Blog

  • ବିଜେଡି ନେତାଙ୍କୁ ଗୁଳିମାଡ଼, କଟକରେ ଚିକିତ୍ସିତ

    ବିଜେଡି ନେତାଙ୍କୁ ଗୁଳିମାଡ଼, କଟକରେ ଚିକିତ୍ସିତ

    ବିଜେଡି ନେତାଙ୍କ ଉପରେ ଗୁଳିମାଡ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବିଜେଡି ନେତା କାହ୍ନୁଚରଣ ସାହୁଙ୍କୁ ହୋଇଛି ଗୁଳିମାଡ଼। ଗୁଳି ତାଙ୍କ ହାତ ଓ ଜଙ୍ଘରେ ବାଜିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି। ଏହି ଗୁଳିକାଣ୍ଡ ବୁଧବାର ରାତିରେ ଘଟିଛି।

    ଗତକାଲି ରାତି ପ୍ରାୟ ୧୧ଟାରେ କାହ୍ନୁଚରଣ କାରରେ ଘରକୁ ଫେରୁଥିଲେ। ସେ କାମାକ୍ଷାନଗର ମେନ୍‌ରୋଡ୍ ସ୍ଥିତ ମା’ ତାରିଣୀ ଅଳଙ୍କାର ନିକଟରେ ପହଞ୍ଚିବା ବେଳକୁ କିଛି ଦୁର୍ବୃତ୍ତ ତାଙ୍କ ଗାଡି ଅଟକାଇଥିଲେ। ସେ ଗାଡି ଅଟକାଇବାରୁ ଦୁର୍ବୃତ୍ତମାନେ  ତାଙ୍କ କାରର କାଚକୁ ଭାଙ୍ଗିଦେଇଥିଲେ ଓ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଦୁଇଟି ଗୁଳି ତାଙ୍କ ଗୋଡ ଓ ଜଙ୍ଘରେ ବାଜିଥିଲା।

    କାହ୍ନୁଙ୍କୁ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକର ଏକ ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କେଉଁ ଘଟଣାକୁ ନେଇ ଏପରି ଗୁଳିମାଡ ହୋଇଥି ତାହା ଜଣାପଡିନାହିଁ। ତେବେ ସେ ଜଣେ ଠିକାଦାର ଓ ରାଜନେତା ହୋଇଥିବାରୁ ଗୁଳିମାଡ ପଛରେ ରାଜନୈତିକ ଶତ୍ରୁତା ତା ଠିକାଦାରୀ ଶତ୍ରୁତା ରହିଥିଲା ତାର କାରଣ ଖୋଜାଚାଲିଛି।

    ପୁଲିସ ଘଟଣାର ତଦନ୍ତ ଚଳାଇଛି। ସେଠାରେ ଥିବା ସିସିଟିଭି ଫୁଟେଜକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଏହା ପୂର୍ବରୁ ମଧ୍ୟ କାହ୍ନୁଚରଣଙ୍କ ଉପରେ ଏକ ଗୁଳିମାଡ କରାଯାଇଥିଲା।

  • ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ

    ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ

    ଚିନ୍ତା ବଢାଉଛି ହାତୀ ମୃତ୍ୟୁହାର । ଅନେକ ସମୟରେ ଖାଦ୍ୟ ଜଙ୍ଗଲି ପଶୁମାନେ ଗାଁ ଅଭିମୁଖେ ଚାଲି ଆସୁଥିବା ବେଳେ ବ୍ୟାପକ କ୍ଷତି ମଧ୍ୟ କରୁଛନ୍ତି । ହେଲେ ସବୁଠୁ ଦୁଖର କଥା ହେଉଛି ଗାଁ ମୁହାଁ ହେଉଥିବା ଅନେକ ପଶୁଙ୍କ ଅକାଳରେ ବିୟୋଗ ହୋଇଯାଉଛି । ଆଜି ସେମିତି ଏକ ଦୁଖଦ ଖବର ଆସିଛି ବୌଦ୍ଧ ଜିଲ୍ଲା କଣ୍ଟାମଲ ରେଂଞ୍ଜ ଅନ୍ତର୍ଗତ ବରଗାଁ ପଞ୍ଚାୟତରୁ । ସେଠାରେ ଥିବା ଘୁଚାଙ୍ଗି ଜଙ୍ଗଲ ନିକଟରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି ।

    ମିଳିଥିବା ସୂଚନା ମୁତାବକ ବଣୁଆ ହାତୀଟି ଜଙ୍ଗଲ ଛାଡି ଖାଦ୍ୟ ଅନୁସନ୍ଧାନରେ ଜଙ୍ଗଲ ଛାଡି ଗାଁ ଅଭିମୁଖେ ଆସୁଥିତା । ହେଲେ ବାଟରେ ଥିବା ୧୧ କେଭି ବିଦ୍ୟୁତ ତାର ସେହି ହାତୀର ମୃତ୍ୟୁର କାରଣ ପାଲଟିଥିଲା । ଖବର ପାଇ ବନ ବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ କିଭଳି ଓ କେଉଁ ପରିସ୍ଥିତିରେ ହାତୀଟିର ମୃତ୍ୟୁ ହୋଇଛି ତାହା ତଦନ୍ତ ପରେ ଜଣାପଡିବ ।

  • ଖୁବଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ, ୧୮ରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ବର୍ଷା !

    ଖୁବଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ, ୧୮ରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ବର୍ଷା !

    ମୌସୁମୀ ଓଡ଼ିଶା ଛୁଇଁବାରେ ବିଳମ୍ବ । କୁହାଯାଉଥିଲା ଜୁନ୍ ପ୍ରଥମ ସପ୍ତାହରେ ଏହା ଓଡ଼ିଶା ଛୁଇଁବ । ହେଲେ ଏଥିରେ ଏବେ ବିଳମ୍ବ ହେଲାଣି । ଆସନ୍ତା ୧୮ ତାରିଖରୁ ୨୧ ତାରିଖ ମଧ୍ୟରେ ରାଜ୍ୟକୁ ମୌସୁମୀ ଏଣ୍ଟ୍ରି କରିପାରେ ।

    ମୌସୁମୀ ଅଗ୍ରସର ନେଇ ଏବେ ପାଗ ପୁରା ଅନୁକୂଳ ରହିଛି । ଆସନ୍ତାକାଲି ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ସ୍ଥଳଭାଗ ଛୁଇଁବା ପରେ ସ୍ପଷ୍ଟ ସୂଚନା ମିଳିବ । ଓଡ଼ିଶାକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବ ଯାହାର ପ୍ରଭାବରେ ୧୮ରୁ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହେବ । ବର୍ଷା ଆରମ୍ଭ ପରେ ରାଜ୍ୟ ପାଣିପାଗରେ ଧୀରେ ଧୀରେ ପରିବର୍ତ୍ତନ ହେବ ।

    ସେପଟେ ୧୮ ତାରିଖ ଯାଏ ଯାଏ ପଶ୍ଚିମ ଓଡ଼ିଶାରେ ସିଭିୟର ହିଟୱେଭ ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସ୍ବାଭାବିକ ଠାରୁ ୬.୫ ଡିଗ୍ରୀ ଉପରେ ପାରଦ ରହିବା ନେଇ ପୂର୍ବାନୁମାନ କରିଛି ବିଭାଗ । ବୌଦ୍ଧ,ବଲାଙ୍ଗିର,ସୋନପୁର, ସମ୍ବଲପୁର,ବରଗଡ଼,ଝାରସୁଗୁଡ଼ାକୁ ସତର୍କତା ଜାରି କରାଯାଇଛି । ୧୬ ତାରିଖରୁ ଉପକୂଳରେ ବି ତାତି ବଢ଼ିବ । ତେଣୁ ପ୍ରବଳ ତାତି ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିବ । ଦିନ ସହ ରାତି ତାପମାତ୍ରାରେ ବୃଦ୍ଧି ଘଟିବ । ତାତି ବଢ଼ିବା ଆଶଙ୍କା ଥିବାରୁ ସମ୍ବଲପୁର,ବରଗଡ଼,ଝାରସୁଗୁଡ଼ା,ବଲାଙ୍ଗିର ଓ ବୌଦ୍ଧକୁ ଚେତାବନୀ ଦିଆଯାଇଛି । ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୪.୫ ଡିଗ୍ରୀ ଉପରେ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

  • ଆସୁଛି ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’, କାଲି ଜଖୌ ବନ୍ଦରରେ ଲ୍ୟାଣ୍ଡଫଲ୍‌ କରିବ !

    ଆସୁଛି ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’, କାଲି ଜଖୌ ବନ୍ଦରରେ ଲ୍ୟାଣ୍ଡଫଲ୍‌ କରିବ !

    ନିକଟତର ହେଉଛି ସାମୁଦ୍ରିକ ବାତ୍ୟା ବିପର୍ଯ୍ୟୟ । ଆରବସାଗର ଉପରେ କେନ୍ଦ୍ରୀଭୂତ ହୋଇ ଉତ୍ତରଆଡ଼କୁ ଗତି କରୁଛି । ଆସନ୍ତାକାଲି ସନ୍ଧ୍ୟା ବେଳେ ଗୁଜରାଟ ଉପୂକଳ ଜଖୌ ବନ୍ଦରରେ ସ୍ଥଳଭାଗ ଛୁଇଁପାରେ । ଏଭଳି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ତେଣୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଆରମ୍ଭ ହୋଇଛି । ଗୁଜରାଟର ସମୁଦ୍ର ତଟବର୍ତ୍ତୀ ୮ଟି ଜିଲ୍ଲାରୁ ପ୍ରାୟ ୩୮ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

    ଗିର,ସୋମନାଥ, ଦ୍ୱାରକା,କଚ୍‌, ପୋରବନ୍ଦର ଭଳି ଜିଲ୍ଲାରେ ଥିବା ସମସ୍ତ ସ୍କୁଲ୍‌ ୨ ଦିନ ଛୁଟି ଘୋଷଣା କରାଯାଇଛି । ବାତ୍ୟା ପ୍ରଭାବରେ ପୋରବନ୍ଦରରେ ପ୍ରବଳ ବର୍ଷା ଜାରି ରହିଛି । ମୁମ୍ବାଇ ଉପକୂଳରେ ବି ଉଚ୍ଚ ଜୁଆର ଆସିଥିବା ସୂଚନା ମିଳିଛି । ପବନର ବେଗ ବଢୁଥିବାରୁ ପୋରବନ୍ଦର ଅଞ୍ଚଳରେ ବଡ଼ବଡ଼ ଗଛ ଉପୁଡ଼ି ଯାଇଛି । ଯାନବାହନ ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହୋଇଛି ।

    ଗୁଜରାଟର ଦ୍ୱାରକା,କଚ୍‌,ଦେବଭୂମି,ପୋରବନ୍ଦର,ଜାମନଗର,ମୋର୍‌ବି,ଜୁନାଗଡ଼ ଓ ରାଜକୋଟ ଜିଲ୍ଲାରେ କଚ୍ଚାଘର ଭାଙ୍ଗିରୁଜି ଯିବା ସହିତ ବିଜୁଳି ଓ ଟେଲିଫୋନ୍‌ ଖୁଣ୍ଟ ଉପୁଡ଼ିଯିବାର ସମ୍ଭାବନା ରହିଛି । ଏହାଛଡ଼ା, ବାଗବଗିଚା ଓ ଫସଲ ନଷ୍ଟ ହେବା ସମ୍ଭାବନା ଥିବା କଥା ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିପର୍ଯ୍ୟୟ ବାତ୍ୟା ଯୋଗୁଁ ମୌସୁମୀ ବାୟୁ ପ୍ରବାହ ଆଉ ପ୍ରଭାବିତ ହେବ ନାହିଁ । ଏଭଳି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । କାରଣ ଏହି ବାତ୍ୟା ଏବେ ସମ୍ପୂର୍ଣ୍ଣରୂପେ ମୌସୁମୀ ପ୍ରବାହ ମାର୍ଗରୁ ବିଚ୍ଛିନ୍ନ ହୋଇଯାଇଛି । ଏହା ମୌସୁମୀ ବାୟୁର ଅଗ୍ରଗତି ଓ ବୃଷ୍ଟିପାତକୁ ପ୍ରଭାବିତ କରିପାରିବ ନାହିଁ ବୋଲି IMD ପକ୍ଷରୁ କୁହାଯାଇଛି ।

  • ମଣିପୁର: ସାନି ହିଂସାରେ ୯ ମୃତ, ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଅପିଲ

    ମଣିପୁର: ସାନି ହିଂସାରେ ୯ ମୃତ, ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଅପିଲ

    ମଣିପୁରରେ କେବେ ହିଂସା ଥମିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସମସ୍ତେ ଅପିଲ୍ କରିବା ସତ୍ତ୍ୱେ ହିଂସା କମୁନି । ପୂର୍ବ ଇମ୍ଫାଲ୍‌ ଏବଂ କାଙ୍ଗପୋକ୍‌ପି ଜିଲ୍ଲା ସୀମାନ୍ତରେ ଅବସ୍ଥିତ ଅଗିଜାନ୍ ଗାଁ’ରେ ସାନି ହିଂସାକାଣ୍ଡ ଘଟିଛି । ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାରେ ୧୦ରୁ ଅଧିକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

    ପୋଲିସର ସୂଚନା ଅନୁସାରେ ମଙ୍ଗଳବାର ରାତି ୧୦ଟାରୁ ୧୦.୩୦ ମଧ୍ୟରେ ସଶସ୍ତ୍ର ଆକ୍ରମଣକାରୀ ଗାଁ ଚାରିପଟେ ଘେରି ଯାଇଥିଲେ । ସେମାନେ ପ୍ରଥମେ ଆକ୍ରମଣ କରିଥିବା ନେଇ ପୋଲିସ କହିଛି । ସେମାନଙ୍କୁ ଅଟକାଇବା ପାଇଁ ସୁରକ୍ଷାବାହିନୀ ପହଞ୍ଚିଯିବା ପରେ ସେଠାରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଗୁଳି ବିନିମୟ ଆରମ୍ଭ ପରେ ୯ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ଘଟଣାରେ ଆହତମାନଙ୍କୁ ଇମ୍ଫାଲ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣକ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା କହିଛି ପୋଲିସ । ଦୁର୍ବୃତ୍ତମାନେ ଖାମେନ୍‌ଲୋକ ଗାଁ’ରେ କେତେଗୁଡ଼ିଏ ଘର ପ‌ୋଡ଼ି ଦେଇଛନ୍ତି । ଏବେ ସେ ଅଞ୍ଚଳର ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।

    ଏକ ମାସ ହେଲା ମଣିପୁରୀ ଓ କୁକି ଜନଜାତି ସମ୍ପ୍ରଦାୟ ମଧ୍ୟରେ ବିବାଦ ଦେଖାଦେଇଛି । ହିଂସା ବନ୍ଦ କରାଇ ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ଆହ୍ୱାନ କରାଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ ସୁରକ୍ଷା ବାହିନୀ, ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ବଜାୟ ରଖିବାକୁ ବାରମ୍ବାର ଚେଷ୍ଟା କରାଯାଉଛି । ଏସବୁ ସତ୍ତ୍ୱେ ସ୍ଥିତିରେ କୌଣସି ସୁଧାର ଆସୁନି । ଗତକାଲି ରାତିରେ ପୁଣି ହିଂସା ଘଟି ଲୋକଙ୍କ ଜୀବନ ଯାଇଛି । ତେଣୁ ଇମ୍ଫାଲ୍‌ରେ କର୍ଫ୍ୟୁ କୋହଳ ସମୟ ସୀମା ପୁଣି କଠୋର କରାଯାଇଛି ।

  • ସବୁଠି ପହିଲି ରଜ ମାହୋଲ, ପିଠାପଣା ସହ ଦୋଳିଖେଳ ମଜା

    ସବୁଠି ପହିଲି ରଜ ମାହୋଲ, ପିଠାପଣା ସହ ଦୋଳିଖେଳ ମଜା

    ଆଜି ପହିଲି ରଜ । ମାଟି ଓ ଆକାଶର ମିଳନର ପର୍ବ । ରାଜ୍ୟର ବିଭିନ୍ନ ସ୍ଥାନରେ ରଜ ପର୍ବ ଧୁମଧାମରେ ପାଳନ କରାଯାଉଛି । ଉପକୂଳ ଓଡ଼ିଶାରେ ଆଜି ରଜ ପାଗ ହୋଇଛି । ଗତକାଲି ରାତି ଓ ଆଜି ସକାଳେ ଅଳ୍ପ ପରିମାଣର ବର୍ଷା ହୋଇଥିବା ହେତୁ ଗରମ କମ୍ ରହିଛି ।

    ରାଜ୍ୟର ସବୁଠି ରଜ ମହୋତ୍ସବର ମାହୋଲ । ନୂଆ ପୋଷାକ ପିନ୍ଧି ରଜ ଦୋଳି ସାଙ୍ଗକୁ ପିଠାପଣାର ମଜା ନେଲେଣି ସବୁ ବର୍ଗର ଲୋକ । ପିଲାଠୁ ବୁଢ଼ା ସମସ୍ତେ ଦୋଳି ଖେଳରେ ମାତିଛନ୍ତି । କେତେକ ସ୍ଥାନରେ ରଜ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି ।

    ଆଜି ପହିଲି ରଜ ଥିବାବେଳେ ଆସନ୍ତାକାଲି ରଜ ସଂକ୍ରାନ୍ତି । ଉତ୍କଳୀୟ ସଂସ୍କୃତି ଓ ପରମ୍ପରାରେ ରଜର ମହତ୍ତ୍ବ ଅନନ୍ୟ । ରଜ ପର୍ବରେ କୁଆଁରୀ ଝିଅ ଓ ବୋହୂମାକୁ ସମ୍ମାନ ଦିଆଯାଇଥାଏ । ତେଣୁ ଏହି ୩ ଦିନ ସେମାନେ କୋଣସି କାମ କରିବାକୁ ବାରଣ କରାଯାଇଛି । ରଜରେ ପାରମ୍ପରିକ ପିଠା ଖାଇ ଦୋଳିରେ ଝୁଲନ୍ତି କୁମାରୀ । ଗାଁ ଗାଁରେ ରଜଗୀତ ସାଙ୍ଗକୁ ରଜ ପାନରେ ମହକୁଛି ପରିବେଶ । ଫୁଲ ଦୋଳିରେ ଝୁଲି ଝୁଲି ଭାଇର ମଙ୍ଗଳ ମନାସୁଛନ୍ତି ଭଉଣୀ ।

    ପହିଲି ରଜ ପାଇଁ ରାଜଧା‌ନୀ ବି ଚଳଚଞ୍ଚଳ । ରାଜଧାନୀର ବିଭିନ୍ନ ସ୍ଥାନରେ ରଜ ମନେଇଲେଣି ଲୋକେ । ଗତକାଲି ସଜବାଜ ଥିବା ହେତୁ ଅଧିକାଂଶ ମାର୍କେଟ୍‌ଗୁଡ଼ିକରେ ଗହଳି ଜମିଥିଲା । ସେପଟେ, ଆଜି ବୁଧବାର ହୋଇଥିବା ହେତୁ ପହିଲି ରଜରେ ଆମିଷ ଦୋକାନରେ ମଧ୍ୟ ବେଶ୍ ଭିଡ଼ ଜମିଛି । ଏହି କୃଷିଭିତ୍ତିକ ପର୍ବ ପାଇଁ ଗାଁଠୁ ସହର ସବୁଠି ଉତ୍ସବମୁଖର । ଆଷାଢ଼ର ପ୍ରଥମ ଜଳରେ ମା’ମାଟି ହୋଇଛି ରଜସ୍ବଳା । ସେଥିପାଇଁ ଏହି ଦିନ କୃଷିକର୍ମ ନିଷେଧ କରାଯାଇଛି । ୩ ଦିନ ଧରି ପାଳିତ ହେବ ରଜ ପର୍ବ ।

  • ନାଇଜେରିଆ: ଓଭରଲୋଡିଂ ଯୋଗୁଁ ସମୁଦ୍ରରେ ବୁଡ଼ିଗଲା ନୌକା, ଶତାଧିକ ମୃତ

    ନାଇଜେରିଆ: ଓଭରଲୋଡିଂ ଯୋଗୁଁ ସମୁଦ୍ରରେ ବୁଡ଼ିଗଲା ନୌକା, ଶତାଧିକ ମୃତ

    ନାଇଜେରିଆରେ ବଡ଼ ଧରଣର ନୌକା ଦୁର୍ଘଟଣା ଘଟିଛି । ନାଇଜର ନଦୀରେ ନୌକା ବୁଡ଼ି ୧୦୦ ଜଣ ପ୍ରାଣ ହରାଇଛନ୍ତି । ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ରହିଛି । ଏକ ବିବାହ କାର୍ଯ୍ୟକ୍ରମ ସାରି ଫେରୁଥିବାବେଳେ ନୌକା ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ହିଁ ୧୦୦ ଜଣଙ୍କ ମୃତ୍ୟୁ ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ୧୦୦ ଜଣଙ୍କୁ ଗଭୀର ସମୁଦ୍ରରୁ ଉଦ୍ଧାର କରାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି ସୂଚନା ମିଳିଛି । ଉତ୍ତର-କେନ୍ଦ୍ରୀୟ ନାଇଜେରିଆ ଅନ୍ତର୍ଗତ କ୍ବାରା ଷ୍ଟେଟରେ ଏଭଳି ଦୁର୍ଘଟଣା ଘଟିଛି ।

    ମୃତକଙ୍କ ମଧ୍ୟରେ ଅଧିକ ଲୋକ ସମ୍ପର୍କୀୟ ରହିଛନ୍ତି । ପଡ଼ୋଶୀ ନାଇଜର ଷ୍ଟେଟରୁ ବିବାହ ଉତ୍ସବ ସାରି ସମସ୍ତେ ଫେରୁଥିଲେ । କ୍ବାରା ଷ୍ଟେଟକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ନୌକାରେ ଅଧିକ ଲୋକ ଫେରୁଥିବାବେଳେ ଗଭୀର ସମୁଦ୍ରରେ ବିରାଟ କାଠଗଣ୍ଡି ସହ ପିଟି ହୋଇଥିଲା । ନୌକା ଦି’ଖଣ୍ଡ ହେବା ସହ ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା ।

    ଘଟଣାସ୍ଥଳରେ ହିଁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଅଧିକ ମୃତଦେହ ଭାସିଯାଇଥିବା ଅନୁମାନ କରାଯାଉଛି । ତେଣୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତ ମେ’ ମାସରେ ସୋକୋତରେ ବି ଏଭଳି ଏକ ନୌକା ଦୁର୍ଘଟଣା ଘଟି ୧୫ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ଏବେ ପୁଣି ଥରେ ଲଗାତାର ଦ୍ୱିତୀୟ ମାସରେ ଏଭଳି ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି ।