ବେଆଇନ୍ ମାଟି ଖୋଳାକୁ ନେଇ ପର୍ଜଙ୍ଗ ତହସିଲଦାରଙ୍କୁ ଆକ୍ରମଣ ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ ଅଭିଯୋଗ ହୋଇଛି । ତହସିଲଦାରଙ୍କୁ ଜେସିବି ଚଢ଼ାଇ ଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ସୂଚନା ଅନୁସାରେ ପଥରଖମ୍ବ ଗାଁ ନିକଟରେ ବେଆଇନ୍ ମାଟି ଖୋଳା ଯାଉଥିଲା । ସରକାରୀ ଜମିରୁ ଜେସିବି ମାଧ୍ୟମରେ ମାଟି ଖୋଳା ଯାଉଥିବାକୁ ନେଇ ଚଢ଼ାଉ କରିଥିଲେ ତହସିଲଦାର ଶୁଭ୍ର ପଟେଲ । ଘଟଣାସ୍ଥଳରେ ପହଞ୍ଚି ମାଟି ଉଠାଉଥିବା ବେଳେ ନିଜ ମୋବାଇଲରେ ଫଟୋ ମଧ୍ୟ ଉଠାଇଥିଲେ । ମୋବାଇଲରେ ଫଟୋ ଉଠାଇବା ବେଳେ ସେଠାରେ ଉପସ୍ଥିତ ମାଫିଆମାନେ ତାଙ୍କୁ ଆକ୍ରମଣ କରିଥିଲେ। । ମାଡ଼ ମାରିବା ସହ ମରଣାନ୍ତ୍ରକ ଆକ୍ରମଣ କରିଥିଲେ ।

ତେବେ ଆକ୍ରମଣ ପରେ ଗୁରୁତର ହୋଇଥିଲେ ତହସିଲଦାର । ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ରାଜସ୍ବ ନିରୀକ୍ଷକ ଆଲୋକ କୁମାର ଲେଙ୍କା ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଖବର ମିଳିଛି । ଗୁରୁତର ତହସିଲଦାରଙ୍କୁ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମାଫିଆ ଗ୍ୟାଙ୍ଗରେ ୮ରୁ ୧୦ ଜଣ ସାମିଲ ଥିବା ନେଇ ସୂଚନା ମିଳିଛି ।

ଏହି ଘଟଣା ପରେ ଖବର ପାଇ ପର୍ଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ ମେଡିକାଲ ଯାଇଥିଲେ । କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ମଧ୍ୟ ମେଡିକାଲରେ ପହଞ୍ଚି ଗୁରୁତର ତହସିଲଦାରଙ୍କ ସହ ଆଲୋଚନା କରିଛନ୍ତି । ସେମାନେ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଘଟଣାସ୍ଥଳ ଯାଇ ଗୋଟିଏ ଟ୍ରାକ୍ଟର ଜବତ କରିବା ସହ ତଦନ୍ତ ଜାରି ରଖିଛି ପୋଲିସ ।

Leave a Reply

Your email address will not be published. Required fields are marked *