ବିବାଦରେ ପିୟୁଷ ତ୍ରିପାଠୀ, ଗାଡ଼ି ନେଲେ, ଟଙ୍କା ନେଲେ,ଏବେ କରୁଛନ୍ତି ମନା

ବିବାଦ ଘେରରେ ଯାତ୍ରା କଳାକାର ପିୟୁଷ ତ୍ରିପାଠୀ । ଟଙ୍କା ନେଲେ, ଗାଡ଼ି ନେଲେ ଏବଂ ଜଗନ୍ନାଥଙ୍କ ପାଖରେ ଶପଥ ମଧ୍ୟ କଲେ ହେଲେ ଏବେ ମନା କରୁଛନ୍ତି । ଏଭଳି କିଛି ସଙ୍ଗୀନ ଅଭିଯୋଗ କରିଛନ୍ତି ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢି । ଗତକାଲି ଯାତ୍ରା ସିଂହବାହିନୀ ପକ୍ଷରୁ ସୋସିଆଲ ମିଡିଆରେ ପିୟୁଷ ତ୍ରିପାଠୀଙ୍କ ନାମ ଷ୍ଟାରକାଷ୍ଟରେ ପ୍ରକାଶ କରିବାରୁ ଦେଖାଦେଇଛି ବିବାଦ । ଏ ନେଇ ମୁହଁ ଖୋଲିଛନ୍ତି ପିୟୁଷ ତ୍ରିପାଠୀ, ପିୟୁଷ କହିଛନ୍ତି, ମୁଁ କେବେ ବି ସିଂହବାହିନୀକୁ ଯିବି ନାହିଁ । ମାଲିକ ଏବଂ କଳାକାରଙ୍କ ମଧ୍ୟରେ ବୁଝାମଣାର ଘୋର ଅଭାବ ରହିଲା। ସେଥିପାଇଁ କେବଳ ଆସନ୍ତାବର୍ଷ ନୁହଁ, ମୁଁ ଯାତ୍ରାରେ ଥିବା ପର୍ଯ୍ୟନ୍ତ ସିଂହବାହିନୀ ସହ ନାହିଁ । ମୁଁ ସୂର୍ଯ୍ୟ ମନ୍ଦିରରେ ଥିଲି, ଅଛି ଓ ଆସନ୍ତାବର୍ଷ ମଧ୍ୟ ରହିବି।

ଅନ୍ୟପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖି ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢି କହିଛନ୍ତି, ପିୟୁଷ ବାବୁ ଗତ ନଭେମ୍ବରରେ ହଠାତ୍ ମୋତେ ଫୋନ କରି କଲେ । ବାବୁ ମୁଁ ଆପଣଙ୍କ ପାର୍ଟିରେ କାମ କରିବାକୁ ଚାହୁଁଛି । ମାତ୍ର ମୁଁ କହି ରଖିବାକୁ ଚାହୁଁଛି କି ଆସନ୍ତାବର୍ଷ ପାଇଁ କାହ୍ନା ବାବୁଙ୍କ ସହ ଆମର କଥା ହୋଇଥିଲା ଏବଂ ଏହାସହ ନାଟକ ମଧ୍ୟ ଡିକ୍ଲାର ହୋଇଥିଲା । ଏହା ସତ୍ତେ୍ବ ଏକ ହୋଟେଲରେ ଆଲୋଚନା ହେଲା । ସେଠି ଫାଇନାଲ୍ ହୋଇଥିଲା, ସେ ମୋ ପାର୍ଟିରେ ୫ବର୍ଷ ପର୍ଯ୍ୟନ୍ତ ରହିବେ । ଏହାପରେ ସେଠାରେ ଏଗ୍ରିମେଣ୍ଟ କଲେ । ସେଠାରେ ଅଗ୍ରୀମ ଭାବେ ତାଙ୍କୁ ଏକ ଗାଡ଼ି ଦେବାକୁ ସେ କହିଥିଲେ । ଏହାସହ ବାର୍ଷିକ ୭୦ଲକ୍ଷ ଟଙ୍କା ଦେବାକୁ କହିଥିଲେ । ସେ ଗାଡ଼ି ଆମ ସଂସ୍ଥା ନାଁରେ ଅଛି । ୧୧ଡିସେମ୍ବରରେ ଆମଠାରୁ ଗାଡ଼ି ନେଇଛନ୍ତି। ପିୟୁଷ ବାବୁଙ୍କୁ ମୁଁ ୫୫ଲକ୍ଷ ଟଙ୍କା ଦେଇଛି । ୩୦ଲକ୍ଷ ଟଙ୍କା ଆକାଉଣ୍ଟରେ ନେଇଛନ୍ତି । ନଗଦ ୨୫ଲକ୍ଷ ଟଙ୍କା ନେଇଛନ୍ତି । ଗାଡ଼ି ବାବଦରେ ଏଗ୍ରିମେଣ୍ଟ ହୋଇଛି । ୫ବର୍ଷ ପାଇଁ ସିଂହବାହିନୀରେ ରହିବି ଏବଂ ଗାଡି ସେହି କ୍ରମରେ ନେଇଛି ବୋଲି ସେଥିରେ ଲେଖା ଅଛି । ସେ ତାଙ୍କ ପିଲାମାନଙ୍କ ମୁଣ୍ଡ ଛୁଇଁ ମଧ୍ୟ କହିଛନ୍ତି ।

ଖଣ୍ଡଗିରି ମେଳାରେ ସେ ମୋ ସହ ପୁରୀ ଯାଇ ସେଠାରେ ପ୍ରତିଜ୍ଞା କରିଥିଲେ । ମୋ ପାଖରେ ପ୍ରତିବର୍ଷ ୭୦ଲକ୍ଷରେ ଚୁକ୍ତି କରିଥିଲେ । ସେ କାଲି ମୋ ଫୋନ ଉଠାଇନଥିଲେ । ବର୍ତ୍ତମାନ ଇଜ୍ଜତର କଥା ମୋର । ମୋ ସମ୍ମାନକୁ ଯଦି ବାଧେ ମୁଁ କ’ଣ ବି କରିପାରେ । ସ୍ନାନବେଦୀରେ ବସି ମିଛ କହୁଛନ୍ତି ପିୟୁଷ ତାହା ମୋତେ ଆଶ୍ଚର୍ଯ୍ୟ ଲାଗୁଛି । ତେବେ ଏବେ ଅପେକ୍ଷା ଆସନ୍ତା ବର୍ଷ ପିୟୁଷ କେଉଁ ପାର୍ଟିକୁ ଯିବେ । ଯାତ୍ରା ଜଗତରେ ଟଙ୍କା ନେଣଦେଣ ଏହା କିଛି ନୂଆ ନୁହେଁ । ମାତ୍ର ପିୟୁଷ କ୍ଷେତ୍ରରେ ଦେଖାଦେଇଥିବା କଥା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ସମସ୍ତ ଦର୍ଶକଙ୍କ ନଜର ପିୟୁଷଙ୍କ ଭବିଷ୍ୟତ ଉପରେ । ତାଙ୍କ ଉପରେ ଲାଗିଥିବା ଏହି କଳଙ୍କ କେମିତି ଆଡ଼େଇବେ ତାହା ଏବେ ଦେଖିବାକୁ ବାକି ରହିଲା ।