାନରେ ଏୟାର ହଷ୍ଟେସଙ୍କୁ ଅସଦାଚରଣ । ମଦ୍ୟପ ଯାତ୍ରୀଙ୍କୁ ବାନ୍ଧିଲା ପୋଲିସ୍ । ଏଭଳି ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀରୁ ଶିରିଡିକୁ ଯାତ୍ରା କରିଥିବା ବିମାନରେ । ଦିଲ୍ଲୀ – ଶିରିଡ଼ି ବିମାନର ଜଣେ ଏୟାର ହଷ୍ଟେସଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ମଦ୍ୟପ ଯାତ୍ରୀଙ୍କୁ ଗିରଫ କରାଯାଇଛି । କୁହାଯାଉଛି ଯେ ଏହି ଦୁର୍ଘଟଣା ଇଣ୍ଡିଗୋର ଦିଲ୍ଲୀ-ଶିରିଡି ବିମାନରେ ଘଟିଛି। ପୋଲିସ ସୂଚନା ମୁତାବକ, ଯାତ୍ରୀ ଜଣକ ବିମାନ ଶୌଚାଳୟ ନିକଟରେ ଏୟାର ହଷ୍ଟେସଙ୍କୁ ଅନୁପଯୁକ୍ତ ଭାବରେ ସ୍ପର୍ଶ କରିବା ସହିତ ଅସଦାଚରଣ କରିଥିଲେ ।

ଏହାପରେ ଏୟାର ହଷ୍ଟେସ ତାଙ୍କ କ୍ରୁ ମ୍ୟାନେଜରଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ବିମାନଟି ଶିରିଡି ବିମାନବନ୍ଦରରେ ଅବତରଣ କରିବା ପରେ, ସୁରକ୍ଷାକର୍ମୀଙ୍କୁ ଏ ବିଷୟରେ ସୂଚନା ଦିଆଯାଇଥିଲା । ଏହା ପରେ ଅଭିଯୁକ୍ତକୁ ରାହାତା ପୋଲିସ ଷ୍ଟେସନକୁ ନିଆଯାଇଛି । ଯେଉଁଠାରେ ତାଙ୍କ ବିରୁଦ୍ଧରେ ଅସଦାଚରଣ ମାମଲା ରୁଜୁ ହୋଇଛି ।

ଶିରିଡି ବିମାନବନ୍ଦରରେ ଇଣ୍ଡିଗୋ ପ୍ରତିନିଧି ସନ୍ତୋଷ ଚୌରେ ରାହାତା ପୋଲିସ ଷ୍ଟେସନରେ ଅଭିଯୁକ୍ତ ଯାତ୍ରୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିବା ଜଣାପଡିଛି । ଏହି ସମ୍ପର୍କରେ ଶିରିଡି ଏସଡିପିଓ ସିରିଶ ବାମନେ କହିଛନ୍ତି, “ଅଭିଯୁକ୍ତ ରାଜସ୍ଥାନର ଚୁରୁ ଜିଲ୍ଲାର ବାସିନ୍ଦା ସନ୍ଦୀପ କୁମାର ସିଂହ ଭାବରେ ଚିହ୍ନଟ କରାଯାଇଛି । ଘଟଣା ସମୟରେ ସେ ମଦ୍ୟପାନ କରିଥିବା ଜଣାପଡ଼ିଛି । ଯାହା ଡାକ୍ତରୀ ପରୀକ୍ଷା ଦ୍ୱାରା ନିଶ୍ଚିତ ହୋଇଛି ।” ଏହି ଘଟଣାର ଅଧିକ ତଦନ୍ତ ଚାଲିଛି ପୋଲିସ ।