ଶିଶୁର ମାନସିକ ଓ ଶାରୀରିକ ବିକାଶରେ ଯେପରି କିଛି ଅଭାବ ପରିଲିକ୍ଷିତ ନ ହେବ ସେଥିପାଇଁ ଗ୍ରାମାଞ୍ଚଳଗୁଡିକରେ ଚାଇଡ଼ ଫଣ୍ଡ ପକ୍ଷରୁ ନିଆଯାଇଛି ବିଶେଷ ପଦକ୍ଷେପ। ଶିଶୁର ଶାରୀରିକ ଓ ମାନସିକ ବିକାଶ ସହ ସୁରକ୍ଷା କ୍ଷେତ୍ରରେ ଖେଳକୁଦର ବିଶେଷ ଗୁରୁତ୍ୱ ରହିଛି। ଏହି କଥାକୁ ଅଭିଭାବକଙ୍କୁ ବୁଝାଇବା ସହ ଶିଶୁ ମାନସିକତା ସହ ଖେଳକୁଦର ଆବଶ୍ୟକତାକୁ ନେଇ ଜମ୍ବୁ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ଭାଗନେଇଥିବା ଅତିଥିମାନେ ନିଜ ନିଜ ମତ ପୋଷଣ ପୂର୍ବକ କହିଛନ୍ତି କି, ଯେଉଁ ବୟସରେ ଶିଶୁଟି ନିଜର ସାଙ୍ଗ ସାଥି ଗହଣାରେ ହସିଖେଳି ନିଜର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ କରିବା କଥା ସେହି ବୟସରେ ବାପା ମାମାନେ ଅଯଥାରେ ଶିଶୁ ଉପରେ ଲଦିଦେଉଛନ୍ତି ପାଠ ପଢ଼ାର ବୋଝ। ଫଳରେ ଶଶୁଟିଏ ନିଜର ଶୈଶବକୁ ଭୁଲି ଯାଉଛି। ଏହା ଭବିଷ୍ୟତ ଜୀବନରେ ଶିଶୁ ପାଇଁ ଘାତକ ହୋଇଥାଏ। ତେଣୁ ବୟସ ଅନୁଯାୟୀ ସେମାନଙ୍କୁ ଖେଳକୁଦ ଓ ପାଠ ପଢାଇବା ଆବଶ୍ୟକ।
ଖେଳ, ସଂଗୀତ, କଳା କୌଶଳ ମାଧ୍ୟମରେ କିପରି ସେମାନେ ନିଜେ ସୁରକ୍ଷିତ ହେବା ସହ ଅନ୍ୟମାନଙ୍କୁ ସହାୟତା କରିପାରିବେ ସେ ବିଷୟରେ ଶିକ୍ଷାଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ଅତିଥିମାନେ। ଏଥିସହ ବାଲ୍ୟ ବିବାହ ପରି କୁପ୍ରଥାର ପ୍ରଚଳନ ବନ୍ଦ କରିବାକୁ ମତ ପୋଷଣ କରିଥିଲେ ଅତିଥିଗଣ। ଏହି ଅବସରରେ ଛୋଟ ଛୋଟ ପିଲାଙ୍କ ଦ୍ୱାରା ଚିତ୍ତାକର୍ଷକ ନାଚ ଗୀତ ପରିବେଷଣ କରାଯାଇଛି।