
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପାଲସିଂହା ଗାଁରେ ଅଭାବନୀୟ ଘଟଣା । ପକୁଡ଼ି ଖାଇ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ ପାଲସିଂହା ଗାଁର ଭାସ୍କର ସାହୁ ଓ ସ୍ତ୍ରୀ ସାବିତ୍ରୀ ପକୁଡ଼ି ଛାଣୁଥିଲେ । ହେଲେ ସେମାନେ ମକା ପାଉଡର ଭାବି ଗାମାକ୍ସିନ ମିଶାଇଥିଲେ । ପକୁଡ଼ି ଛାଣି ଖାଇବା ପରେ ଦମ୍ପତିଙ୍କ ସମେତ ପୁଅ ରାଜକିଶୋର ମଧ୍ୟ ଅସୁସ୍ଥ ହୋଇଥିଲେ । ସେମାନଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ହସ୍ପିଟାଲ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ମେଡିକାଲରେ ସେମାନଙ୍କ ଚିକିତ୍ସା ଜାରି ଥିବାବେଳେ ସ୍ଥିତିରେ ସୁଧାର ଆସିଥିବା ଜଣାପଡ଼ିଛି ।

ସାମାନ୍ୟ ଅସାବଧାନତା ଯୋଗୁଁ ଗୋଟିଏ ପରିବାରର ୩ ଜଣ ଏବେ ମେଡିକାଲରେ । ଖାଇବା ଜିନିଷରେ ମିଶିଗଲା ଗାମାକ୍ସିନ ଯାହା ନିହାତି ଶରୀର ପାଇଁ ବିଷାକ୍ତ । ତେଣୁ ଏଭଳି ସ୍ଥିତିରେ ସର୍ବଦା ସାବଧାନତା ଅବଲମ୍ବନ କରିବାକୁ ହେବ । ନଚେତ କେତେବେଳେ ବି କାହାର ଜୀବନ ଚାଲିଯାଇପାରେ । ଭାସ୍କର ଏବଂ ତାଙ୍କ ପତ୍ନୀ ପକୁଡ଼ି ଛାଣୁଥିବା ବେଳେ ଏଭଳି ଅଘଟଣ ଘଟିଗଲା । ଏବେ ସେମାନେ କିପରି ସୁସ୍ଥ ହୋଇ ଘରକୁ ଫେରିବେ ସେ ନେଇ ସମସ୍ତଙ୍କ ଚିନ୍ତା ।