
ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ରୋଜି ସେଠୀଙ୍କ ବିରୋଧରେ ଗତ ଏପ୍ରିଲ୍ ୨୫ତାରିଖରୁ ଚାଲିଥିବା ଅନାସ୍ଥା ନାଟକର ଆଜି ଅବସାନ ଘଟିଛି। ଶତ ଚେଷ୍ଟା ସତ୍ତ୍ବେ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, ଅଧ୍ୟକ୍ଷା ରୋଜି ସେଠୀଙ୍କୁ ଗାଦିଚ୍ୟୁତ କରିପାରି ନାହାନ୍ତି। ପୂର୍ବତନ ବିଧାୟକ ପ୍ରତାପ ଜେନା ଓ ପୂର୍ବତନ ବିଧାୟକ ଚନ୍ଦ୍ରସାରଥି ବିଧାୟକଙ୍କ ମିଳିତ ଗୋଟିଚାଳନା ଆଗରେ ବିଧାୟକ ସାରଦାଙ୍କ ରଣନୀତି ଫେଲ୍ ମାରିଛି।
ସୂଚନା ମୁତାବକ, ଗତ ନିର୍ବାଚନରେ ମାହାଙ୍ଗା ବିଧାୟକ ଭାବେ ସାରଦା ବିଜୟୀ ହେବା ପରେ ଏହି ପଞ୍ଚାୟତ ସମିତି ଅକ୍ତିଆରକୁ ନେବା ପାଇଁ ସେ ନିଜ ଶିବିରକୁ ଟାଣିନେଇଥିଲେ। ଅଶୋକ ନାଟକୀୟ ଢଙ୍ଗରେ ଉପାଧ୍ୟକ୍ଷ ପଦବିରୁ ଇସ୍ତଫା ଦେବା ପରେ ବିଧାୟକ ନିଜ ସମର୍ଥକ ନୃସିଂହ ଚରଣ ମିଶ୍ରଙ୍କୁ ଉପାଧ୍ୟକ୍ଷ ଭାବେ ନିର୍ବାଚିତ କରାଇଥିଲେ । ଏହାପରେ ତାଙ୍କର ଦୃଷ୍ଟି ରହିଥିଲା ଅଧ୍ୟକ୍ଷ ପଦବି ଉପରେ ଗତ ଅପ୍ରେଲ୍୨୫ତାରିଖରେ ତାଙ୍କ ସମର୍ଥକ ୩୧ଜଣ ସରପଞ୍ଚ ଓ ସମିତିସଭ୍ୟଙ୍କୁ ନେଇ ସଦର ଉପ-ଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ଗତ ୧୩ତାରିଖ ଦିନ ଅଧ୍ୟକ୍ଷାଙ୍କ ଅନାସ୍ଥା ନିମନ୍ତେ ଦିନ ଧାର୍ଯ୍ୟ ହୋଇଥିଲା ତେବେ, ସମର୍ଥନ ଯୋଗାଡ଼ ହୋଇ ନ ପାରିବାରୁ ଖେଳ ବଦଳିଥିଲା। ୫ଜଣ ଲୋକପ୍ରତିନିଧି ଓ ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀ ହଠାତ୍ ଅସୁସ୍ଥ ହେବା ଫଳରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା ପୁନଶ୍ଚ ପ୍ରଶାସନ ପକ୍ଷରୁ କାଲି ୩୦ ତାରିଖ ଅନାସ୍ଥା ଭୋଟ୍ ନିମନ୍ତେ ଦିନଧାର୍ଯ୍ୟ କରାଯାଇଥିଲା୪୧ପଞ୍ଚାୟତର ୮୨ଜଣ ପ୍ରତିନିଧି, କଟକ ଓ କେନ୍ଦ୍ରାପଡା ସାଂସଦ ଏବଂ ମାହାଙ୍ଗା ଓ କଟକ ସଦର ବିଧାୟକଙ୍କୁ ମିଶାଇ ୮୬ଜଣ ମତଦାନ କରିବାର ଥିଲା ଅଧ୍ୟକ୍ଷାଙ୍କୁ ହଟାଇବା ପାଇଁ ୫୮ଟି ଓ ସେପଟେ ଅଧ୍ୟକ୍ଷା ନିଜ ପଦବି ବଜାୟ ରଖିବା ପାଇଁ ୨୯ଟି ଭୋଟ୍ ଆବଶ୍ୟକ ଥିଲା।
ତେବେ, ବିଧାୟକ ସାରଦାଙ୍କ ଗୋଷ୍ଠୀ ୫୮ଟି ଭୋଟ୍ ହାସଲ କରି ପାରି ନଥିଲେ । ବିଧାୟକ ସାରଦାଙ୍କ ସମର୍ଥିତ କୌଣସି ସରପଞ୍ଚ ଓ ସମିତିସଭ୍ୟ ଭୋଟ୍ ଦେବାକୁ ଆସି ନଥିଲେ। ଆଜି ଦିନ ୧୧ଟାରୁ ୧୨ଟା ମଧ୍ୟରେ ୮୬ଜଣ ସଦସ୍ୟଙ୍କ ମଧ୍ୟରୁ ଅଧ୍ୟକ୍ଷା ରୋଜି ସେଠୀଙ୍କ ସମେତ ମାତ୍ର ୮ଜଣ ଅନାସ୍ଥା ପାଇଁ ପହଞ୍ଚିଥିଲେ। ଅନାସ୍ଥା ପରିଚାଳନା ଦାୟିତ୍ଵରେ ଥିବା ସାଲେପୁର ତହସିଲଦାର ଜୟନ୍ତ ଜୟସିଂହ ନିୟମ ଅନୁସାରେ ସେମାନଙ୍କ ଦସ୍ତଖତ କରାଇ ଏ ସମ୍ପର୍କରେ ଉପ-ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ସୂଚନାଯୋଗ୍ୟ, ବିଧାୟକ ସାରଦା, କଟକ ସଦର ବିଧାୟକ ଇଂ. ପ୍ରକାଶ ସେଠୀ, କଟକ ସାଂସଦ ଭର୍ତ୍ତୃହରି ମହତାବ ଓ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ସମନ୍ବୟ ନଥିବାରୁ ଶାସକ ଦଳକୁ ଏପରି ଧକ୍କା ମିଳିଛି। ସେପଟେ ପୂର୍ବତନ ବିଧାୟକ ପ୍ରତାପ ଏବଂ ପୂର୍ବତନ ବିଧାୟକ ଚନ୍ଦ୍ରସାରଥିଙ୍କ ସଫଳ ଗୋଟିଚାଳନା ହେତୁ ବିଜେଡି ନିଜର ଦବଦବା ବଜାୟ ରଖିପାରିଛି .