Blog

  • ଅସଦାଚରଣ ବ୍ୟବହାର ଯୋଗୁ ଗଲା ଜୀବନ

    ଅସଦାଚରଣ ବ୍ୟବହାର ଯୋଗୁ ଗଲା ଜୀବନ

    ଝାରସୁଗୁଡ଼ାରେ ଚାଞ୍ଚଲ୍ୟ । ଝାରସୁଗୁଡା ସଦର ଥାନା ଅଂଚଳରେ ଶନିବାର ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯିବା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ରବିବାର ସହରରେ ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି I କୌଣସି ଘଟଣାକୁ କେନ୍ଦ୍ର କରି ମାଂସ ଦୋକାନୀଙ୍କୁ ପିଟିପିଟି ମାରିଦେଲେ ମହିଳା ।

    ସୂଚନା ଅନୁସାରେ ,ଝାରସୁଗୁଡା ଅଫିସ ନିକଟରେ କୈଳାସଙ୍କ ଏକ ମାଂସ ଦୋକାନ ରହିଛି I ଶନିବାର ପଡ଼ାର ଜଣେ ବ୍ୟକ୍ତିଙ୍କ ସହ କୈଳାସଙ୍କର ବଚସା ହୋଇଥିଲା I ଏହି ଘଟଣାକୁ କେନ୍ଦ୍ର କରି ଗତକାଲି ସେ ଦୋକାନ ବନ୍ଦ କରି ଘରକୁ ଯାଉଥିବା ବେଳେ କିଛି ମହିଳା ତାଙ୍କୁ ଅଟକାଇ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

    ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ରେଫର କରାଯାଇଥିଲା । ସ୍ଥାନାନ୍ତର ପୂର୍ବରୁ ସିଟି ସ୍କାନ ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଝାରସୁଗୁଡ଼ା ପୋଲିସ ହତ୍ୟା ମାମଲା ରୁଜୁ କରି ମୃତଦେହ ଜବତ କରିଛି । ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ । ତେବେ ଏହି ଘଟଣାଟି ଏକ ଅସଦାଚରଣ ଅଭିଯୋଗକୁ କେନ୍ଦ୍ର କରି ଘଟିଥିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ କୁହାଯାଇଛି ।

  • ଆଜିଠାରୁ ଆରମ୍ଭ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା

    ଆଜିଠାରୁ ଆରମ୍ଭ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା

    ଆଜିଠାରୁ ଆରମ୍ଭ ହେଉଛି ମାଧ୍ୟମିକ ଶିକ୍ଷା ପରିଷଦ(‌ବୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା।ସକାଳ ୯ଟାରୁ ୧୧ଟା ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ତାପରେ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହା ଜୁଲାଇ ୩ତାରିଖରୁ ଜୁଲାଇ ୮ତାରିଖ ପର୍ଯ୍ୟନ୍ତ ରାଜ୍ୟର ୮୦ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେଉଛି। ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ୧୩୧୧ ଜଣ ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫ‌ିକେଟ୍ ପରୀକ୍ଷା ପାଇଁ ୮୯୧୫ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଛନ୍ତି। ଆଜି ସକାଳୁ ପରୀକ୍ଷାର୍ଥୀମାନେ ଶୃଙ୍ଖଳିତ ଢଙ୍ଗରେ ଆସି ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଛି।| ଉଭୟ ସପ୍ଲିମେଣ୍ଟାରି ଓ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ବୋର୍ଡ ୱେବ୍‌ସାଇଟ୍ www.bseodisha.ac.in ରେ ଉପଲବ୍ଧ ହୋଇଛି। ବିଦ୍ୟାଳୟର ମୁଖ୍ୟମାନେ ନିଜ ନିଜ ଛାତ୍ରଛାତ୍ରୀଙ୍କ ଆଡ୍‌ମିଟ୍ କାର୍ଡକୁ ଡାଉନ୍‌ଲୋଡ୍‌ କରି ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରିସାରିଛନ୍ତି।

  • କେନ୍ଦୁଝର: ନେଲୁଙ୍ଗ ହୁଡ଼ିରେ ଭାଲୁଙ୍କ ଗହଣରେ ବିତୁଛି ବାବୁ’ଙ୍କ ଜୀବନ

    କେନ୍ଦୁଝର: ନେଲୁଙ୍ଗ ହୁଡ଼ିରେ ଭାଲୁଙ୍କ ଗହଣରେ ବିତୁଛି ବାବୁ’ଙ୍କ ଜୀବନ

    କେମିତି ଲାଗିବ ବନ୍ୟଜନ୍ତୁ, ହିଂସ୍ରଜନ୍ତୁଙ୍କ ସମ୍ପର୍କରେ ଆଲୋଚନା କଲେ । ମନରେ, ହୃଦୟରେ ସୃଷ୍ଟି ହେବ କମ୍ପନ । ଭୟର ବାତାବରଣ ସୃଷ୍ଟି ହେବ । ଲୋକେ ଭୟଭୀତ ହେବେ । କିନ୍ତୁ ବେଳେ ବେଳେ ଏମିତି ଚିତ୍ର ଆସେ ଯାହା ମଣିଷକୁ ଚିନ୍ତାରେ ପକାଏ । ମଣିଷ ଓ ହିଂସ୍ରଜନ୍ତୁଙ୍କ ମଧ୍ୟରେ ସମ୍ପର୍କର ଡୋରି ଯାହା ଆମର ମାନସିକତାରେ ପରିବର୍ତ୍ତନ ଆଣେ । କେଉଁଠି ହାତୀ-ମଣିଷର ସମ୍ପର୍କ ତ କେଉଁଠି ମଣିଷ-ବାଘର ସମ୍ପର୍କ ଦେଖିବାକୁ ମିଳେ । ମଣିଷ-ଭାଲୁ ସମ୍ପର୍କ ଆଉ ଟିକେ ମଜାଦାର ହୋଇଥାଏ । ପାହାଡ଼, ଜଙ୍ଗଲ ଭଳି ପରିବେଶକୁ ଭଲ ପାଇ, ପଶୁପକ୍ଷୀଙ୍କ ଗହଣରେ ଜୀବନ ବିତାଇବା ଟିକେ ନିଆରା । ଆଜି କେନ୍ଦୁଝର ଜିଲ୍ଲା ନେଲୁଙ୍ଗ ଗାଁ ନିକଟରେ ଥିବା ନେଲୁଙ୍ଗ ହୁଡ଼ି ପାହାଡ଼କୁ ଯିବା, ଆଉ ଦେଖିବା ଭିନ୍ନ ଏକ ମଣିଷର ଚିତ୍ର ।

    ନେଲୁଙ୍ଗର ମୋଗଲି । ବାବୁ ଓରଫ ସାଗର । କେନ୍ଦୁଝର ଜିଲ୍ଲା ନେଲୁଙ୍ଗ ଗାଁର ବାବୁ ନାଏକ । ବାପାଙ୍କ ମୃତ୍ୟୁ ପରେ ଗାଁ ମୋହ ତୁଟାଇ ନିକଟସ୍ଥ ପାହାଡ଼ରେ କଟୁଛି ଜୀବନ । ବନ୍ୟଜନ୍ତୁଙ୍କ ଗହଣରେ ନେଲୁଙ୍ଗ ହୁଡ଼ିରେ ଦୁଇ ବର୍ଷରୁ ଅଧିକ ସମୟ ହେଲା ଜୀବନ ବିତାଉଛନ୍ତି ବାବୁ । ପାହାଡ଼ର ଏକ ଗୁମ୍ପା ମଧ୍ୟରେ ସେ ରୁହନ୍ତି ଯାହାର ଅତି ନିକଟରେ ରହିଛି ଭାଲୁଙ୍କ ଗୁମ୍ପା । ଭାଲୁଙ୍କ ଯାଆସ ଲାଗି ରହେ ହେଲେ ବାବୁଙ୍କୁ ଆକ୍ରମଣ କରନ୍ତି ନାହିଁ । ଗାଁ ଭିତରକୁ ଅନେକ ଥର ଭାଲୁ ପଲ ପଶିଛନ୍ତି । ଗାଁ ଲୋକେ ଗୋଡ଼ାଇବାରୁ ପୁଣି ନିଜ ଗୁମ୍ପାକୁ ଫେରି ଆସିଛନ୍ତି । ହେଲେ ପାହାଡ଼ିଆ ମଣିଷ ବାବୁକୁ କେବେ ବି ଆକ୍ରମଣ କରିନାହାଁନ୍ତି ।

    ହିଂସ୍ର ଜନ୍ତୁଙ୍କ ଭୟରେ ଲୋକେ ନେଲୁଙ୍ଗ ହୁଡ଼ିକୁ ଯାଆନ୍ତି ନାହଁ । ଭାଲୁଙ୍କ ଚଳପ୍ରଚଳ ଅଧିକ ଥିଲେ ହେଁ ସେଠାରେ ଜୀବନ ବିତାଇ ଚାଲିଛନ୍ତି ବାବୁ । ୩ ବର୍ଷ ପୂର୍ବେ ବାପାଙ୍କ ମୃତ୍ୟୁ ପରେ ତାଙ୍କୁ ସାଂସାରିକ ଜୀବନ ଭଲ ଲାଗିନଥିଲା । ସେ ଲୋଭ, ମୋହ, ମାୟା ଠାରୁ ଦୂରେଇ ଯାଇ ପାହାଡ଼ରେ ରହୁଛନ୍ତି । ପଶୁପକ୍ଷୀଙ୍କୁ ଭଲ ପାଇ ନେଲୁଙ୍ଗର ମୋଗଲି ଭାବେ ପରିଚୟ ପାଇଛନ୍ତି । ପ୍ରତି ଦୁଇ ଦିନରେ ମା’ଖାଇବାକୁ ନେଇ ଦେଇଥାନ୍ତି । ସେତିକି ହିଁ ମା’-ପୁଅର ସମ୍ପର୍କ ।

    ନେଲୁଙ୍ଗ ହୁଡ଼ିରେ ଭାଲୁ ଅଧିକ ଥିବାବେଳେ ଜୀବନ ପ୍ରତି ବିପଦ ରହିଛି । ଖରାଦିନେ ନିଆଁ ଲାଗିବାର ଆଶଙ୍କା ବି ରହୁଛି । ଏଭଳି ଥରେ ନିଆଁ ଲାଗିଥିବା ବେଳେ ବନ ଟିମ୍ ପହଞ୍ଚିଥିଲା । ବାବୁଙ୍କୁ ଗାଁକୁ ଫେରିବାକୁ ଅନୁରୋଧ କରାଯାଇଥିଲେ ସୁଦ୍ଧା ସେ ଫେରିବାକୁ ନାରାଜ ବୋଲି କହିଛନ୍ତି ଫରେଷ୍ଟଗାର୍ଡ ।


  • ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ନୋ ଫ୍ଲାଇଙ୍ଗ ଜୋନରେ ଡ୍ରୋନ୍

    ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ନୋ ଫ୍ଲାଇଙ୍ଗ ଜୋନରେ ଡ୍ରୋନ୍

    ନୂଆଦିଲ୍ଲୀର ଉଚ୍ଚ ସୁରକ୍ଷା ଏବଂ ନୋ-ଫ୍ଲାଇଙ୍ଗ୍ ଜୋନରେ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଡ୍ରୋନ୍ ଉଡିବା ଏବଂ ପିସିଆର କୁ ତୁରନ୍ତ ଖବର ଜଣାଇବା ଆଲୋଡ଼ନ ସୃଷ୍ଟି କରିଛି। ସୂଚନାନୁସାରେ, ସୋମବାର (ଜୁଲାଇ ୩) ଭୋର ୫ଟା ସମୟରେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ କିଛି ଉଡ଼ିବା ଦେଖିବା ପରେ କଲ କରିଥିଲେ, ଯାହା ପରେ ସୁରକ୍ଷା ଏଜେନ୍ସି ଏବଂ ପୋଲିସକୁ ସତର୍କ କରାଯାଇଥିଲା।

    ସୂଚନା ପରେ, ଏସପିଜି ତଦନ୍ତ ଆରମ୍ଭ କରିଥିଲେ କିନ୍ତୁ ଏହି ସମୟରେ ସେପରି କିଛି ମିଳିବାର ଦେଖାଯାଇନଥିଲା , ଯାହା ଫଳରେ ସମସ୍ତେ ଦୀର୍ଘ ନିଶ୍ୱାସ ନେବା ସହ ଆଶ୍ବସ୍ତି ପାଇଥିଲେ । ଦିଲ୍ଲୀ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ଲୋକ କଲ୍ୟାଣ ମାର୍ଗରେ ଅବସ୍ଥିତ ଏବଂ ସମଗ୍ର ଅଞ୍ଚଳ ନୋ ଫ୍ଲାଇଙ୍ଗ ଜୋନ୍ ଅନ୍ତର୍ଗତ ।

    ଦିଲ୍ଲୀ ପୋଲିସ ଏକ ବିବୃତ୍ତି ଜାରି କରି କହିଛି ଯେ ଅନୁସନ୍ଧାନ ବେଳେ ଏୟାର ଟ୍ରାଫିକ ନିୟନ୍ତ୍ରଣ (ଏଟିସି) ର ସହଯୋଗ ମଧ୍ୟ ନିଆଯାଇଛି। ବିବୃତ୍ତିରେ କୁହାଯାଇଛି ଯେ, “ନୂଆଦିଲ୍ଲୀ ଜିଲ୍ଲା (ଏନଡିଏ) ର କଣ୍ଟ୍ରୋଲ ରୁମକୁ ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ଏକ ଅଜଣା ବସ୍ତୁ ବିଷୟରେ ସୂଚନା ମିଳିଥିଲା ​​।

    ଆଖପାଖ ଅଞ୍ଚଳରେ ଅନେକ ଖୋଳତାଡ କରାଯାଇଥିଲା କିନ୍ତୁ ସେପରି କିଛି ମିଳିଲା ନାହିଁ । ଏୟାର ଟ୍ରାଫିକ କଣ୍ଟ୍ରୋଲ ରୁମ (ଏଟିସି) କୁ ମଧ୍ୟ ଯୋଗାଯୋଗ କରାଯାଇଥିଲା, ସେମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ଏପରି ଫ୍ଲାଇଙ୍ଗ ବସ୍ତୁ ମିଳିନଥିଲା ।

  • ଭୁବନେଶ୍ୱରକୁ ଜିଲ୍ଲା ମାନ୍ୟତା କେବେ ? ଆନ୍ଦୋଳନ ଜୋରଦାର କରିବାକୁ ଆହ୍ୱାନ

    ଭୁବନେଶ୍ୱରକୁ ଜିଲ୍ଲା ମାନ୍ୟତା କେବେ ? ଆନ୍ଦୋଳନ ଜୋରଦାର କରିବାକୁ ଆହ୍ୱାନ

    ଭୁବନେଶ୍ୱର ହେବ ଏକ ସ୍ୱତନ୍ତ୍ର ଜିଲ୍ଲା । ଭୁବନେଶ୍ୱରକୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବି ଜୋର ଧରିଛି । ଏ ନେଇ ବରିମୁଣ୍ଡର ଲକ୍ଷେଶ୍ୱର ମହାଦେବ ମନ୍ଦିର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୦ରୁ ଅଧିକ ସଦସ୍ୟ ଯୋଗ ଦେଇ ଜିଲ୍ଲା ମାନ୍ୟତା ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି ।

    ରାଜଧାନୀ ଭୁବନେଶ୍ୱରରେ ଲୋକସଂଖ୍ୟା ବଢୁଛି । ଯାନବାହନ ଚଳାଚଳ ବୃଦ୍ଧି ପାଇଥିବା ବେଳେ ଘରଦ୍ୱାର,କାରଖାନା ମଧ୍ୟ ବଢ଼ୁଛି । ବିଭିନ୍ନ ସରକାରୀ କାର୍ଯ୍ୟାଳୟର ମରାମତି ହୋଇଥିବା ବେଳେ ନୂତନ ଭାବେ ଅଫିସ ବି ନିର୍ମିତ ହୋଇଛି । ଶିକ୍ଷା କ୍ଷେତ୍ରରେ ରାଜଧାନୀ ବେଶ୍ ଆଗରେ ରହିଛି । ହେଲେ ପ୍ରଶାସନିକ ସ୍ତରରେ ସେବା ପାଇବାରେ ବିଳମ୍ବ ହେଉଛି । କାରଣ ଲୋକଙ୍କୁ ଭୁବନେଶ୍ୱରରୁ ଖୋର୍ଦ୍ଧା ଯାଇ ଅଧିକାଂଶ ଅଫିସିଆଲ୍ କାମ ସାରିବାକୁ ପଡୁଛି ।

    ବ୍ୟସ୍ତବହୁଳ ଜୀବନ ଭିତରେ ରାଜଧାନୀବାସୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଏବେ ରାଜଧାନୀର ସୁରକ୍ଷା, ଲୋକଙ୍କ ସୁରକ୍ଷା ପାଇଁ ଲୋକେ ଆଗେଇ ଆସିଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ଦାବିପତ୍ର ମଧ୍ୟ ଦିଆଯିବ । ସ୍ଥାନୀୟ ବିଧାୟକମାନଙ୍କୁ ଏ ସମ୍ପର୍କରେ ଅବଗତ କରାଯିବ । ଏଥିସହ ଭୁବନେଶ୍ୱରକୁ ଜିଲ୍ଲା ମାନ୍ୟତା ଦାବି ଆନ୍ଦୋଳନକୁ ଜୋରଦାର କରିବାକୁ ପ୍ରେସମିଟ ପରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି ।

    ଭୁବନେଶ୍ୱର ଯୁବ ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ଭୁବନେଶ୍ୱରସ୍ଥିତ ବିଭିନ୍ନ ଅଞ୍ଚଳ ଏବଂ ପଞ୍ଚାୟତର ସମାଜସେବୀ, ଜନପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି, ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ତଥା ଭୁବନେଶ୍ୱର ବାଲିଯାତ୍ରା ଆବାହକ ଯଶୱନ୍ତ ଓଝା, ସ୍ଥାନୀୟ ସରପଞ୍ଚ ଦେବରାଜ ଭୋଇ, ନିଶିପଦ୍ମା କାଣ୍ଡି, ସୁପ୍ରିୟା ମଲ୍ଲିକ, ସସ୍ମିତା ବରାଳ, ପୂର୍ବତନ ଜିଲ୍ଲା ପରିଷଦ କୁନାଲ ରାଉତ, ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ବାର ଆସୋସିଏସନ ସଭାପତି ନିର୍ମଳ କିଶୋର ରଥ, ପୂର୍ବତନ କର୍ପୋରେଟର ନିର୍ମଳ ରାଉତ, ବରିଷ୍ଠ ନାରୀନେତ୍ରୀ ଅନ୍ନପୂର୍ଣ୍ଣ ମିଶ୍ର,ଭୁବନେଶ୍ୱର ବାଲିଯାତ୍ରା ସମ୍ପାଦକ ତପନ ବଳିୟାର ସିଂହ,ଯୁବମଞ୍ଚ ସମ୍ପାଦକ ନବକିଶୋର ବାରିକ,ସହସମ୍ପାଦକ ରାଜେଶ ପଲ, ଉପସଭାପତି ତପନ ଦାସଙ୍କ ସମେତ ୨୦୦ରୁ ଅଧିକ ସଦସ୍ୟ ଯୋଗ ଦେଇଥିଲେ । …
    ……………………..

  • ନବରଙ୍ଗପୁର: ବରିଷ୍ଠ କିରାଣିଙ୍କୁ ସିଡିପିଓ ଠେଲିଦେବା ଘଟଣା,ଆକ୍ସନକୁ ଅପେକ୍ଷା

    ନବରଙ୍ଗପୁର: ବରିଷ୍ଠ କିରାଣିଙ୍କୁ ସିଡିପିଓ ଠେଲିଦେବା ଘଟଣା,ଆକ୍ସନକୁ ଅପେକ୍ଷା

    ନବରଙ୍ଗପର ଜିଲ୍ଲା ଡାବୁଗାଁ ସିଡିପିଓଙ୍କ ଦାଦାଗିରି । ଜଣେ ବୟସ୍କ କିରାଣିଙ୍କୁ ଚୌକିରୁ ଠେଲିଦେଇଥିବା ଅଭିଯୋଗ ହୋଇଛି । ଘଟଣାକୁ ଅତି ଗୁରୁତର ସହ ନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଘଟଣାର ତଦନ୍ତ ଜାରି ରଖିଛନ୍ତି ।

    ସୂଚନା ଅନୁସାରେ ଚଳିତ ମାସର ଦରମାକୁ ନେଇ ସରକାରୀ ଅଫିସରେ ପାଟିତୁଣ୍ଡ ହୋଇଥିଲା । ଜଣେ ବୟସ୍କ କିରାଣିଙ୍କୁ ଚୌକିରୁ ତଳକୁ ଗଡ଼ାଇ ଦେଇଛନ୍ତି ନବରଙ୍ଗପର ଜିଲ୍ଲା ଡାବୁଗାଁ ସିଡିପିଓ । ଏବେ ଏହି ଭିଡିଓ ଭାଇରାଲ୍ ପରେ ନିନ୍ଦା କରାଯିବା ସହ ବେଶ୍ ସମାଲୋଚନାର ଶିକାର ହୋଇଛନ୍ତି ସିଡିପିଓ । ନବରଙ୍ଗପର ଜିଲ୍ଲା ଡାବୁଗାଁ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ଏଭଳି ଘଟଣା ଘଟିଛି । ଡାବୁଗାଁ ସିଡିପିଓ କାର୍ଯ୍ୟାଳୟରେ କାର୍ଯ୍ୟରତ ବୟସ୍କ କିରାଣି ସନ୍ତୋଷୀ ମିଶ୍ରଙ୍କୁ ସିଡିପିଓ ଓଫିସରୁ ବାହାରିଯିବା ପାଇଁ କୁହାଯିବା ସହ ତାଙ୍କୁ ଧକ୍କା ମରାଯାଉଛି । ଚୌକିକୁ ଠେଲିଦେବାରୁ ବରିଷ୍ଠ କିରାଣି ସନ୍ତୋଷୀ ସିଟ୍‌ରୁ ତଳକୁ ପଡ଼ିଯାଇଥିଲେ । ଏହି ଭିଜୁଆଲ୍ ଏବେ ସମସ୍ତଙ୍କ ନିକଟରେ ଘୁରିବୁଲୁଛି ।

    ସେପଟେ, ବରିଷ୍ଠ କିରାଣି ସନ୍ତୋଷ ମିଶ୍ର କହିଛନ୍ତି ଯେ ଗତ ମାସର ଇଏଲ ଦରମା କରିବାକୁ ସେ ସିଡିପିଓଙ୍କୁ କହିଥିଲେ। ସିଡିପିଓ ଗୀତାଞ୍ଜଳି ମହାରଣା ରାଗିଯାଇ ତାଙ୍କୁ ଗାଳିଗୁଲଜ କରିଥିଲେ । ଏଥିସହ ତାଙ୍କୁ ଅଫିସରୁ ପଳାଇଯିବା ପାଇଁ କହି ଧକ୍କା ମାରିଥିଲେ । ପୂର୍ବରୁ ଧମକଚମକ ଦେଉଥିବା ବେଳେ ଏବେ ମାଡ଼ ମାରିଛନ୍ତି ଯାହା ସମସ୍ତେ ଦେଖିଲେ । ଦରମା କରୁନାହାଁନ୍ତି, କହିଲେ ମୋତେ ମାଡ଼ ମାରୁଛନ୍ତି । ଜିଲ୍ଲାପାଳଙ୍କ ନିକଟରେ ଏ ନେଇ ଅଭିଯୋଗ କରିବି ବୋଲି କହିଛନ୍ତି ସନ୍ତୋଷୀ ।

  • ରାଇରଙ୍ଗପୁର: ଯଶୀପୁରରେ ହାତୀ ଦାନ୍ତ ବିକ୍ରି ବେଳେ ମାଡ଼ିବସିଲା ବନ ବିଭାଗ

    ରାଇରଙ୍ଗପୁର: ଯଶୀପୁରରେ ହାତୀ ଦାନ୍ତ ବିକ୍ରି ବେଳେ ମାଡ଼ିବସିଲା ବନ ବିଭାଗ

    ମଣିଷ ଓ ହାତୀ ଲଢ଼େଇରେ କେତେବେଳେ କାହାର ଜୀବନ ଯାଉଛି । ହାତୀ ଆକ୍ରମଣରେ ମଣିଷର ମୃତ୍ୟୁ ହେଉଥିବା ବେଳେ କେତେବେଳେ ନିଜ ସ୍ୱାର୍ଥ ପୂରଣ ପାଇଁ ହାତୀ ଶିକାର କରୁଛି ମଣିଷ । ହାତୀ,ମଣିଷ ଲଢ଼େଇ ପ୍ରାୟତଃ ଦୈନନ୍ଦିନ ଘଟଣା ପାଲଟିଲାଣି । ଏବେ ଯଶୀପୁରରୁ ୪ଟି ହାତୀ ଦାନ୍ତ ଜବତ ପରେ ବନ ବିଭାଗ ଘଟଣାକୁ ନେଇ ଖୋଳତାଡ଼ ଜାରି ରଖିଛି ।

    ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ବଢ଼ିବାରେ ଲାଗିଛି । ଶିକାରୀ, ମାଫିଆ, ଦଲାଲମାନେ ବନ୍ୟଜନ୍ତୁ ଶିକାର କରି ନିଜର ସ୍ୱାର୍ଥ ପୂରଣ କରୁଛନ୍ତି । ଶିମିଳିପାଳ ଅଭୟାରଣ୍ୟରେ ଅବାଧରେ ପଶୁ ଶିକାର ହେଉଥିବା ବେଳେ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ୪ଟି ହାତୀ ଦାନ୍ତ ଜବତ କରିଛି ବନ ବିଭାଗ । ଏଭଳି ମୂଲ୍ୟବାନ ଜିନିଷର ବିକ୍ରି ପାଇଁ ଡିଲ୍ ହେଉଥିବା ବେଳେ ଅଭିଯୁକ୍ତମାନଙ୍କୁ ଧରିଛି ବନ ବିଭାଗ ।

    ହାତୀ ଦାନ୍ତ ବିକ୍ରି ପାଇଁ ଯୋଜନା ଚାଲିଥିବା ଖବର ପାଇଥିଲା ବନ ବିଭାଗ । ତେଣୁ ବିଳମ୍ବ ନକରି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ଉପନିର୍ଦେଶକ ସମ୍ରାଟ ଗଉଡ଼ାଙ୍କ ନେତୃତ୍ୱରେ ଏକ ଟିମ୍ ରେଡ୍ କରିଥିଲା । ଉତ୍ତର ଶିମିଳିପାଳର ଉପନିର୍ଦେଶକ ସାଇ କିରଣ, ରାଇରଙ୍ଗପୁର ବନଖଣ୍ଡର କିଛି ଅଧିକାରୀ ଯଶୀପୁର ଅଞ୍ଚଳରେ ଅତର୍କିତ ଚଢ଼ାଉ କରିଥିଲେ । ଘଟଣାସ୍ଥଳରୁ ୪ଟି ହାତୀ ଦାନ୍ତ ଜବତ କରାଯାଇଥିଲା । ସେଠାରୁ ୫ ଜଣଙ୍କୁ ଗିରଫ କରିଥିଲା ଟିମ୍ । ଗିରଫ ଅଭିଯୁକ୍ତମାନେ ଦାଶାଇ ସିଂ, ମଣ୍ଡା ସିଂ, ମନମୋହନ ହେମ୍ବ୍ରମ, ମନ୍ତ୍ରୀ ସିଂ ଓ ନର୍ସିଂ ସିଂ । ସେମାନେ ସମସ୍ତେ ଯଶୀପୁର ଥାନା ଶିମିଳିପାଳ ବଫର ଅଞ୍ଚଳ ଚାକିଡ଼ି ଗାଁର ବାସିନ୍ଦା । ସେମାନଙ୍କ ଠାରୁ ୫ଟି ମୋବାଇଲ, ଦୁଇଟି ବାଇକ୍ ମଧ୍ୟ ମିଳିଥିଲା ।

    ଜବତ ହାତୀଦାନ୍ତ ଗୁଡ଼ିକର ଓଜନ ୬ କେଜିରୁ ଅଧିକ ହେବ । ହାତୀଗୁଡ଼ିକ ମଧ୍ୟମ ବୟସ୍କର ହୋଇଥିବା ଅନୁମାନ କରାଯାଉଛି । ଦୁଇଟି ହାତୀକୁ ଶିମିଳିପାଳ କୋର ଏରିଆରେ ଶିକାର କରାଯାଇଛି । ତେବେ ଏମାନଙ୍କ ସଂପୃକ୍ତି ଅଛି ନା ନାହିଁ ସେ ନେଇ ତଦନ୍ତ ଜାରି ରହିଛି ।


  • ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ, କାଲିଠାରୁ ପୁଣି ବର୍ଷା !

    ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ, କାଲିଠାରୁ ପୁଣି ବର୍ଷା !

    ପୁଣି ଏକ ଲଘୁଚାପ ପାଇଁ ସୂଚନା ମିଳିଛି । ଆସନ୍ତାକାଲି ଠାରୁ ରାଜ୍ୟରେ ପୁଣି ଥରେ ବର୍ଷା ଆରମ୍ଭ ହେବ । ଆସନ୍ତା ୪ ତାରିଖରୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

    ବର୍ଷା ଯୋଗୁଁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା । ହେଲେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରାରେ ବିଶେଷ କିଛି ହ୍ରାସ ଘଟିନି । ଗୁଳିଗୁଳି ବି ପୂର୍ବପରି ରହିଛି । ଗତ ଦୁଇଦିନ ହେଲା ଏଭଳି ପାଗ ରହିଥିବା ବେଳେ ଆସନ୍ତାକାଲି ଠାରୁ ଏଥିରେ ପରିବର୍ତ୍ତନ ହେବା ନେଇ ସୂଚନା ମିଳିଛି । ୪ ତାରିଖରୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ୬ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

    ସେପଟେ ଆଜି କିଛି ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି । ଖୋର୍ଦ୍ଧା,ନୟାଗଡ଼,ଗଞ୍ଜାମ,ଗଜପତି,ମୟୂରଭଞ୍ଜ,କେନ୍ଦୁଝର,ଢେଙ୍କାନାଳ,ଭଦ୍ରକ,ବାଲେଶ୍ୱର, ଯାଜପୁର,କେନ୍ଦ୍ରାପଡ଼ା,କଟକ,ଜଗତସିଂହପୁର,ପୁରୀ ଭଳି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ତେଣୁ ଆଜିଠାରୁ ପାଣିପାଗରେ ପରିବର୍ତ୍ତନ ଆସିବ । କିଛି ଦିନ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଦୁର୍ବଳ ପ୍ରବାହ ଜାରି ରହିଛି । ତେଣୁ ରାଜ୍ୟରେ କିଛି ଦିନ ହେଲା ବର୍ଷାର ମାତ୍ରା କମ୍ ରହିଥିବା ବେଳେ ତାପମାତ୍ରାରେ ବି ବୃଦ୍ଧି ଘଟିଛି ।