ଦେଶର କୋଟି କୋଟି ଚାଷୀଙ୍କ ପାଇଁ ବଡ଼ ଖୁସି ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କୁ ଦେଇଛନ୍ତି ବଡ଼ ଉପହାର। ଗୁଜରାଟର ବନାସକାଣ୍ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି ଟଙ୍କା ଜାରି କରିଛନ୍ତି। ଏହି ଅବସରରେ ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୮ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ସିଧାସଳଖ ପଠାଯାଇଛି।
ଏହାସହ ପ୍ରଧାନମନ୍ତ୍ରୀ ୧୪ ହଜାର କୋଟି ଟଙ୍କାରୁ ଅଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୋଦୀ କହିଛନ୍ତି, ଦେଶର ଚାଷୀମାନେ ବିକଶିତ ଭାରତର ସବୁଠାରୁ ଶକ୍ତିଶାଳୀ ସ୍ତମ୍ଭ ମଧ୍ୟରୁ ଅନ୍ୟତମ। ଚାଷୀଙ୍କ କଲ୍ୟାଣ ଏବଂ ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ।
ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ, ୨୦୧୩-୧୪ ତୁଳନାରେ ଦେଶର କୃଷି ବଜେଟ୍ ଏବେ ପାଞ୍ଚ ଗୁଣରୁ ଅଧିକ ବୃଦ୍ଧି ପାଇଛି। ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଏବେ କୋଟି କୋଟି କ୍ଷୁଦ୍ର ଚାଷୀଙ୍କ ଜୀବନର ଏକ ଅଂଶ ପାଲଟିଛି।
ସେହିପରି ବିଶ୍ୱ ବଜାରରେ ସାର ଦର ବୃଦ୍ଧି ପାଇଥିଲେ ମଧ୍ୟ ଏହାର ଅତିରିକ୍ତ ବୋଝ ଚାଷୀଙ୍କ ଉପରେ ପଡ଼ିବାକୁ ଦିଆଯାଇନାହିଁ ବୋଲି ମୋଦୀ କହିଛନ୍ତି। ଏଥିପାଇଁ ସରକାର ପ୍ରାୟ ୧୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିବା ସେ ଦାବି କରିଛନ୍ତି।
ଅନ୍ୟପଟେ ଚାଷୀଙ୍କ ଜଳସେଚନ ଖର୍ଚ୍ଚ କମାଇବା ପାଇଁ ପିଏମ୍ କୁସୁମ ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ପ୍ରାୟ ୧୨ ଲକ୍ଷ ସୋଲାର ପମ୍ପ ଯୋଗାଇ ଦିଆଯାଇଛି। କୃଷି ଏବଂ ପଶୁପାଳନ କ୍ଷେତ୍ରରେ ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକୁ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି।
କୃଷି କେବଳ ଜୀବିକା ନୁହେଁ, ଏହା ଦେଶର ପରମ୍ପରା ଓ ସଂସ୍କୃତି ବୋଲି କହିବା ସହ ଚାଷୀଙ୍କ ବିକାଶ ହିଁ ବିକଶିତ ଭାରତର ମୂଳ ଆଧାର ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମତ ପ୍ରକାଶ କରିଛନ୍ତି।