ବିକ୍ରି ହୋଇଥିବା ଶିଶୁପୁତ୍ରକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର

ବହୁ ଚର୍ଚ୍ଚିତ ଜଗତସିଂହପୁରର ପାରାଦ୍ଵୀପ ଶିଶୁପୁତ୍ର ବିକ୍ରି ଘଟଣାରେ ପୋଲିସ ଶିଶୁପୁତ୍ରକୁ ଉଦ୍ଧାର କରି ଜିଲ୍ଲା ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଛି। ଶିଶୁଟି ଏବେ ସୁସ୍ଥ ଅଛି ଏବଂ ତାକୁ ଜିଲ୍ଲା ସରକାରୀ ଶିଶୁ ଆଶ୍ରମ “ଶା” ରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ଶିଶୁପୁତ୍ର ବିକ୍ରି କଥା ପ୍ରଘଟ ହେବା ପରେ ପୋଲିସ ଓ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଗୁରୁବାର ତଦନ୍ତ କରିବା ସହିତ ପିଲାଟିକୁ ପୋଲିସ ନିକଟରେ ହସ୍ତାନ୍ତର କରିବାକୁ କହିଥିଲେ। ଶୁକ୍ରବାର ପରିବାର ପକ୍ଷରୁ ଶିଶୁପୁତ୍ରକୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ଏହା ପରେ ଅଠରବାଙ୍କୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ଚିକିତ୍ସା କରାଯାଇଥିଲା। ଶିଶୁ ମଙ୍ଗଳ ସମିତିର ସଦସ୍ଯାମାନେ ପହଞ୍ଚି ଶିଶୁକୁ ଗ୍ରହଣ କରିଥିଲେ। ହେଲେ ପିଲା ବିକ୍ରି ଘଟଣାକୁ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ଅସ୍ବୀକାର କରିବା ସହିତ , ପିଲାଟି ପାରାଦ୍ଵୀପରେ ଥିବା କହିବା ସହ ଏବେ ତାର ସ୍ବାସ୍ଥ୍ୟାବସ୍ଥା ଠିକ ଥିବା କହିଥିଲେ।

ସୂଚନାଯୋଗ୍ୟ କି, ଗତ ରବିବାର ଦିନ ନୂଆବଜାର ଅଞ୍ଚଳରେ ରହୁଥିବା ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା ଅଠରବାଙ୍କୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ମହିଳା ଜଣକ ମୁଲ ଲାଗି ଚଳୁ ଥିବାରୁ ପ୍ରଥମେ ଗର୍ଭ ନଷ୍ଟ କରିବାକୁ ଚାହୁଁଥିଲେ । ମାତ୍ର ନୂଆବଜାରର ଜଣେ ବ୍ୟକ୍ତି ଏପରି ନ କରିବାକୁ କହିବା ସହିତ ପିଲା ଜନ୍ମ ପରେ ସେ ପିଲାଟିକୁ ନେବେ ବୋଲି କହିଥିଲେ। ଏଥିସହ ମହିଳାଙ୍କର ସମସ୍ତ ଖର୍ଚ୍ଚ ବହନ କରୁଥିଲେ। ପିଲା ଜନ୍ମ ହେବା ପରେ ମହିଳା ଜଣକ ଶିଶୁଟିକୁ ସମ୍ପୃକ୍ତ ସେହି ବ୍ୟକ୍ତିଙ୍କୁ ଦେଇ ପାରାଦ୍ଵୀପ ଛାଡି ଚାଲିଯାଇଥିଲେ।

Leave a Reply

Your email address will not be published. Required fields are marked *