Blog

  • କେଉଁ ଯାଏଁ ଲମ୍ବିଛି ମାଫିଆଙ୍କ ଚେର ,ତଦନ୍ତ କରୁଛି ବନବିଭାଗ

    କେଉଁ ଯାଏଁ ଲମ୍ବିଛି ମାଫିଆଙ୍କ ଚେର ,ତଦନ୍ତ କରୁଛି ବନବିଭାଗ

    ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳର ବନଖଣ୍ତ ଅଧିକାରୀଙ୍କୁ ବଡ ସଫଳତା, ଦକ୍ଷିଣ ଘୁମୁସର ବନଖଣ୍ତ ଅଧିକାରି ବିନୋଦ ଆଚାର୍ଯ୍ଯଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ବନାଞ୍ଚଳ ଅଧିକାରି ଙ୍କ ସମେତ ସମସ୍ତ ବନ କର୍ମଚାରିଙ୍କୁ ନେଇ ଦିନ ରାତି ପାଟ୍ରୋଲିଙ୍ଗ୍ ଚାଲିଥିଲା । ଏହା ପୂର୍ବରୁ ବୁଗୁଡା ବନାଞ୍ଚଳ ଇଲାକାରେ କାଠ ମାଫିଆ ମାନେ ସକ୍ରିୟ ରହିଥିବା ବେଳେ ଦିନକୁ ଦିନ ଜଙ୍ଗଲର ମଧ୍ୟ କ୍ଷୟ କ୍ଷତି ହେଉଥିଲା ।

    ଏନେଇ ବୁଗୁଡା ବନବିଭାଗ ହାତରେ କାଠ ମାଫିଆ ମାନେ ଧରା ପଡୁନଥିବା ବଳେ ଚିନ୍ତାରେ ପଡିଥିଲା ବନବିଭାଗ । ସୂଚନା ଅନୁଯାୟୀ ଆଜି ବୁଗୁଡା ବନାଞ୍ଚଳ ଇଲାକାର ମୋଟାବାଡି ହାଇସ୍କୁଲ ଛକ ଠାରେ ଏକ ଛ ଚକିଆ ଟ୍ରକରେ ଜରିପାଲ ବାନ୍ଧି କାଠ ବୋଝେଇ ହୋଇ ଓଡିଶାରୁ ଆନ୍ଧ୍ରପ୍ରଦେଶ କୁ ଚୋରା ଚାଲାଣ କରାଯାଉଥିଲା, ଉକ୍ତ ଗାଡିକୁ ଜବତ କରିବା ସହ ପ୍ରାୟ ଅନୁମାନିକ ୪ ଲକ୍ଷ ଟଙ୍କା ପାଖାପାଖି କାଠ ଜବତ କରିବା ସହ ଇଛାପୁର ଗ୍ରାମର ଦୁଇ ଜଣ କାଠମାଫିଆ ଙ୍କୁ ବନବିଭାଗ ନିଜ ହେପାଜତରେ ରଖି ଜେରା କରୁଛି।

  • ଧରାପଡିଲେ ନକଲି ସିଆରପି, ଜାଲ୍ ସାର୍ଟିଫିକେଟ ଦେଇ ପାଇଥିଲେ ଚାକିରୀ

    ଧରାପଡିଲେ ନକଲି ସିଆରପି, ଜାଲ୍ ସାର୍ଟିଫିକେଟ ଦେଇ ପାଇଥିଲେ ଚାକିରୀ

    ଜାଲ ଶିକ୍ଷାଗତ ପ୍ରମାଣପତ୍ର ଦେଇ ସରକାରୀ ଚାକିରୀ କରିଥିବା ଅଭିଯୋଗ । ଯାହା RTI ସୂଚନା ଆଧାରରେ ଜଣାପଡିଛି । ଏମିତି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡାରୁ । ତେବେ ସୂଚନା ମୁତାବକ, ଡେରାବିଶ ବ୍ଲକ ଜଅଁରା ବାରିମୂଳ ପଞ୍ଚାୟତ ଗରାମ ଗ୍ରାମରେ ସିଆରପି ଭାବେ ଚାକିରୀ କରିଛନ୍ତି ରାଜଶ୍ରୀ ପରିଜା । ସେ ଚାକିରୀ ପାଇଁ ଇଣ୍ଟରଭ୍ୟୁ ଦେବା ବେଳେ ସାର୍ଟିଫିକେଟ ଭେରିଫିକେସନ ସମୟରେ ବିଏଲଏଫଙ୍କୁ ଭୁଆଁ ବୁଲାଇ ନକଲି ସ୍କୁଲ ସାଠିପିକେର୍ଟ ଦେଇ ଚାକିରୀ ପାଇଥିବା ଅଭିଯୋଗ ହୋଇଥିଲା ।

    ସିଆରପି ପଦ ପାଇଁ ଦଶମ ପାସ ଯୋଗ୍ୟତା ଥିବା ବେଳେ ରାଜଶ୍ରୀ ଏକ ଜାଲ ସାର୍ଟଫିକେଟ ଦେଇ ନିଯୁକ୍ତି ପାଇଥିଲେ । ରାଜଶ୍ରୀଙ୍କ ସାର୍ଟଫିକେଟରେ ଶକୁନ୍ତଳା ବିଦ୍ୟାନିକେତନରୁ ଦଶମ ପାସ କରିଥିବା ଦର୍ଶା ଯାଇଛି । ଯାହାକୁ ନେଇ ସନ୍ଦହ ସୃଷ୍ଟି ହୋଇଥିଲା । ଘଟଣାର ସତ୍ୟତା ଜାଣିବା ପାଇଁ ସୂଚନା ଅଧିକାର ଆଇନର ସାହାରା ନିଆଯାଇଥିଲା । ସେତିରୁ ମିଳିଥିବା ତଥ୍ୟରୁ ଜଣାପଡୁଛି ରାଜଶ୍ରୀଙ୍କ ପ୍ରମାଣପତ୍ର ମିଛ । ଏହାପରେ ଅଭିଯୋଗକାରୀଙ୍କ ପକ୍ଷରୁ ରାଜଶ୍ରୀଙ୍କ ବିରୁଦ୍ଧରେ ଡେରାବିଶ ବିଡ଼ିଓଙ୍କୁ ସଂଗୀନ ଅଭିଯୋଗ ହୋଇଛି ।

    ଆର୍ଟିଆଇ ତଥ୍ୟରେ ବୋଧଙ୍ଗ ସ୍ଥିତ ସକୁନ୍ତଳା ବିଦ୍ୟାନିକେତନ ପକ୍ଷରୁ ଲିଖିତ ଭାବେ ଦର୍ଶା ଯାଇଛି ଯେ, ୨୦୧୦ ମସିହା ଦଶମ ଶ୍ରେଣୀ ଆନୁଆଲ ଓ ସପ୍ଲିମେଣ୍ଟାରୀ ପରୀକ୍ଷାରେ ରାଜଶ୍ରୀ ପରିଜା (ପିତା ରାଜକିସୋର ପରିଜା) ନାମକ କେହି ଛାତ୍ରୀ ତାଙ୍କ ବିଦ୍ୟାଳୟରୁ ପାସ କରିନାହାନ୍ତି । ଏହି ରିପୋର୍ଟ ଆଧାରରେ ଡେରାବିଶ ବିଡ଼ିଓ ଅଭିଯୋଗ ଗ୍ରହଣ କରି କେନ୍ଦ୍ରାପଡ଼ା ଜିଲ୍ଲପାଳଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ କରି ନିଶ୍ଚିନ୍ତ କୋଇଲି ବିଇଓଙ୍କୁ ଚିଠି ଲେଖିଛନ୍ତି । ତଦନ୍ତ ରିପୋର୍ଟ ଆସିବା ପରେ ଜାଲିଆତି କରି ଚାକିରୀ ପାଇଥିବା ରାଜଶ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡେରାବିଶ ବିଡ଼ିଓ ଦାଶରଥି ଜେନା ସୂଚନା ଦେଇଛନ୍ତି ।

    ବର୍ତମାନ ଅନ୍ତିମ ତଦନ୍ତ ରିପୋର୍ଟ ଆସିବା ପରେ ରାଜଶ୍ରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିସହିତ ସେ ନେଇଥିବା ଦରମା ଟଙ୍କା ତାଙ୍କଠୁ ରିକଭରି କରାଯାଇପାରେ ବୋଲି କହିଛନ୍ତି ବିଡିଓ ।

  • ଥମୁନି ରେଳ ଦୁର୍ଘଟଣା,ପୁଣି ଚଳନ୍ତା ଟ୍ରେନରେ ଲାଗିଲା ନିଆଁ

    ଥମୁନି ରେଳ ଦୁର୍ଘଟଣା,ପୁଣି ଚଳନ୍ତା ଟ୍ରେନରେ ଲାଗିଲା ନିଆଁ

    ଯାଜପୁର ସୁକିନ୍ଦାରେ ଚଳନ୍ତା ଟ୍ରେନରେ ଲାଗିଲା ନିଆଁ l ସୂଚନା ମୁତାବକ ଏକ ଟ୍ରେନ ତାଳଚେରରୁ କୋଇଲା ବୋଝେଇ କରି ଧାମରା ଅଭିମୁଖେ ଯାଉଥିବା ବେଳେ ବୋଝେଇ ହୋଇଥିବା କୋଇଲାରେ ଦୁର୍ଭାଗ୍ୟ ବଶତଃ ନିଆଁ ଲାଗି ଯାଇଥିଲା । ଟ୍ରେନ ଚାଳକ ଟ୍ରେନ୍ କୁ ନେଇ ସୁକିନ୍ଦା ଅତିକ୍ରମ କରୁଥିବା ସମୟରେ ଏହି ଦୃଶ୍ୟ ଦେଖି ତୁରନ୍ତ ସୁକିନ୍ଦା ରେଲୱେ ଷ୍ଟେସନରେ ଟ୍ରେନକୁ ଆଜି ସକାଳ ସମୟରେ ଅଟକ ରଖି ସୁକିନ୍ଦା ରେଲୱେ ଷ୍ଟେସନ କତୃପକ୍ଷଙ୍କୁ ସୂଚନା ଦେଇଥିଲେ । ସୁକିନ୍ଦା ରେଲୱେ ଷ୍ଟେସନ କତୃପକ୍ଷ ସୂଚନା ପାଇ ତୁରନ୍ତ ସୁକିନ୍ଦା ଅଗ୍ନିଶ୍ରମ କର୍ମଚାରୀ ମାନଙ୍କ ସହିତ ଯୋଗାଯୋଗ କରିଥିଲେ । ଅଗ୍ନିଶ୍ରମ ଅଧିକାରୀ ରଜନୀକାନ୍ତ ସାମଲ ସୂଚନା ପାଇ ଏକ ସ୍ବତନ୍ତ୍ର ଟିମ ନେଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଟ୍ରେନର ବୋଝେଇ ହୋଇଥିବା କୋଇଲାରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିବା ଦେଖିବାକୁ ମିଳିଛି l

  • ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ଭେଳିକି: ଚାଷୀ ଅସନ୍ତୋଷ

    ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ଭେଳିକି: ଚାଷୀ ଅସନ୍ତୋଷ

    ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାର ମାଳ ମାଳ ଯୋଜନା କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ପାଇଁ ଏହି ଯୋଜନାର ପ୍ରକୃତ ଲାଭ ଚାଷୀ ପାଇ ପାରୁନାହାନ୍ତି । ତେଣୁ ଏହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଷଡିଙ୍ଗ ପଞ୍ଚାୟତ ଅନ୍ତର୍ଗତ ଆଙ୍କୁଡି ଗ୍ରାମରେ ଏପରି ଏକ କାର୍ଯ୍ୟକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପୁଞ୍ଜିଭୁତ ହେଉଛି । ବର୍ଷେ ତଳୁ ଏହି ଗ୍ରାମକୁ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଚମ୍ପୁଆ ଆଦିବାସୀ ଉନ୍ନୟନ ସଂସ୍ଥା ସହଭାଗିତାରେ ଆଗ୍ରୋ ଓଡ଼ିଶା ତରଫରୁ ଉଦ୍ୟମ ଆରମ୍ଭ କରାଯାଇଥିଲା ।

    ଗ୍ରାମର ଚାଷ ଜମିକୁ ଜଳସେଚିତ କରାଯିବା ଲକ୍ଷରେ ଗ୍ରାମର ଜହ୍ନେଇ ନାଳରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ବିଦ୍ୟୁତ ଟ୍ରାନ୍ସଫରମର ବସାଯାଇଥିଲା । ଏଥିସହ ପାଇପ ଓ ମେସିନ ସହ ଅନ୍ୟାନ୍ୟ ସାମଗ୍ରୀ ଅଣାଯାଇ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଦାୟିତ୍ବରେ ରଖାଯାଇଛି । ମାତ୍ର ଏଯାଏଁ ପ୍ରକଳ୍ପ ନିର୍ମାଣ କରିବାକୁ ବିଭାଗ ଗୁରୁତ୍ବ ଦେଉନଥିବା ଅଭିଯୋଗ ହେଉଛି ।

    ତେବେ ଚଳିତ ଖରିଫ ଋତୁରେ ବର୍ଷା ନହେବା ଯୋଗୁଁ ମରୁଡି ପରିସ୍ଥିତି ଉପୁଜି ସାରିଥିବା ବେଳେ ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପୁଞ୍ଜିଭୁତ ହୋଇଛି।

  • ମୁରାନ ନଦୀର ବିପଦଶଙ୍କୁଳ ପୋଲ, କେତେବେଳେ ବି ଯାଇପାରେ ଜୀବନ

    ମୁରାନ ନଦୀର ବିପଦଶଙ୍କୁଳ ପୋଲ, କେତେବେଳେ ବି ଯାଇପାରେ ଜୀବନ

    କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ମୁରାନ ନଦୀ ଉପରେ ଲୋକେ ବିପଦ ଶଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି । ଏହି ନଦୀ ଉପରେ ହାଇଲେବେଲ ପୋଲ ନିର୍ମାଣ କାର୍ଯ୍ୟ ଚାଲୁଛି । ତେଣୁ, ପୋଲ ନିର୍ମାଣ ବିଳମ୍ୱ ଏବଂ ମୋଟର ବୋଟ ଅଚଳ ଯୋଗୁଁ ଠିକା ସଂସ୍ଥା ଦ୍ଵାରା ପ୍ଲାଷ୍ଟିକ ଡ୍ରମ ଓ କାଠ ସାହାଯ୍ୟରେ ନିର୍ମାଣ ହୋଇଛି ଅସ୍ଥାୟୀ ପୋଲ । ଯାହା କି ଏବେ ବିପଦପୂର୍ଣ୍ଣ ପାଲଟିଯାଇଛି । ହୋଇପଡିଛି ଯାହା ଦ୍ୱାରା ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋରିଗୁମ୍ମା ଏବଂ ଦଶମନ୍ତପୁର ବ୍ଲକର ସହ ସହ ଲୋକେ । ମୁରାନ ନଦୀ ଉପରେ ପୋଲ ନିର୍ମାଣ ବିଳମ୍ବ ଯୋଗୁଁ ବାଜିରେ ଲାଗିଛି ଜୀବନ । ଏପଟେ ମୋଟର ବୋଟ ମଧ୍ୟ ଅଚଳ ହୋଇପଡିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୋଲର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରିଲାନି ପୋଲ । ତେଣୁ, ବାଧ୍ୟ ହୋଇ ଲୋକେ କାଠ ପୋଲ ଉପରେ ଯାତାୟତ କିରବାକୁ ବାଧ୍ୟ ହେଉଛନ୍ତି ।

    ଏହି ନଦୀ ଉପରେ ପ୍ରତିବର୍ଷ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ମୋଟର ବୋଟ ଡଙ୍ଗାର ବ୍ୟବସ୍ଥା କରାଯାଇଥିଲା । ଯାହାଫଳରେ ସୁବିଧାରେ ଯାତାୟାତ କରୁଥିଲେ ଲୋକେ । ଦଶମନ୍ତପୁର ବ୍ଲକର ଦୁଆରଶୁଣି ପଞ୍ଚାୟତର କିଛି ଗାଁ ନଦୀ ସେପଟେ ଥିବାରୁ ପ୍ରତିଦିନ ପଞ୍ଚାୟତ କାର୍ଯ୍ୟାଳୟକୁ ଏହି ନଦୀ ପାର ହୋଇ ଲୋକେ ଆସୁଛନ୍ତି । ତେବେ ସେହି ପୋଲ ବାଟେ ବାଇକ କିମ୍ବା ଭାରିଯାନ ଚଳାଚଳ କରୁପାରୁ ନାହିଁ । ଯାହାକୁ ନେଇ ଲୋକେ ହଇରାଣ ହେଉଛନ୍ତି।

  • ଚୀନ୍ ଜାହାଜ ପାରାଦୀପ ପୋର୍ଟରେ ଅଟକ

    ଚୀନ୍ ଜାହାଜ ପାରାଦୀପ ପୋର୍ଟରେ ଅଟକ

    ପାରାଦୀପ ପୋର୍ଟରେ ଅଟକ ରହିଛି ଚୀନ୍ ଜାହାଜ। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅଟକ ରଖିଛନ୍ତି କୁଜଙ୍ଗ ସବଜଜ୍। ଗତକାଲି ଜର୍ଜିଆରୁ ଆମୋନିୟମ ନାଇଟ୍ରେଟ୍ ନେଇ ପାରାଦୀପ ଆସିଥିଲା MV ZHE HAI- 505 ନାମକ ଚୀନ୍ ଜାହାଜ।ଏହି ଚୀନ ଜାହାଜର ମାଲିକ ଓଡ଼ିଶାର ଏକ କମ୍ପାନୀରୁ ପ୍ରାୟ କୋଟିଏ ଟଙ୍କା ବକେୟା ଦେଇ ନଥିବା ଅଭିଯୋଗ ରହିଛି। ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି କମ୍ପାନୀ। ଗତକାଲି ଏହି ଜାହାଜଟି ପାରାଦୀପ ବନ୍ଦରର NOJ ବର୍ଥରେ ଲାଗିବା ପରେ ଅଟକ ରଖିଥିଲେ କୁଜଙ୍ଗ ସବଜଜ୍। କୋର୍ଟଙ୍କ ଆଦେଶ ନ ଆସିବା ଯାଏ ପାରାଦୀପ ବନ୍ଦରରେ ଜାହାଜ ଅଟକି ରହିବ ବୋଲି ସୂଚନା ରହିଛି।

  • ଡ୍ରାଗନ ଫ୍ରୁଟ ଭଳି ଫଳ ଚାଷ କରି ଚର୍ଚ୍ଚାରେ ଚନ୍ଦ୍ରଶେଖର

    ଡ୍ରାଗନ ଫ୍ରୁଟ ଭଳି ଫଳ ଚାଷ କରି ଚର୍ଚ୍ଚାରେ ଚନ୍ଦ୍ରଶେଖର

    ରାଜନଗର ବ୍ଲକ ଅନ୍ତର୍ଗତ ଇଶ୍ଵରପୁର ପଞ୍ଚାୟତ ଜୁନୁସନଗର ଗାଁର ଏକ ଉପାନ୍ତ ଅଞ୍ଚଳରେ ଚନ୍ଦ୍ରଶେଖର ମାନ୍ନା ନିଜର ତିନି ଏକର ଚାଷ ଜମିରେ ଜୈବିକ ସାରରେ ବିଭିନ୍ନ ପରିବା ଓ ଫଳ ଚାଷ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ,ଏହି ପରିବା ଓ ଫଳ ଚାଷ କରି ସେ ବର୍ଷକୁ ୫ ରୁ ୬ ଲକ୍ଷ ଟଙ୍କା ରୋଜଗାର କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଚନ୍ଦ୍ର ଶେଖର ୨୦୧୨ ମସିହାରୁ ନିଜ କଷ୍ଟଅର୍ଜିତ ଧନରୁ ଚାଷ କରି ଆସୁଛନ୍ତି। ଚାଷ ମଧ୍ୟରେ ବାଇଗଣ,କାକୁଡି,ଝୁଡ଼ଙ୍ଗ ଠାରୁ ଆରମ୍ବ କରି ସଫେଇତା, ସେଓ ବେରୀ ଓ ଆଖୁ ଚାଷ କରିଛନ୍ତି ,ସବୁଠୁ ଆଶ୍ଚର୍ଯ୍ୟର କଥା ଯେଉଁ ଡ୍ରାଗନ ଫ୍ରୁଟ କେବଳ ବୈଜ୍ଞାନିକ ଗବେଷଣା କେନ୍ଦ୍ରରେ ଦେଖିବାକୁ ମିଳିଥାଏ ଏବଂ କଦା କୋଚିତ ଓଡ଼ିଶାରେ ଏହାର ଉତ୍ପାଦନ ହୁଏ ତାହା ପୁଣି ଲୁଣି ଉପାନ୍ତ ଅଞ୍ଚଳରେ ଚାଷ ହେଉଛି। ଏହି ଚାଷରେ କୌଣସି ରାସାୟନିକ ସାର ବ୍ୟବହାର କରାନଯାଇ ସମ୍ପୂର୍ଣ୍ଣ ଭାବେ ଜୈବିକ ସାର ବ୍ୟବହାର କରାଯାଉଛି । ଚନ୍ଦ୍ରଶେଖର ଯେ କେବଳ ପରିବା ଓ ଫଳ ଚାଷ କରୁଛନ୍ତି ତାହା ନୁହେଁ ବରଂ ମହୁ ଚାଷ ଓ ଗୃହ ପାଳିତ ପଶୁପକ୍ଷୀ ଚାଷ ମଧ୍ୟ କରୁଛନ୍ତି । ତେବେ ବର୍ତ୍ତମାନ ସମୟରେ ଚାଷୀ ଓ ଚାଷର ସଂଖ୍ୟା କମୁଥିବାବେଳେ ଚନ୍ଦ୍ରଶେଖର ମାନ୍ନା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

    କିନ୍ତୁ ଦୁଃଖର କଥା ଯେମିତି ବଣ ମଲ୍ଲୀ ବଣରେ ଫୁଟି ଝାଉଁଳି ପଡେ ଠିକ ସେହିପରି ଚନ୍ଦ୍ରଶେଖର ମାନ୍ନାଙ୍କ ଏହି ଦକ୍ଷତା ସେହି ଅଞ୍ଚଳରେ ସୀମିତି ହୋଇଯାଇଛି, ନା ତାଙ୍କ ପାଖରେ ବ୍ଲକ ପ୍ରଶାସନ ପହଁଚିଛି ନା ଜିଲ୍ଲା ପ୍ରଶାସନ। ଯଦି ତାଙ୍କୁକିଛି ସରକାରୀ ସହାୟତା ମିଳନ୍ତା ତେବେ ଚନ୍ଦ୍ରଶେଖର ଆହୁରି ଆଗକୁ ଯାଇପାରନ୍ତେ ଓ ଆହୁରି ବିଭିନ୍ନ ଚାଷ କରି ଜିଲ୍ଲା ତଥା ଜିଲ୍ଲା ବାହାରେ ରାଜନଗରକୁ ପରିଚିତ କରିପାରନ୍ତେ।

  • ଇରାନର ନିଶ କାଟିଦେଲା ଇସ୍ରାଏଲ, ଘରେ ପଶି ହମାସ ମୁଖ୍ୟ ଇସମାଇଲ ହନିୟେର ନେଲା ପ୍ରାଣ

    ଇରାନର ନିଶ କାଟିଦେଲା ଇସ୍ରାଏଲ, ଘରେ ପଶି ହମାସ ମୁଖ୍ୟ ଇସମାଇଲ ହନିୟେର ନେଲା ପ୍ରାଣ

    ଅକ୍ଟୋବର ୭, ୨୦୨୩ ତାରିଖରେ ଦକ୍ଷିଣ ଇସ୍ରାଏଲ ଉପରେ ହୋଇଥିବା ଅମାନବୀୟ ଆକ୍ରମଣର ପ୍ରତିଶୋଧ ନେଲା ଇସ୍ରାଏଲ । ଇରାନର ରାଜଧାନୀ ତେହରାନରେ ପଶି ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ର (IRGC) ନାକ ତଳେ ଲୁଚିଥିବା ଆତଙ୍କବାଦୀ ସଂଗଠନ ହମାସର ମୁଖ୍ୟ ଇସମାଇଲ ହନିୟେକୁ ମାରିଲା ଇସ୍ରାଏଲର ଗୁପ୍ତଚର ସଂସ୍ଥା ମୋସାଦ (MOSSAD) । ଖବର ର ପୁଷ୍ଟି କରିଛି ନିଜେ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ।

    ଖାଲି ହନିୟେ ନୁହନ୍ତି, ଆକ୍ରମଣରେ ତାଙ୍କ ଅଙ୍ଗରକ୍ଷୀଙ୍କର ମଧ୍ୟ ମୃତ୍ୟୁ ଘଟିଛି । ହନିୟେଙ୍କ ମୃତ୍ୟୁ ହମାସ ପାଇଁ ଘୋର ଲଜ୍ଜା ଓ ପରିତାପର ବିଷୟ ବୋଲି କୁହାଯାଉଛି, କାରଣ ହନିୟେଙ୍କୁ ବିଶ୍ୱର ସବୁଠାରୁ ଚର୍ଚିତ ଆତଙ୍କବାଦୀ ସଂଗଠନର ନେତା କରିଥିବା ଇରାନ ତାଙ୍କୁ ନିଜ ରାଜଧାନୀ ତେହରାନରେ ମଧ୍ୟ ସୁରକ୍ଷା ପ୍ରଦାନ କରିପାରିଲା ନାହିଁ । ହନିୟେ (୬୨), ତେହରାନରେ ରହି ଇସ୍ରାଏଲ ଉପରେ ଆକ୍ରମଣ କରୁଥିବା ହମାସର ନେତୃତ୍ୱ ନେଉଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯଦି ଇରାନ ନିଜେ ତିଆରି କରିଥିବା ଆତଙ୍କବାଦୀ ସଂଗଠନର ମୁଖିଆଙ୍କୁ ବଂଚାଇ ପାରିଲା ନାହିଁ ତେବେ ଇସ୍ରାଏଲ ଉପରେ ବିଷୋଦ୍ଗାର କରୁଥିବା ନିଜ ନେତାଙ୍କୁ କିପରି ରକ୍ଷା କରିବ?

    ଏଠାରେ ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଦିନ ଶପଥ ଗ୍ରହଣ କରିଥିବା ଇରାନର ନୂତନ ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କ ଉଦ୍ଘାଟନୀ ସମାରୋହରେ ଅଂଶଗ୍ରହଣ କରିବା ପରେ ହିଁ ହନିୟେଙ୍କ ମୃତ୍ୟୁ ଘଟିଛି । ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ମାସୁଦଙ୍କ ସହ ସାକ୍ଷ୍ୟାତ କରିବାର ଅଳ୍ପ ସମୟ ମଧ୍ୟରେ ପ୍ରାଣ ହରାଇଥିଲେ ହନିୟେ । ତେବେ ଘଟଣାର ପ୍ରତିଶୋଧ ନେବ ବୋଲି କହିଛି ହମାସ ।

    ଆଇଆରଜିଟିସିର ଲୋକସମ୍ପର୍କ ବିଭାଗ କହିଛି ଯେ ଏହି ଆକ୍ରମଣ ବୁଧବାର ସକାଳେ ଘଟିଥିଲା ଘଟଣାର ଏବଂ ତଦନ୍ତ ଚାଲିଛି। ଆଇଆରଜିସି ପାଲେଷ୍ଟାଇନ, ମୁସଲମାନ ଜଗତ ଏବଂ ପ୍ରତିରୋଧ ଫ୍ରଣ୍ଟକୁ ସମବେଦନା ଜଣାଇଛି । ହନିୟେଙ୍କ ମୃତ୍ୟୁ ପାଇଁ ଇସ୍ରାଏଲ୍ ସେନା ବାହିନୀ ଦାୟୀ ବୋଲି ହମାସ୍ କହିଛି।

    ଅନ୍ୟ ଏକ ଘଟଣାରେ ଇସ୍ରାଏଲ, ହିଜବୁଲ ନେତା ଫଉଦ ଶୁକୁରଙ୍କୁ ହତ୍ୟା କରିଥିବା କୁହାଯାଉଛି । ଫଉଦ ଶୁକୁର ୧୯୮୩ ମସିହାରେ ବେରୁଟରେ ଥିବା ୟୁଏସ୍ ମେରାଇନ୍ସ ସୈନ୍ୟମାନଙ୍କୁ ନିଶାଣକରି ଏକ ମାରାତ୍ମକ ବୋମା ବିସ୍ଫୋରଣ କରିଥିଲା ବୋଲି ଆମେରିକା କହିଛି ।

    ଆଇଆରଜିସିର ସେପା ନ୍ୟୁଜ୍ ୱେବସାଇଟରେ ପ୍ରକାଶିତ ବିବୃତ୍ତି ଅନୁଯାୟୀ, ହାମାସ ଇସଲାମିକ ପ୍ରତିରୋଧର ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ ଇସମାଇଲ ହନିହେଙ୍କ ବାସସ୍ଥାନ ତେହେରାନରେ କ୍ଷେପଣାସ୍ତ୍ର ମାଡ ହୋଇଥିଲା ଏବଂ ଫଳ ସ୍ୱରୂପ ସେ ଏବଂ ତାଙ୍କର ଜଣେ ଅଙ୍ଗରକ୍ଷୀ ମୃତ୍ୟୁବରଣ କରିଥିଲେ ।

    ପ୍ରଥମ ପାଲେଷ୍ଟାଇନ ବିଦ୍ରୋହକୁ ଦମନ କରି ଇସ୍ରାଏଲ ୧୯୮୯ ରେ ହନିୟେଙ୍କୁ ତିନି ବର୍ଷ ପାଇଁ କାରାଗାରରେ ରଖିଥିଲେ। ଏହା ପରେ ସେ ୧୯୯୨ ରେ ଇସ୍ରାଏଲ୍ ଏବଂ ଲେବାନନ୍ ମଧ୍ୟରେ ଥିବା ଏକ ସ୍ଥାନକୁ ନିର୍ବାସିତ ହୋଇଥିଲେ। ତା’ ପରେ, ୧୯୮୦ ଦଶକର ଶେଷ ଭାଗରେ ହାମାସ ଆନ୍ଦୋଳନର ଜଣେ ପ୍ରମୁଖ ସଦସ୍ୟ ହୋଇଥିଲେ ହନିୟେ।

    ହାମାସର ଶୀର୍ଷ ପଦରେ ନିଯୁକ୍ତ ହେବା ପରେ, ୨୦୧୭ ରେ, ହନିୟେ ତୁର୍କୀ ଏବଂ ଦୋହା ମଧ୍ୟରେ ଯାତ୍ରା କରୁଥିଲେ । ଏପ୍ରିଲ ୧୦, ୨୦୨୪ ତାରିଖରେ ଇସ୍ରାଏଲ ତରଫରୁ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ହନିୟେଙ୍କ ୪ ପୁଅ — ହଜିମ, ଅମୀର ଏବଂ ମହମ୍ମଦ ମୃତ୍ୟୁବରଣ କରିଥିଲେ । ଖାଲି ଏତିକି ନୁହେଁ, ଏହି ଆକ୍ରମଣରେ, ହନିୟେ ତାଙ୍କର ତିନି ଜଣ ନାତୁଣୀ ଏବଂ ଜଣେ ନାତୀଙ୍କୁ ମଧ୍ୟ ହରାଇଥିଲେ ।

  • ଆବର୍ଜନାର ସମୁଦ୍ର ଭସାଇ ନେଲା ସବୁକିଛି, ଭାସୁଥିଲା ଶବ ପୋତିଯାଇଥିଲା ଶତାଧିକ ଘର

    ଆବର୍ଜନାର ସମୁଦ୍ର ଭସାଇ ନେଲା ସବୁକିଛି, ଭାସୁଥିଲା ଶବ ପୋତିଯାଇଥିଲା ଶତାଧିକ ଘର

    ନଦୀରେ ଭାସୁଥିବା ଶବ, ଭଙ୍ଗା ରାସ୍ତା ଏବଂ ବ୍ରିଜ୍… ଏହା କେରଳର ୱାୟାନାଡରେ ବିନାଶର ଦୃଶ୍ୟ । ଏଠାରେ ଭୀଷଣ ଭୂସ୍ଖନ ଯୋଗୁଁ ପ୍ରାୟ ୨୦୦ ଘର ପ୍ରଭାବିତ ହୋଇଛି । ବର୍ତ୍ତମାନ ସୁଦ୍ଧା ୮୪ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶହ ଶହ ଲୋକ ଏବେ ବି ଅଳିଆ ଆବର୍ଜନାରେ ଫସି ରହିଥିବା ଆଶଙ୍କା ରହିଛି । ଅଳିଆ ଆବର୍ଜନାରେ ଫସି ରହିଥିବା ଲୋକଙ୍କ ପାଇଁ ସେନା ଏୟାରଲିଫ୍ଟ କରିବାକୁ ଯୋଜନା କରୁଛି । ଏଥିପାଇଁ ସେନା ହେଲିକପ୍ଟର ଗୁଡ଼ିକ ୱାୟାନାଡ ଅଭିମୁଖେ ଯାତ୍ରା କରିଛି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ୱାୟାନାଦ ସାଂସଦ ରାହୁଲ ଗାନ୍ଧୀ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

    କେରଳର ୱାୟାନାଡରେ ଲଗାତାର ପ୍ରବଳ ବର୍ଷା ହେତୁ ମଙ୍ଗଳବାର ଦିନ ୪ ଘଣ୍ଟା ମଧ୍ୟରେ ୩ଟି ବଡ ଭୂସ୍ଖଳନ ଘଟିଛି । ମୁଣ୍ଡକ୍କଇ, ଚୁରଲମାଲା, ଅଟାମାଲା ଏବଂ ନୋଲପୁଜା ଭୂସ୍ଖଳନ କବ୍ଜାରେ ରହିଥିଲା । ଏହି ଗ୍ରାମ ଗୁଡିକରେ ଶହ ଶହ ଘର ଭୂସ୍ଖଳନ ହେତୁ ଆବର୍ଜନା ତଳେ ପୋତି ହୋଇ ଧ୍ବଂଶ ହୋଇଯାଇଛି । କେବଳ ଚୁରଲମାଲାରେ ୨୦୦ ଘର କ୍ଷତିଗ୍ରସ୍ତ ହୋଇଛି ।

    କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ KSDMA କହିଛି ଯେ, ଅଗ୍ନିଶମ ବାହିନୀ ଏବଂ NDRF ଟିମ୍ ନିୟୋଜିତ ହୋଇଛନ୍ତି । ଏହା ବ୍ୟତୀତ ଅଧିକ NDRF ଟିମ୍ ମଧ୍ୟ ୱାୟାନାଡରେ ପହଞ୍ଚୁଛନ୍ତି । ଏହା ବ୍ୟତୀତ କନ୍ନୁର ପ୍ରତିରକ୍ଷା ସୁରକ୍ଷା କର୍ପସକୁ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବାକୁ ୱାୟାନାଦ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପ୍ରବଳ ବର୍ଷା ହେତୁ ଉଦ୍ଧାର କାର୍ଯ୍ୟ ମଧ୍ୟ ଠିକ୍ ଭାବେ ହୋଇପାରୁନାହିଁ ।

  • ଏବେବି ବଞ୍ଚି ରହିଛି ମାନବିକତା, ଉଦାହରଣ ସାଜିଲେ ଯୁବ ସାମ୍ବାଦିକ

    ଏବେବି ବଞ୍ଚି ରହିଛି ମାନବିକତା, ଉଦାହରଣ ସାଜିଲେ ଯୁବ ସାମ୍ବାଦିକ

    ଦୂର୍ଘଟଣା ଗ୍ରସ୍ତ ହୋଇ ରାସ୍ତା ଉପରେ ପଡ଼ି ରହିଥିବା ଆହତ ବ୍ୟକ୍ତିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲେ ସମାଜସେବୀ ତଥା ଯୁବ ସାମ୍ବାଦିକ ନିଲେଶ ଅନିରୁଦ୍ଧ ନାୟକ। ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ରେଙ୍ଗାଲପାଲି ଗ୍ରାମର କାଳିଆ ସେଠୀ ନିଜ ବାଇକ୍ ଯୋଗେ ନିଜ ଗାଁ ରେଙ୍ଗାଲପାଲି ରୁ ଖିଲେଇ ଅଭିମୁଖେ ଯାଉଥିବା ବେଳେ । ହାଡସଙ୍ଖା ପଳସମା ରାସ୍ତା ବାବାଜୀମଠ ଛକ ନିକଟରେ ଭାରସାମ୍ୟ ହରାଇ ବାଇକ୍ ସହିତ ରାସ୍ତା ଉପରେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା। ରକ୍ତ ଯୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲେ ମଧ୍ୟ କୈାଣସି ପଥଚାରୀ ତାଙ୍କୁ ସାହାଯ୍ୟ କରି ନଥିଲେ। ଦୂର୍ଘଟଣାର ପ୍ରାୟ ଅଧଘଣ୍ଟା ପରେ ସେହି ରାସ୍ତାରେ ଖବର ସଂଗ୍ରହ କରି ଯାଉଥିବା ଯୁବ ସାମ୍ବାଦିକ ତଥା ସମାଜସେବୀ ନିଲେଶ ଅନିରୁଦ୍ଧ ନାୟକ ଉକ୍ତ ଦୂର୍ଘଟଣା ଗ୍ରସ୍ତ ସ୍ଥାନରେ ନିଜ ବାଇକ୍ ରଖି ୧୦୮ ଆମ୍ବୁଲାନ୍ସ ଯୋଗେ ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ଦେଖିବାକୁ ମିଳିଥିଲା। ପରେ ଡାକ୍ତରଖାନାରେ କାଳିଆ ସେଠୀଙ୍କ ପରିବାର ପହଁଞ୍ଚିବା କ୍ଷଣି ଆହତ କାଳିଆ ସେଠୀଙ୍କ ବାଇକ୍ ମୋବାଇଲ ଓ ତାଙ୍କ ମୋର୍ନୀପୋର୍ସ ଇତ୍ୟାଦି ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ। ନିଲେଶ ଅନିରୁଦ୍ଧ ନାୟକଙ୍କ ଏଭଳି କାର୍ଯ୍ୟ କୁ ବୁଦ୍ଧିଜୀବୀ ମହଲରେ ଭୁୟସୀ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ନିଲେଶ ପୂର୍ବରୁ ମଧ୍ୟ ଅନେକ ଅସହାୟ ଗରିବ ଭିନ୍ନକ୍ଷମଙ୍କୁ ସାହାଯ୍ୟ ଠାରୁ ଆରମ୍ଭ କରି ଡାକ୍ତରଖାନାରେ ରକ୍ତ ଯୋଗାଡ଼ ପର୍ଯ୍ୟନ୍ତ ଦେବଦୂତ ହୋଇ ପହଞ୍ଚି ଯାଇଥାଆନ୍ତି। ରୋଗୀଙ୍କୁ ଉତ୍ତମ ଚିକିତ୍ସା କେମିତି କରା ଯାଇ ପାରିବ ସେ ବିଷୟରେ ମଧ୍ୟ ଡାକ୍ତରଖାନାରେ ଡାକ୍ତରଙ୍କ ସହିତ ପରାମର୍ଶ କରିଥାନ୍ତି। ନିଲେଶ ଦେବଗଡ଼ ଜିଲ୍ଲାର ଜଣେ ଭଲ ସ୍ବେଚ୍ଛାସେବୀ ଭାବେ ଅନେକ ପୁରସ୍କାର ପାଇଥିବା ସୂଚନା ମିଳିଛି ।