
ପେରୁର ସୁନା ଖଣିରେ ଭୟଙ୍କର ନିଆଁ ଲାଗି ବହୁ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଦକ୍ଷିଣ ପେରୁର ଗୋଟାଏ ନିର୍ଜନ ଅଞ୍ଚଳରେ ଏହି ସୁନାଖଣିଟି ରହିଛି। ରବିବାର ସରକାରୀ ସୂଚନା ମୁତାବକ, ଅଗ୍ନିକାଣ୍ଡରେ ସେଠାରେ କାର୍ଯ୍ୟରତ ୨୭ ଶ୍ରମିକଙ୍କର ମୃତ୍ୟୁ ହୋଇଛି।

ପୁଲିସ ଏବଂ ପବ୍ଲିକ୍ ପ୍ରୋସିକ୍ୟୁଟଙ୍କ ଅଫିସ ପକ୍ଷରୁ କୁହାଯାଇଥି କି, ଏରେକ୍ୱିପା ଅଞ୍ଚଳରେ ଥିବା ଲା’ ଏସ୍ପେରାଞ୍ଜା-୧ ଖଣିରୁ ସୁନା ଖନନ ଚାଲିଥିଲା। ଶ୍ରମିକମାନେ ଖନନରେ ବ୍ୟସ୍ତ ଥିବା ବେଳେ ଏକ ସୁଡ଼ଙ୍ଗରେ ସର୍ଟସର୍କିଟ୍ ହୋଇଥିଲା ଓ ନିଆଁ ସୁଡଙ୍କ ଦେଇ ବ୍ୟାପୀ ଯାଇଥିଲା। ଏଥିରେ ଅତି କମରେ ୨୭ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ‘ଚାନେଲ୍ ଏନ୍’ ଟେଲିଭିଜନ୍କୁ ପବ୍ଲିକ୍ ପ୍ରୋସିକ୍ୟୁଟର୍ ଜିଓଭାନି ମାତୋସ୍ କହିଛନ୍ତି।

ମୃତ ବ୍ୟକ୍ତିମାନଙ୍କର ଶବ ଉଦ୍ଧାର କରିବା ପୂର୍ବରୁ ଉଦ୍ଧାରକାରୀ ଦଳ ଖଣିକୁ ନିରାପଦ ରଖିବାକୁ ଉଦ୍ୟମ କରିଥିଲେ। କାରଣ ଭିତରକୁ ପ୍ରବେଶ କରି ଶବ ଉଦ୍ଧାର କରିବା ନିମନ୍ତେ ତାହାହିଁ ଏକମାତ୍ର ଉପାୟ ଥିଲା ବୋଲି ପବ୍ଲିକ୍ ପ୍ରୋସିକ୍ୟୁଟର୍ ଜିଓଭାନି ମାତୋସ୍ କହିଛନ୍ତି। ପୁଲିସ ମୃତବ୍ୟକ୍ତିମାନଙ୍କ ସମ୍ବନ୍ଧରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲା। ତେଣୁ ରବିବାର ସରକାରୀସ୍ତରରେ ସୂଚନା ଦିଆଯାଇଛି।

ଏହା ପୂର୍ବରୁ ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ କରିଥିଲା ଯେ, କଣ୍ଡେସୁୟୋସ୍ ପ୍ରଦେଶ ଅନ୍ତର୍ଗତ ୟାନାକ୍ବିହୁଆ ନଗରୀରେ ଥିବା ଖଣିରେ ବିସ୍ଫୋରଣ ଘଟି ନିଆଁ ଲାଗିଥିଲା। ବିସ୍ଫୋରଣ ହେବା ଫଳରେ ଖଣି ଭିତରେ ଲାଗିଥିବା କାଠଖୁଣ୍ଟିସବୁ ନିଆଁ ଲାଗି ଜଳିବାକୁ ଲାଗିଥିଲା। ଖଣିରେ ନିଆଁ ଲାଗିଥିବା ବେଳେ ଖଣିର ୧୦୦ ମିଟର ଗଭୀରରେ ଶ୍ରମିକମାନେ କାର୍ଯ୍ୟରତ ଥିଲେ। ଭିତରଟି ଏକ ସୁଡଙ୍ଗ ପରି ହୋଇଥିବାରୁ ଅଧିକାଂଶ ଶ୍ରମିକଙ୍କ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା। ଏସମ୍ପର୍କରେ ୟାନାକ୍ବିହୁଆର ମେୟର୍ ଜେମ୍ସ୍ କାସକ୍ବିନୋ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ତେବେ ଖଣିରେ କେତେ ଜଣ କାର୍ଯ୍ୟରତ ଥିଲେ ତାହା ଜଣାପଡି ନାହିଁ। ଶେଷ ରିପୋର୍ଟ ମୁତାବକ ଖଣିରୁ ୧୭୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ୨୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପେରୁ ଇତିହାସରେ ଏହା ହେଉଛି ଅନ୍ୟତମ ଦୁଃଖଦ ଖଣି ଦୁର୍ଘଟଣା। ଦୁର୍ଘଟଣାର ଖବର ପାଇ ଶ୍ରମିକମାନଙ୍କ ଶୋକସନ୍ତପ୍ତ ଆତ୍ମୀୟ ଖଣି ନିକଟରେ ରୁଣ୍ଡ ହୋଇଥିଲେ। ପୋଲିସ ପ୍ରଶାସନକୁ ଏମାନଙ୍କୁ ନିୟନ୍ତ୍ରଣ କରି ଉଦ୍ଧାର କାର୍ଯ୍ୟ କରିବାରେ ବହୁ ସମୟ ଲାଗିଯାଇଥିଲା।

ସୂଚନାଯୋଗ୍ୟ, ପେରୁ ହେଉଛି ବିଶ୍ୱର ସର୍ବ ବୃହତ ସୁନା ଉତ୍ପାଦନକାରୀ ରାଷ୍ଟ୍ର। ପ୍ରତିବର୍ଷ ଏଠାରୁ ୧୦୦ ଟନ ସୁନା ଉତ୍ତୋଳନ ହୋଇଥାଏ, ଯାହା ବିଶ୍ୱର ମୋଟ ସୁନା ସପ୍ଲାଇର ୪ପ୍ରତିଶତ ହେବ। ଚଳିତ ଖଣି ଦୁର୍ଘଟଣାକୁ ସବୁଠାରୁ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା କୁହାଯାଉଛି। କାରଣ ଗୋଟିଏ ବର୍ଷରେ ଡର୍ଜନ ଡର୍ଜନ ଲୋକଙ୍କ ମୃତ୍ୟୁ ଦେଶର ଖଣି ଉଦ୍ୟୋଗରେ ସାଧାରଣ କଥା ନୁହେଁ। ତେବେ ଛୋଟ ମୋଟ ଦୁର୍ଘଟଣା ସେଠାକାର ଖଣିରେ ପ୍ରତି ବର୍ଷ ଘଟିଥାଏ।
I’m extremely inspired with your writing skills and also with the structure in your blog. Is this a paid subject matter or did you modify it yourself? Anyway stay up the nice quality writing, it’s rare to look a great blog like this one nowadays!