Blog

  • କହୁ କହୁ ମନ କଥା କହିଦେଲେ ସାହିଦ କପୁର

    କହୁ କହୁ ମନ କଥା କହିଦେଲେ ସାହିଦ କପୁର

    କହୁ କହୁ ନିଜର ମନର କଥା ସବୁ କହିଦେଲେ ଅଭିନେତା ସାହିଦ କପୁର। ପ୍ରକୃତରେ କଣ ହୋଇଥିଲା ସାହିଦଙ୍କ ସହ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା। ବଲିଉଡର ଜଣେ ଆଗ ଧାଡିର ଅଭିନେତା ହେଉଛନ୍ତି ସାହିଦ କପୁର। ଚକଲେଟ ହିରୋ ନାମରେ ସମସ୍ତଙ୍କ ହୃଦୟରେ ସେ ରାଜ କରନ୍ତି । ସାହିଦ ନିଜ ରିଲ ଲାଇଫ ହେଉ କି ରିଅଲ ଲାଇଫ ହେଉ, ସବୁବେଳେ ଚର୍ଚ୍ଚାରେ ଥାନ୍ତି ।

    ପୁଣି ଥରେ ଏମିତି କିଛି କହିଦେଇଛନ୍ତି କି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସାହିଦ। ଖବର ନେବାରୁ ଜଣାପଡିଛି କି, ନିକଟରେ ସାହିଦ କପୁର କହିଥିଲେ ମୁଁ ପୁଣି ଥରେ ସେହି ଚରିତ୍ର କରିବାକୁ ଚାହୁଁଛି ଯାହା ବାସ୍ତବରେ ମୋତେ ଭଲ ଲାଗିନଥିଲା। ତେବେ କଣ ସାହିଦ ଫିଲ୍ମ ପଦ୍ମାବତ କଥା କହୁଛନ୍ତି। କାରଣ ୫ ବର୍ଷ ପୂର୍ତ୍ତି ଅବସରରେ ଥରେ ସାହିଦ କପୁର କହିଥିଲେ କି, ଫିଲ୍ମରେ ମୁଁ ମୋ ଅଭିନୟରେ ଖୁସି ନାହିଁ। ମୁଁ ଫସିଗଲି। ଅର୍ଥାତ୍ ସାହିଦ ନିଜେ ଏକମତ ଯେ, ପଦ୍ମାବତ ଫିଲ୍ମରେ ସେ ଅଭିନୟ କରିଥିବା ରାଜା ରତନ ରାବଲ ସିଂ ଭୂମିକାକୁ ସେ ୧୦୦ ପ୍ରତିଶତ ଅଭିନୟ କରିପାରିନଥିଲେ।

    ଆଜ୍ଞା ହଁ, ଏକ ସାକ୍ଷାତକାରରେ ଅଭିନେତା ନିଜେ କହିଛନ୍ତି କି, ଯେତେବେଳେ ସେ ଫିଲ୍ମ ପଦ୍ମାବତରେ ରାଜା ରତନ ରାବଲ ସିଂହଙ୍କ ଭୂମିକାରେ ଅଭିନୟ କରୁଥିଲେ। ସେତେବେଳେ ସେ କୌଣସି ସମସ୍ୟାରେ ଫସି ଯାଇଥିଲେ। ଯେଉଁଥି ପାଇଁ ସେ ଫିଲ୍ମରେ ତାଙ୍କ ୧୦୦ ପ୍ରତିଶତ ଦେଇପାରିନଥିଲେ। ତେଣୁ ତାଙ୍କୁ ଫିଲ୍ମ ସେଟରେ ଜଣେ ଆଉଟ ସାଇଡର ପରି ଲାଗୁଥିଲା ବୋଲି ସେ କହିଥିଲେ।
    ତେବେ ସେ ଯାହା ବି ହେଉ ଏହି ଫିଲ୍ମଟି ବକ୍ସ ଅଫିସରେ ସୁପର ହିଟ ହୋଇଥିଲା। ଆଉ ଦର୍ଶକଙ୍କ ହୃଦୟରେ ଏବେବି ରାଜ କରୁଛି।

  • ଧାନ କୁଇଣ୍ଟାଲରେ ଏମଏସପି ବଢିଲା ୧୪୩ ଟଙ୍କା

    ଧାନ କୁଇଣ୍ଟାଲରେ ଏମଏସପି ବଢିଲା ୧୪୩ ଟଙ୍କା

    ଚାଷୀଙ୍କ ପାଇଁ ଖୁସି ଖବର। ଏମଏସପି ବଢାଇଲେ ସରକାର। ଏନେଇ ଆସିଥିବା ପ୍ରସ୍ତାବରେ ବାଜିଲା କେନ୍ଦ୍ର କ୍ୟାବିନେଟ ମୋହର। ଧାନ, ସୂର୍ଯ୍ୟମୁଖୀ, କପାର ସର୍ବନିମ୍ନ ସହାୟକ ରାଶି ବୃଦ୍ଧି କରିଛନ୍ତି ସରକାର। ଧାନ କୁଇଣ୍ଟାଲ ପିଛା ୧୪୩ ଟଙ୍କା ବଢିଥିବା ବେଳେ କପାରେ ୫୪୦ ଟଙ୍କା, ସୂର୍ଯ୍ୟମୁଖୀରେ ୩୬୦ ଟଙ୍କାର ବୃଦ୍ଧି କରାଯାଇଛି। ସେହିପରି ଲଙ୍ଗ କଟନ ପାଇଁ ୬୪୦ ଟଙ୍କା ବୃଦ୍ଧି ହୋଇଛି।

    ବୁଧବାର ଦିନ ଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ବୈଠକ ବସିଥିବା ବେଳେ ଏଥିରେ ଅନେକ ପ୍ରସ୍ତାବ ଉପରେ ମୋହର ଲାଗିଥିଲା। ସେଥିମଧ୍ୟରୁ ଏମଏସପି ପ୍ରସ୍ତାବକୁ ମିଳିଛି ସ୍ୱୀକୃତି। ଏନେଇ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ପ୍ରେସମିଟ କରି ଦେଇଛନ୍ତି ସୂଚନା।ସୂଚନା ମୁତାବକ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୧୪୩ ଟଙ୍କା ବଢ଼ିଛି। ଚାଷୀମାନେ ଏବେ ସାଧାରଣ ଧାନ ପିଛା ୨୧୮୩ ଟଙ୍କା ପାଇବେ। ସେହିପରି ଗ୍ରେଡ ଏ ଧାନା ୨୨୦୩ ଟଙ୍କା ପାଇବେ। ୨୦୧୪-୧୫ରେ ସାଧାରଣ ଧାନର ଏମଏସ୍‌ପି କୁଇଣ୍ଟାଲ ପିଛା ୧୩୬୦ ଟଙ୍କା ଥିଲା।

    ସେହିପରି, ହାଇବ୍ରିଡ ଯଅ କୁଇଣ୍ଟାଲ ପିଛା ଦାମ ୨୯୭୦ରୁ ୩୧୮୦ ଟଙ୍କା ହୋଇଥିବା ବେଳେ ମାଲଦାଣ୍ଡି ଯଅର ମୂଲ୍ଯ ୨୯୯୦ରୁ ୩୨୨୫ ଟଙ୍କା ହୋଇଛି। ଆଉ ଏମଏସପି ବୃଦ୍ଧି ପାଇଥିବା ପରେ – ବାଜରା କୁଇଣ୍ଟାଲ ପିଛା ୨୫ଶହ ହୋଇଛି, ଯାହା ୨୦୨୨-୨୩ରେ ୨୩୫୦ ଥିଲା। ମାଣ୍ଡିଆର ଏମଏସପି ବୃଦ୍ଧି ପରେ ଏହା ୩୮୪୬ ଟଙ୍କା ହୋଇଛି, ଯାହା ୨୦୨୨-୨୩ରେ ୩୫୭୮ ଥିଲା।ସେହିପରି, ମକାର ଦାମ ୨୦୨୨-୨୩ରେ ୧୯୬୨ ଥିବା ବେଳେ ଏବେ ୨୦୯୦ ଟଙ୍କା ହୋଇଛି।

    ହରଡ଼ ଡାଲ ଓ ଚଣା ଦାମ ଏବେ ୭ ହଜାର ଟଙ୍କା ହୋଇଛି, ଯାହା ୨୦୨୨-୨୩ରେ ୬୬୦୦ ଟଙ୍କା ଥିଲା।ମୁଗ ଡାଲିର ଦାମ ୨୦୨୨-୨୩ରେ ୭୭୫୫ ଟଙ୍କା ଥିବା ବେଳେ ଏବେ ୮୫୫୮ ଟଙ୍କା, ବିରି ଡାଲି ୨୦୨୨-୨୩ରେ ୬୬୦୦ ଟଙ୍କା ଥିବା ବେଳେ ଏବେ ୬୯୫୦ ଟଙ୍କା, ବାଦାମ ୨୦୨୨-୨୩ରେ ୫୮୫୦ ଟଙ୍କାରୁ ବଢି ୬୩୭୭ ଟଙ୍କା ହୋଇଛି।ସୂର୍ଯ୍ୟମୁଖୀ ମଞ୍ଜି ୨୦୨୨-୨୩ରେ ୬୪୦୦ ଟଙ୍କାରୁ ବଢି ୬୭୬୦ ଟଙ୍କା ହୋଇଥିବା ବେଳେ ସୋୟାବିନ ୪୩୦୦ ଟଙ୍କାରୁ ୪୬୦୦ ଟଙ୍କାରେ ପହଞ୍ଚିଛି। ରାଶିର ୭୮୩୦ ଟଙ୍କା ରୁ ୮୬୩୫ ଟଙ୍କା , ପେସୀ ୭୨୮୭ ଟଙ୍କାରୁ ୭୭୩୪ ଟଙ୍କା, କଟନ(ମିଡିୟମ) ୬୦୮୦ ଟଙ୍କାରୁ ୬୬୨୦ ଟଙ୍କା ଓ କଟନ(ଲଙ୍ଗ)ର ମୂଲ୍ଯ ବୃଦ୍ଧି ପାଇ ୭୦୨୦ ଟଙ୍କା ହୋଇଛି। ପୂର୍ବରୁ ୬୩୮୦ ଟଙ୍କା ଥିଲା ।

  • ହୀରାକୁଦ ଗେଟ୍ ଖୋଲିବା ପାଇଁ ମକଡ୍ରିଲ୍, ଠିକ୍ ଭାବେ ବନ୍ୟା ପରିଚାଳନା ଲକ୍ଷ୍ୟ

    ହୀରାକୁଦ ଗେଟ୍ ଖୋଲିବା ପାଇଁ ମକଡ୍ରିଲ୍, ଠିକ୍ ଭାବେ ବନ୍ୟା ପରିଚାଳନା ଲକ୍ଷ୍ୟ

    ଯେକୌଣସି ସମୟରେ ଖୋଲିପାରେ ସମ୍ବଲପୁର ହୀରାକୁଦ ଗେଟ୍ । ଚଳିତବର୍ଷ ବର୍ଷା ସିଜିନରେ ଯେକୌଣସି ସମୟରେ ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି ପରେ ମକଡ୍ରିଲ କରାଯାଇଛି । ଗେଟ୍ ଖୋଲିବା ବେଳେ ଯେମିତି କୌଣସି ଅସୁବିଧା ନ ହେବ ସେଥିପାଇଁ ପଦକ୍ଷେପ ନେବା ଆରମ୍ଭ ହୋଇଛି । ବନ୍ୟା ପରିଚାଳନା ଠିକ୍ ଭାବରେ କରିବା ପାଇଁ ଏଭଳି ମକଡ୍ରିଲ ଏବେଠାରୁ ଆରମ୍ଭ ହୋଇଛି ।

    ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ରହିଛି ୬୦୩.୧୦ ଫୁଟ । ଡ୍ୟାମ୍ ଭିତରକୁ ପ୍ରତି ସେକେଣ୍ଡରେ ୧୦୧୯ ଘନଫୁଟ ପାଣି ପ୍ରବେଶ କରୁଛି । ବିଭିନ୍ନ କେନାଲ ଦେଇ ପ୍ରତି ସେକେଣ୍ଡରେ ୭୮୩୦ ଘନଫୁଟ ଜଳ ନିଷ୍କାସିତ ହେଉଛି । ଆଗକୁ ଆସୁଛି ବର୍ଷା ଋତୁ । ମୌସୁମୀ ମଧ୍ୟ ୪୮ ଘଣ୍ଟା ମଧ୍ୟରେ କେରଳ ଛୁଇଁବା ନେଇ IMD ପକ୍ଷରୁ ସୂଚନା ମିଳିଛି । ତେବେ ଓଡ଼ିଶାକୁ କେବେ ମୌସୁମୀ ଆସିବ ସେ ନେଇ ଚାଷୀଙ୍କ ଅପେକ୍ଷା ରହିଛି । ଚଳିତବର୍ଷ ସ୍ୱାଭାବିକ ବର୍ଷା ହେବା ନେଇ ପୂର୍ବରୁ ସୂଚନା ଦେଇଥିଲା ଆଞ୍ଚଳିକ ପାଣିପାଗ ବିଭାଗ ।

    ଯଦି ଅଧିକ ବର୍ଷା ହୁଏ ତେବେ ଗେଟ୍ ଖୋଲିବା ନିହାତି ଜରୁରୀ । ପୁଣି ତଳିଆ ଅଞ୍ଚଳ ଲୋକଙ୍କ ପାଇଁ ମଧ୍ୟ ବିପଦ । ତେଣୁ ଏବେଠାରୁ ମକଡ୍ରିଲ୍ ସହ ପୂର୍ବ ପ୍ରସ୍ତୁତି କରାଯାଉଛି । ଆସନ୍ତା ଦିନରେ ଯେପରି କୌଣସି ସମସ୍ୟା ଦେଖାନଦିଏ ସେଥିପ୍ରତି ନଜର ରଖାଯାଇଛି ।

  • ଗିରଫ ହେଲେ ଆୟ ବହିର୍ଭୂତ ସମ୍ପତ୍ତିଠୁଳକାରୀ ସଞ୍ଜୟ ବାବୁ

    ଗିରଫ ହେଲେ ଆୟ ବହିର୍ଭୂତ ସମ୍ପତ୍ତିଠୁଳକାରୀ ସଞ୍ଜୟ ବାବୁ

    ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଥିବା ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରା ଗିରଫ। ଗତକାଲିର ତନତନ ଖାନତଲାସ ପରେ ଆଜି ସଞ୍ଜୟଙ୍କୁ ଗିରଫ କରିଛି ଭିଜିଲାନ୍ସ। ସଞ୍ଜୟ ତାଙ୍କ ଚାକିରି କାଳ ଭିତରେ ତାଙ୍କ ଆୟଠାରୁ ୩୩୩ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ସୂଚନା ଦେଇଛି ଭିଜିଲାନ୍ସ।
    ରେଡରେ ତାଙ୍କ ୭ଟି ଠିକଣାର କୋଣ ଅନୁକୋଣକୁ ଯାଞ୍ଚ କରିଥିଲା ଭିଜିଲାନ୍ସ ଟିମ। ସୁନ୍ଦରଗଡ଼ କେନ୍ଦୁପଡ଼ା ସ୍ଥିତ ଭଡ଼ା ଘର, ଲେଫ୍ରିପଡ଼ା ସ୍ଥିତ କାର୍ଯ୍ୟାଳୟ, ସୁନ୍ଦରଗଡ଼ ଡିଭିଜନ ଅଫିସ, ଭଦ୍ରକ ସହର ମଧ୍ୟରେ ଥିବା ଦୁଇ ମହଲା ବାସଭବନ, ଭଦ୍ରକ ଜିଲ୍ଲା ବନ୍ତ ଥିବା ପୈତୃକ ବାସଭବନ, ଭଦ୍ରକ ଜିଲ୍ଲା ତିହିଡି ଥାନା ସିନ୍ଦୋଲ ସ୍ଥିତ ଶ୍ୱଶୁର ଘର ଓ ଲେଫ୍ରିପଡା ଅଫିସ ପରିସରରେ ଥିବା ସରକାରୀ ବାସଭବନ ଉପରେ ୭ଟି ଟିମ ଚଢାଉ କରିଥିଲା।
    ଚଢାଉ ପରେ ତାଙ୍କ ନିକଟରୁ ମିଳିଛି ବିପୁଳ ସମ୍ପତ୍ତିର ତଥ୍ୟ ପ୍ରମାଣ।
    ଭିଜିଲାନ୍ସ ପାଇଛି କି, ତାଙ୍କ ବ୍ୟାଙ୍କ, ଡାକଘର ଓ ବୀମା ବାବଦରେ ରହିଛି ପ୍ରାୟ ୧କୋଟି ୬୭ ଲକ୍ଷ ଟଙ୍କା। ଏହା ବ୍ୟତିତ ୨୦୦ ଗ୍ରାମର ସୁନା ଅଳଙ୍କାର, ୨ଟି ଦୁଇ ଚକିଆ ଗାଡ଼ି ଓ ୧୦ ଲକ୍ଷ ୫୦ ହଜାର ଟଙ୍କାର ଆସବାପତ୍ର ଠାବ କରିଛି ତଦନ୍ତକାରୀ ଦଳ। ଏହା ବ୍ୟତୀତ ତାଙ୍କର ଦୁଇ ପିଲାଙ୍କ ଡାକ୍ତରୀ ପଢ଼ା ପାଇଁ ୮୧ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଭିଜିଲାନ୍ସ ଜାଣିଛି।
    ସୂଚନାଯୋଗ୍ୟ, ସଞ୍ଜୟ ବେହେରାଙ୍କ ନାମରେ ଏକାଧିକ ଅଭିଯୋଗ ରହିଥିଲା। ସେ କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ଉପାୟରେ ଦୁର୍ନୀତି କରି ଆଶାତୀତ ସମ୍ପତ୍ତି ଠୁଳ କରିଥିବା ନେଇ ବହୁ ଅଭିଯୋଗ ହୋଇଥିଲା। ଏହି ଚଢ଼ାଉରେ ୭ଟି ଟିମ୍ ସାମିଲ ହୋଇଥିଲେ। ସେହିସବୁ ଟିମରେ ୪ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ।

    ଏହା ପୂର୍ବରୁ ଚଳିତ ମାସ ୨ ତାରିଖରେ ବାଲେଶ୍ୱର ଲିଗାଲ ମେଟ୍ରୋଲୋଜିର ସହକାରୀ ନିୟନ୍ତ୍ରକ ସାଗରିକା ସାବତଙ୍କୁ ଜଣେ ପେଟ୍ରୋଲ ପମ୍ପ ପରିଚାଳକଙ୍କଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ। ସେହିପରି ୧ ତାରିଖରେ କେନ୍ଦୁଝର ଘଟଗାଁ ତହସିଲ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ ଦେବାଶିଷ ପଣ୍ଡାଙ୍କୁ ମଧ୍ୟ ଗିରଫ କରିଥିଲା ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା। ବିଭାଜିତ ପୃଥକ ପଟ୍ଟା ପ୍ରଦାନ ପାଇଁ ସେ ଜନୈକ ବ୍ୟକ୍ତିଙ୍କ ନିକଟରୁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ସଂସ୍ଥା।

  • ଆଜିଠାରୁ ପୁଣି ଗଡ଼ୁଛି କରମଣ୍ଡଳ, ସନ୍ଧ୍ୟାରେ ବାହାନଗା ଅତିକ୍ରମ କରିବ

    ଆଜିଠାରୁ ପୁଣି ଗଡ଼ୁଛି କରମଣ୍ଡଳ, ସନ୍ଧ୍ୟାରେ ବାହାନଗା ଅତିକ୍ରମ କରିବ

    ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ପୁଣି ଥରେ କରମଣ୍ଡଳ ଏକ୍ପପ୍ରେସ ଟ୍ରାକରେ ଗଡ଼ିବ । ଆଜିଠାରୁ ପୁଣି ଥରେ ଚଳାଚଳ ଆରମ୍ଭ କରିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ହୋଇଛି ବୋଲି ରେଳବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି । ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଘଟଣାସ୍ଥଳ ବାହାନଗା ଅତିକ୍ରମ କରିପାରେ । ଶାଲିମାରରୁ ଚେନ୍ନାଇ ଅଭିମୁଖେ ବାହାରିଥିବା ଏହି ଟ୍ରେନ୍ ବାହାନଗା ରୁଟରେ ଯାତ୍ରା କରିବ ।

    ଗତ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ବାହାନଗା ଷ୍ଟେସନ‌ ନିକଟରେ ଶାଲିମାର୍‌-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌ ଛିଡ଼ା ହୋଇଥିବା ମାଲ୍‌ଗାଡ଼ିକୁ ଧକ୍କା ଦେଇଥିଲା । ୧୦ରୁ ୧୨ଟି ଡବା ଲାଇନଚ୍ୟୁତ ହୋଇ ଅନ୍ୟ ଧାରଣା ଉପରକୁ ଛିଟିକି ପଡ଼ିଥିଲା । ସେହି ସମୟରେ ବିପରୀତ ପାର୍ଶ୍ୱରୁ ୟଶବନ୍ତପୁର-ହାୱଡ଼ା ଟ୍ରେନ୍ ଦ୍ରୁତ ଗତିରେ ଆସୁଥିଲା । ତେଣୁ ଡବାଗୁଡ଼ିକ ଉପରେ ଧକ୍କା ଖାଇଥିଲା । ଦୁର୍ଘଟଣାରେ ୨୮୮ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଅଧିକାଂଶ ଯାତ୍ରୀ ଏବେ ମେଡିକାଲରେ ଭର୍ତ୍ତି ଅଛନ୍ତି । ପଶ୍ଚିମବଙ୍ଗ ଏବଂ ବିହାରର କିଛି ଯାତ୍ରୀ ଏବେ ବି ନିଖୋଜ ଥିବା ନେଇ ସୂଚନା ମିଳିଛି ।

    ସେପଟେ, ଇଲେକ୍ଟ୍ରୋନିକ୍‌ ଇଣ୍ଟର୍‌ଲକିଂରେ ପରିବର୍ତ୍ତନ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କଥା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ରେଳ ଦୁର୍ଘଟଣା ଯୋଗୁଁ ବାଲେଶ୍ୱରରେ ରେଳ ଚଳାଚଳ ଭୀଷଣ ପ୍ରଭାବିତ ହୋଇଥିଲା । ୫୦ ଘଣ୍ଟା ନନଷ୍ଟପ୍ ମରାମତି ପରେ ପୁଣି ଥରେ ସେହି ଟ୍ରାକରେ ରେଳ ଚଳାଚଳ ଆରମ୍ଭ ହୋଇଛି । ରବିବାର ଭାଇଜାକ୍ ବନ୍ଦରରୁ କୋଇଲା ନେଇ ଗୋଟାଏ ମାଲ୍‌ଗାଡ଼ି ଏହି ରେଳପଥରେ ରାଉରକେଲା ଇସ୍ପାତ କାରଖାନା ଅଭିମୁଖେ ଯାଇଥିଲା । ସେହିପରି, ସୋମବାର ଏହି ଟ୍ରାକରେ ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଯାତ୍ରା ଆରମ୍ଭ କରିଥିଲା ।