Blog

  • ବାହୁଡ଼ା’ରେ ତାଳଧ୍ୱଜ ରଥ ଦଉଡ଼ି ଛିଣ୍ଡି ଦଳାଚକଟା ପରିସ୍ଥିତି, ଏକାଧିକ ଗୁରୁତର

    ବାହୁଡ଼ା’ରେ ତାଳଧ୍ୱଜ ରଥ ଦଉଡ଼ି ଛିଣ୍ଡି ଦଳାଚକଟା ପରିସ୍ଥିତି, ଏକାଧିକ ଗୁରୁତର

    ବାହୁଡ଼ାଯାତ୍ରାରେ ରଥଟଣାବେଳେ ବିଶୃଙ୍ଖଳା ଦେଖିବାକୁ ମିଳିଛି । ତାଳଧ୍ବଜ ରଥ ଦଉଡ଼ି ଛିଣ୍ଡି ଜଣେ ଭୋଇ ସେବକଙ୍କ ସମେତ ୮ ଜଣ ଗୁରୁତର ହୋଇଛନ୍ତି । ଗତ କିଛି ବର୍ଷ ଧରି କୌଣସି ରଥର ଦଉଡ଼ି ଛିଣ୍ଡି ନଥିବା ବେଳେ ଏବର୍ଷ ଏହି ଦଉଡ଼ି ଛିଣ୍ଡିଯାଇଥିଲା । ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଳଧ୍ୱଜ ରଥ ଦଉଡ଼ିକୁ ଭୋଇ ସେବାୟତମାନେ ତାଣରେ ବାନ୍ଧିଥିଲେ ।

    ମାତ୍ର ତାଳଧ୍ୱଜ ରଥ ମାର୍କେଟ ଛକରେ ପହଞ୍ଚିବା ପରେ ଏହି ରଥ ଦଉଡ଼ିଟି ତାଣରୁ ଖସିଯାଇଥିଲା । ରଥ ଦଉଡ଼ି ଧରିଥିବା ଭୋଇ ସେବାୟତ ନକୁଳ ଭୋଇଙ୍କ ସମେତ ଆଉ କିଛି ଭକ୍ତ ତଳେ ପଡ଼ି ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ନକୁଳ ଗୁରୁତର ଆହତ ହୋଇଥିଲେ । ଏହାପୂର୍ବରୁ ବଳଗଣ୍ଡି ଛକରେ ତାଳଧ୍ୱଜ ରଥ ଦଉଡ଼ି ଛିଣ୍ଡି ଯାଇଥିଲା । ଏଥିରେ ୬ ଜଣ ମଧ୍ୟ ଗୁରୁତର ଆହତ ହୋଇଥିଲେ । ସଦର ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କୁ ଭର୍ତ୍ତି କରାଯାଇଥିଲା ।

    ରଥଟଣା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସମ୍ମୁଖରେ ଦଳାଚକଟା ପରିସ୍ଥିତି ଦେଖିବାକୁ ମିଳିଥିଲା । ଝାରସୁଗୁଡ଼ାର ସସ୍ମିତା ନାମକ ଜଣେ ଯୁବତୀ ଗୁରୁତର ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସସ୍ମିତାଙ୍କ ସମ୍ମୁଖରେ ଥିବା ଜଣେ ଭକ୍ତ ପଡ଼ିଯିବାରୁ ସେ ମଧ୍ୟ ତାଙ୍କ ଉପରେ ଝୁଣ୍ଟି ବଡ଼ଦାଣ୍ଡରେ ପଡ଼ି ଯାଇଥିଲେ । ଫଳରେ ରଥ ଟାଣୁଥିବା ଭକ୍ତମାନେ ତାଙ୍କୁ ଦଳିଚକଟି ଆଗକୁ ମାଡ଼ି ଯାଇଥିଲେ । ସସ୍ମିତାଙ୍କ ମୁହଁ, ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା ।

    ବାହୁଡ଼ାଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହେବା ପରେ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ଥିବାରୁ ତାମଜାନ ଆସି କୁମ୍ଭକାର ନିଯୋଗ ସମ୍ମୁଖରେ ରଖାଯାଇଥିଲା । ଗଜପତିଙ୍କୁ ତାମଜାନରେ ବସାଇ ତିନି ରଥ ନିକଟକୁ ନିଆଯାଉଥିବା ବେଳେ ତାମଜାନର ରୂପା ଚକ୍ର ବାଜି ଶ୍ରୀନହର ସେବାୟତ ରଜନୀକାନ୍ତ ପରିଡ଼ା ଆହତ ହୋଇଥିଲେ । ତାଙ୍କ ମୁଣ୍ଡ ଫାଟି ଯାଇଥିବାରୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

    ଚଳିତଥର ବାହୁଡ଼ାଯାତ୍ରାରେ ଏଭଳି ଅଘଟଣକୁ ନେଇ ଭକ୍ତଙ୍କ ମନରେ ସାମାନ୍ୟ ଅସନ୍ତୋଷ ଦେଖାଦେଇଥିଲା । ଆଜି ମହାପ୍ରଭୁଙ୍କ ସୁନବେଶ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଜମିଛି ।

  • ଝାରପଡ଼ା: ଗୁଳିକାଣ୍ଡ ଘଟଣାରେ ୨ ଗିରଫ, ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଟିମ୍ ଗଠନ

    ଝାରପଡ଼ା: ଗୁଳିକାଣ୍ଡ ଘଟଣାରେ ୨ ଗିରଫ, ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଟିମ୍ ଗଠନ

    ଭୁବନେଶ୍ୱର ଝାରପଡ଼ା ଗୁଳିକାଣ୍ଡ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଅଟକ ଅଭିଯୁକ୍ତମାନଙ୍କୁ ପଚରାଉଚୁରା କରିବା ପରେ ପୋଲିସ ସେମାନଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି ବୋଲି ପ୍ରେସମିଟରେ କହିଛନ୍ତି ଡିସିପି ।

    ପୋଲିସର ସୂଚନା ଅନୁସାରେ ସାମାନ୍ୟ ବଚସାରୁ ରାଜଧାନୀର ଝାରପଡ଼ାରେ ଗୁଳିକାଣ୍ଡ ଘଟିଥିଲା । ଗତକାଲି ଝାରପଡ଼ା ଜଗନ୍ନାଥନଗର ଲେନ୍ ୱାନ ପ୍ରଜାପତି ମଣ୍ଡପରେ ବିବାହ ଭୋଜିର ଆୟୋଜନ ହୋଇଥିଲା । ସେଠାରେ ଭୋଜି ଖାଇ ରିଙ୍କୁ ଜେନା ଏକ କାରରେ ଫେରୁଥିଲେ । ଅନ୍ୟ ଏକ କାରରେ ଥିଲେ ପ୍ରଭାତ ମାର୍ଥା ନାମକ ଯୁବକ । ଗାଡ଼ି ସାଇଡ୍ କରିବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

    ଯୁକ୍ତିତର୍କ ପରେ ପ୍ରଭାତ ଏବଂ ତାଙ୍କର ଅନ୍ୟ ୩ ସହଯୋଗୀ ଗୁଳିମାଡ଼ କରିଥିଲେ । ୨ଟି ବନ୍ଧୁକରୁ ୧୨ ରାଉଣ୍ଡ ଫାୟାରିଂ ପରେ ଗୁରୁତର ହୋଇଥିଲେ ରିଙ୍କୁ ଏବଂ ତାଙ୍କ ବାପା ଶିଖର ଜେନା । ଶିଖରଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ପୁଅ ରିଙ୍କୁଙ୍କ ଡାହାଣ ଗୋଡ଼ରେ ଲାଗିଥିଲା ଆଘାତ । ଚିକିତ୍ସା ପାଇଁ ବାପାପୁଅ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

    ଘଟଣାରେ ପୋଲିସ ରାଜା ସାହୁ ଓ ଦିବାକର କଳସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଦିବାକର ସେନାରୁ ଅବସର ନେଇ ପ୍ରଭାତର ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ କରୁଥିବା କହିଛି ପୋଲିସ । ହେଲେ ଚମ୍ପଟ ମାରିଥିଲେ ମୁଖ୍ୟ ଅଭିଯୁକ୍ତ ପ୍ରଭାତ ଓ ଅନ୍ୟ ଜଣେ ସହଯୋଗୀ ।

    ସେମାନଙ୍କୁ ଧରିବା ପାଇଁ ଜଣେ ଏସିପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି । ଏଥିସହ ଘଟଣାସ୍ଥଳରୁ ୨ଟି ବନ୍ଧୁକ ଓ ୯ଟି ଖୋକା ଜବତ କରାଯାଇଥିବା କହିଛନ୍ତି ଡିସିପି ।

  • ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ

    ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ

    ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ପାଇଁ ଆଧାର ପ୍ରମାଣୀକରଣକୁ ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର । ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ପାଇଁ ଆଧାରକୁ ଏବେ ବାଧ୍ୟତାମୂଳକ କରାଯାଇନାହିଁ । ଏହାକୁ ସ୍ୱେଚ୍ଛାକୃତ ରଖାଯାଇଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

    ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ପାଇଁ ଆଧାର’ର ସ୍ୱେଚ୍ଛାକୃତ ବ୍ୟବହାର କରିବାକୁ ରେଜିଷ୍ଟ୍ରାର ଜେନେରାଲଙ୍କ ଅଫିସକୁ ଅନୁମୋଦନ ଦେଇଛନ୍ତି କେନ୍ଦ୍ର ସରକାର । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରାଯାଇଛି । ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟ ସହିତ ଜନଗଣନା କମିଶନର ଏଭଳି ପଞ୍ଜୀକରଣ କରିପାରିବେ କିମ୍ବା ଆଧାର ପ୍ରମାଣୀକରଣ ମଧ୍ୟ ଗ୍ରହଣ କରିପାରିବେ ବୋଲି ଏଥିରେ ଉଲ୍ଲେଖ ରହିଛି ।

    ଦେଶର ପ୍ରତି ନାଗରିକଙ୍କୁ ଉତ୍ତମ ସେବା ଯୋଗାଇବା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏହାଦ୍ୱାରା ଭାରତୀୟମାନେ ଉନ୍ନତ ଜୀବନଯାପନ କରିପାରିବେ । ଆଧାର ପ୍ରଦାନକାରୀ ସଂସ୍ଥା UIDAI ଲୋକମାନଙ୍କୁ ମୋବାଇଲ ନମ୍ବର ସହ ଆଧାର ଲିଙ୍କ୍ କରିବାକୁ ପ୍ରୋତ୍ସାହିତ କରୁଛି । ଦେଶର ସବୁ ଲୋକ ଉନ୍ନତ ଉପାୟରେ ସାମାଜିକ କଲ୍ୟାଣ ସେବାର ଲାଭ ଉଠାଇପାରିବେ ବୋଲି ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।

  • ପ୍ରଶାନ୍ତଙ୍କୁ ରିମାଣ୍ଡରେ ନେଲା ଭିଜିଲାନ୍ସ, ଖୋଳତାଡ଼ କରୁଛି ଟିମ୍

    ପ୍ରଶାନ୍ତଙ୍କୁ ରିମାଣ୍ଡରେ ନେଲା ଭିଜିଲାନ୍ସ, ଖୋଳତାଡ଼ କରୁଛି ଟିମ୍

    ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବିଚାର ବିଭାଗୀୟ ହାଜତରେ ଥିବା ପ୍ରଶାନ୍ତଙ୍କ ଠାରୁ ଅଧିକ ତଥ୍ୟ ହାସଲ କରାଯିବ । ସେଥିପାଇଁ ତାଙ୍କୁ ଏବେ ରିମାଣ୍ଡରେ ନେଇଛି ଭିଜିଲାନ୍ସ ଟିମ୍ ।

    ପ୍ରଶାନ୍ତ ରାଉତଙ୍କ ପାଇଁ ଅଡୁଆ ବଢୁଛି । ତାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ । ଘର, ଅଫିସ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ମୋଟ ୫ କୋଟି ୨୧ ଲକ୍ଷ ୯ ହଜାର ୬୫୯ ଟଙ୍କା ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରିଥିଲେ ଭିଜିଲାନ୍ସ ଅଧିକାରୀ । ନଗଦ ୩ କୋଟି ୨ ଲକ୍ଷ ଟଙ୍କା,ବ୍ୟାଙ୍କ ଓ ଇନ୍ସ୍ୟୁରାନ୍ସ ଡିପୋଜିଟ ବାବଦରେ ୯୨ ଲକ୍ଷ ୩୪ ହଜାର ଟଙ୍କାର ତଥ୍ୟ ମିଳିଥିଲା । ସେହିପରି ତାଙ୍କ ନାଁରେ ୫ଟି ପ୍ଲଟ୍ ରହିଛି । ୩୭ ଲକ୍ଷ ଟଙ୍କାର ଯାନବାହନ, ୨୧ ଲକ୍ଷ ୩୫ ହଜାର ଟଙ୍କାର ସୁନା ଗହଣା ଜବତ କରାଯାଇଥିଲା । ଦୁଇ ପିଲାଙ୍କ ପାଠପଢ଼ା ବାବଦରେ ସେ ଖର୍ଚ୍ଚ କରିଛନ୍ତି ୮୭ ଲକ୍ଷ ଟଙ୍କା ।

    ସେପଟେ ବେନାମୀ ଆକାଉଣ୍ଟ କରି ଟଙ୍କା କାରବାର କରୁଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି । ନଗଦ ୩ କୋଟି ୨ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ବିଭାଗ । ପ୍ରଶାନ୍ତ ରାଉତ ନିଜ ଆୟ ଠାରୁ ୫୦୬ ପ୍ରତିଶତ ଅଧିକ ସମ୍ପତ୍ତି ରଖିଥିଲେ । ଦୀର୍ଘ ୨୦ ଘଣ୍ଟାର ମାରାଥନ୍ ରେଡ୍ କରିଥିଲା ଟିମ୍ । ଠାବ ସମ୍ପତ୍ତି ନେଇ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବା ପରେ ଶେଷରେ ତାଙ୍କୁ ଗିରଫ କରାଯାଇଥିଲା । ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ପରେ ଜାମିନ ଖାରଜ ହୋଇଥିଲା । ଶେଷରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା ।

    ବେଆଇନ୍ ଭାବେ ସମ୍ପତ୍ତି ଠୁଳ କରିବା ଘଟଣାକୁ ନେଇ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ରାଜ୍ୟ ସରକାର । ଏବେ ଘଟଣାର ଖୋଳତାଡ଼ ଜାରି ରହିଛି । ଆଜିଠାରୁ ପ୍ରଶାନ୍ତ ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ ବିଭାଗ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଧିକ ତଥ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ।