Blog

  • ନିଶା ଇଞ୍ଜେକସନ ଦେଇ ମହିଳା ରୋଗୀଙ୍କୁ  ଗଣବଳାତ୍କାର କଲେ ଡାକ୍ତର

    ନିଶା ଇଞ୍ଜେକସନ ଦେଇ ମହିଳା ରୋଗୀଙ୍କୁ ଗଣବଳାତ୍କାର କଲେ ଡାକ୍ତର

    ଏକ ଲଜ୍ଜାଜନକ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି। ଦ୍ୱିତୀୟ ଭଗବାନ କୁହାଯାଉଥିବା ଡାକ୍ତର ଜଣକ ସାଜିଲେ ପିଶାଚ । ଡାକ୍ତରଙ୍କୁ ଆଖି ବୁଜି ବିଶ୍ୱାସ କରିଥାନ୍ତି ରୋଗୀ ମନରେ ଆଶା ନେଇ ଆସିଥାନ୍ତି ସେ ଆମ ରୋଗ ଭଲ କରିଦେବ । ମାତ୍ର ଜଣେ ମହିଳା ରୋଗୀଙ୍କ ବିଶ୍ୱାସରେ ବିଷ ମିଶାଇଲେ ଡାକ୍ତର।  ନିଶା ଇଞ୍ଜେକସନ ଦେଇ ନିଜ ସାଥୀ ଡାକ୍ତରଙ୍କ ସହ ମହିଳା ରୋଗୀଙ୍କୁ କଲେ ଗଣବଳାତ୍କାର। ଏନେଇ ମହିଳାଜଣକ ଅଭିଯୋଗ କରିବା ପରେ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ ଡାକ୍ତରଙ୍କୁ ବାନ୍ଧିଥିବା ବେଳେ ତାଙ୍କ ସାଥୀ ଫେରାର ଅଛନ୍ତି।

    ଦିଲ୍ଲୀର ଜଣେ ମହିଳା ଦୀର୍ଘ ଦିନ ହେଲା ବେମାର ରହୁଥିଲେ। ବିଭିନ୍ନ ଆଡ଼େ ଚିକିତ୍ସା ପରେ ବି ସେ ସୁଫଳ ପାଇ ପାରୁ ନ ଥିଲେ। ଏହା ମଧ୍ୟରେ ସେ ଗାଜିଆବାଦରେ ଥିବା ଡାକ୍ତର ସାକିବଙ୍କ ସମ୍ପର୍କରେ ସୂଚନା ପାଇଲେ। ରୋଗ ଭଲ ହେବା ଆଶାରେ ସେ ତାଙ୍କୁ ଯୋଗାଯୋଗ କଲେ। ଏହାପରେ ଗତ ୭ ତାରିଖରେ ପ୍ରଥମ ଥର ସେ ତାଙ୍କ କ୍ଲିନିକ୍‌କୁ ଯାଇଥିଲେ। ଡାକ୍ତର ସାକିବ ମହିଳାଙ୍କୁ କିଛି ମେଡିସିନ ଦେଇଥିଲେ। ମାତ୍ର ଏଥିରେ ତାଙ୍କ ରୋଗ ଭଲ ନ ହେବାରୁ ଗତ ୧୯ ତାରିଖରେ ସେ ପୁଣି ଥରେ ଉକ୍ତ କ୍ଲିନିକ୍‌କୁ ଯାଇଥିଲେ।

    ସେତେବେଳେ ଚିକିତ୍ସା ନାଁରେ ଡାକ୍ତର ତାଙ୍କୁ ନିଶା ଇଞ୍ଜେକସନ୍‌ ଦେଇଥିଲେ। ଏହାପରେ ଡାକ୍ତର ସାକିବ ଓ ତାଙ୍କ ସାଥୀ ମହିଳାଙ୍କୁ ଗଣବଳାତ୍କାର କରିଥିଲେ। ଚେତା ଫେରିବା ପରେ ମହିଳାଜଣକ ବଳାତ୍କାରର ଶିକାର ହୋଇଥିବା ଜାଣିବାକୁ ପାଇଲେ। ଏନେଇ ବାହାରେ ପ୍ରକାଶ କଲେ ଭିଡିଓ ଭାଇରାଲ କରିଦେବାର ଧମକ ଦେଲେ ଡାକ୍ତର ସାକିବ । ଏପରିକି ପୂର୍ବରୁ ବି ବହୁ ଯୁବତୀଙ୍କର ବଳାତ୍କାର କରି ସାରିଥିବା ସେ ମହିଳାଙ୍କ ସମ୍ମୁଖରେ କହିଥିଲେ।

  • ଦୁର୍ଘଟଣାରେ ଚାଲିଗଲା ବାପା ମା’ଙ୍କ ସହ ଝିଅର ଜୀବନ

    ଦୁର୍ଘଟଣାରେ ଚାଲିଗଲା ବାପା ମା’ଙ୍କ ସହ ଝିଅର ଜୀବନ

    କୋରାପୁଟ ଜିଲ୍ଲା ପଟାଙ୍ଗୀ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ଏକ କାର୍ ସହ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଘଟିଛି ୩ଜଣଙ୍କର ମୃତ୍ୟୁ ।  ଆଜି ସକାଳେ ଏକ କାର୍‌ରେ ବାପା ମା’ ଓ ଛୋଟ ଝିଅ କୌଣସି କାମରେ ବୈପାରୀଗୁଡ଼ାରୁ ବିଶାଖାପାଟଣା ଯାଉଥିଲେ । ଏହି ସମୟରେ ପୁଙ୍ଗାର ଗାଁ ନିକଟରେ ବିପରିତ ଦିଗରୁ ଆସୁଥିବା ଟ୍ୟାଙ୍କର ସହ ସେମାନଙ୍କ କାର୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାପା ମା’ଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଝିଅଟିର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ଟ୍ୟାଙ୍କର ଓ ତାର ଡ୍ରାଇଭରକୁ ଅଟକ ରଖିଛନ୍ତି। ଦୁର୍ଘଟଣାରେ ପରେ ଜାତୀୟ ରାଜପଥରେ ଗାଡ଼ିଚଳାଚଳ ବନ୍ଦ ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।

    ଆଜି ସକାଳ ପ୍ରାୟ ୬ଟା ବେଳେ ଜୟପୁରରୁ ଏକ କାର( ଓଡି୧୦ପି ୫୯୧୨)ରେ ଗୋଟିଏ ପରିବାରର ତିନିଜଣ ସଦସ୍ୟ(ବାପା,ମା ଓ ଛୁଆ) ବିଶାଖାପାଟଣା ଅଭିମୁଖେ ଯାଉଥିଲେ। ଅପରପକ୍ଷରେ ଏକ ଟ୍ୟାଙ୍କର ବିଶାଖାପାଟଣାରୁ ଦାମନଯୋଡ଼ି ଅଭିମୁଖେ ଆସୁଥିଲା। ଜାତୀୟ ରାଜପଥ-୨୬ର ପୁଙ୍ଗାର ଗାଁ ନିକଟରେ ଦୁଇଟି ଗାଡ଼ି ମଧ୍ୟରେ  ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ଫଳରେ ଘଟଣାସ୍ଥଳରେ ହିଁ ୩ଜଣଙ୍କର ପ୍ରାଣହାନୀ ଘଟିଥିଲା।  ଖବର ପାଇ  ପଟାଙ୍ଗୀ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

    ଦୁଇ ଦିନରେ ଲଗାତର ଦୁଇଟ ବଡ ଧରଣର ଦୁର୍ଘଟଣା ସମଗ୍ର ଜିଲ୍ଲାକୁ ଦୋହଲାଇ ଦେଇଛି। ଗତକାଲି ଗଞ୍ଜାମ  ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଖେମୁଣ୍ଡି କଲେଜ ନିକଟରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ଏକ ବିବାହ ଭୋଜି ଖାଇସାରି ବରଯାତ୍ରୀ ଏକ ଘରୋଇ ବସରେ ଖଣ୍ଡଦେଉଳି ଫେରୁଥିଲେ। । OSRTC ବସ୍‌ ଗୁଡ଼ାରୀରୁ ଭୁବନେଶ୍ୱର ଅଭିମୁଖେ ଫେରୁଥିଲା । ବିଳମ୍ବିତ ରାତିରେ OSRTC ବସ୍ ଓ ବରଯାତ୍ରୀ ବସ୍ ମଧ୍ୟରେ ଖେମୁଣ୍ଡି କଲେଜ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା ଏହି ଦୁର୍ଘଟଣାରେ ୧୨ ଜଣଙ୍କ ଜୀବନ ଚାଲିଗଲା । ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ ଥିବାବେଳେ ୪ ଜଣ ମହିଳା ଓ ୨ ଜଣ ଶିଶୁ ଥିଲେ

    ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଗୁରୁତର ହୋଇଥିଲେ । ଆମ୍ବୁଲାନ୍ସ ଓ ଦମକଳ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ସଙ୍ଗେସଙ୍ଗେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଘରୋଇ ବସ୍‌ରେ ୨୫ ଜଣ ଯାତ୍ରୀ ଥିବା ବେଳେ ଦୁର୍ଘଟଣାରେ ଦୁଇଟି ବସ୍ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା । ଦୁର୍ଘଟଣାସ୍ଥଳକୁ ବ୍ରହ୍ମପୁର ଏସପି ଓ ତହସିଲଦାର ଯାଇ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ।

  • ମଞ୍ଚେଶ୍ୱର: ଅନ୍ଧାରରେ ବାଡ଼ି, ଅଟକ ରଖିଥିବା ସାଧୁ ବାବାଙ୍କୁ ଛାଡ଼ିଲା ପୋଲିସ

    ମଞ୍ଚେଶ୍ୱର: ଅନ୍ଧାରରେ ବାଡ଼ି, ଅଟକ ରଖିଥିବା ସାଧୁ ବାବାଙ୍କୁ ଛାଡ଼ିଲା ପୋଲିସ

    ଅନ୍ଧାରରେ ବାଡ଼ି ବୁଲାଉଛି ମଞ୍ଚେଶ୍ୱର ଥାନା ପୋଲିସ । ଅସଲି ଚୋରକୁ ଧରିବା ବଦଳରେ ନକଲିଙ୍କୁ ଧରିଛି ଟିମ୍ । ବାହାବା ନେବାକୁ ପୋଲିସର ଜୋରଦାର ଉଦ୍ୟମ । ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଇଡକୋ କଲୋନୀ ଷ୍ଟାଡିୟମ ନିକଟରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି । ୫ ଜଣ ସାଧୁ ବାବା ଏକ ବୋଲେରୋ ରଖି ଜୟଶ୍ରୀରାମ କହିବା ସହ ଶଙ୍ଖ ଫୁଙ୍କୁଥିଲେ ।

    ଏହି ଅଞ୍ଚଳରେ ବୁଲାବୁଲି କରୁଥିବା ବେଳେ ଧରିଥିଲା ମଞ୍ଚେଶ୍ୱର ଥାନା ପୋଲିସ । ନିକଟରେ ସୁନା ଚୋରି ଘଟଣାରେ ସନ୍ଦେହ କରି ଥାନାରେ ଅଟକ ରଖିଥିଲା ପୋଲିସ । କିନ୍ତୁ ପରେ ପୋଲିସକୁ ବଦନାମ ହେବାକୁ ପଡ଼ିଛି । ପ୍ରକୃତରେ ସାଧୁ ବାବାମାନେ ପୁରୀ ରଥଯାତ୍ରା ଦେଖିବାକୁ ଉତ୍ତରପ୍ରଦେଶରୁ ଆସିଥିଲେ । ଜଗନ୍ନାଥଙ୍କ ଦର୍ଶନ ପରେ ଭୁବନେଶ୍ୱରରେ କିଛି ସ୍ଥାନ ବି ବୁଲିଛନ୍ତି । ମଞ୍ଚେଶ୍ୱରରେ ବୁଲାବୁଲି କରୁଥିବା ବେଳେ ତାଙ୍କୁ ଧରିଥିଲା ପୋଲିସ । ସତ୍ୟାସତ୍ୟ ଜଣାପଡ଼ିବା ପରେ ଅଟକ ବାବାମାନଙ୍କୁ ଛାଡ଼ିଦେଲା ପୋଲିସ ।

    ଦୁଇଦିନ ପୂର୍ବେ ନନ୍ଦନକାନନ ଥାନା ଅଞ୍ଚଳରେ ବାବା ବେଶରେ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ନେଇ ପଳାଇଥିବା ଅଭିଯୋଗ ହୋଇଥିଲା । ଧାର୍ମିକ ଆଲୋଚନା ପରେ ଜଳଖିଆ ଖାଇବା ବାହାନାରେ ଘରେ ପଶିଥିଲେ ନାଗା ବାବା । ହେଲେ ଜଳଖିଆ ନଖାଇ ସୁନା ଅଳଙ୍କାର ଲୁଟି ନେଇଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଥିଲା ।

    ସେହି ଘଟଣାର ତଦନ୍ତ ଜାରି ଥିବା ବେଳେ ପ୍ରକୃତ ଚୋରଙ୍କୁ ଛାଡ଼ି ସାଧୁ ବାବାଙ୍କୁ ଧରିଥିଲା ମଞ୍ଚେଶ୍ୱର ଥାନା ପୋଲିସ ।

  • ଯାଜପୁର: ବିଶ୍ୱ ନିଶା ନିବାରଣ ଦିବସରେ ସଚେତନତାର ବାର୍ତ୍ତା

    ଯାଜପୁର: ବିଶ୍ୱ ନିଶା ନିବାରଣ ଦିବସରେ ସଚେତନତାର ବାର୍ତ୍ତା

    ଆଜି ସମଗ୍ର ବିଶ୍ୱରେ’ଆନ୍ତର୍ଜାତିକ ବେଆଇନ୍ ନିଶା ସେବନ ଓ ଅବୈଧ କାରବାର ନିରୋଧ ଦିବସ’ ପାଳନ କରାଯାଉଛି । ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲା ଅବକାରୀ ବିଭାଗ, ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଏହି ଦିବସକୁ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ।

    ଅନ୍ୟତମ ଅତିଥି ଭାବେ ଉପଜିଲ୍ଲାପାଳ ଗୋପିନାଥ କୁଅଁର ଏଥିରେ ଯୋଗ ଦେଇଥିଲେ । ସମାଜରେ ନିଶା କାରବାରକୁ ରୋକିବା ପାଇଁ ସମସ୍ତେ ଆହ୍ୱାନ କରିଛନ୍ତି । ଏଥିସହ ଏହାର ବ୍ୟବହାର ବନ୍ଦ କରିବା ପାଇଁ ଲୋକଙ୍କୁ କହିଛନ୍ତି ଗୋପିନାଥ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନା,ଅତିରିକ୍ତ ଶିକ୍ଷାଧିକାରୀ ପ୍ରମୁଖ ଯୋଗ ଦେଇ ନିଶାମୁକ୍ତ ସମାଜ ଗଠନ କରିବାକୁ ଆହ୍ୱାନ କରିଛନ୍ତି । ନିଶା କାରବାର ଯୋଗୁଁ ସମାଜରେ ଅପରାଧ ବଢୁଛି, ସବୁ ସମ୍ପର୍କ ଛିନ୍ନ ହେଉଛି, ଲୋକଙ୍କ ମଧ୍ୟରେ ଶତ୍ରୁତା ଦେଖାଦେଉଛି । ଅର୍ଥହାନୀ, ପାରିବାରିକ କଳହ ମଧ୍ୟ ସୃଷ୍ଟି ହେଉଛି । ତେଣୁ ଆମେ ସମସ୍ତେ ଏକାଠି ହୋଇ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଅତିଥିମାନେ କହିଛନ୍ତି ।

    ନିଶା କ’ଣ, ନିଶା ସେବନ କଲେ ଏହା କିପରି ଶରୀର ପାଇଁ କ୍ଷତିକାରକ ହୋଇଥାଏ ସେ ନେଇ ସଚେତନତା ବାର୍ତ୍ତା ଦିଆଯାଇଛି । କାର୍ଯ୍ୟକ୍ରମ ଶେଷରେ ଅନ୍ୱେଷଣ ଥିଏଟର ଗ୍ରୁପ ପକ୍ଷରୁ ଏକ ସଚେତନତା ନାଟକ ପରିବେଷଣ କରାଯାଇଥିଲା ।

  • ଅନ୍ଧାରୁଆ: ଆଖପାଖ ଗାଁରେ ହାତୀ ଆତଙ୍କ, ବନ ବିଭାଗର ଅବହେଳା ନେଇ ପ୍ରଶ୍ନ

    ଅନ୍ଧାରୁଆ: ଆଖପାଖ ଗାଁରେ ହାତୀ ଆତଙ୍କ, ବନ ବିଭାଗର ଅବହେଳା ନେଇ ପ୍ରଶ୍ନ

    ଅନ୍ଧାରୁଆରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଭରତପୁର ଜଙ୍ଗଲରୁ ଗୋଟିଏ ଦନ୍ତା ହାତୀ ଅନ୍ଧାରୁଆ ଓ ତାର ଆଖପାଖ ଗାଁରେ ପଶିଯିବାରୁ ଲୋକଙ୍କ ମନରେ କୋକୁଆ ଭୟ ଦେଖାଦେଇଛି । ରାତିରେ ହାତରେ ଟର୍ଚ୍ଚ ଧରି ଘଉଡ଼ାଇଥିଲେ ମଧ୍ୟ ହାତୀଟି ସ୍ଥାନୀୟ ଅଞ୍ଚଳରେ ଉତ୍ପାତ କରିଛି । ଧାନ ବିଲ, କଦଳୀ ବଗିଚା ଓ ଲୋକଙ୍କ ପନିପରିବା ଖାଇ ନଷ୍ଟ କରିଛି ।

    ଭରତପୁର ଜଙ୍ଗଲରୁ ବାହାରି ହାତୀଟି ଅନ୍ଧାରୁଆ ଗାଁ ନିକଟ ଏକ ପାଚେରି ନିକଟରେ ରହିଥିଲା । ତାକୁ ଘଉଡ଼ାଇବା ପାଇଁ ଲୋକେ ଉଦ୍ୟମ କରିଥିଲେ । ଏପରିକି ବାଣ ଫୁଟାଇଥିଲେ ମଧ୍ୟ ହାତୀଟି ଜଙ୍ଗଲ ଭିତରକୁ ଯାଇପାରିନଥିଲା । ସେଥିପାଇଁ ଖଣ୍ଡଗିରି-ଚନ୍ଦକା ରାସ୍ତାରେ ପ୍ରାୟ ଏକ ଘଣ୍ଟା ଯାଏ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଲୋକେ ହୋହଲ୍ଲା କରିବାରୁ ହାତୀଟି ଜଙ୍ଗଲ ଭିତରକୁ ଯିବା ପରିବର୍ତ୍ତେ ଅନ୍ଧାରୁଆ ଗାଁ ମୁହାଁ ହୋଇଥିଲା । ଏ ସମ୍ପର୍କରେ ବନ ବିଭାଗ କର୍ମଚାରୀଙ୍କୁ ସୂଚନା ଦିଆଯାଇଥିଲେ ସୁଦ୍ଧା କୌଣସି ବନ କର୍ମଚାରୀ ଘଟଣାସ୍ଥଳକୁ ଆସିନଥିଲେ । ଶେଷରେ ଟର୍ଚ୍ଚ ଧରି ଗାଁ ଲୋକେ ହିଁ ହାତୀଟିକୁ ରାସ୍ତା ପାର୍ କରାଇଥିଲେ ।

    ରାଜଧାନୀ ଭୁବନେଶ୍ୱରରେ ହାତୀ ପଶିବା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ସେହି ଅଞ୍ଚଳରେ ହାତୀ ପଶି ଉତ୍ପାତ କରିଛନ୍ତି । ୪ ଦିନ ପୂର୍ବେ ଚନ୍ଦକାରୁ ୩ଟିକିଆ ହାତୀ ପଲ ସହରମୁହାଁ ହୋଇଥିଲେ । ଶିଖରଚଣ୍ଡି ପାହାଡ଼ ତଳେ ତିନିଟି ହାତୀ ଉତ୍ପାତ କରିଥିବା ବେଳେ ପଥରଗାଡ଼ିଆ ନିକଟରେ ହାତୀପଲ ଲୋକଙ୍କ ଘର ନିକଟରେ ଯାଉଥିଲେ । ଏପରିକି ରାତିରେ ୨୦୦ ଫୁଟିଆ ରାସ୍ତା ପାର୍ ହେଉଥିବାରୁ ଗାଡ଼ି ଚାଳକମାନେ ଭୟଭୀତ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ଗୋଟିଏ ହାତୀ ଜନବସତି ମୁହାଁ ହୋଇଥିଲା । ଗୋଟିଏ ପଟେ ବନ କର୍ମଚାରୀ ଆନ୍ଦୋଳନରେ ଥିବାବେଳେ ହାତୀ ଘଉଡ଼ାଇବାକୁ ଆସୁନାହାଁନ୍ତି । ଅନ୍ୟପଟେ ହାତୀ ଉତ୍ପାତରେ ଲୋକେ ଭୟଭୀତ ହେଲେଣି । ଏଥିପ୍ରତି ବନ ବିଭାଗ ଦୃଷ୍ଟି ନଦେଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଗାଁ ଲୋକେ ଚେତାବନୀ ଦେଇଛନ୍ତି ।

  • ଯାଜପୁରରେ ନିଶା ନିବାରଣ ଦିବସ ପାଳିତ

    ଯାଜପୁରରେ ନିଶା ନିବାରଣ ଦିବସ ପାଳିତ

    ଆଜି ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ । ସମ୍ପ୍ରତି ସମାଜରେ ବଢି ଚାଲିଥିବା ନିଶା କାରବାର ବିଶ୍ବ ବ୍ୟାପୀ ସୃଷ୍ଟି କରିଛି ଉଦବେଗ। ଏହାକୁ ରୋକିବା ଦିଗରେ ଓ ନିଶା ବ୍ୟବହାରକୁ ବନ୍ଦ କରିବା କ୍ଷେତ୍ରରେ ସଚେତନତା ସୃଷ୍ଟି ପାଇଁ ନିଆଯାଉଛି ବିଭିନ୍ନ ପଦକ୍ଷେପ। ଏହି କ୍ରମରେ ଯାଜପୁରରେ ଆୟୋଜିତ ହୋଇଯାଇଛି ସଚେତନତା ଶୋଭାଯାତ୍ରା। ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରାକୁ ଉପ ଜିଲ୍ଲାପାଳ ଗୋପୀନାଥ କୁଅଁର ରାମ ମନ୍ଦିର ନିକଟରେ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ଏଥିରେ ଜିଲା ଅବକାରୀ ବିଭାଗ, ସାମାଜିକ ସୁରକ୍ଷା ବିଭାଗ ସମେତ ବିଭିନ୍ନ ସ୍କୁଲର ସ୍କାଉଟ ଓ ଗାଇଡ଼ମାନେ ଅଂଶଗ୍ରହଣ କରି ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ। ଏହି ଶୋଭାଯାତ୍ରା ପୁରା ଯାଜପୁର ସହର ପରିକ୍ରମା କରିବା ପରେ ସଂସ୍କୃତି ଭବନରେ ପହଞ୍ଚିଥିଲା।

    ନିଶା ନିବାରଣ ପାଇଁ ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପକୁ ଅଞ୍ଚଳବାସୀ ସ୍ବାଗତ କରିଛନ୍ତି। ଏପରି କାର୍ଯ୍ୟକ୍ରମ ଯୁବପିଢିଙ୍କୁ ନିଶାର ଭୟାବହତା ସମ୍ପର୍କରେ ଅବଗତ କରିବାରେ ସହାୟକ ହେବ ଓ ନିଶାଠାରୁ ସେମାନଙ୍କୁ ଦୂରେଇ ରଖିବ ବୋଲି ଆଶା କରାଯାଉଛି

  • ଦିଗପହଣ୍ଡି: ବସ୍ ଦୁର୍ଘଟଣାରେ ୧୨ ମୃତ, ପରିବାରକୁ ମିଳିବ ୩ ଲକ୍ଷ

    ଦିଗପହଣ୍ଡି: ବସ୍ ଦୁର୍ଘଟଣାରେ ୧୨ ମୃତ, ପରିବାରକୁ ମିଳିବ ୩ ଲକ୍ଷ

    ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଖେମୁଣ୍ଡି କଲେଜ ନିକଟରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି । ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁତର ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି ।

    ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁକ ଦୁର୍ଘଟଣା ଘଟିଥିଲା । OSRTC ବସ୍ ଓ ଘରୋଇ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା । ବ୍ରହ୍ମପୁରରୁ ବିବାହ ଭୋଜି ସାରି ଏକ ବସ୍‌ରେ ଖଣ୍ଡଦେଉଳି ଫେରୁଥିଲେ ବନ୍ଧୁବାନ୍ଧବ । ଠିକ୍ ଏତିକିବେଳେ ଏକ OSRTC ବସ୍‌ ଗୁଡ଼ାରୀରୁ ଭୁବନେଶ୍ୱର ଅଭିମୁଖେ ଫେରୁଥିଲା । ହେଲେ ଦୁର୍ଭାଗ୍ୟବଶତଃ ଖେମୁଣ୍ଡି କଲେଜ ନିକଟରେ ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣଙ୍କ ଜୀବନ ଚାଲିଗଲା । ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ ଥିବାବେଳେ ୪ ଜଣ ମହିଳା ଓ ୨ ଜଣ ଶିଶୁ ଅଛନ୍ତି ।

    ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଗୁରୁତର ହୋଇଥିଲେ । ଆମ୍ବୁଲାନ୍ସ ଓ ଦମକଳ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ସଙ୍ଗେସଙ୍ଗେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଘରୋଇ ବସ୍‌ରେ ୨୫ ଜଣ ଯାତ୍ରୀ ଥିବା ବେଳେ ଦୁର୍ଘଟଣାରେ ଦୁଇଟି ବସ୍ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଦୁର୍ଘଟଣାସ୍ଥଳକୁ ବ୍ରହ୍ମପୁର ଏସପି ଓ ତହସିଲଦାର ଯାଇ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ । ଆହତମାନଙ୍କ ଚିକିତ୍ସା ଜିଲ୍ଲା ପ୍ରଶାସନ ତତ୍ତ୍ବାବଧାନରେ ଚାଲିଥିବା ଏଆରସିଙ୍କ ପକ୍ଷରୁ କହାଯାଇଛି । ଏମକେସିଜି ମେଡିକାଲରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା,ବ୍ରହ୍ମପୁର ଏସପି, ବ୍ରହ୍ମପୁର ଉପଜିଲ୍ଲାପାଳ ପହଞ୍ଚି ଘଟଣାର ତଦାରଖ କରିଛନ୍ତି ।

    ସେପଟେ, ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଦୁର୍ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।