ବନମହୋତ୍ସବ ସପ୍ତାହ ଅବସରରେ ବୃକ୍ଷ ରୋପଣ ଉପରେ ଗୁରୁତ୍ୱାରୋପ

ଜଙ୍ଗଲ ନଷ୍ଟ କରି ମଣିଷ ପ୍ରକୃତି ସହ ଖେଳିଛି। ଯାହାକୁ ନେଇ ପ୍ରକୃତି ରାଣୀ କ୍ଷୁବ୍ଧ। ରଚୁଛି ବିଭୀଷିକା। କେତେବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ତ ପୁଣି କେତେବେଳେ ଅନାବୃଷ୍ଟି, ଆଉ କେତେବେଳେ ବର୍ଷା ବିତ୍ପାତ, ବନ୍ୟା, ବାତ୍ୟାରେ ମଣିଷ କାକୁସ୍ଥ ହୋଇଯାଇଛି। ଏପରି ସମୟରେ ତାର ଚେତା ପସିଛି। ପୁଣି ପ୍ରକୃତିର ତୁଷ୍ଟିକରଣ ପାଇଁ ଅଣ୍ଟା ଭିଡିଛି। ବୃକ୍ଷ ରୋପଣ ଉପରେ ଦିଆଯାଉଛି ଜୋର। ତେଣୁ ବୃକ୍ଷ ରୋପଣକୁ ପ୍ରୋତ୍ସାହିତ କରିବାକୁ ବନମହୋତ୍ସବ ପାଳନ ହେଉଛି। ଏହି ଅବସରରେ କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କ ତତ୍ତ୍ଵାବଧାନରେ ପାଟରଙ୍ଗା ପଞ୍ଚାୟତ ଅରଣ୍ୟ ମଦନା ପଡିଆ ଠାରେ ୭୫ତମ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି। ଯାଜପୁର ରୋଡ ରେଞ୍ଜର ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୦୦୦ରୁ ଊର୍ଦ୍ଧ୍ବ ବିଭିନ୍ନ କିସମର ଗଛ ରୋପଣ କରାଯାଇଛି। ବୃକ୍ଷ ବିନା ବଞ୍ଚିବା ଅସମ୍ଭବ। ମା ଯେମିତି ଗୋଟିଏ ପିଲା ପାଇଁ ଗୁରୁତ୍ବ ବହନ କରିଥାଏ, ସେହିଭଳି ଗଛ ପ୍ରତ୍ୟେକ ମଣିଷ ପାଇଁ ପ୍ରାଣଦାତ୍ରୀ ସଦୃଶ। ଏଭଳି ପରାମର୍ଶ ଦେଇ ବିଧାୟକ ସମସ୍ତଙ୍କୁ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ନିବେଦନ କରିଛନ୍ତି।

ସେହିପରି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ‌କାଣ୍ଡସର ଜୟ ଜଗନ୍ନାଥ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବୃକ୍ଷ ରୋପଣ ସପ୍ତାହ ଚାଲିଥିବା ବେଳେ କାଣ୍ଡସର ଗ୍ରାମ ପଞ୍ଚାୟତରେ ବୃକ୍ଷରୋପଣ କରାଯାଇଛି। ସଭାପତି ଅନନ୍ତ ବାରିକ ଓ ସାଧାରଣ ସମ୍ପାଦକ ସୁଧାକର ସାହୁଙ୍କ ତତ୍ବାବଧାନରେ ଅନୁଗୋଳ ଜିଲ୍ଲାର ବରିଷ୍ଠ ସମାଜ ସେବୀ ଚିନ୍ମୟୀ ଦାସ, ଜୟ ଜଗନ୍ନାଥ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟଗଣ, ଗ୍ରାମ୍ୟ ଉନ୍ନୟନ କମିଟି ସଦସ୍ୟଙ୍କ ସହଯୋଗରେ କାଣ୍ଡସର ଗ୍ରାମ ପଞ୍ଚାୟତର ବହୁ ସ୍ଥାନରେ ବୃକ୍ଷ ରୋପଣ କରାଯାଇଛି। ସମ୍ପ୍ରତି ଦେଖାଦେଇଥିବା ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟାର ସମାଧାନ ବୃକ୍ଷ ହିଁ କରି ପାରିବ ବୋଲି ମତ ଦେଇଛନ୍ତି ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିଗଣ।

କେନ୍ଦ୍ରାପଡାର ରାଜନଗର ବନଖଣ୍ଡ ଅଧୀନସ୍ଥ ଗୁପ୍ତି ରେଞ୍ଜ କାର୍ଯ୍ୟାଳୟରେ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ରାଜନଗର ଡିଏଫଓ , ତହସିଲଦାର ଓ ସମସ୍ତ ରେଞ୍ଜର, ଫରେଷ୍ଟରଙ୍କ ସହ ଶତାଧିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଜ ଉଦବୋଧନରେ ଆମ ଜୀବନରେ ଗଛର ମହତ୍ବ ସମ୍ପର୍କରେ ଅବଗତ କରାଇଥିଲେ।

ଜଳବାୟୁ ପରିବର୍ତ୍ତନ କାରଣରୁ ଦେଖାଦେଉଥିବା ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଲୋକେ ମଧ୍ୟ କିଞ୍ଚିତ ସଚେତନ ହୋଇଛନ୍ତି। ତେଣୁ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବହୁ ସଂଖ୍ଯାରେ ସାଧାରଣ ଜନତା ମଧ୍ୟ ସାମିଲ ହେଉଛନ୍ତି। ହେଲେ ଗୋଟିଏ କଥା, ଖାଲି ଗଛ ଲଗାଇ ଦେଲେ ହେବ ନାହିଁ। ଲଗାଯାଇଥିବା ଗଛର ଉପଯୁକ୍ତ ଯତ୍ନ ନେଇ ସେସବୁକୁ ବଞ୍ଚାଇ ରଖିବାର ଆବଶ୍ୟକତା ରହିଛି।

Leave a Reply

Your email address will not be published. Required fields are marked *