Blog

  • ନୂଆବର୍ଷରେ କଡ଼ା ନିୟମ, ଭଦ୍ରକ ଏସପି ଅଫିସକୁ ଫୁଲ ଓ ଡାଏରୀ ନିଷେଧ

    ନୂଆବର୍ଷରେ କଡ଼ା ନିୟମ, ଭଦ୍ରକ ଏସପି ଅଫିସକୁ ଫୁଲ ଓ ଡାଏରୀ ନିଷେଧ

    ଆସନ୍ତାକାଲି ଇଂରାଜୀ ନୂଆବର୍ଷକୁ ଦୃଷ୍ଟିରେ ରଖି ଭଦ୍ରକ ପୁଲିସ୍‌ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏସପି ଅଫିସକୁ ଫୁଲତୋଡ଼ା ଓ ଡାଏରୀ ନେଇ ଆସିବାକୁ ନିଷେଧ କରାଯାଇଛି। ପୁଲିସ୍‌ ଅଧିକାରୀ କିମ୍ବା କୌଣସି ବ୍ୟକ୍ତି ଫୁଲ ଓ ଡାଏରୀ ଆଣିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ଏ ନେଇ ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ୍‌ କାନ୍ଥରେ ସଚେତନତା ପୋଷ୍ଟର୍ ଲଗାଯାଇଛି। ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶକ୍ରମେ କଡ଼ା ନୋଟିସ୍‌ ଜାରି ହୋଇଛି।

    ଏପଟେ, ନୂଆବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ କେହି ମଧ୍ୟ କାର୍ଯ୍ୟାଳୟକୁ ନ ଆସିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିବେଦନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଇ ସେ କହିଛନ୍ତି ଯେ ନୂଆବର୍ଷ ଦିନଟି ସରକାରୀ କାର୍ଯ୍ୟଦିବସ ହେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାଧାରଣ ଦିନଭଳି କାମ କରିବ। ତେଣୁ ଶୁଭେଚ୍ଛା ଜଣାଇବା ପାଇଁ କେହି ତାଙ୍କ କାର୍ଯ୍ୟାଳୟକୁ ନ ଆସିବାକୁ ସେ ଅନୁରୋଧ କରିଛନ୍ତି।

    ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ସରକାରୀ କର୍ମଚାରୀମାନେ ଅଫିସ ସମୟରେ ଶୁଭେଚ୍ଛା ଓ ଅଭିନନ୍ଦନ କାର୍ଯ୍ୟକ୍ରମରେ ଯୋଗ ନ ଦେଇ କାର୍ଯ୍ୟଦାୟିତ୍ୱ ଉପରେ ଗୁରୁତ୍ୱ ଦିଅନ୍ତୁ। ଓଡ଼ିଶାର ଜନସାଧାରଣ ଓ ଶୁଭାକାଂକ୍ଷୀମାନଙ୍କ ସଦିଚ୍ଛା ପ୍ରତି ସେ କୃତଜ୍ଞତା ଜଣାଇଛନ୍ତି। ଏଥିସହିତ, ସରକାରୀ ବାସଭବନକୁ ଶୁଭେଚ୍ଛା ଜଣାଇବାକୁ ଆସୁଥିବା ଲୋକମାନଙ୍କୁ କୌଣସି ଉପହାର କିମ୍ବା ପୁଷ୍ପଗୁଚ୍ଛ ନ ଆଣିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।

  • ହାତୀପଲର ଉତ୍ପାତ: ଘର ଭାଙ୍ଗିଲା, କାନ୍ଥ ତଳେ ଚାପି ମହିଳାଙ୍କ ମୃତ୍ୟୁ

    ହାତୀପଲର ଉତ୍ପାତ: ଘର ଭାଙ୍ଗିଲା, କାନ୍ଥ ତଳେ ଚାପି ମହିଳାଙ୍କ ମୃତ୍ୟୁ

    ରାଜ୍ୟର ଦୁଇଟି ଜିଲ୍ଲାରେ ହାତୀ ଆତଙ୍କ ଏବେ ଜନଜୀବନକୁ ଭୟଭୀତ କରିଛି। ଅନୁଗୁଳ ଜିଲ୍ଲା ସହିତ ବଲାଙ୍ଗୀର ଜିଲ୍ଲାରେ ହାତୀ ଆକ୍ରମଣରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

    ଅନୁଗୁଳ ରେଞ୍ଜ ଅଧୀନ ସାହାରାଗୁଡ଼ା ଗାଁର ସୁନାଭୂଇଁ ସାହିରେ ଆଜି ସକାଳେ ଏକ ହୃଦୟବିଦାରକ ଘଟଣା ଘଟିଛି। ସକାଳୁ ଘର ନିକଟସ୍ଥ ନଳକୂଅକୁ ପାଣି ଆଣିବାକୁ ଯାଇଥିବା ବେଳେ ଝିଲ୍ଲୀ ବେହେରା (୩୫)ଙ୍କୁ ଏକ ଦନ୍ତା ହାତୀ ଆକ୍ରମଣ କରି ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଝିଲ୍ଲୀଙ୍କ ମୃତ୍ୟୁ ହୋଇଥିଲା। ଘଟଣା ପରେ ସାହାରାଗୁଡ଼ା ଗାଁରେ ଭୟ ଓ ଆକ୍ରୋଶର ପରିବେଶ ସୃଷ୍ଟି ହୋଇଛି। ରୋଷାବେଶରେ ଗାଁ ଲୋକେ ରେଞ୍ଜର ଉଦ୍ଧବ ବେହେରାଙ୍କୁ ଅଟକ ରଖିଥିବା ଖବର ମିଳିଛି।

    ଏହା ସହିତ ବଲାଙ୍ଗୀର ଜିଲ୍ଲା ଲାଠୋର ରେଞ୍ଜ ଅଧୀନ ଖପ୍ରାଖୋଲ ଥାନାର ଚହକୋପଡ଼ା ଗ୍ରାମରେ ମଧ୍ୟ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ବିଗତ ଦୁଇ ଦିନ ଧରି ଲାଠୋର ରେଞ୍ଜ ଅଞ୍ଚଳରେ ପ୍ରାୟ ୩୦ଟିକିଆ ହାତୀପଲ ଉତ୍ପାତ କରୁଥିବାବେଳେ ଗୁରୁବାର ମଧ୍ୟରାତ୍ରିରେ ଏହି ହାତୀପଲ ଚହକୋପଡ଼ା ଗାଁର ଏକ ଘର ଉପରେ ଆକ୍ରମଣ କରିଥିଲେ। ଘର ଭାଙ୍ଗିଯିବାରୁ କାନ୍ଥ ତଳେ ଚାପି ହୋଇ ୪୫ ବର୍ଷୀୟ ଫୁଲମତି ନାଗଙ୍କ ମୃତ୍ୟୁ ହୋଇଛି।

    ଏହି ଆକ୍ରମଣରେ ଫୁଲମତିଙ୍କ ସ୍ୱାମୀ ଗୌତମ ନାଗ ଓ ଶାଶୂ ଖୁଦ ନାଗ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ବନ ବିଭାଗର ସହଯୋଗରେ ଦୁହିଁଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଖପ୍ରାଖୋଲ ଡାକ୍ତରଖାନାକୁ ପଠାଯାଇଛି। ଉଭୟଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି।

    ଏକାଧିକ ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ବନ ବିଭାଗ ପକ୍ଷରୁ ହାତୀପଲକୁ ଜଙ୍ଗଲ ଅଞ୍ଚଳକୁ ଫେରାଇବା ପାଇଁ ପ୍ରୟାସ ଜାରି ରହିଥିବା ବେଳେ, ସ୍ଥାନୀୟ ପ୍ରଶାସନ ଲୋକମାନଙ୍କୁ ସତର୍କ ରହିବା ଏବଂ ବିଶେଷକରି ରାତି ସମୟରେ ଘରୁ ବାହାରକୁ ନ ବାହାରିବାକୁ ଅନୁରୋଧ କରିଛି।

  • ବର୍ଷ ଆରମ୍ଭରୁ ଶ୍ରୀମନ୍ଦିରରେ ମହାତ୍ରୁଟି !

    ବର୍ଷ ଆରମ୍ଭରୁ ଶ୍ରୀମନ୍ଦିରରେ ମହାତ୍ରୁଟି !

    ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ୨୦୨୬ କ୍ୟାଲେଣ୍ଡରକୁ ନେଇ ଏବେ ଭାରି ବିବାଦ ଦେଖାଦେଇଛି। କ୍ୟାଲେଣ୍ଡରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଚିତ୍ରରେ ଗୁରୁତର ତ୍ରୁଟି ଥିବା ଦାବି କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ବଳଭଦ୍ର ଏବଂ ବଳଭଦ୍ରଙ୍କ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ସ୍ଥାପିତ ହୋଇଥିବା ଫଟୋକୁ କ୍ୟାଲେଣ୍ଡରରେ ସ୍ଥାନ ଦିଆଯାଇଥିବାରୁ ଜଗନ୍ନାଥ ପ୍ରେମୀ ଓ ସେବାୟତମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

    ସେହିପରି କ୍ୟାଲେଣ୍ଡରରେ ଥିବା ରଥଯାତ୍ରା ସମ୍ପର୍କିତ ଏକ ଫଟୋକୁ ନେଇ ମଧ୍ୟ ଗୁରୁତର ଅଭିଯୋଗ ଆସିଛି। ଉକ୍ତ ଚିତ୍ରରେ ପ୍ରଥମେ ମା ସୁଭଦ୍ରାଙ୍କ ରଥ, ପରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଏବଂ ଶେଷରେ ଶ୍ରୀବଳଭଦ୍ରଙ୍କ ରଥ ଟଣାଯାଉଥିବା ଦେଖାଯାଇଛି, ଯାହା ପରମ୍ପରା ଓ ଶାସ୍ତ୍ରସମ୍ମତ ନୁହେଁ ବୋଲି ସେବାୟତମାନେ କହିଛନ୍ତି।

    ଏହି ତ୍ରୁଟିଗୁଡ଼ିକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱହୀନତା ସ୍ପଷ୍ଟ ହେଉଥିବା ଅଭିଯୋଗ ହେଉଛି। କ୍ୟାଲେଣ୍ଡର ଛପାହେବା ପୂର୍ବରୁ କେଉଁ ଅଧିକାରୀଙ୍କ ପରାମର୍ଶରେ ଏଭଳି ତ୍ରୁଟିପୂର୍ଣ୍ଣ ଫଟୋକୁ ଅନୁମୋଦନ ଦିଆଯାଇଥିଲା, ସେଥିପାଇଁ ତଦନ୍ତ ଦାବି କରାଯାଇଛି। ଜଗନ୍ନାଥ ସଂସ୍କୃତିକୁ ବିକୃତ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପୂର୍ବରୁ ଘୋଷଣା କରିଥିବା ପ୍ରଶାସନ ନିଜେ ଏହି ନିୟମକୁ ଉଲ୍ଲଘଂନ କରିଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

    ଜଗନ୍ନାଥ ପ୍ରେମୀ ଓ ସେବାୟତମାନେ ତୁରନ୍ତ ଏହି ତ୍ରୁଟିପୂର୍ଣ୍ଣ କ୍ୟାଲେଣ୍ଡରକୁ ପ୍ରତ୍ୟାହାର କରିବା ସହ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ମିଳିପାରିନାହିଁ।

  • ବିବାହ ପୂର୍ବ ବନ୍ଧୁତା ନେଇ ଦାମ୍ପତ୍ୟ କଳହ,ନବବିବାହିତ ଦମ୍ପତିଙ୍କ ଆତ୍ମହତ୍ୟା

    ବିବାହ ପୂର୍ବ ବନ୍ଧୁତା ନେଇ ଦାମ୍ପତ୍ୟ କଳହ,ନବବିବାହିତ ଦମ୍ପତିଙ୍କ ଆତ୍ମହତ୍ୟା

    ବିବାହ ପରେ ମାତ୍ର ଦେଢ଼ମାସ ମଧ୍ୟରେ ନବବିବାହିତ ଦମ୍ପତିଙ୍କ ଆଗପଛ ଆତ୍ମହତ୍ୟା ଘଟଣା ସହରକୁ ସ୍ତବ୍ଧ କରିଦେଇଛି। ବିବାହ ପୂର୍ବ ସମ୍ପର୍କକୁ ନେଇ ହୋଇଥିବା ତୀବ୍ର ବିବାଦ ଏହି ଦୁଃଖଦ ଘଟଣାର ମୁଖ୍ୟ କାରଣ ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି।

    ସୂଚନା ଅନୁଯାୟୀ, ବେଙ୍ଗାଲୁରୁର ବିଦ୍ୟାରନ୍ୟାପୁର ଅଞ୍ଚଳର ବାସିନ୍ଦା ସୁରଜ ଶିବନ ଓ ଗନଭୀ ଦେଢ଼ମାସ ତଳେ ବିବାହ କରିଥିଲେ। ବିବାହ ପରେ ଦୁହେଁ ୧୦ ଦିନ ପାଇଁ ଶ୍ରୀଲଙ୍କାକୁ ହନିମୁନରେ ଯାଇଥିଲେ। ହେଲେ ସେଠାରେ ଗନଭୀଙ୍କ ବିବାହ ପୂର୍ବ ବନ୍ଧୁତାକୁ ନେଇ ଦୁଇଜଣଙ୍କ ମଧ୍ୟରେ ଭୟଙ୍କର ଝଗଡ଼ା ହୋଇଥିଲା। ଏହା ପରେ ଦମ୍ପତି ହନିମୁନ ଅଧାରୁ ବନ୍ଦ କରି ବେଙ୍ଗାଲୁରୁ ଫେରିଆସିଥିଲେ।

    ହନିମୁନରୁ ଫେରିବା ପରେ ଘରୋଇ କଳହ ଆଉ ଗଭୀର ହୋଇଥିଲା। ସୁରଜଙ୍କ ବଡ଼ଭାଇ ସଞ୍ଜୟ ଶିବନ ଦୁହିଁଙ୍କ ମଧ୍ୟରେ ସମାଧାନ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଶେଷରେ ଗନଭୀ ରାଗିକରି ନିଜ ପୈତୃକ ଘରକୁ ଚାଲିଯାଇଥିଲେ। ସେଠାରେ ଗୁରୁବାର ସେ ଆତ୍ମହତ୍ୟା କରିଥିଲେ।

    ଗନଭୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପକ୍ଷରୁ ମିଥ୍ୟା ଯୌତୁକ ନିର୍ଯାତନା ଅଭିଯୋଗ ଆଣାଯାଇଥିଲା। ଏହାକୁ ନେଇ ପୁଲିସ କାର୍ଯ୍ୟାନୁଷ୍ଠାନ ଭୟରେ ସୁରଜ, ତାଙ୍କ ଭାଇ ଓ ମା’ ପ୍ରଥମେ ହାଇଦ୍ରାବାଦ ଏବଂ ପରେ ନାଗପୁର ପଳାଇଯାଇଥିଲେ ବୋଲି ସଞ୍ଜୟ କହିଛନ୍ତି।

    ଶୁକ୍ରବାର ରାତିରେ ସୁରଜଙ୍କୁ ନାଗପୁରର ଏକ ହୋଟେଲ ରୁମ୍‌ରେ ସିଲିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହାସହିତ ସୁରଜଙ୍କ ମା’ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ, ହେଲେ ସେ ଭାଗ୍ୟକ୍ରମେ ବର୍ତ୍ତିଯାଇଥିଲେ।

    ଦୁଇ ଦିନ ମଧ୍ୟରେ ଘଟିଥିବା ଏହି ଦୁଇଟି ଆତ୍ମହତ୍ୟା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଜଲ୍ୟ ସୃଷ୍ଟି କରିଥିବାବେଳେ, ପୁଲିସ ସମ୍ପୂର୍ଣ୍ଣ ଘଟଣାର ଗଭୀର ତଦନ୍ତ ଜାରି ରଖିଛି।

  • ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଦେହାନ୍ତ

    ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଦେହାନ୍ତ

    ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ଅଧ୍ୟକ୍ଷା ବେଗମ ଖାଲିଦା ଜିଆଙ୍କ ଆଜି ପରଲୋକ ଘଟିଛି। ଦୀର୍ଘଦିନ ଧରି ଅସୁସ୍ଥ ରହିଥିବା ଖାଲିଦା ଜିଆଙ୍କ ମୃତ୍ୟୁ ସମୟରେ ବୟସ ୮୦ ବର୍ଷ ଥିଲା।

    ତାଙ୍କ ଦେହାନ୍ତ ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଗଭୀର ଶୋକ ପ୍ରକାଶ କରିଛନ୍ତି। ବିଏନପି ପକ୍ଷରୁ ‘ଏକ୍ସ’ (ପୂର୍ବତନ ଟ୍ୱିଟର)ରେ ପ୍ରକାଶିତ ଏକ ପୋଷ୍ଟରେ ଶେଖ୍ ହସିନା କହିଛନ୍ତି ଯେ, ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଓ ଗଣତନ୍ତ୍ର ପ୍ରତିଷ୍ଠାର ସଂଗ୍ରାମରେ ଖାଲିଦା ଜିଆଙ୍କ ଅବଦାନ ଦେଶ ସଦା ସ୍ମରଣ କରିବ।

    ଶେଖ୍ ହସିନା ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ, ଖାଲିଦା ଜିଆଙ୍କ ବିୟୋଗ ବାଂଲାଦେଶର ରାଜନୈତିକ ଜୀବନ ଏବଂ ବିଏନପି ପାଇଁ ଏକ ଅପୂରଣୀୟ କ୍ଷତି। ସେ ଖାଲିଦା ଜିଆଙ୍କ ଆତ୍ମାର ଶାନ୍ତି କାମନା କରିବା ସହ ତାଙ୍କ ପୁଅ ତାରିକ ରହମାନ ଓ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

    ଦୀର୍ଘ ସମୟ ଧରି ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଥିବା ଖାଲିଦା ଜିଆ ଆର୍ଥ୍ରାଇଟିସ୍, ହୃଦ୍ରୋଗ ଓ ମଧୁମେହରେ ମଧ୍ୟ ପୀଡ଼ିତ ଥିଲେ।

    ଖାଲିଦା ଜିଆ ଦୁଇଥର ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ୧୯୯୧ରୁ ୧୯୯୬ ଏବଂ ୨୦୦୧ରୁ ୨୦୦୬ ପର୍ଯ୍ୟନ୍ତ ଦେଶକୁ ନେତୃତ୍ୱ ଦେଇଥିଲେ। ସେ ବିଏନପିର ପ୍ରତିଷ୍ଠାତା ଏବଂ ପୂର୍ବତନ ରାଷ୍ଟ୍ରପତି ଜିଆଉର ରହମାନଙ୍କ ପତ୍ନୀ ଥିଲେ।

    ଖାଲିଦା ଜିଆଙ୍କ ଦେହାନ୍ତରେ ବାଂଲାଦେଶର ରାଜନୈତିକ, ସାମାଜିକ ଓ ସାଧାରଣ ଜନଜୀବନରେ ଗଭୀର ଶୋକର ଛାୟା ପଡ଼ିଛି। ତାଙ୍କ ରାଜନୈତିକ ଜୀବନ ଓ ଅବଦାନ ବାଂଲାଦେଶର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ସ୍ମରଣ କରାଯିବ।

  • ନୂଆବର୍ଷ ପାଇଁ ଭୁବନେଶ୍ୱର କଡ଼ା ସୁରକ୍ଷା ବଳୟରେ

    ନୂଆବର୍ଷ ପାଇଁ ଭୁବନେଶ୍ୱର କଡ଼ା ସୁରକ୍ଷା ବଳୟରେ

    ନୂଆବର୍ଷ ସେଲିବ୍ରେସନ୍‌କୁ ନେଇ ରାଜଧାନୀ ଭୁବନେଶ୍ୱରକୁ କଡ଼ା ସୁରକ୍ଷା ବଳୟରେ ଆଣିଛି କମିଶନରେଟ ପୋଲିସ। ସହରର ପ୍ରତ୍ୟେକ କୋଣକୁ ସିସିଟିଭି ନଜରରେ ରଖାଯିବା ସହ ଜିରୋ ନାଇଟ୍ ସେଲିବ୍ରେସନ୍‌ ନାଁରେ କୌଣସି ନିୟମ ଉଲ୍ଲଂଘନକୁ ପୋଲିସ କେବେବି ବରଦାସ୍ତ କରିବ ନାହିଁ। ଏଥିପାଇଁ ‘ଜିରୋ ଟଲେରାନ୍ସ’ ନୀତି ଅନୁସରଣ କରାଯିବ ବୋଲି ସପଷ୍ଟ କରିଛି କମିଶନରେଟ ପୋଲିସ।

    ଏହାପୂର୍ବରୁ ସହରବାସୀଙ୍କୁ ସତର୍କ କରାଯାଇଛି। “ମତୁଆଲା ହୁଅନ୍ତୁ, କିନ୍ତୁ କ୍ରାଇମ କରନ୍ତୁ ନାହିଁ” ବୋଲି ସପଷ୍ଟ ବାର୍ତ୍ତା ଦେଇଛନ୍ତି ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ।

    କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ରାଜଧାନୀର ୧୮ଟି ସ୍ଥାନରେ ନାକାବନ୍ଦୀ ବ୍ୟବସ୍ଥା କରାଯିବ। ସୁରକ୍ଷା ପାଇଁ ୧୮ ପ୍ଲାଟୁନ ଅତିରିକ୍ତ ଫୋର୍ସ ସାରା ଭୁବନେଶ୍ୱରରେ ମୁତୟନ ରହିବେ। ସେହିପରି ୨୯ଟି ଗୁରୁତ୍ୱପୂର୍ଣ୍ଣ ଛକରେ ୱାଚ୍ ଟିମ୍‌ ଦ୍ୱାରା କଡ଼ା ଯାଞ୍ଚ କରାଯିବ। ଜିରୋ ନାଇଟ୍‌ରେ ରାତି ୧୨ଟା ପରେ ସହରର ସଂବେଦନଶୀଳ ଅଞ୍ଚଳ ଉପରେ କ୍ୱିକ୍ ରିଏକ୍ସନ୍ ଟିମ୍‌ ବିଶେଷ ନଜର ରଖିବ।

    ହୋଟେଲ, ବାର ଓ ପବ୍‌ଗୁଡ଼ିକୁ ରାତି ୧୨ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କରିବାକୁ ଅନୁମତି ମିଳିଛି। ତେବେ ଆପାର୍ଟମେଣ୍ଟ କିମ୍ବା କଲୋନୀ ଭିତରେ ସେଲିବ୍ରେସନ୍ କରୁଥିବା ଲୋକମାନେ ନିୟମାବଳୀକୁ କଢ଼ାକଢ଼ି ଭାବେ ମାନିବାକୁ ପଡ଼ିବ। ଡିଜେ ବଜାଇବାକୁ କାହାକୁ ମଧ୍ୟ ଅନୁମତି ନଥିବା କଥା ପୋଲିସ କମିଶନର ସପଷ୍ଟ କରିଛନ୍ତି।

    ନୂଆବର୍ଷ ଅବସରରେ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସହରର ୪ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ—ନନ୍ଦନକାନନ, ଧଉଳି, ଲିଙ୍ଗରାଜ ମନ୍ଦିର ଓ ଖଣ୍ଡଗିରିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ। ମହିଳାଙ୍କ ସୁରକ୍ଷାକୁ ବିଶେଷ ପ୍ରାଥମିକତା ଦିଆଯାଇଥିବାବେଳେ, ଅସୁରକ୍ଷିତ ସ୍ଥାନକୁ ନଯିବା ପାଇଁ ପୋଲିସ ପରାମର୍ଶ ଦେଇଛି।

    ପୋଲିସ ସପଷ୍ଟ କରିଛି ଯେ, ମଦ ପିଇ ଡ୍ରାଇଭିଂ କଲେ ଗାଡ଼ି ସିଜ୍‌ କରାଯିବ ଏବଂ କଠୋର ଆଇନଗତ ପଦକ୍ଷେପ ନିଆଯିବ। ଜିରୋ ନାଇଟ୍‌ରେ ଶାନ୍ତି, ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରାଯାଇଛି।

  • ସାମାଜିକ ସୁରକ୍ଷାରେ ନୂଆ ପଦକ୍ଷେପ, ଟ୍ରାନ୍ସଜେଣ୍ଡରଙ୍କୁ ମାସିକ ପେନ୍ସନ୍

    ସାମାଜିକ ସୁରକ୍ଷାରେ ନୂଆ ପଦକ୍ଷେପ, ଟ୍ରାନ୍ସଜେଣ୍ଡରଙ୍କୁ ମାସିକ ପେନ୍ସନ୍

    ଟ୍ରାନ୍ସଜେଣ୍ଡର ସମୁଦାୟଙ୍କ ସାମାଜିକ ସୁରକ୍ଷା ଓ ଆର୍ଥିକ ସ୍ଥିରତା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାରଙ୍କ ପକ୍ଷରୁ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସ୍ୱତନ୍ତ୍ର ପେନ୍ସନ୍ ଯୋଜନା ଘୋଷଣା କରାଯାଇଛି। ଏହି ଯୋଜନା ମାଧ୍ୟମରେ ଆର୍ଥିକ ଭାବେ ଦୁର୍ବଳ ଟ୍ରାନ୍ସଜେଣ୍ଡର ବ୍ୟକ୍ତିମାନେ ପ୍ରତିମାସ ନିଶ୍ଚିତ ପେନ୍ସନ୍ ରାଶି ପାଇବେ।

    ସରକାରୀ ସୂଚନା ଅନୁଯାୟୀ, ଏହି ପେନ୍ସନ୍ ସ୍କିମ୍‌ର ଲକ୍ଷ୍ୟ ହେଉଛି ଟ୍ରାନ୍ସଜେଣ୍ଡର ସମୁଦାୟକୁ ମୁଖ୍ୟଧାରା ସମାଜ ସହ ଯୋଡ଼ିବା ସହ ସେମାନଙ୍କ ଜୀବନଯାପନକୁ ସୁରକ୍ଷିତ କରିବା। ବିଶେଷକରି ବୟସ୍କ, ନିରାଶ୍ରୟ ଓ ନିୟମିତ ଆୟ ନଥିବା ଟ୍ରାନ୍ସଜେଣ୍ଡରମାନେ ଏହି ଯୋଜନାରୁ ଲାଭ ଉଠାଇପାରିବେ।

    ଏହି ଯୋଜନା ଅଧୀନରେ ଯୋଗ୍ୟ ଟ୍ରାନ୍ସଜେଣ୍ଡର ବ୍ୟକ୍ତିମାନେ ପ୍ରତିମାସ ନିର୍ଦ୍ଧାରିତ ଅର୍ଥରାଶି ସିଧାସଳଖ ବ୍ୟାଙ୍କ ଖାତାକୁ ପାଇବେ। ଯୋଜନାକୁ ସରଳ ଓ ପାରଦର୍ଶୀ କରିବା ପାଇଁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ (DBT) ପ୍ରଣାଳୀ ଅନୁସରଣ କରାଯିବ।

    ସରକାର କହିଛନ୍ତି, ଏହା କେବଳ ଏକ ଆର୍ଥିକ ସହାୟତା ନୁହେଁ, ବରଂ ଟ୍ରାନ୍ସଜେଣ୍ଡର ସମୁଦାୟ ପ୍ରତି ସାମାଜିକ ସ୍ୱୀକୃତି ଓ ସମ୍ମାନର ପ୍ରତୀକ। ଆଗାମୀ ଦିନରେ ଏହି ସମୁଦାୟ ପାଇଁ ସ୍ୱାସ୍ଥ୍ୟ, ଶିକ୍ଷା ଓ କୌଶଳ ବିକାଶ ସହିତ ସଂପୃକ୍ତ ଆହୁରି ଯୋଜନା ଆଣିବାକୁ ସରକାର ଯୋଜନା କରୁଛନ୍ତି।

    ସମ୍ପର୍କିତ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଶୀଘ୍ର ଯୋଗ୍ୟତା ମାନଦଣ୍ଡ, ପେନ୍ସନ୍ ରାଶି ଓ ଆବେଦନ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ଗାଇଡ୍‌ଲାଇନ୍ ଜାରି କରାଯିବ। ଏହି ଯୋଜନା ଟ୍ରାନ୍ସଜେଣ୍ଡର ସମୁଦାୟ ମଧ୍ୟରେ ଆଶା ଓ ଭରସା ସୃଷ୍ଟି କରିଛି।

  • ପୁଟିନଙ୍କ ବାସଭବନ ଡ୍ରୋନ୍‌ ମାଡ଼ ନେଇ ଚର୍ଚ୍ଚା

    ପୁଟିନଙ୍କ ବାସଭବନ ଡ୍ରୋନ୍‌ ମାଡ଼ ନେଇ ଚର୍ଚ୍ଚା

    ରୁଷ୍‌ ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବାକୁ ଆନ୍ତର୍ଜାତିକ ସ୍ତରରେ ଶାନ୍ତି ପ୍ରୟାସ ତୀବ୍ର ହେଉଥିବାବେଳେ, ଏକ ଡ୍ରୋନ୍‌ ଆକ୍ରମଣ ଦାବି ଦୁଇ ଦେଶ ମଧ୍ୟରେ ପୁଣି ଥରେ ଭୟଙ୍କର ଉତ୍ତେଜନା ସୃଷ୍ଟି କରିଛି। ରୁଷ୍‌ ଦାବି କରିଛି ଯେ, ସୋମବାର ନୋଭଗୋରୋଡ ଅଞ୍ଚଳରେ ଥିବା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାଲଡାଇ ବାସଭବନକୁ ଲକ୍ଷ୍ୟ କରି ୟୁକ୍ରେନ୍‌ ପକ୍ଷରୁ ଡ୍ରୋନ୍‌ ଆକ୍ରମଣ ହୋଇଛି। ଏହି ଘଟଣା ରୁଷ୍‌ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଇଛି।

    ରୁଷ୍‌ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ଯେ, ଡିସେମ୍ବର ୨୮ ଓ ୨୯ ତାରିଖରେ ୟୁକ୍ରେନ୍‌ ୯୧ଟି ଦୀର୍ଘପଥ ଡ୍ରୋନ୍‌ ମାଧ୍ୟମରେ ଆକ୍ରମଣ ପ୍ରୟାସ କରିଥିଲା। ତାଙ୍କ କଥାନୁସାରେ, ରୁଷ୍‌ର ଏୟାର ଡିଫେନ୍ସ ସିଷ୍ଟମ୍‌ ବହୁ ଡ୍ରୋନ୍‌କୁ ଧ୍ୱଂସ କରିଦେଇଥିଲା, ଫଳରେ ବଡ଼ ମାନବୀୟ କ୍ଷତି ରୋକାଯାଇପାରିଛି। ତେବେ କିଛି ଡ୍ରୋନ୍‌ ରାଷ୍ଟ୍ରପତିଙ୍କ ବାସଭବନ ସମୀପକୁ ପହଞ୍ଚିଥିବା ଦାବି କରାଯାଇଛି।

    ଲାଭରୋଭ ଏହି ଆକ୍ରମଣକୁ ‘ଆତଙ୍କବାଦୀ କାର୍ଯ୍ୟ’ ବୋଲି ଆଖ୍ୟା ଦେଇ କହିଛନ୍ତି ଯେ, ଏହା ଶାନ୍ତି ଆଲୋଚନାକୁ ବିଫଳ କରିବା ପାଇଁ ଉଦ୍ଦିଷ୍ଟ। ସେ ସପଷ୍ଟ କରିଛନ୍ତି ଯେ, ରୁଷ୍‌ ସେନାବାହିନୀ ପ୍ରତିଆକ୍ରମଣ ପାଇଁ ଟାର୍ଗେଟ୍‌ ଚିହ୍ନଟ କରିସାରିଛି ଏବଂ ଏହାର ଉଚିତ୍ ଉତ୍ତର ଦିଆଯିବ। ତଥାପି, ଆକ୍ରମଣ ସମୟରେ ପୁଟିନ ବାସଭବନରେ ଉପସ୍ଥିତ ଥିଲେ କି ନାହିଁ, ସେନେଇ ରୁଷ୍‌ କୌଣସି ସରକାରୀ ସୂଚନା ଦେଇନି।

    ଅନ୍ୟପକ୍ଷରେ, ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି ରୁଷ୍‌ର ଏହି ଦାବିକୁ ପୂର୍ଣ୍ଣରୂପେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ପୁଟିନଙ୍କ ବାସଭବନ ଉପରେ କୌଣସି ଆକ୍ରମଣ କରାଯାଇନି। ରୁଷ୍‌ ନିଜର ଆଗାମୀ ସାମରିକ କାର୍ଯ୍ୟକଳାପକୁ ଯୁକ୍ତିଯୁକ୍ତ କରିବା ଏବଂ କିବ ଉପରେ ଅଧିକ ଆକ୍ରମଣ କରିବା ପାଇଁ ଏପରି ମିଛ ଦାବି କରୁଛି।” ସେ ଆହୁରି କହିଛନ୍ତି ଯେ, ୟୁକ୍ରେନ୍‌ ସିବିଲିଆନ୍‌ ଟାର୍ଗେଟ୍‌ କିମ୍ବା ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ବାସଭବନକୁ ଲକ୍ଷ୍ୟ କରେନାହିଁ।

    ଏହି ଘଟଣା ଏମିତି ଏକ ସମୟରେ ଘଟିଛି, ଯେତେବେଳେ ଆମେରିକା ନେତୃତ୍ୱରେ ଯୁଦ୍ଧ ବନ୍ଦ ପାଇଁ ଉଚ୍ଚସ୍ତରୀୟ ଆଲୋଚନା ଚାଲିଛି। ରବିବାର ଫ୍ଲୋରିଡାରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଜେଲେନ୍‌ସ୍କିଙ୍କ ମଧ୍ୟରେ ପ୍ରାୟ ୩ ଘଣ୍ଟା ଧରି ବୈଠକ ହୋଇଥିଲା। ଏହି ଆଲୋଚନାରେ ୟୁକ୍ରେନ୍‌କୁ ୧୫ ବର୍ଷ ପାଇଁ ସୁରକ୍ଷା ଗ୍ୟାରେଣ୍ଟି ଦେବା ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ, ୟୁକ୍ରେନ୍‌ ଏହାକୁ ପର୍ଯ୍ୟାପ୍ତ ନୁହେଁ ବୋଲି କହି ସହମତି ପ୍ରକାଶ କରିନାହିଁ।

    ରାଜନୈତିକ ବିଶ୍ଳେଷକମାନଙ୍କ ମତରେ, ପୁଟିନଙ୍କ ବାସଭବନ ଉପରେ ଡ୍ରୋନ୍‌ ଆକ୍ରମଣ ଦାବି ସତ୍ୟ ହେଉ କି ମିଛ, ଯୁଦ୍ଧକୁ ଆହୁରି ଭୟାବହ କରିପାରେ। ଏହା ଶାନ୍ତି ଆଲୋଚନାକୁ ଦୁର୍ବଳ କରିବା ସହ ଦୁଇ ଦେଶ ମଧ୍ୟରେ ସାମରିକ ମୁହାଁମୁହିଁକୁ ଆହୁରି ତୀବ୍ର କରିପାରେ।

  • ୧୧ ଦିନ ପରେ ମାଟିତଳୁ ମିଳିଛି ଶବ

    ୧୧ ଦିନ ପରେ ମାଟିତଳୁ ମିଳିଛି ଶବ

    ୧୧ ଦିନ ଧରି ନିଖୋଜ ଥିବା ଜଣେ ଯୁବକଙ୍କ ଶବ ମାଟିତଳେ ପୋତା ଅବସ୍ଥାରେ ଠାବ ହେବା ପରେ ସୁବର୍ଣ୍ଣପୁର ଜିଲ୍ଲାରେ ସନସନୀ ସୃଷ୍ଟି ହୋଇଛି। ମୃତ ଯୁବକ ହେଲେ ବିନିକା ଥାନା ଅନ୍ତର୍ଗତ ଗୁଲାପଡା ଗାଁର ପ୍ରକାଶ ମହାନ୍ତି।

    ସୂଚନା ଅନୁସାରେ, ପ୍ରକାଶ ମହାନ୍ତି ୧୧ ଦିନ ପୂର୍ବରୁ କିଛି ଲୋକଙ୍କ ସହ ବାହାରକୁ ଯାଇଥିଲେ । କିନ୍ତୁ ସେ ଆଉ ଘରକୁ ଫେରିନଥିଲେ। ଏନେଇ ତାଙ୍କ ସ୍ତ୍ରୀ ବନିତା ମହାନ୍ତି ବିନିକା ଥାନାରେ ନିଖୋଜ ଥିବା ଖବର ପାଇଁ ଏତଲା ଦେଇଥିଲେ। ତାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

    ପୁଲିସ ତଦନ୍ତ ସମୟରେ ଗୁପ୍ତ ସୂଚନା ଆଧାରରେ, ଆଜି ସକାଳେ ଏକ ସ୍ଥାନରେ ଖୋଦନ କରାଯାଇଥିଲା। ସେଠାରୁ ପ୍ରକାଶଙ୍କ ଶବ ତାଙ୍କ ଘରଠୁ କିଛି ଦୂରରେ ଥିବା ଏକ ଜୋର ନିକଟରେ ମାଟିତଳେ ପୋତା ଅବସ୍ଥାରେ ମିଳିଥିଲା। ଶବ ଉଦ୍ଧାର ପରେ ଘଟଣାସ୍ଥଳରେ ଫରେନ୍ସିକ ଟିମ୍, ସନ୍ଧାନୀ କୁକର ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

    ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପ୍ରକାଶଙ୍କୁ କିଏ, କେଉଁ କାରଣରୁ ହତ୍ୟା କଲା ଓ ମାଟିତଳେ ପୋତିଲା,ସେନେଇ ପୁଲିସ ତଦନ୍ତ ଜାରି ରହିଛି।

    ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ବେଳେ, ରିପୋର୍ଟ ପରେ ମୃତ୍ୟୁର ସଠିକ୍ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ଘଟଣା ପରେ ଗୁଲାପଡା ଗାଁରେ ଶୋକ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।

  • ନୂଆବର୍ଷ ପୂର୍ବରୁ ଓଡ଼ିଶାରେ ଜାଡ଼ ଆତଙ୍କ, ଜନଜୀବନ ଅସ୍ତବ୍ୟସ୍ତ

    ନୂଆବର୍ଷ ପୂର୍ବରୁ ଓଡ଼ିଶାରେ ଜାଡ଼ ଆତଙ୍କ, ଜନଜୀବନ ଅସ୍ତବ୍ୟସ୍ତ

    ଜାଡ଼ ମାଡ଼ରେ ଥରୁଛି ସାରା ଓଡ଼ିଶା। ରାଜ୍ୟରେ ଶୀତ ଲହରୀ ଆହୁରି ତୀବ୍ର ରୂପ ନେଇଥିବା ବେଳେ, ନୂଆବର୍ଷ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ରାଜ୍ୟର ୧୦ରୁ ଅଧିକ ସହରରେ ପାରଦ ୧୦ ଡିଗ୍ରୀ ତଳେ ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

    କନ୍ଧମାଳ, କୋରାପୁଟ, ରାଉରକେଲା, ଝାରସୁଗୁଡ଼ା, ନବରଙ୍ଗପୁର ସହ ରାଜ୍ୟର ଅନେକ ଉଚ୍ଚଭୂମି ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତ ଅସହ୍ୟ ହୋଇପଡ଼ିଛି। ରାତି ଓ ସକାଳ ବେଳେ ଘରୁ ବାହାରିବା ମୁସ୍କିଲ୍ ହେଉଥିବା ବେଳେ, ସାଧାରଣ ଜୀବନ ଉପରେ ଜାଡ଼ର ପ୍ରଭାବ ସ୍ପଷ୍ଟ ଦେଖାଯାଉଛି।

    ଶୀତ ସହିତ ସହ ଘନ କୁହୁଡ଼ି ମଧ୍ୟ ଲୋକଙ୍କୁ କଲବଲ କରୁଛି। ପାଣିପାଗ କେନ୍ଦ୍ର ଅନୁସାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଲାଗିରହିବ। ଆଜି ଓ କାଲି ସୁନ୍ଦରଗଡ଼, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲା ପାଇଁ କୁହୁଡ଼ି ସତର୍କତା ଜାରି କରାଯାଇଛି। ଉପକୂଳ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ କୁହୁଡ଼ିର ପ୍ରଭାବ ପଡ଼ିପାରେ।

    କନ୍ଧମାଳର ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୪ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଛି। ଗତକାଲି ଏଠାରେ ପାରଦ ୭.୮ ଡିଗ୍ରୀ ଥିବା ବେଳେ, ଗୋଟିଏ ଦିନରେ ୩.୪ ଡିଗ୍ରୀ ହ୍ରାସ ପାଇଛି। ଦୁର୍ଗମ ଓ ଜଙ୍ଗଲିଆ ଅଞ୍ଚଳରେ ପାରଦ ଆହୁରି ୧ରୁ ୨ ଡିଗ୍ରୀ କମ୍ ଥିବା ଆକଳନ କରାଯାଇଛି।

    ସେହିଭଳି ଦାରିଙ୍ଗବାଡ଼ିରେ ତାପମାତ୍ରା ୬ ଡିଗ୍ରୀ, କୋରାପୁଟରେ ୬.୬, ସେମିଳିଗୁଡ଼ାରେ ୬.୭, ରାଉରକେଲାରେ ୭, ଝାରସୁଗୁଡ଼ାରେ ୭.୪, ନବରଙ୍ଗପୁରରେ ୯, କେନ୍ଦୁଝରରେ ୯.୧, ସୁନ୍ଦରଗଡ଼ରେ ୯.୪ ଓ ବଲାଙ୍ଗୀରରେ ୯.୫ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି।

    ପାଣିପାଗ ବିଭାଗ କହିଛି, ଆସନ୍ତା ୩ରୁ ୪ ଦିନ ପରେ ଶୀତର ତୀବ୍ରତା ସାମାନ୍ୟ କମିପାରେ। ତଥାପି ସେପର୍ଯ୍ୟନ୍ତ ଲୋକମାନଙ୍କୁ ସତର୍କ ରହିବା ସହ ଆବଶ୍ୟକ ସାବଧାନତା ନେବାକୁ ପରାମର୍ଶ ଦିଆଯାଇଛି।