Blog

  • ଜନ୍ମବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ୩ ଠାକୁର, ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

    ଜନ୍ମବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ୩ ଠାକୁର, ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

    ଆଜି ବାହୁଡ଼ା ଯାତ୍ରାରେ ପୁରୀରେ ନାହିଁ ନଥିବା ଭିଡ଼ । ମହାପ୍ରଭୁଙ୍କ ଦର୍ଶନ କରି ଟିକିଏ ଆଶୀର୍ବାଦ ପାଇବା ପାଇଁ ଭିଡ଼ ଜମାଇଛନ୍ତି ଶ୍ରଦ୍ଧାଳୁ । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ମହାବାହୁ । ଶ୍ରୀମନ୍ଦିର ଅଭିମୁଖେ ଯିବେ ଚତୁର୍ଦ୍ଧା ବିଗ୍ରହ । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ତିନିରଥ ଅପେକ୍ଷାରେ ରହିଛି । ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ପରେ ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି ।

    ଧାଡ଼ି ପହଣ୍ଡିରେ ରଥରେ ବିଜେ ହୋଇଛନ୍ତି ବଡ଼ ଠାକୁର ପ୍ରଭୁ ବଳଭଦ୍ର । ଘଣ୍ଟଘଣ୍ଟା,ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ଶରଧାବାଲି । ଟାହିଆ ହଲାଇ ଶରଧାବାଲିରେ ଝୁଲିଝୁଲି ଆସିଛନ୍ତି ବଡ଼ ଠାକୁର । ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଶେଷ ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ଼ ଜମିଛି । ଆଜି ବାହୁଡ଼ା ଯାତ୍ରା ସରିବା ପରେ ପୁଣି ଥରେ ଆସନ୍ତା ବର୍ଷକୁ ଅପେକ୍ଷା କରିବାକୁ ପଡ଼ିବ ।

    ଏହି ବାହୁଡ଼ା ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଶ୍ରୀକ୍ଷେତ୍ରରେ ୧୮୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଟ୍ରାଫିକ ଓ ଶୃଙ୍ଖଳିତ ରଥଟଣା ଉପରେ ଫୋକସ କରିଛି ପ୍ରଶାସନ । ଜରୁରୀକାଳୀନ ସେବା ପାଇଁ ଗ୍ରୀନ୍ କରିଡର ବ୍ୟବସ୍ଥା ହୋଇଛି । ସୁନାବେଶରେ ମଧ୍ୟ ଭକ୍ତଙ୍କ ବେଶ୍ ସମାଗମ ହେବ । ଏହାକୁ ଲକ୍ଷ୍ୟ ରଖି ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ରଥଯାତ୍ରା ପରେ ବାହୁଡ଼ା ଯାତ୍ରା,ଆଉ ତାପରେ ସୁନାବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ ।

  • ବଦ୍ରିନାଥ ଧାମ ଆଖପାଖ ଅଞ୍ଚଳରେ ପାଳନ ହେବ ନାହିଁ ଇଦ୍

    ବଦ୍ରିନାଥ ଧାମ ଆଖପାଖ ଅଞ୍ଚଳରେ ପାଳନ ହେବ ନାହିଁ ଇଦ୍


    ଉତ୍ତରାଖଣ୍ଡର ବଦ୍ରିନାଥ ଧାମ ଆଖପାଖ ଅଞ୍ଚଳରେ ଇଦ୍ ପାଳନ ହେବ ନାହିଁ । ବଦ୍ରିନାଥ ଧାମରେ ପଣ୍ଡା ପୁରୋହିତଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆ ଯାଇଛି । ଏହି ଷ୍ପତ୍ତି ଅନୁସାରେ ଜୋଶିମଠ ଆଗରେ ଇଦ୍ ପାଳନ କରାଯିବ ନାହିଁ । ଗତ ବର୍ଷ ପର୍ଯ୍ୟନ୍ତ, ଏହା ବଦ୍ରିନାଥ ଧାମରେ ମଧ୍ୟ ପାଳନ କରାଯାଉଥିଲା, କିନ୍ତୁ ଏଥର ଶ୍ରୀ ବଦ୍ରିନାଥ ଧାମରେ ଇଦ୍ ଉଲ୍ ଜୁହା ପର୍ବ ପାଳନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ହିନ୍ଦୁ ସଂଗଠନ ବଦ୍ରିନାଥ ବ୍ୟାପାର ସଭା, ପଣ୍ଡା-ପୁରୋହିତ, ତିର୍ଥ ପୁରୋହିତ, ଧାମରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଠିକାଦାର ଏବଂ ଶ୍ରମିକମାନେ ଯୋଗ ଦେଇଥିଲେ । ଏହି ବୈଠକ ବଦ୍ରିନାଥ ପୋଲିସ ଷ୍ଟେସନରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପଣ୍ଡାଙ୍କ ସମ୍ପର୍କୀୟମାନେ ଦାବି କରିଥିଲେ ଯେ, ବଦ୍ରିନାଥ ଧାମରେ ଇଦ୍ ନମାଜ କରାଯିବା ଉଚିତ ନୁହେଁ । କାରଣ ଧାର୍ମିକ ବିଶ୍ୱାସ ଅନୁଯାୟୀ ଇଦ୍ ନମାଜ କରିବାର କୌଣସି ପରମ୍ପରା ନାହିଁ । ଏଭଳି ପରିସ୍ଥିତିରେ ପୋଲିସ ପ୍ରଶାସନ ଅଣ-ହିନ୍ଦୁମାନଙ୍କ ସହ କଥା ହେବା ପରେ ନମାଜ ପାଠ ନକରିବାକୁ ଦାବି କରିଥିଲା । ଯେଉଁଥିରେ ଅଣ-ହିନ୍ଦୁମାନେ ମଧ୍ୟ ସେମାନଙ୍କ ସମ୍ମତି ପ୍ରକାଶ କରିଥିଲେ ଏବଂ ବଦ୍ରିନାଥ ଧାମ ବାହାରେ ଆଗାମୀ ଇଦ୍ ପାଳନ ବିଷୟରେ ଆଲୋଚନା କରିଥିଲେ । ସମସ୍ତେ ସେମାନଙ୍କର ସମ୍ମତି ଦେଇଛନ୍ତି । ବୈଠକ ରେଜିଷ୍ଟରରେ ସମସ୍ତ ଅଣ-ହିନ୍ଦୁଙ୍କ ସହମତି ମଧ୍ୟ ପୋଲିସ ପ୍ରଶାସନ ରେକର୍ଡ କରିଛି । ପଣ୍ଡା ପୁରୋହିତ ପ୍ରବୀଣ ଧ୍ୟାନୀ କହିଛନ୍ତି ଯେ, ଗତ କିଛି ବର୍ଷ ଧରି ଅଣ ହିନ୍ଦୁମାନେ ବଦ୍ରିନାଥ ଧାମରେ ଗୁପ୍ତ ଭାବରେ ଇଦ୍ ପ୍ରାର୍ଥନା କରୁଥିଲେ । ଏହା ଉପରେ ହିନ୍ଦୁ ସଂଗଠନ ଗୁଡ଼ିକରେ ମଧ୍ୟ ଅସନ୍ତୋଷ ଦେଖାଦେଇଥିଲା, କିନ୍ତୁ ଏଥର ସମସ୍ତ ଲୋକ ଏହି ବିଷୟରେ ବୈଠକ କରି ଶାନ୍ତିପୂର୍ଣ୍ଣ ଭାବେ ଶାନ୍ତି ସ୍ଥାପନ କରିଛନ୍ତି ଏବଂ ଭବିଷ୍ୟତରେ ଜୋଶିମଠ ଠାରୁ ଆଗକୁ ଅନ୍ୟ କୌଣସି ସ୍ଥାନରେ ବଦ୍ରିନାଥ ଜାତୀୟ ରାଜପଥରେ ଇଦ୍ ଅନୁଷ୍ଠିତ ହେବ ନାହିଁ ।

  • କେନ୍ଦୁଝର: ଶୋଭାଯାତ୍ରା ଉପରେ ଚଢ଼ିଗଲା ଟ୍ରକ୍, ୬ ଜଣଙ୍କ ମୃତ୍ୟୁ, ୮ ଗୁରୁତର

    କେନ୍ଦୁଝର: ଶୋଭାଯାତ୍ରା ଉପରେ ଚଢ଼ିଗଲା ଟ୍ରକ୍, ୬ ଜଣଙ୍କ ମୃତ୍ୟୁ, ୮ ଗୁରୁତର

    କେନ୍ଦୁଝର ପୁରୁଣା ସହରର ଷଠିଘରସାହି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ୨୦ ନମ୍ବର ଜାତୀୟ ରାଜପଥରେ ବିବାହ ଶୋଭାଯାତ୍ରା ବେଳେ ବରଯାତ୍ରୀଙ୍କ ଉପରେ ଟ୍ରକ୍ ମାଡ଼ିଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି । ୮ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି ।

    ଷଠିଘରସାହିର କାର୍ତ୍ତିକ ପାତ୍ରଙ୍କ ଝିଅଙ୍କ ବାହାଘର ଥିବାରୁ ହରିଚନ୍ଦନପୁର ବ୍ଲକ ମାନପୁର ଗାଁରୁ ବରଯାତ୍ରୀ ଆସିଥିଲେ । ରାତି ପ୍ରାୟ ଗୋଟାଏ ବେଳେ ବରଯାତ୍ରୀ ଦଳ ଜାତୀୟ ରାଜପଥ ଉପରେ ରୋଷଣି କରି ଆସୁଥିଲେ । ବାଜା, ନାଚଗୀତର ତାଳେତାଳେ ହସଖୁସିରେ ନାଚୁଥିଲେ ବରଯାତ୍ରୀ । ହେଲେ ଭାଗ୍ୟର ବିଡ଼ମ୍ବନା, ଝିଅ ଘର ଠାରୁ ମାତ୍ର କିଛି ଦୂରରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ବରଯାତ୍ରୀଙ୍କ ଉପରେ ଟ୍ରକ୍ ମାଡ଼ିଯିବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଲା । ଅନ୍ୟ ଜଣେ ଚିକିତ୍ସିତ ଅବସ୍ଥାରେ ଜୀବନ ହାରିଲେ । ମୃତକମାନଙ୍କ ମଧ୍ୟରେ ମାନପୁର ଗାଁର ଜିତ୍ ପାତ୍ର,କାଳିଆ ମହାନ୍ତ,ଲକ୍ଷ୍ମୀପାଦ ଗାଁର ରଥି ମୁଣ୍ଡା,ଷଠିଘର ଗାଁର ଅମିତ ପାତ୍ର,ବିଶୁ ପାତ୍ର, କେଉଟ ସାହିର ପାପୁନ ଦେହୁରୀଙ୍କ ମୃତ୍ଯୁ ହୋଇଛି । ମୃତକଙ୍କ ମଧ୍ୟରେ ବରର ପୁତୁରା ଥିବା ବେଳେ ବରଯାତ୍ରୀ ଦଳର ଜଣେ ବ୍ୟକ୍ତି ରହିଛନ୍ତି । ଏହି ଦୁର୍ଘଟଣାରେ ଷଠିଘର ସାହିର ୩ ଜଣଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଅଗ୍ନିଶମ ବାହିନୀ ୯ ଗୁରୁତରଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ତେବେ ଅନ୍ୟ ଜଣଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।

    ଏଭଳି ଦୁର୍ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଓଭରବ୍ରିଜ ନିର୍ମାଣ ଦାବିରେ ସାହି ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ମୃତଦେହ ନେବାକୁ ଦିଆଯାଇନଥିଲା । ପୋଲିସ ଓ ତହସିଲଦାର ପହଞ୍ଚି ଲୋକଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଶେଷରେ ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଯାଇଛି । ଖୁସିର ଶୋଭାଯାତ୍ରା ଶେଷରେ ଶୋକଯାତ୍ରାରେ ପରିଣତ ହୋଇଥିଲା ।

  • ରାଜ୍ୟରେ କମିବ ବର୍ଷା ପରିମାଣ, ଦ୍ୱିତୀୟ ସପ୍ତାହରେ ପୁଣି ଲଘୁଚାପ !

    ରାଜ୍ୟରେ କମିବ ବର୍ଷା ପରିମାଣ, ଦ୍ୱିତୀୟ ସପ୍ତାହରେ ପୁଣି ଲଘୁଚାପ !

    ସକ୍ରିୟ ମୌସୁମୀ ବାୟୁ ପ୍ରବାହ ଯୋଗୁଁ ଗତ କିଛି ଦିନ ହେଲା ରାଜ୍ୟରେ ବର୍ଷା ଲାଗି ରହିଥିଲା । ଏବେ କିନ୍ତୁ ରାଜ୍ୟରେ ବର୍ଷା ପରିମାଣ କମିବ ବୋଲି ସୂଚନା ମିଳିଛି ।


    ଆସନ୍ତାକାଲି ମୟୂରଭଞ୍ଜ,ବାଲେଶ୍ୱର, ସୁନ୍ଦରଗଡ଼,ଝାରସୁଗୁଡ଼ା,କେନ୍ଦୁଝର ଆଦି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷିବ । ଏହି ବର୍ଷା ପରେ ରାଜ୍ୟରେ ପ୍ରାୟତଃ ପାଗ ଶୁଖିଲା ରହିବ । ଏ ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଧୀରେ ଧୀରେ ମୌସୁମୀ ବାୟୁ ଦୁର୍ବଳ ହୋଇଯିବା ସହ ବର୍ଷା ପରିମାଣ ହ୍ରାସ ପାଇବ । ତେଣୁ ରାଜ୍ୟରେ ପାଗ ଖରାଟିଆ ରହିବା ସହ ଦିନ ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି ଜଣାପଡ଼ିଛି ।

    ଜୁଲାଇ ୩ ଯାଏ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ଲଘୁଚାପ ପ୍ରଭାବରେ ଏଯାଏ ଭଲ ବର୍ଷା ହୋଇଥିବା ବେଳେ ଏବେ ଲଘୁଚାପ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ଓ ଉତ୍ତର ଭାରତରେ ପ୍ରବଳ ବର୍ଷା କରାଇବ ବୋଲି ସମ୍ଭାବନା ରହିଛି । ମୌସୁମୀ ପ୍ରଭାବରେ ଓଡ଼ିଶାରେ ବିଶେଷ ବର୍ଷା ହେବ ନାହିଁ । ଜୁଲାଇ ୩ ତାରିଖ ଯାଏ ରାଜ୍ୟରେ ମୌସୁମୀ ସକ୍ରିୟ ରହିବ ନାହିଁ । ସପ୍ତାହକ ମଧ୍ୟରେ ମାତ୍ର ୨୦ରୁ ୨୫ ମିମି ବର୍ଷା ହେବା ନେଇ ଆଶା ରହିଛି । ୨୯ ତାରିଖରୁ ତାପମାତ୍ରା ବଢ଼ିବାକୁ ଥିବାବେଳେ ପାଗ ଆଂଶିକ ମେଘୁଆ ଓ ଖରାଟିଆ ରହିବ । ଜୁଲାଇ ଦ୍ୱିତୀୟ ସପ୍ତାହରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାଦ୍ୱାରା ମୌସୁମୀ ପୁଣି ସକ୍ରିୟ ହୋଇଯିବ ।

  • ସରିଲା ଜନ୍ମବେଦୀରେ ଲୀଳାଖେଳା

    ସରିଲା ଜନ୍ମବେଦୀରେ ଲୀଳାଖେଳା

    ସରିଲା ଜନ୍ମବେଦୀରେ ଲୀଳାଖେଳା । ଆଜି ପୁଣି ରତ୍ନବେଦି ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଶ୍ରୀଜିଉମାନଙ୍କ ଅପେକ୍ଷାରେ ଦଣ୍ଡାୟମାନ ହୋଇଛନ୍ତି ତିନି ରଥ। ବାହୁଡ଼ା ଯାତ୍ରା ପାଇଁ ହୋଇଛି ନୀତିନିର୍ଘଣ୍ଟ । ଭୋର ୪ଟାରୁ ମଙ୍ଗଳ ଆଳତି କରାଯାଇଥିବାବେଳେ ୫ଟା୪୫ରୁ ୬ଟା ୪୫ ମଧ୍ୟରେ ହୋଇଛି ଗୋପାଳ ବଲ୍ଲଭ ଓ ସକାଳ ଧୂପ । ମଧ୍ୟାହ୍ନ ୧୨ଟାରୁ ସାଢେ ୨ଟା ମଧ୍ୟରେ ହେବ ବାହୁଡା ପହଣ୍ଡି । ଦିନ ଗୋଟାଏରୁ ସାଢେ ୨ଟା ମଧ୍ୟରେ ଶେଷ ହେବ ବେଶ । ପରେ ଅପରାହ୍ନ ସାଢେ ୨.୩୦ଟାରୁ ୩ଟା ୩୦ମଧ୍ୟରେ ଛେରା ପହଁରା କରାଯାଇ ଅପରାହ୍ନ ୪ଟାରୁ ଆରମ୍ଭ ହେବ ରଥଟଣା ।ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ବାହୁଡ଼ାଯାତ୍ରାରେ ଶୃଙ୍ଖଳିତ ନୀତିକାନ୍ତିକୁ ଶ୍ରୀମନ୍ଦିର ପ୍ରଶାସନ ଅଧିକ ଗୁରୁତ୍ୱ ଦେଇଛି। ସେହିପରି ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା କୁ ଆଖିଆଗରେ ରଖି ୧୮୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଏବଂ ଜରୁରୀକାଳୀନ ସେବା ପାଇଁ ଗ୍ରୀନ କରିଡର ବ୍ୟବସ୍ଥା ହୋଇଛି ।