Blog

  • ଚାଲିଥିଲା ବେଆଇନ ବାଣ ବେପାର, ଲକ୍ଷ ଲକ୍ଷ ଟଙ୍କାର ବାଣ ଜବତ ସହ ଦୁଇ ଅଟକ

    ଚାଲିଥିଲା ବେଆଇନ ବାଣ ବେପାର, ଲକ୍ଷ ଲକ୍ଷ ଟଙ୍କାର ବାଣ ଜବତ ସହ ଦୁଇ ଅଟକ

    ପାର୍ବଣ ଋତୁରେ ପସରା ମେଲାଉଛନ୍ତି ବାଣ ଦୋକାନୀ । କାହା ପାଖରେ ଲାଇସେନ୍ସ ଅଛି ତ କିଏ ବିନା ଲାଇସେନ୍ସରେ ଚଳାଇଛି ବେଧଡ ବାଣ କାରବାର । ଗତକାଲି ସେପରି ଏକ ଲାଇସେନ୍ସ ନଥିବା ବାଣ ଦୋକାନ ଉପରେ ଚଢାଉ କରାଯାଇଥିବା ବେଳେ ବହୁ ପରିମାଣରେ ବାଣ ଜବତ ହୋଇଛି । କୌଣସି ସୂତ୍ରରୁ ବେଆଇନ ବାଣ କାରବାର ଚାଲିଥିବା ଖବର ପାଇ ସୁନ୍ଦରଗଡ ଏସପିଙ୍କ ନିର୍ଦ୍ଦେଶ କ୍ରମେ ୨ଟି ପୋଲିସ ଦଳ ଗଠନ କରାଯାଇଥିଲା ।

    ଏହାପରେ ରାଉରକେଲା ସହର ସ୍ଥିତ ପ୍ଲାଣ୍ଟ ସାଇଟ ଥାନା ଅଧୀନସ୍ଥ ଡେଲି ମାର୍କେଟ ଅଞ୍ଚଳରେ ଚଢ଼ଉ କରି ବିପୁଳ ପରିମାଣରେ ଫୋଟକା ଜବତ କରିଛି ପ୍ଲାଣ୍ଟ ସାଇଟ୍ ପୋଲିଶ । ଆଗକୁ ଆସୁଛି ଦୂର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ସହିତ ଦୀପାବଳୀ ଭଳି ପର୍ବ । ତେବେ ବିଳମ୍ବିତ ରାତିରେ ସେଠାରୁ ଜବତ ହୋଇଥିବା ବାଣର ଆନୁମାନିକ ମୂଲ୍ୟ ୧୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଉଛି । ତେବେ ଏଥିରେ ସଂପୃକ୍ତ ଥିବା ଦୁଇ ଦୋକାନୀ ହେଲେ ବିକାଶ ଅଗ୍ରୱାଲ ଓ ଅଜୟ ଗୁପ୍ତା । ଚଢାଉ ବେଳେ ସେମାନେ ଭ୍ୟାଲିଡ ଲାଇସେନ୍ସ ଦେଖାଇ ନଥିବାରୁ ଉଭୟଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି ।

  • କମ୍ପାନୀ ସିଇଓ ହେଲ ଜୋମାଟୋ ଡେଲିଭରୀ ବୟ

    କମ୍ପାନୀ ସିଇଓ ହେଲ ଜୋମାଟୋ ଡେଲିଭରୀ ବୟ

    ଜଣେ ପ୍ରତିଷ୍ଠିତ କମ୍ପାନୀର ସିଇଓ ହୋଇଛନ୍ତି ଜୋମାଟୋ ଡେଲିଭରୀ କର୍ମଚାରୀ । କଥାଟି ଅଡୁଆ ଲାଗୁଥିଲେ ବି ସତ । ଖାଲି ସିଇଓ ନୁହନ୍ତି, ତାଙ୍କ ପତ୍ନୀ ମଧ୍ଯ ତାଙ୍କ ସହ ସହରରେ ବୁଲି ଦେଉଛନ୍ତି ଫୁଡ୍ ଡେଲିଭରୀ । ଦୁହେଁ ହୋଟେଲରୁ ଅର୍ଡର ସଂଗ୍ରହ କରି ବାଇକରେ ଘର ଘର ବୁଲି ଲୋକଙ୍କ ଡେଲିଭରୀ ପହଞ୍ଚାଉଛନ୍ତି, ଯାହାକୁ ସାଧାରଣରେ ପ୍ରଶଂସା କରାଯାଉଛି । ଅନେକ ସମୟରେ କମ୍ପାନୀର ସିଇଓ ଏବଂ ଫାଉଣ୍ଡର ମାନେ ରାସ୍ତାକୁ ଓହ୍ଲାଉଥିବା ଦେଖିବାକୁ ମିଳେ । ଯେଉଁଥିରେ ତାଙ୍କ କମ୍ପାନୀର ନିଜସ୍ବ ସର୍ଭିସର ବାସ୍ତବତାକୁ ସେମାନେ ପରୀକ୍ଷଣ କରନ୍ତି । ଆଉ ଜୋମାଟୋରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି ।

    ଜୋମାଟୋ ସିଇଓ ତଥା କୋ-ଫାଉଣ୍ଡର ଦୀପିନ୍ଦର ଗୋୟେଲ ମଧ୍ୟ ଅନ୍ୟ ସିଇଓଙ୍କ ଭଳି ନିଜ କମ୍ପାନୀର କାର୍ଯ୍ୟକଳାପକୁ ପାଖରୁ ନିରିକ୍ଷଣ କରିଛନ୍ତି । ଗୁରୁଗ୍ରାମରେ ଦୀପିନ୍ଦର ଜୋମାଟୋ ଟି-ସାର୍ଟ ପିନ୍ଧି ଡେଲିଭରୀ ପାଇଁ ରାସ୍ତାକୁ ଓହ୍ଲାଇ ଗଲେ । ତେବେ ଦୀପିନ୍ଦରଙ୍କ ସହ ତାଙ୍କ ପତ୍ନୀ ଗ୍ରେସିଆ ମୁନୋଜ ମଧ୍ୟ ରହିଥିଲେ । ଗ୍ରେସିଆ ନିକଟରେ ନିଜ ନାମ ପରିବର୍ତ୍ତନ କରି ଜିଆ ଗୋୟେଲ କରିନେଇଛନ୍ତି । ଦୀପିନ୍ଦର ଇନଷ୍ଟାଗ୍ରାମରେ ନିଜ ଫୋଟୋ ସେୟାର କରି ଜିଆଙ୍କୁ ଟ୍ୟାଗ୍ କରିଛନ୍ତି । ସେ ଲେଖିଛନ୍ତି, କିଛି ଦିନ ପୂର୍ବରୁ ଅର୍ଡର ଡେଲିଭରୀ କରିବା ପାଇଁ ବାହାରକୁ ଯାଇଥିଲି । ସେ ଅନେକ ଫୋଟୋ ସେୟାର କରିଛନ୍ତି । ଗୋଟିଏ ଫୋଟୋରେ ସେ ବାଇକ୍ ଚଲାଉଥିବା ଦେଖିବାକୁ ମିଳୁଛି । ଅନ୍ୟ ଗୋଟିଏରେ ସେ ଫୋନ୍ ବ୍ୟବହାର କରୁଥିବା ଦେଖାଯାଉଛି । କିଛି ଫୋଟୋରେ ସେ ଗ୍ରାହକଙ୍କ ସହିତ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି । ଏହି ଫୋଟୋକୁ ନେଇ ସୋସାଲ ମିଡିଆରେ ଖୁବ୍ ଚର୍ଚ୍ଚା । କିଛି ଲୋକ ଏହାକୁ ପ୍ରଶଂସା କରୁଥିବା ବେଳେ କିଛି ଲୋକ ସମାଲୋଚନା କରୁଛନ୍ତି ।

  • ଦଶହରା ପୂର୍ବରୁ ଶୁଭଦ୍ରା ଭେଟି ଦେବେ ମୋହନ ସରକାର

    ଦଶହରା ପୂର୍ବରୁ ଶୁଭଦ୍ରା ଭେଟି ଦେବେ ମୋହନ ସରକାର

    ଆଉ ମାତ୍ର ୨ ଦିନ ପରେ ପୁଣି ଖାତାକୁ ଆସିବ ସୁଭଦ୍ରା ଯୋଜନା ଟଙ୍କା । ଦଶହରା ପୂର୍ବରୁ ମହିଳାମାନଙ୍କୁ ଭେଟି ଦେବାକୁ ଯାଉଛନ୍ତି ମୋହନ ସରକାର। ପୁଣି ଲକ୍ଷ ଲକ୍ଷ ମହିଳା ହେବେ ଖୁସି । ଗତ ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

    ଆଉ ମାତ୍ର ୨ ଦିନ ପରେ ପୁଣି ଖାତାକୁ ଆସିବ ସୁଭଦ୍ରା ଯୋଜନା ଟଙ୍କା । ଅକ୍ଟୋବର ୯ରେ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ମହିଳାଙ୍କୁ ଆକାଉଣ୍ଟକୁ ଯିବ । ବାରିପଦାରୁ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅକ୍ଟୋବର ୯ ତାରିଖରେ ମହିଳାଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ଟଙ୍କା ପଠାଇବେ। ଏହା ନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରାୟ ୪୦ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା ଯିବ। ଅକ୍ଟୋବର ୭ ଯାଏ ପଞ୍ଜିକରଣ କରିଥିଲେ ଅର୍ଥ ମିଳିବ।

  • ପଶ୍ଚିମବଙ୍ଗରେ ନାବାଳିକାର ଅପହରଣ-ହତ୍ୟା ମାମଲାରେ ପୁଣି ଆରମ୍ଭ ହୋଇଯାଇଛି ହିଂସା, ବିଜେପିର ଦାବି- ‘ନାବାଳିକା ସହିତ ହୋଇଛି ଦୁଷ୍କର୍ମ’

    ପଶ୍ଚିମବଙ୍ଗରେ ନାବାଳିକାର ଅପହରଣ-ହତ୍ୟା ମାମଲାରେ ପୁଣି ଆରମ୍ଭ ହୋଇଯାଇଛି ହିଂସା, ବିଜେପିର ଦାବି- ‘ନାବାଳିକା ସହିତ ହୋଇଛି ଦୁଷ୍କର୍ମ’

    ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗାନା ଜିଲ୍ଲାରେ କୋଚିଂ କ୍ଲାସ ପାଇଁ ଘରୁ ବାହାରକୁ ଯିବାବେଳେ ଜଣେ ଝିଅକୁ ଅପହରଣ କରି ହତ୍ୟା କରାଯାଇଛି । ଏହି ଘଟଣା ପରେ ପଶ୍ଚିମବଙ୍ଗରେ ପୁଣି ଲୋକଙ୍କ କ୍ରୋଧ ଏବଂ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। ବିକ୍ଷୋଭକାରୀମାନେ ଗୋଟେ ପୋଲିସ ପୋଷ୍ଟକୁ ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଛନ୍ତି । ବର୍ତ୍ତମାନ ସମସ୍ତଙ୍କ ନଜର ପୋଷ୍ଟ ମର୍ଟମ ରିପୋର୍ଟକୁ । ସେପଟେ ଭାରତୀୟ ଜନତା ପାର୍ଟି ଦାବି କରିଛି ଯେ ଏହା ବଳାତ୍କାର ଓ ହତ୍ୟା ମାମଲା।

    ଅଗଷ୍ଟରେ କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ପ୍ରଶିକ୍ଷକ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ପଶ୍ଚିମବଙ୍ଗ ସରକାର ସମାଲୋଚନାର ସମ୍ମୁଖୀନ ହୋଇଥିବାବେଳେ, ଏବେ ଏଭଳି ପରିସ୍ଥିତିରେ ବିଜେପି ପୁଣି ଥରେ ମମତା ସରକାର ଉପରେ ଦୋଷାରୋପ କରିଛି।

    ପୋଲିସ କହିଛି ଯେ ନାବାଳିକା ଜଣକ ଶୁକ୍ରବାର (ଅକ୍ଟୋବର ୪, ୨୦୨୪) ଦକ୍ଷିଣ୨୪ ପରଗାନାର ମହିଷାମାରିରେ କୋଚିଂ କ୍ଲାସକୁ ବାହାରିଥିଲା ଆଉ ଯେତେବେଳେ ସେ ଘରକୁ ନ ଫେରିଥିଲା ପରିବାର ଲୋକେ ନିଖୋଜ ଅଭିଯୋଗ ସ୍ଥାନୀୟ ପୋଲିସ ଷ୍ଟେସନ ଜଣାଇଥିଲେ । ପରଦିନ, ଶନିବାର ସକାଳେ ତାଙ୍କ ମୃତଦେହ ଏକ କ୍ଷେତରେ ମିଳିଥିଲା, ଏବଂ ତା ଶରୀରରେ ଅନେକ ଆଘାତ ଚିହ୍ନ ରହିଥିଲା।

    ନାବାଳିକାର ମୃତଦେହ ଉଦ୍ଧାର କରାଯିବା ପରେ ଉକ୍ତ ଅଞ୍ଚଳର କ୍ରୋଧିତ ଲୋକମାନେ ବିରୋଧ ଆରମ୍ଭ କରି ପୋଲିସ ଷ୍ଟେସନରେ ନିଆଁ ଲଗାଇ ଦେଇଥିଲେ। ନାବାଳିକାର ବାପା କହିଛନ୍ତି ଯେ ଯେତେବେଳେ ତାଙ୍କ ଝିଅ କ୍ଲାସ ପରେ ଘରେ ପହଞ୍ଚିନଥିଲା , ସେ ନିକଟସ୍ଥ ପୋଲିସ ଷ୍ଟେସନକୁ ଯାଇଥିଲେ | ଅଭିଯୋଗ ଆସିବା ମାତ୍ରେ ତଦନ୍ତ ଆରମ୍ଭ ହୋଇଥିବା ପୋଲିସ ତାଙ୍କୁ କହିଥିଲେ ।

    ପୋଲିସ କହିଛି ଯେ ଅପହରଣ ଓ ହତ୍ୟା ଅଭିଯୋଗରେ ୧୯ ବର୍ଷୀୟ ମୁସ୍ତାକିନ୍ ସର୍ଦ୍ଦାରଙ୍କୁ ଗିରଫ କରାଯାଇଛି। ତେବେ ଲାଠି ଓ ଝାଡୁ ଧରିଥିବା ବିକ୍ଷୋଭକାରୀମାନେ ଏବେ ବି ରାସ୍ତାରେ ଅଛନ୍ତି ଏବଂ ପରିସ୍ଥିତି ଆହୁରି ଖରାପ ନହେବା ପାଇଁ ବହୁ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଛି।

  • ବ୍ଲକ କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ

    ବ୍ଲକ କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ

    ବିଡିଓଙ୍କ ନାମରେ ଅଧ୍ୟକ୍ଷା ମିଥ୍ୟା ଅଭିଯୋଗ ଦେଇଥିବା ପ୍ରତିବାଦରେ କଲମ ଛାଡ ଆନ୍ଦୋଳନ କରିଛନ୍ତି ଗୋପ ବ୍ଲକର ସମସ୍ତ କର୍ମଚାରୀ ।

    ଗତକାଲି ଗୋପ ବ୍ଲକ କନଫ୍ରେନ୍ସନ ହଲ ଉଦଘାଟନ ପୂର୍ବରୁ, ଫଳକରେ ବ୍ଲକ ଅଧକ୍ଷା ଜୁନୁ ମଲିକଙ୍କ ନାମ ଲେଖା ନଥିବା ନେଇ ଅସନ୍ତୋଷ ଦେଖା ଦେଇଥିଲା । ଫଳରେ ଅଧ୍ୟକ୍ଷା ଝୁନୁ ମଲ୍ଲିକ ଇଟା ଦ୍ବାରା ଫଳକକୁ ଭାଙ୍ଗି ଦେଇଥିଲେ । ପରେ ଗୋପ ବ୍ଲକ ପରିସରରେ ବ୍ଲକ ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ , ତାଙ୍କ ସମର୍ଥକ ଏବଂ ବ୍ଲକ ଅଧକ୍ଷଙ୍କ ସମର୍ଥକ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା l ଏହି ଘଟଣାକୁ ନେଇ ଅଧ୍ୟକ୍ଷା ବିଡିଓଙ୍କ ନାମରେ ଗୋପ ଥାନାରେ ଏତଲା ଦେଇଥିଲେ । ଅଧକ୍ଷା ବିଡିଓ ତାଙ୍କୁ ଜାତିଆଣ କଥା କହି ଗାଳି ଗୁଲଜ କରିଥିବାର ମିଥ୍ୟା ଅଭିଯୋଗ ଦେଉଥିବାରୁ ଗୋପ ବ୍ଲକ ର ସମସ୍ତ କର୍ମଚାରୀ ଗତ ଦୁଇଦିନ ହେଲାଣି କଲମ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ବିବାଦ ସମାଧାନ ହୋଇପାରୁ ନଥିବାରୁ ବହୁ ଦୂର ଦୁରାନ୍ତରୁ ନିଜ ନିଜ କାର୍ଯ୍ୟରେ ଗୋପ ବ୍ଲକକୁ ଆସିଥିବା ଅନେକ ହିତାଧିକାରୀ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ ପାଇଁ ନିରାଶରେ ଅପେକ୍ଷା କରିଥିବା ବେଳେ ଅନେକ ଫେରୁଥିବାର ଦେଖିବାକୁ ମିଳୁଛି l

  • ହରିଆଣା ବିଧାନସଭା ନିର୍ବାଚନ ୨୦୨୪: ସକାଳ ୯ ଟା ସୁଦ୍ଧା ୯୦ ଆସନରେ ୯.୫ ପ୍ରତିଶତ ମତଦାନ

    ହରିଆଣା ବିଧାନସଭା ନିର୍ବାଚନ ୨୦୨୪: ସକାଳ ୯ ଟା ସୁଦ୍ଧା ୯୦ ଆସନରେ ୯.୫ ପ୍ରତିଶତ ମତଦାନ

    ହରିଆଣା ବିଧାନସଭା ନିର୍ବାଚନ ୨୦୨୪ ଦୌଡରେ ସାମିଲ ଥିବା ହେଭିୱେଟ ନେତାଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନି, ଜେଜେପିର ଦୁଶନ୍ତ ଚଉତାଲାଙ୍କ, ଭୁପିନ୍ଦର ସିଂ ହୁଡା ଏବଂ କଂଗ୍ରେସର ବିନେଶ ଫୋଗାଟ । ଏକ ଦଶନ୍ଧି ପରେ କଂଗ୍ରେସ ରାଜ୍ୟରେ ପ୍ରତ୍ୟାବର୍ତ୍ତନ କରିବାକୁ ଆଶା ରଖିଥିବାବେଳେ ଶାସକ ବିଜେପି ହ୍ୟାଟ୍ରିକ୍ ଉପରେ ନଜର ରଖିଛି। ଅନ୍ୟ ପ୍ରମୁଖ ପ୍ରତିଯୋଗୀମାନେ ହେଉଛନ୍ତି କଂଗ୍ରେସ, ଆମ୍ ଆଦମୀ ପାର୍ଟି (ଏଏପି), ଭାରତୀୟ ଜାତୀୟ ଲୋକ ଦଳ (INLD), ବାହୁଜନ ସମାଜ ପାର୍ଟି (ବିଏସପି), ଜନନାକ ଜନତା ପାର୍ଟି (ଜେଜେପି) ଏବଂ ଆଜାଦ ସମାଜ ପାର୍ଟି (ଏଏସପି)।
    ହରୟାଣାରେ ବିଜେପିର ନିର୍ବାଚନ ଅଭିଯାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତୃତ୍ୱ ନେଇଥିବାବେଳେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅନେକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ।

    • ହରିଆଣା ବିଧାନସଭାର ୯୦ ଆସନରେ ମତଦାନ ଜାରି, ସକାଳ ୯ ଟା ସୁଦ୍ଧା ୯.୫ ପ୍ରତିଶତ ମତଦାନ
    • ଚାଲିଛି ୧,୦୦୦ ରୁ ଉର୍ଦ୍ଧ୍ବ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା, ଅକ୍ଟୋବର ୮ ରେ ପ୍ରକାଶିତ ହେବ ଫଳାଫଳ
    • ନିର୍ବାଚନରେ ୩୦,୦୦୦ ରୁ ଅଧିକ ପୋଲିସ କର୍ମଚାରୀ ଏବଂ ୨୨୫ ପାରାମିଲିଟାରୀ କମ୍ପାନୀ ନିୟୋଜିତ
    • ମୋଟ ଭୋଟରଙ୍କ ମଧ୍ୟରୁ ୧.୦୭ କୋଟି ପୁରୁଷ, ୯୫ ଲକ୍ଷ ମହିଳା ଏବଂ ୪୬୭ ଜଣ ଟ୍ରାନ୍ସଜେଣ୍ଡର ଅଟନ୍ତି
    • ଗତ ନିର୍ବାଚନରେ ବିଜେପି ୪୦, କଂଗ୍ରେସ ୩୧ ଏବଂ ଜେଜେପି ୧୦ ଆସନରେ ବିଜୟୀ ହୋଇଥିଲେ
    • ୨୦୧୯ ବିଧାନସଭା ନିର୍ବାଚନରେ ​​ରେକର୍ଡ ୬୮ ପ୍ରତିଶତ ଭୋଟର ମତଦାନ କରିଥିଲେ
  • ଦିନକୁ ଦିନ ବଢିଚାଲିଛି ଲୁଟେରାଙ୍କ ଆତଙ୍କରାଜ, ଅନ୍ୟପଟେ ପୋଲିସକୁ ଖୋଲାଚାଲେଞ୍ଜ!

    ଦିନକୁ ଦିନ ବଢିଚାଲିଛି ଲୁଟେରାଙ୍କ ଆତଙ୍କରାଜ, ଅନ୍ୟପଟେ ପୋଲିସକୁ ଖୋଲାଚାଲେଞ୍ଜ!

    କେନ୍ଦ୍ରାପଡ଼ା କୁଦାନଗରୀ ଥାନା ଅନ୍ତର୍ଗତ ସାନ ଅଢଙ୍ଗା ପଞ୍ଚାୟତ ଅରିଲ ଗ୍ରାମର ବିଶିଷ୍ଟ ବ୍ୟବସାୟୀ ଶୈଳକାନ୍ତ ରାଉତଙ୍କ ଘରୁ ବିଳମ୍ବିତ ରାତିରେ କଳାକନା ବୁଲାଇଲେ ଲୁଟେରା । ଲୁଟେରାମାନେ ଝରକା ଭାଙ୍ଗି ଘରେ ପଶି ୮ ଲକ୍ଷ ଟଙ୍କା ସହିତ ସୁନା ଅଳଙ୍କାର ଏଟିଏମ କାର୍ଡ,ପ୍ୟାନ କାର୍ଡ ସହ ଡ୍ରାଇଭିଙ୍ଗ ଲାଇସେନ୍ସ ଲୁଟି ନେଇଛନ୍ତି । ସିସି ଟିଭିରେ କଏଦ ହୋଇଛି ଲୁଟ୍ ସମୟର ଦୃଶ୍ୟ ।

    ଗତ ପନ୍ଦର ଦିନ ମଧ୍ୟରେ ଉକ୍ତ ଗ୍ରାମର ବିଭିନ୍ନ ଘରୁ କେହି ନ ଥିବାର ସୁଯୋଗ ନେଇ ଚୋରି ହେଉଥିବା କୁଦାନଗରୀ ଥାନାରେ ଅଭିଯୋଗ ହେଉଥିବା ବେଳେ ପୋଲିସ ଚରୋଙ୍କୁ ଧରିବାରେ ସଫଳ ହୋଇନାହିଁ । ଚୋରଙ୍କ ଆତଙ୍କ ରାଜ ଯୋଗୁ ଲୋକ ମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି । କୁଦା ନଗରୀ ଥାନାରୁ ମାତ୍ର ୨ କିଲୋ ମିଟର ପରିଧି ଭିତରେ ଏକାଧିକ ଚୋରି ହେଉଥିଲେବି ପୋଲିସର ପାଟ୍ରୋଲିଙ୍ଗ ଅଭାବରୁ ଚୋର ଙ୍କ ପାଦୃଭାବ ବଢୁଥିବା ଲୋକେ ଅଭିଯୋଗ କରିଛନ୍ତି ।

    ତୁରନ୍ତ ଚୋରକୁ ଧରି ସମସ୍ତ ଟଙ୍କା ଓ ଅଳଙ୍କାର ଉଦ୍ଧାର କରିବାକୁ ସାଧାରଣରେ ଦାବୀ ହୋଇଛି । ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ଓ ସନ୍ଧlନୀ କୁକୁର ଜରିଆରେ ତଦନ୍ତ ଆରମ୍ଭ କରିଛି।

  • ଭଡା ଘରୁ ମିଳିଲା ବିଭତ୍ସ ମୃତଦେହ, କାରଣ ଅସ୍ପଷ୍ଟ

    ଭଡା ଘରୁ ମିଳିଲା ବିଭତ୍ସ ମୃତଦେହ, କାରଣ ଅସ୍ପଷ୍ଟ

    କେନ୍ଦୁଝର ଟାଉନ ଥାନା ପବିତ୍ର ଡିହା ବରାଳ ଲଜ୍ ଗଳିରେ ଥିବା ଗୋଟିଏ ଘରୁ ଜଣେ ଝିଅର ଅତି ବିଭତ୍ସ ମୃତଦେହ ମିଳିଛି । ସୂଚନା ମୁତାବକ, ଭଦ୍ରକ ଅଞ୍ଚଳରୁ ଆସି ଭଡାରେ ରହୁଥିବା ରବୀନ୍ଦ୍ର ବେହେରା ନିଜ ସ୍ତ୍ରୀଙ୍କ ସହ ଲାବଣ୍ୟ ଛକ ନିକଟରେ ଛତୁ ବେପାର କରି ପରିବାର ଚଳାନ୍ତି । ଗତକାଲି ମଧ୍ୟ ଦୁହେଁ ଛତୁ ବିକିବାକୁ ଯାଇଥିଲେ । ବଡ଼ ଝିଅ ମନୋରମା ଘରେ ଏକା ଥିଲେ ।

    ଦିନ ୧୧ଟା ସମୟରେ ମନୋରମା ବଜାରରୁ ଚାଉଳ ଆଉ ଚିକେନ ନେଇ ଘରକୁ ଫେରିଥିଲେ । ଏହାପରେ ବାପା ଓ ମାକୁ ଫେରିବା ନେଇ ଫୋନ ଯୋଗେ ଜଣାଇଥିଲେ । ହେଲେ ଦ୍ୱି-ପହର ସମୟରେ ସାନ ଝିଅ କଲେଜରୁ ଆସି ଦେଖିଲା ବେଳକୁ ସାମ୍ନା ପଟ ଗେଟରେ ତାଲା ପଡିଛି ।

    ପରେ କବାଟ ଖୋଲିଲା ବେଳକୁ ଘର ଭିତରେ ବଡ ଝିଅ ମନୋରମାର ରକ୍ତ ଜୁଡୁବୁଡୁ ମୃତଦେହ ପଡିଛି । ଏହାପରେ ସେ ପାଟି କରି ଡାକିବାରୁ ସ୍ଥାନୀୟ ଲୋକେ ଆସି ଗେଟର ତାଲା କାଟିଥିଲେ । ଏହାପରେ ଘରେ ଆସି ପହଞ୍ଚିଥିଲେ ରବୀନ୍ଦ୍ର ବେହେରା ତାଙ୍କ ସ୍ତ୍ରୀ ।

  • ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା

    ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା

    ଘଷିପୁରା ଥାନା ଖାଲପାଳ ପଞ୍ଚାୟତ ପାତନା ଗାଁରେ ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା କଲା ନିଜ ଦିଅର। ହତ୍ୟା ପରେ ଦୈତାରୀ ଥାନା ରେ ଆତ୍ମସମର୍ପଣ କଲା ଅଭିଯୁକ୍ତ। ସୂଚନା ଅନୁଯାୟୀ ପାତନା ଗାଁର ସିଦ୍ଧ ମୁର୍ମୁଙ୍କ ପତ୍ନୀଙ୍କୁ ସିଦ୍ଧ ଙ୍କ ସାନଭାଇ ଗଙ୍ଗା ଏକ ଟାଙ୍ଗିଆ ରେ ହାଣି ହତ୍ୟା କରିଛି।

    କିଛି ଦିନ ତଳେ ଗଙ୍ଗାର ସ୍ତ୍ରୀ ମୃତ୍ୟୁ ବରଣ କରିଥିବା ବେଳେ ତା ଭାଉଜ ସୀତା ଗୁଣି ଗାରେଡି କରୁଥିବା ନେଇ ସନ୍ଦେହ ଘେରରେ ରହୁଥିଲା ଅଭିଯୁକ୍ତ । ଗଙ୍ଗାର ଛୁଆ ଙ୍କ ଦେହ ମଧ୍ୟ ଖରାପ ହେଉଥିବା ତେଣୁ ଭାଉଜକୁ ରାସ୍ତାରୁ ହଟାଇବାର ସୁଯୋଗ ଖୋଜୁଥିଲା ଅଭିଯୁକ୍ତ। ଘରେ କେହି ନଥିବାର ସୁଯୋଗ ନେଇ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ଗଙ୍ଗା।

    ହତ୍ୟା ପରେ ଦୈତାରୀ ଥାନାରେ ଆତ୍ମସମର୍ପଣ କରିଥିଲା । ପରେ ଘଷିପୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମ଼ତଦେହ ଜବଦ କରି ତଦନ୍ତ ଆରମ୍ବ କରିଛି।

  • ଚୋରା ବାଲି ଚାଲାଣ ଟ୍ରାକ୍ଟର ଜବତ, ଡ୍ରାଇଭର ଫେରାର

    ଚୋରା ବାଲି ଚାଲାଣ ଟ୍ରାକ୍ଟର ଜବତ, ଡ୍ରାଇଭର ଫେରାର

    ସୁବର୍ଣ୍ଣରେଖା ନଦୀରୁ ଚୋରା ବାଲି ଚାଲାଣ ବେଳେ ଦୁଇଟି ଟ୍ରାକ୍ଟର ଜବତ୍ କରିଛି ବାଲେଶ୍ବର ବାଲିଆପାଳ ପୋଲିସ । ଏଥିନେଇ ଥାନା ଆଇଆଇସି ବ୍ରହ୍ମାନନ୍ଦ ସ୍ବାଇଁ କହିଛନ୍ତି, ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ଚୋରା ଚାଲାଣ ହେଉଥିବାର ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଧରିବାକୁ ଯୋଜନା କରାଯାଇଥିଲା । ହେଲେ ଦିନ ଦ୍ବି-ପହରରେ ଅଭିଯୁକ୍ତ ମାନେ ଟ୍ରାକ୍ଟରରେ ବାଲି ଲୋଡ କରିବା ପରେ ଗାଡି ଚମ୍ପଟ ମାରିଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ପୋଲିସ କର୍ମଚାରୀ ମାନେ ଘଟଣା ସ୍ଥଳରେ ଜଗି ରହିଥିଲେ ସୁଦ୍ଧା ଗାଡି ପାଖକୁ କେହି ଆସି ନଥିଲେ । ଫଳରେ ଟ୍ରାକ୍ଟର ଗୁଡିକୁ ଜବତ କରି ଥାନାକୁ ଆଣିବା ସହିତ ସେହି ଗାଡି କାହାର ସେନେଇ ତଦନ୍ତ କରାଯାଉଛି ।

    ତେବେ ସୂଚନା ଯୋଗ୍ୟ ଯେ, ଦୀର୍ଘ ଦିନ ହେଲା ସୁବର୍ଣ୍ଣରେଖା ନଦୀର ବିଭିନ୍ନ ସ୍ଥାନରେ ବାଲି ମାଫିଆ ମାନେ ବେଆଇନ ଭାବେ ବାଲି ଚୋରା ଚାଲାଣ କରିବାରେ ଲାଗିଛନ୍ତି । ପୋଲିସ ଓ ପ୍ରଶାସନ ଆଖିରେ ଧୂଳିଦେଇ ଗାଡିର ନମ୍ବରକୁ ବଦଳାଇ ବାଲି ଚୋରାଇ ବୋହିବାରେ ସେମାନେ ଲାଗିଥିଲେ । ଏହି ବାଲି ଚୋରା ଚାଲାଣ ପଛରେ କିଛି ଅସାଧୁ ପୋଲିସ କର୍ମଚାରୀଙ୍କ ହାତ ରହିଥିବା ଅଭିଯୋଗ ହୋଇଛି ।