
ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରି ସୁପ୍ରିମ୍ କୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି।ସୁପ୍ରିମ୍ କୋର୍ଟରେ ଓକିଲାତି କରୁଥିବା ଆଡ୍ଭୋକେଟ୍ ବିଶାଳ ତିୱାରି ଏହି ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ନିଜ ଯାଚିକାରେ ସେ ଏକ କମିଶନ ଗଠନର ଦାବି କରିବା ସହ ଏହାର ଅଧ୍ୟକ୍ଷ ଦାୟିତ୍ୱ ଜଣେ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତିଙ୍କୁ ଦେବାକୁ ଦାବି ଜଣାଇଛନ୍ତି।

ଏଥିସହ ‘କବଚ’ ସୁରକ୍ଷା ବ୍ୟବସ୍ଥା ବା ‘ଅଟୋମେଟିକ୍ ଟ୍ରେନ୍ ପ୍ରୋଟେକ୍ସନ୍’ ଲଗାଇବା ପାଇଁ ଗାଇଡ୍ଲାଇନ୍ ଜାରି କରିବା ଲାଗି ମଧ୍ୟ ଏହି ଜନସ୍ବାର୍ଥ ମାମଲାରେ ଦାବି କରାଯାଇଛି। ଏହି ବ୍ୟବସ୍ଥା ପ୍ରଚଳନ କରାଗଲେ ଜନସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଘଟିବା ସହିତ ଦେଶରେ ରେଳ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବ ବୋଲି ତିୱାରି ନିଜ ଯାଚିକାରେ କହିଛନ୍ତି।

ସେ ତାଙ୍କ ଯାଚିକାରେ ଆହୁରି କହିଛନ୍ତି କି, ସୁପ୍ରିମ୍ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ବୈଷୟିକ ଜ୍ଞାନ ଥିବା ସଦସ୍ୟମାନଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରିବା ପାଇଁ ସରକାର ନିର୍ଦେଶ ଦିଅନ୍ତୁ । ଏହି କମିଟି ବର୍ତ୍ତମାନର ରେଳବାଇ ବ୍ୟବସ୍ଥାରେ ଥିବା ମାନ ଓ ବିପଦର ସମୀକ୍ଷା କରିବ। ଏଥିସହ ରେଳବାଇ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଆବଶ୍ୟକ ପରିବର୍ତ୍ତନ ସଂକ୍ରାନ୍ତରେ ମଧ୍ୟ ପ୍ରସ୍ତାବ ଦେବ। ଏହାଛଡ଼ା, ଏହି କମିଟି ଅଦାଲତରେ ୨ ମାସରେ ତା’ର ରିପୋର୍ଟ ଦାଖଲ କରିବା ଦରକାର ବୋଲି ଏଥିରେ ଉଲ୍ଲେଖ ରହିଛି।