Blog

  • ଇସ୍ରୋ ରଚିଲା ଇତିହାସ,ମହାକାଶରୁ ସିଗ୍ନାଲ୍

    ଇସ୍ରୋ ରଚିଲା ଇତିହାସ,ମହାକାଶରୁ ସିଗ୍ନାଲ୍

    ଖ୍ରୀଷ୍ଟମାସର ଦିନକ ପୂର୍ବରୁ ଭାରତ ମହାକାଶ କ୍ଷେତ୍ରରେ ଏକ ନୂଆ ଇତିହାସ ରଚିଛି। ଭାରତୀୟ ମହାକାଶ ଏଜେନ୍ସି ଇସ୍ରୋ ତାହାର ବାହୁବଳୀ ରକେଟ୍ ଏଲ୍‌ଭିଏମ୍–3 ଏମ୍–6 ଜରିଆରେ ଆମେରିକୀୟ କମ୍ପାନି ଏଏସ୍‌ଟି ସ୍ପେସ୍‌ମୋବାଇଲ ବିଶାଳ ଯୋଗାଯୋଗ ଉପଗ୍ରହ ବ୍ଲୁବାର୍ଡ ବ୍ଲକ୍–2କୁ ସଫଳତାର ସହ ମହାକାଶକୁ ପଠାଇଛି।

    ନିର୍ଦ୍ଧାରିତ ସମୟରୁ ୯୦ ସେକେଣ୍ଡ ବିଳମ୍ବରେ, ସକାଳ ୮ଟା ୫୫ ମିନିଟ୍ ୩୦ ସେକେଣ୍ଡରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ ପ୍ୟାଡ୍‌ରୁ ଉତ୍‌କ୍ଷେପଣ କରାଯାଇଥିଲା। ଉତ୍‌କ୍ଷେପଣ ମାର୍ଗରେ ମହାକାଶ ଆବର୍ଜନା କିମ୍ବା ଅନ୍ୟ ଉପଗ୍ରହ ସହ ସଂଘର୍ଷ ଆଶଙ୍କା ଥିବାରୁ ଇସ୍ରୋ ଏନେଇ ସାମାନ୍ୟ ବିଳମ୍ବ କରିଥିଲା।

    ୬୪୦ ଟନ୍‌ ଓଜନର ଏଲ୍‌ଭିଏମ୍–3 ରକେଟ୍‌କୁ ‘ବାହୁବଳୀ’ ଭାବେ ପରିଚିତ କରାଯାଇଛି। ଏହି ମିଶନ ଜରିଆରେ ଇସ୍ରୋ ଭାରତୀୟ ମାଟିରୁ ଏ ପର୍ଯ୍ୟନ୍ତ ସବୁଠାରୁ ଓଜନଦାର ୬୧୦୦ କିଲୋଗ୍ରାମର ବିଦେଶୀ ଉପଗ୍ରହକୁ ପୃଥିବୀର ନିମ୍ନ କକ୍ଷପଥରେ ସଫଳତାର ସହ ସ୍ଥାପନ କରିଛି।

    ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ (NSIL) ମାଧ୍ୟମରେ ଏହି ବାଣିଜ୍ୟିକ ମିଶନ ସଫଳ ହେବା ଭାରତ ପାଇଁ ବଡ଼ ଉପଲବ୍ଧି। ବ୍ଲୁବାର୍ଡ ବ୍ଲକ୍–2 ଉପଗ୍ରହ ମୋବାଇଲ୍ ଯୋଗାଯୋଗ କ୍ଷେତ୍ରରେ ଆମୂଳ ପରିବର୍ତ୍ତନ ଆଣିବ। ଏହା ମାଧ୍ୟମରେ 4G ଓ 5G ସ୍ମାର୍ଟଫୋନ୍‌କୁ ସିଧାସଳଖ ଇଣ୍ଟରନେଟ୍ ସଂଯୋଗ ମିଳିପାରିବ। ଏଥିପାଇଁ ଗ୍ରାହକଙ୍କୁ କୌଣସି ଟାୱାର ଦରକାର ପଡ଼ିବ ନାହିଁ।

    ଉଚ୍ଚ ପାହାଡ଼, ଗଭୀର ଜଙ୍ଗଲ, ଅପହଞ୍ଚ ଗ୍ରାମାଞ୍ଚଳ, ମହାସାଗର ଓ ବିମାନ ଯାତ୍ରା ସମୟରେ ଯେଉଁଠାରେ ମୋବାଇଲ୍ ଟାୱାର ନାହିଁ, ସେଠାରେ ମଧ୍ୟ ହାଇସ୍ପିଡ୍ ଇଣ୍ଟରନେଟ୍ ଓ କଲ୍ ସେବା ମିଳିବାର ପଥ ପ୍ରସ୍ତୁତ ହୋଇଛି। ମିଶନ ସଫଳ ହେଲେ ଆଗାମୀ ଦିନରେ ମୋବାଇଲ୍ ଟାୱାର ଯୁଗ ଶେଷ ହେବାର ଆଶା ଦୃଶ୍ୟାମାନ ହୋଇଛି।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋକୁ ଅଭିନନ୍ଦନ ଜଣାଇ କହିଛନ୍ତି, ଭାରତୀୟ ବୈଜ୍ଞାନିକମାନଙ୍କ ଦ୍ୱାରା ପରିଚାଳିତ ମହାକାଶ କାର୍ଯ୍ୟକ୍ରମ ଦିନକୁ ଦିନ ଅଧିକ ଉନ୍ନତ, ସଶକ୍ତ ଓ ପ୍ରଭାବଶାଳୀ ହେଉଛି।

  • ଆନନ୍ଦ, ଶାନ୍ତି ଓ ଭାଇଚାରାର ସନ୍ଦେଶ ନେଇ ପାଳିତ ଖ୍ରୀଷ୍ଟମାସ୍

    ଆନନ୍ଦ, ଶାନ୍ତି ଓ ଭାଇଚାରାର ସନ୍ଦେଶ ନେଇ ପାଳିତ ଖ୍ରୀଷ୍ଟମାସ୍

    ସାରା ଦେଶ ସହିତ ଓଡ଼ିଶାରେ ମଧ୍ୟ ଖ୍ରୀଷ୍ଟିଆନ୍ ଧର୍ମାବଳମ୍ବୀମାନେ ଆଜି ଆନନ୍ଦ ଓ ଉତ୍ସାହର ସହିତ ପବିତ୍ର ଖ୍ରୀଷ୍ଟମାସ୍ ପର୍ବ ପାଳନ କରିଛନ୍ତି। ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମତିଥି ଅବସରରେ ଚର୍ଚ୍ଚଗୁଡ଼ିକ ଆଲୋକମାଳା, ଫୁଲ ଓ ରଙ୍ଗିନ ସଜବାଜରେ ଆଲୋକିତ ହୋଇଉଠିଥିଲା।

    ମଧ୍ୟରାତ୍ରିରେ ଚର୍ଚ୍ଚମାନେ ବିଶେଷ ପ୍ରାର୍ଥନା ସଭା ଓ ‘ମିଡନାଇଟ୍ ମାସ୍’ ଆୟୋଜନ କରିଥିଲେ। ଭକ୍ତମାନେ ମହମବତି ଜଳାଇ ଯୀଶୁଙ୍କ ଶିକ୍ଷା,ପ୍ରେମ, କ୍ଷମା ଓ ମାନବତାକୁ ସ୍ମରଣ କରିଥିଲେ।

    ରାଜ୍ୟର ରାଜଧାନୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ସହ ଅନ୍ୟାନ୍ୟ ସହରଗୁଡ଼ିକରେ ସାଣ୍ଟା କ୍ଲଜ୍ ରୂପରେ ସଜିଥିବା ଯୁବକମାନେ ଶିଶୁମାନଙ୍କୁ ଉପହାର ବଣ୍ଟନ କରିଥିଲେ। କେକ୍ କାଟିବା, କ୍ୟାରଲ୍ ଗୀତ ଗାଇବା ଓ ପରିବାର-ମିତ୍ରମାନଙ୍କ ସହ ଖୁସି ବାଣ୍ଟିବାରେ ମନ୍ତ୍ରମୁଗ୍ଧ ହୋଇଥିଲା ସମସ୍ତଙ୍କ ମନ।

    ଶାନ୍ତି ଓ ସୁରକ୍ଷା ରଖିବାକୁ ପ୍ରଶାସନ ପକ୍ଷରୁ ଚର୍ଚ୍ଚ ଓ ଭିଡ଼ ଥିବା ସ୍ଥାନଗୁଡ଼ିକରେ ପୁଲିସ୍ ବ୍ୟବସ୍ଥା କଡାକଡି କରାଯାଇଥିଲା। ଖ୍ରୀଷ୍ଟମାସ୍ ପର୍ବ ମାଧ୍ୟମରେ ଧର୍ମ, ଜାତି ଓ ଭାଷାର ସୀମା ଉପରେ ଉଠି ସମସ୍ତଙ୍କୁ ଏକତାର ସନ୍ଦେଶ ମିଳିଛି।

  • ରତ୍ନଭଣ୍ଡାର ବୈଠକ, ଅଳଙ୍କାର ଗଣନା ପାଇଁ ମୁଖ୍ୟ ଆଲୋଚନା

    ରତ୍ନଭଣ୍ଡାର ବୈଠକ, ଅଳଙ୍କାର ଗଣନା ପାଇଁ ମୁଖ୍ୟ ଆଲୋଚନା

    ଶ୍ରୀମନ୍ଦିରର ରତ୍ନଭଣ୍ଡାର ସଂପର୍କିତ ମାମଲାରେ ଆଗାମୀ ୨୭ ତାରିଖରେ ହେବାକୁ ଥିବା ବୈଠକକୁ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର ହୋଇଛି। ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିବା ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ମରାମତି କାର୍ଯ୍ୟ ସମାପ୍ତ ହୋଇଥିବା ସହ ଭିତରେ ସଞ୍ଚିତ ସମସ୍ତ ମୂଲ୍ୟବାନ ଅଳଙ୍କାରକୁ ପୁନଃ ସୁରକ୍ଷିତ ଭାବେ ସ୍ଥାପିତ କରାଯାଇଛି।

    ପ୍ରଶାସନିକ ସୂତ୍ର ଅନୁଯାୟୀ, ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରତ୍ନଭଣ୍ଡାରରେ ରହିଥିବା ସୁନା, ଚାନ୍ଦି ଓ ଅନ୍ୟାନ୍ୟ ମୂଲ୍ୟବାନ ଅଳଙ୍କାରର ଗଣତି–ମଣତି ପ୍ରକ୍ରିୟା କେମିତି କରାଯିବ, ସେଥିପାଇଁ ଏକ ସ୍ପଷ୍ଟ ଓ ପାରଦର୍ଶୀ SOP (Standard Operating Procedure) ପ୍ରସ୍ତୁତ କରିବା। ଗଣନା ସମୟରେ କେଉଁ କେଉଁ ସେବାୟତ ଓ ଅଧିକାରୀ ଉପସ୍ଥିତ ରହିବେ, କେମିତି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ଏବଂ କେଉଁ ନିୟମ–ନୀତିକୁ ଅନୁସରଣ କରାଯିବ, ସେସବୁ ଉପରେ ଏହି ବୈଠକରେ ଆଲୋଚନା ହେବ।

    ରତ୍ନଭଣ୍ଡାର ତଦନ୍ତ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ସମଗ୍ର ପ୍ରକ୍ରିୟା ପରମ୍ପରା, ଶାସ୍ତ୍ର ଓ ଶ୍ରୀମନ୍ଦିର ନୀତିନିୟମ ମାନି କରାଯିବ। ଏହି ସମୟରେ ଦର୍ଶନା ଅଭିଳାଶେ ଆସିଥିବା ଭକ୍ତ ମାନଙ୍କୁ ଦର୍ଶନ ପାଇଁ ଅସୁବିଧାର ସମୁଖୀନ ହେବାକୁ ପଡିବ। ସେଥିପାଇଁ ଜଗନ୍ନାଥ ପ୍ରେମୀ ଓ ଭକ୍ତମାନଙ୍କୁ ଧୈର୍ଯ୍ୟ ଓ ସହଯୋଗ ରଖିବାକୁ ଅନୁରୋଧ କରିଛନ୍ତି।

    ଉଲ୍ଲେଖଯୋଗ୍ୟ ଯେ, ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବା ପରେ ସୁରକ୍ଷା ଦୃଷ୍ଟିରୁ ଅଳଙ୍କାରଗୁଡିକୁ ସଂରକ୍ଷିତ ଭାବେ ରଖାଯାଇଥିଲା। ବର୍ତ୍ତମାନ ମରାମତି ସମାପ୍ତ ହେବା ସହ ସମସ୍ତ ଅଳଙ୍କାର ପୁନଃ ରତ୍ନଭଣ୍ଡାରରେ ରଖାଯାଇଛି।

    ୨୭ ତାରିଖର ବୈଠକ ପରେ ଗଣତି–ମଣତି ପ୍ରକ୍ରିୟା କେବେ ଆରମ୍ଭ ହେବ ଓ ତାହାର ରୂପରେଖା କ’ଣ ରହିବ, ସେନେଇ ସ୍ପଷ୍ଟ ନିଷ୍ପତ୍ତି ଆସିବ ବୋଲି ଆଶା କରାଯାଉଛି। ଏହାକୁ ନେଇ ସେବାୟତ, ପ୍ରଶାସନ ଓ ଭକ୍ତମହଳରେ ଉତ୍ସୁକତା ବଢ଼ିଛି।

  • ଫାଷ୍ଟଫୁଡ ନେଲା ଜୀବନ

    ଫାଷ୍ଟଫୁଡ ନେଲା ଜୀବନ

    ଆଜିକାଲି ସମୟରେ ପ୍ରାୟ ସମସ୍ତେ ଫାଷ୍ଟଫୁଡ୍ କିମ୍ବା ଜଙ୍କ ଫୁଡକୁ ଅଧିକ ପସନ୍ଦ କରୁଥିବା ଦେଖାଯାଉଛି। ଏହା ପାଟିକୁ ଭଲ ଲାଗୁଥିଲେ ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ସେହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରେ +୨ ପ୍ରଥମ ବର୍ଷରେ ପଢୁଥିବା ଜଣେ କଲେଜ ଛାତ୍ରୀ ଅଧିକ ଫାଷ୍ଟଫୁଡ ସେବନ କରି ମୃତ୍ୟୁବରଣ କରିଥିବା ଜଣାପଡିଛି। ଡାକ୍ତରମାନଙ୍କ କହିବା ଅନୁଯାୟୀ, ମୃତ୍ୟୁର ପ୍ରଧାନ କାରଣ ମାତ୍ରାଧିକ ଜଙ୍କ ଫୁଡ୍ ସେବନ କରିବା।

    ରିପୋର୍ଟ ଅନୁସାରେ, ଛାତ୍ରୀଜଣକ ଅମରୋହା ନଗର କୋତୱାଲି ଅଞ୍ଚଳର ଆଫଗାନ ମୋହଲ୍ଲାର ବାସିନ୍ଦା ଥିଲେ। ତାଙ୍କର ଚାଉମିନ୍, ମ୍ୟାଗି, ପିଜା ଓ ବର୍ଗର ଭଳି ଫାଷ୍ଟଫୁଡ ଖାଇବାର ଅଭ୍ୟାସ ଥିବା କଥା ପରିବାର ସଦସ୍ୟମାନେ କହିଛନ୍ତି। କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ହେବା ପରେ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ପଠାଯାଇଥିଲା।

    ଚିକିତ୍ସକମାନଙ୍କ କହିବା ଅନୁଯାୟୀ, ଅତ୍ୟଧିକ ଫାଷ୍ଟଫୁଡ ସେବନ ଯୋଗୁଁ ଛାତ୍ରୀଙ୍କ ଅନ୍ତନଳୀରେ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଥିଲା। ଅବସ୍ଥା ସଂକଟପୂର୍ଣ୍ଣ ହେବାରୁ ଅନ୍ତନଳୀ ସଫା କରିବା ପାଇଁ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା। ତଥାପି, ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରିନଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

    ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି। ଅତି କମ ବୟସରେ ଏଭଳି ମୃତ୍ୟୁ ସମଗ୍ର ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି। ଏହି ଘଟଣା ଫାଷ୍ଟଫୁଡ ଓ ଜଙ୍କ ଫୁଡ୍ ପ୍ରତି ସଚେତନତାର ଆବଶ୍ୟକତାକୁ ପୁନର୍ବାର ଉଜାଗର କରିଛି।

  • ଦେବାଳିଆ ପାକିସ୍ତାନ ହାଲ ବେହାଲ

    ଦେବାଳିଆ ପାକିସ୍ତାନ ହାଲ ବେହାଲ

    ଗଭୀର ଆର୍ଥିକ ସଂକଟରେ ଫସିଥିବା ପାକିସ୍ତାନ ଶେଷରେ ନିଜର ରାଷ୍ଟ୍ରୀୟ ବିମାନ ସେବା ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ (PIA) କୁ ବିକ୍ରି କରିବାକୁ ବାଧ୍ୟ ହୋଇଛି। ଗତ କିଛି ବର୍ଷ ହେବ ପାକିସ୍ତାନ ଦେବାଳିଆ ଅବସ୍ଥାରେ ପହଞ୍ଚିଥିବା ବେଳେ ଏବେ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। IMF ସମେତ ସମସ୍ତ ବନ୍ଧୁ ରାଷ୍ଟ୍ରମାନଙ୍କର ଆର୍ଥିକ ସହାୟତା ମଧ୍ୟ ପାକିସ୍ତାନକୁ ସଙ୍କଟରୁ ଉଦ୍ଧାର କରିପାରିଲା ନାହିଁ। ବର୍ତ୍ତମାନ ପରିସ୍ଥିତି ଏତେ ଖରାପ ହୋଇଛି ଯେ, ଶହବାଜ ସରିଫଙ୍କୁ ପାକିସ୍ତାନର ସରକାରୀ ବିମାନ କମ୍ପାନି PIAକୁ ବିକ୍ରି କରିବାକୁ ପଡିଛି। ଏହି ଚୁକ୍ତି ୧୩୫ ବିଲିୟନ ଟଙ୍କାରେ କରାଯାଇଛି। ପାକିସ୍ତାନ ମଙ୍ଗଳବାର କମ୍ପାନିର ଘରୋଇକରଣ ପ୍ରକ୍ରିୟା ସଫଳତାର ସହ ସମାପ୍ତ କରିଛି ଏବଂ ଏକ ସ୍ଥାନୀୟ ନିବେଶ କମ୍ପାନିକୁ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ ବିକ୍ରି କରିଛି।

    ଜାତୀୟ ଗଣମାଧ୍ୟମ ରିପୋର୍ଟ୍ ଅନୁସାରେ, ଏହା ବର୍ଷ ବର୍ଷ ଧରି ପରିଚାଳନାଗତ ତ୍ରୁଟି ଯୋଗୁଁ ସଂଘର୍ଷ କରୁଥିବା ଏକଦା ପ୍ରତିଷ୍ଠିତ ବାହକକୁ ପୁନର୍ଜୀବିତ କରିବା ଲକ୍ଷ୍ୟ ରଖିଛି। ଏହି ନିଲାମ ପାଇଁ ତିନୋଟି କମ୍ପାନୀ ନିଲାମ ଦେଇଥିଲେ, ଯଥା ଆରିଫ୍ ହବିବ୍, ଲକି ସିମେଣ୍ଟ୍ ଏବଂ ଏୟାରବ୍ଲୁ। ଲକି ସିମେଣ୍ଟ୍ ବିପକ୍ଷରେ ଏକ ପ୍ରତିଦ୍ଵନ୍ଦୀ ନିଲାମ ଡାକିବା ପରେ ଆରିଫ୍ ହବିବ୍ ଏହି ନିଲାମ ଜିତିଥିଲେ। ୧୩୫ ବିଲିୟନ ଟଙ୍କାର ସଫଳ ନିଲାମ ମୂଲ୍ୟ ସରକାରଙ୍କ ୧୦୦ ବିଲିୟନ ଟଙ୍କାର ରେଫରେନ୍ସ ମୂଲ୍ୟ ଅପେକ୍ଷା ବହୁତ ଅଧିକ ଥିଲା।

    ଏହି ପର୍ଯ୍ୟାୟରେ PIA ର ୭୫% ଶେୟର୍‌ର ବିକ୍ରୟ ହେବ। ଏବଂ ସଫଳ ବିଡରଙ୍କ ପାଖରେ ବାକି ୨୫% କ୍ରୟ କରିବା ପାଇଁ ୯୦ ଦିନ ସମୟ ରହିବ। ଜାତୀୟ ବାହକ କମ୍ପାନୀର ବିକ୍ରୟରୁ ସଂଗୃହୀତ ଅର୍ଥର ଏକ ବୃହତ ଅଂଶ ୯୨.୫ % ବିମାନ କମ୍ପାନୀରେ ବିନିଯୋଗ କରାଯିବା, ଯେତେବେଳେ କି ବାକି ୭.୫% ସରକାରଙ୍କୁ ପ୍ରଦାନକରାଯିବା।

    ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫ୍ ଏଇ ବିକ୍ରୟ ପ୍ରକ୍ରିୟାର ପାରଦର୍ଶିତାକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ “ଏହା ପାକିସ୍ତାନର ଇତିହାସରେ ସବୁଠାରୁ ବଡ଼ ଲେନଦେନରେରୁ ଗୋଟିଏ ହେବ”। ସମ୍ପୂର୍ଣ୍ଣ ବିଡ୍ ପ୍ରକ୍ରିୟାଟି ସ୍ଥାନୀୟ ଟିଭି ଚ୍ୟାନେଲମାନଙ୍କରେ ସିଧା ପ୍ରସାରଣ କରାଯାଇଥିଲା। ଏହି ବିକ୍ରୟ ପାଇଁ ପୂର୍ବ ବର୍ଷ ବିଫଳ ହେବା ସତ୍ୱେ ଏହି ବର୍ଷ ସଫଳ ହୋଇଛି।

    ପୂର୍ବେ ଗୋଟିଏ ପ୍ରମୁଖ ବିମାନ ସେବା ସଂସ୍ଥା ଭାବେ ପରିଚିତ PIA ପାଇଁ ନିଜୀକରଣ ଏକ ଯୁଗର ଶେଷକୁ ସୂଚିତ କରୁଛି। ଦୀର୍ଘବର୍ଷର ଖରାପ ପରିଚାଳନା ଏହାର ସେବାର ଗୁଣମାନ ଓ ପ୍ରତିଷ୍ଠାକୁ ଗୁରୁତର ଭାବେ କ୍ଷତିଗ୍ରସ୍ତ କରିଥିଲା, ଯାହାର ପରିଣାମସ୍ୱରୂପ ସରକାରକୁ ଏହାକୁ ନିଜୀ ନିବେଶକଙ୍କ ପାଖକୁ ବିକ୍ରୟ କରିବାକୁ ବାଧ୍ୟ ହେବାକୁ ପଡ଼ିଲା।

  • ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ବ୍ରହ୍ମପୁର କମ୍ପି ଉଠିଲା

    ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ବ୍ରହ୍ମପୁର କମ୍ପି ଉଠିଲା

    ବ୍ରହ୍ମପୁର ସହରରେ ଗତ ରାତିରେ ଏକ ଭୟଙ୍କର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଏହି ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା ବେଳେ ପାଖାପାଖି ଅନେକ ଘରକୁ କ୍ଷତି ପହଞ୍ଚିଛି।

    ସୂଚନା ଅନୁଯାୟୀ, ବ୍ରହ୍ମପୁର ନିମାଖାଣ୍ଡି ଥାନା ଅନ୍ତର୍ଗତ ବୋରିଗାଁ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। ବୋରିଗାଁ ବଡବନ୍ଧ ସାହିର ପ୍ରଫୁଲ ରାଉଳଙ୍କ ଘରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଗତ ରାତି ପ୍ରାୟ ୧୦ଟା ୩୦ମିନିଟରେ ହଠାତ୍ ଗ୍ୟାସ ସିଲିଣ୍ଡରରୁ ଭୟଙ୍କର ଶବ୍ଦ ସହ ବିସ୍ଫୋରଣ ଘଟିଥିଲା। ପୀଡ଼ିତ ଜଣଙ୍କ ଯେତେବେଳେ ରୋଷେଇ ପାଇଁ ଗ୍ୟାସ ଅନ କରିଥିଲେ ସେହି ସମୟରେ ଗ୍ୟାସ ଲିକ୍କ ହୋଇ ବିସ୍ଫୋରଣ ହୋଇଥିଲା, ଏହାର ପ୍ରଭାବରେ ଘରର କାନ୍ଥ ଭାଙ୍ଗିଯାଇଥିଲା ଓ ଆଖପାଖରେ ଥିବା କିଛି ଘରରେ ମଧ୍ୟ ଫାଟ ପଡ଼ିଥିଲା।

    ଘଟଣାବେଳେ ଘର ଭିତରେ ଥିବା ବ୍ୟକ୍ତି ଗୁରୁତର ଭାବେ ଦଗ୍ଧ ହୋଇଥିଲେ। ପୀଡ଼ିତଙ୍କ ଛଡା ଅନ୍ୟ କେହି ପରିବାର ଲୋକ ଘରେ ନଥିଲେ। ଶବ୍ଦ ସୁଣି ପଡ଼ୋସୀମାନେ ଘଟଣାସ୍ଥଳକୁ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ MKCG ମେଡିକାଲକୁ ନେଇଥିଲେ। ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

    ଘଟଣାର ସୂଚନା ପାଇ ଅଗ୍ନିଶମ ବିଭାଗ ଏବଂ TPCODL ଟିମ୍ ସ୍ଥଳରେ ପହଞ୍ଚି ଅଗ୍ନିକୁ ନିୟନ୍ତ୍ରଣ କରିଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତରେ ଗ୍ୟାସ ଲିକ୍ କିମ୍ବା ଅନ୍ୟ କିଛି ତ୍ରୁଟି ହେତୁ ବିସ୍ଫୋରଣ ଘଟିଥିବା ଆଶଙ୍କା କରାଯାଉଛି। ପୋଲିସ୍ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଆରମ୍ଭ କରିଛି।

  • ବନ ବିଭାଗର ଥାର ଗାଡ଼ି କିଣାକୁ ନେଇ ବଡ଼ ଦୁର୍ନୀତି ସନ୍ଦେହ

    ବନ ବିଭାଗର ଥାର ଗାଡ଼ି କିଣାକୁ ନେଇ ବଡ଼ ଦୁର୍ନୀତି ସନ୍ଦେହ

    ଜଙ୍ଗଲ ବିଭାଗରେ ଥାର ଗାଡ଼ି କିଣା ଓ ମୋଡିଫିକେସନକୁ ନେଇ ବଡ଼ ଦୁର୍ନୀତି ହୋଇଥିବା ସନ୍ଦେହ ଦିନକୁ ଦିନ ଗଭୀର ହେଉଛି। ବିଧାନସଭାରେ ଥାର ଗାଡ଼ି ମୋଡିଫିକେସନରେ ୫ କୋଟି ଟଙ୍କାରୁ ଅଧିକ ଅତିରିକ୍ତ ଖର୍ଚ୍ଚ ନେଇ ପ୍ରଶ୍ନ ଉଠିବା ପରେ ସରକାରୀ ସ୍ତରରେ ହଟଚମଟ ଆରମ୍ଭ ହୋଇଛି। ଏହି ସମ୍ପୂର୍ଣ୍ଣ ଘଟଣାର ସ୍ୱତନ୍ତ୍ର ଅଡିଟ୍‌ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

    ସୂଚନାମୁତାବକ, ଜଙ୍ଗଲ ଅଞ୍ଚଳରେ ପେଟ୍ରୋଲିଂ କରିବା ଉଦ୍ଦେଶ୍ୟରେ ବନ ବିଭାଗ ୫୧ଟି ଥାର ଗାଡ଼ି କିଣିଛି। ଏହି ୫୧ଟି ଗାଡ଼ି କିଣିବା ପାଇଁ ପ୍ରାୟ ୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ, ମୋଡିଫିକେସନ ନାଁରେ ଆଉ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡିଛି। ଏହାଫଳରେ ଗୋଟିଏ ଗାଡ଼ି ପାଇଁ ସର୍ବମୋଟ ୨୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଯାଇଛି।

    ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏହି ବିଷୟରେ ଉତ୍ତର ରଖିବା ପରେ ଦୁର୍ନୀତିର ଗନ୍ଧ ବାରି ହୋଇଥିଲା। ମନ୍ତ୍ରୀ କହିଥିଲେ, ଜଙ୍ଗଲ ଅଞ୍ଚଳରେ ରାତିରେ ପେଟ୍ରୋଲିଂ ପାଇଁ ଗାଡ଼ିରେ ବଡ଼ ଲାଇଟ, ବମ୍ଫର ମୋଡିଫିକେସନ ସହ ଅନ୍ୟାନ୍ୟ ସୁବିଧା ଯୋଡାଯାଇଛି। ତେବେ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ ହୋଇଥିଲେ ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

    ଏହି ମଧ୍ୟରେ ବନ୍ୟପ୍ରାଣୀ ବିଭାଗ ପିସିସିଏଫ୍‌ଙ୍କ କାର୍ଯ୍ୟାଳୟରେ ଥାର ଗାଡ଼ି କିଣା ଓ ମୋଡିଫିକେସନ ସମ୍ପର୍କିତ ସମସ୍ତ ଖର୍ଚ୍ଚର ସ୍ୱତନ୍ତ୍ର ଅଡିଟ୍‌ କରିବାକୁ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି।

    ଅଟୋମୋବାଇଲ ବିଶେଷଜ୍ଞଙ୍କ ମତାନୁସାରେ, ଏଭଳି ପେଟ୍ରୋଲିଂ ମୋଡିଫିକେସନ କଲେ ସର୍ବାଧିକ ସାଢେ ୩ରୁ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରେ। ତେଣୁ ୧୦ ଲକ୍ଷ ଟଙ୍କା ପ୍ରତି ଗାଡ଼ି ମୋଡିଫିକେସନ ଦାବି ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି।

    ଏହି ଅଡିଟ୍‌ ରିପୋର୍ଟ ପରେ ବନ ବିଭାଗର ଥାର ଗାଡ଼ି କିଣା ମାମଲାରେ ଦୁର୍ନୀତିର ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

  • ଟି–୨୦ ବିଶ୍ୱକପ ପୂର୍ବରୁ ଶୁଭମନ୍ ଗିଲ୍‌ଙ୍କୁ ଝଟକା

    ଟି–୨୦ ବିଶ୍ୱକପ ପୂର୍ବରୁ ଶୁଭମନ୍ ଗିଲ୍‌ଙ୍କୁ ଝଟକା

    ଟିମ୍ ଇଣ୍ଡିଆର ଟି–୨୦ ବିଶ୍ୱକପ ଦଳ ଘୋଷଣା ପୂର୍ବରୁ ଶୁଭମନ୍ ଗିଲ୍‌ଙ୍କ ପାଖକୁ ଆସିଥିବା ଗୋଟିଏ ଫୋନ୍ କଲ୍ ଏବେ ବଡ଼ ଚର୍ଚ୍ଚାର ବିଷୟ ହୋଇଛି। ସେହି ଫୋନ୍ କଲ୍‌ରେ ଗିଲ୍‌ଙ୍କୁ ସଫାସଫା କୁହାଯାଇଥିଲା ଯେ, ତାଙ୍କୁ ଟି–୨୦ ବିଶ୍ୱକପ ଦଳରେ ସ୍ଥାନ ମିଳିନି। ଆଉ ମାତ୍ର କିଛି ମିନିଟ୍ ପରେ ପ୍ରେସ୍ କନଫରେନ୍ସ ହୋଇ ବିଶ୍ୱକପ ଟିମ୍ ଘୋଷଣା ହୋଇଯାଇଥିଲା, ଯେଉଁଥିରେ ଶୁଭମନ୍ ଗିଲ୍‌ଙ୍କ ନାମ ନଥିଲା।

    ଆଗାମୀ ଟି–୨୦ ବିଶ୍ୱକପ ପାଇଁ ଘୋଷିତ ଦଳରେ ସୂର୍ୟ୍ୟକୁମାର ଯାଦବଙ୍କୁ କ୍ୟାପଟେନ୍ ଏବଂ ଅକ୍ଷର ପଟେଲ୍‌ଙ୍କୁ ଭାଇସ୍ କ୍ୟାପଟେନ୍ କରାଯାଇଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା, ଟିମ୍ ଇଣ୍ଡିଆର ଓ୍ୱାନଡେ ଓ ଟେଷ୍ଟ ଦଳର ମୁଖ୍ୟ ଭରସା ଶୁଭମନ୍ ଗିଲ୍‌ଙ୍କୁ ଟି–୨୦ ବିଶ୍ୱକପ୍ ଦଳରୁ ବାଦ ଦିଆଯିବା।

    ରିପୋର୍ଟ ଅନୁସାରେ, ଶନିବାର ଦିନ ସିଲେକ୍ସନ୍ କମିଟିର ବୈଠକ ଚାଲିଥିବା ସମୟରେ ହିଁ ଗିଲ୍‌ଙ୍କୁ ଏହି ଫୋନ୍ କଲ୍ ଯାଇଥିଲା। ସେତେବେଳେ ସେ ଅହମ୍ମଦାବାଦରୁ ଚଣ୍ଡିଗଡ଼ ଫେରୁଥିଲେ। BCCIର ଜଣେ ଅଧିକାରୀ ତାଙ୍କୁ ଦଳ ଗଠନ କାରଣ ଦେଖାଇ ଏହି ନିଷ୍ପତ୍ତି ବିଷୟରେ ଜଣାଇଥିଲେ। ଏହା ଗିଲ୍ ପାଇଁ ଅପେକ୍ଷା କରାଯାଇନଥିବା ଝଟକା ଥିଲା, କାରଣ ସେ ନ୍ୟୁଜିଲାଣ୍ଡ ସିରିଜ୍ ଏବଂ ବିଶ୍ୱକପ୍ ପାଇଁ ନିଜକୁ ପ୍ରସ୍ତୁତ ବୋଲି ଭାବୁଥିଲେ।

    ଚୟନକର୍ତ୍ତାମାନଙ୍କ କହିବା ଅନୁସାରେ, ଟିମ୍ କମ୍ବିନେସନ୍ ଓ ଟି–୨୦ ଫର୍ମାଟ୍‌ର ଚାହିଦା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି। ଗତ କିଛି ଟି–୨୦ ମ୍ୟାଚ୍‌ରେ ଗିଲ୍‌ଙ୍କ ବ୍ୟାଟ୍ ଶାନ୍ତ ରହିଥିବାବେଳେ, ସୟଦ ମୁସ୍ତାକ ଅଲି ଟ୍ରଫିରେ ଦମଦାର ପ୍ରଦର୍ଶନ କରିଥିବା ଇଶାନ କିଷାନ ଓ ରିଙ୍କୁ ସିଂହଙ୍କୁ ସୁଯୋଗ ମିଳିଛି।

    ତଥାପି, ଶେଷ ମୁହୂର୍ତ୍ତରେ ଫୋନ୍ କଲ୍ ମାଧ୍ୟମରେ ଏଭଳି ସୂଚନା ଦେବାକୁ ନେଇ ବିବାଦ ମଧ୍ୟ ସୃଷ୍ଟି ହୋଇଛି। ବିଶେଷଜ୍ଞମାନେ କହୁଛନ୍ତି, ଗିଲ୍‌ଙ୍କ ଆଗକୁ ଦୀର୍ଘ କ୍ୟାରିଅର୍ ରହିଛି ଏବଂ ଗୋଟିଏ ବିଶ୍ୱକପରୁ ବାଦ ପଡ଼ିବା ତାଙ୍କ ଭବିଷ୍ୟତକୁ ଆଘାତ ଦେଇପାରିବ ନାହିଁ।

  • ଯାତ୍ରୀଙ୍କ ଖର୍ଚ୍ଚା ବଢ଼େଇଲା ରେଳବିଭାଗ

    ଯାତ୍ରୀଙ୍କ ଖର୍ଚ୍ଚା ବଢ଼େଇଲା ରେଳବିଭାଗ

    ରେଲୱେ ଯାତ୍ରୀଙ୍କ ପାଇଁ ଏକ ବଡ ଖବର ଆସିଛି। ଭାରତୀୟ ରେଲୱେ ଟିକେଟ୍ ଦରରେ ବୃଦ୍ଧି କରିଛି, ଯାହା ଜେନେରାଲ୍‌ କ୍ଲାସ୍‌ରୁ ଏସି କ୍ଲାସ୍‌ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀଙ୍କୁ ପ୍ରଭାବିତ କରିବ। ଏହି ବୃଦ୍ଧି ବିଶେଷକରି ଦୂରଦୂରାନ୍ତ ଯାତ୍ରା କରୁଥିବା ଯାତ୍ରୀମାନଙ୍କର ଖର୍ଚ୍ଚା ବଢାଇଦେବ।

    ନୂଆ ଦର ଅନୁସାରେ, ସାଧାରଣ ବର୍ଗରେ ୨୧୫ କିଲୋମିଟରରୁ ଅଧିକ ଯାତ୍ରା ପାଇଁ ପ୍ରତି କିଲୋମିଟର ୧ ପଇସା ବଢିଛି। ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନରେ ନନ୍ ଏସି ପାଇଁ ପ୍ରତି କିଲୋମିଟର ୨ ପଇସା ବୃଦ୍ଧି ହୋଇଛି। ଏସି କ୍ଲାସ୍‌ରେ ମଧ୍ୟ ପ୍ରତି କିଲୋମିଟର ୨ ପଇସା ଦର ବଢାଯାଇଛି।

    ଉଦାହରଣ ସ୍ୱରୂପ, ନନ୍ ଏସି କ୍ଲାସ୍‌ରେ ୫୦୦ କିମି ଯାତ୍ରା ପାଇଁ ଯାତ୍ରୀକୁ ଅଧିକ ୧୦ ଟଙ୍କା ଦେବାକୁ ପଡ଼ିବ। ଏହି ନୂଆ ଟିକେଟ୍ ଦର ୨୬ ତାରିଖରୁ ପ୍ରଭାବୀ ହେବ। ରେଲୱେ ଏହାକୁ ଯାତ୍ରୀ ସଂଖ୍ୟା, ଦୂରତା ଓ ସମସ୍ତ ବର୍ଗରେ ଟିକେଟ୍ ରେଭେନ୍ୟୁ ବୃଦ୍ଧି ପାଇଁ କରିଛି।ରେଲୱେ ସେବାର ଗୁଣତ୍ୱ ରକ୍ଷା କରିବା ଏବଂ ରେଲୱେ ବଜେଟ୍‌ରେ ସାହାଯ୍ୟ କରିବାର ଲକ୍ଷ୍ୟରେ ନିଆଯାଇଛି। ଯାତ୍ରୀମାନେ ନୂଆ ଦରକୁ ଧ୍ୟାନରେ ରଖି ଯାତ୍ରା ପରିକଳ୍ପନା କରିବା ଉଚିତ।

    କିଛି ଯାତ୍ରୀ ଏହି ବୃଦ୍ଧିକୁ ଅସନ୍ତୁଷ୍ଟ ଭାବରେ ନେଇଛନ୍ତି, କିନ୍ତୁ ରେଲୱେ ଏହାକୁ ଆବଶ୍ୟକୀୟ ପଦକ୍ଷେପ ଭାବରେ ବର୍ଣ୍ଣନା କରିଛି, ଯାହା ଦୀର୍ଘ ମାସ୍‌ରେ ସବୁ ବର୍ଗର ଯାତ୍ରୀଙ୍କୁ ଲାଭ ଦେବ।

  • ରାଜସ୍ଵ ବିଭାଗ ଜାରି କଲା ନୂତନ SOP

    ରାଜସ୍ଵ ବିଭାଗ ଜାରି କଲା ନୂତନ SOP

    ଓଡ଼ିଶାରେ ଜମି ବେଞ୍ଚମାର୍କ ମୂଲ୍ୟ ବୃଦ୍ଧି ପାଇଁ ରାଜସ୍ଵ ବିଭାଗ ତୁରନ୍ତ ପଦକ୍ଷେପ ନେଇଛି। ରାଜସ୍ଵ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବୃଦ୍ଧି କୌଣସି ସମସ୍ତ ଜମି ଓ ସ୍ଥାବର ସମ୍ପତ୍ତିର ମୂଲ୍ୟରେ ପ୍ରଭାବ ପକାଇବାରୁ ଏହା ସାମ୍ପ୍ରତିକ ଭାବେ ସବୁ ପାଇଁ ଗୁରୁତ୍ଵପୂର୍ଣ୍ଣ ଘଟଣା ଭାବରେ ଦେଖାଯାଉଛି।

    ସୂଚନା ଅନୁଯାୟୀ, ଜମିଗୁଡ଼ିକର ସ୍ଥିତି, ପ୍ରକାର ଏବଂ ରାଜପଥ ନିକଟତାକୁ ଧ୍ୟାନରେ ରଖି ବେଞ୍ଚମାର୍କ ମୂଲ୍ୟ ନିର୍ଣ୍ଣୟ କରାଯିବ। ଏହି ପଦକ୍ଷେପ ରାଜସ୍ଵ ବିଭାଗ ଦ୍ୱାରା ଡିସେମ୍ବର ୧୯ ରେ ଜାରି କରାଯାଇଥିବା ଏସ୍‌ଓପି ଅନୁସାରେ କରାଯିବ। ଏସ୍‌ଓପି ଅନୁଯାୟୀ, ପ୍ରତି ଦୁଇ ବର୍ଷରେ ଜମି ଓ ସ୍ଥାବର ସମ୍ପତ୍ତିର ବେଞ୍ଚମାର୍କ ମୂଲ୍ୟାୟନ ହେବାକୁ ନିର୍ଦ୍ଧାରିତ।

    ରାଜସ୍ଵ ବିଭାଗ ପକ୍ଷରୁ ଏହାକୁ ନିୟମିତ କରିବା ପାଇଁ ସମସ୍ତ ଜିଲ୍ଲା ଚିଠି ପଠାଇ ଏବଂ ଜମି ମୂଲ୍ୟାୟନରେ କିଛି ମୂଳଭୂତ ଦିଗକୁ ଗୁରୁତ୍ଵ ଦିଆଯିବ। ଏଥିରେ ଜମିର ରକ୍ଷା, ଅବସ୍ଥିତି, ପ୍ରକାର, ସହର ନିକଟତା ଓ ବିକାଶ ସମ୍ଭାବନା ସମ୍ମିଳିତ।

    ଏହି ଏସ୍‌ଓପି ଜାରି ହେବାର ଲକ୍ଷ୍ୟ ହେଉଛି ଜମି ଓ ସ୍ଥାବର ସମ୍ପତ୍ତିର ନିୟମିତ ମୂଲ୍ୟାୟନ କରି, ଗୁରୁତ୍ଵ ସଂଗ୍ରହ ଓ ଆଇନ-ଶୃଙ୍ଖଳାରେ ସମସ୍ତ ବ୍ୟବସ୍ଥା କରିବା। ଏହାର ଫଳରେ ଜମି ବିକ୍ରୟ ଓ ଅନ୍ୟାନ୍ୟ ସମ୍ପତ୍ତି ଲେନଦେନରେ ସଠିକ୍ ମୂଲ୍ୟ ନିର୍ଣ୍ଣୟ ହେବାକୁ ସାହାଯ୍ୟ ମିଳିବ।

    ଓଡ଼ିଶାର ସମସ୍ତ ଜିଲ୍ଲାରେ ଏହି ଏସ୍‌ଓପି କାର୍ଯ୍ୟକାରୀ ହେବା ସହ, ଜମି ବେଞ୍ଚମାର୍କ ମୂଲ୍ୟର ସମସ୍ତ ଅଦ୍ୟତନ ସୂଚନା ସଂଗ୍ରହ ଓ ପ୍ରଚାର କରାଯିବ।